ହେଡଲାଇନସ୍:

୪୦ ବର୍ଷ ତଳେ ଶ୍ରୀଜଗନ୍ନାଥ ମନ୍ଦିରରେ ଥିଲା ୧୨୮ କିଲୋରୁ ଅଧିକ ସୁନା ଓ ୨୨୧ କିଲୋରୁ ଅଧିକ ରୁପା ସାମଗ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

26-04-18--jagannath-temple.jpg - 88.75 kB

 

ଭୁବନେଶ୍ୱର, ୨୬ା୦୪: ଚାଳିଶି ବର୍ଷ ତଳେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ଖୋଲାଯାଇ ପ୍ରସ୍ତୁତ କରାଯାଇଥିବା ତାଲିକା ମୁତାବକ ଏଠାରେ ୧୨,୮୩୧ ଭରିରୁ ଅଧିକ ସୁନା ଓ ୨୨,୧୫୩ ଭରିରୁ ଅଧିକ ରୁପା ସାମଗ୍ରୀ ଥିଲା । ତେବେ ଏହି ପୁରୁଣା ତାଲିକା ମୁତାବକ କେତେ ମୂଲ୍ୟର ରତ୍ନ ଅଳଙ୍କାର ରହିଛି ତାହାର ରେକର୍ଡ ସରକାରଙ୍କ ନିକଟରେ ନାହିଁ । ବିଧାୟକ ଦିଲିପ ରାୟଙ୍କ ଏକ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତରରେ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି । 

ପୁରୀ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ନିକଟରେ ଉପଲବ୍ଧ ତଥ୍ୟ ଅନୁଯାୟୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ପୂର୍ବରୁ କେବେ ଖୋଲାଯାଇ ସେଥିରେ ଗଚ୍ଛିତ ଥିବା ସମ୍ପତ୍ତିର ଆକଳନ କରାଯାଇଥିଲା, ସେ ସମୟରେ ରତ୍ନ ଭଣ୍ଡାରରେ କେଉଁ କିସମର କେତେ ପରିମାଣର ଓ କେତେ ମୂଲ୍ୟର ସମ୍ପତ୍ତି ଥିଲା ଏବଂ ଏବେ ଏହାର ପରିମାଣ କେତେ ବୋଲି ବିଧାୟକ ଶ୍ରୀ ରାୟ ତାଙ୍କ ପ୍ରଶ୍ନରେ ଉଲ୍ଲେଖ କରିଥିଲେ । 

ଏହାର ଉତ୍ତରରେ ଆଇନ୍ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଉପଲବ୍ଧ ତଥ୍ୟ ଅନୁଯାୟୀ ପରିଚାଳନା କମିଟିଙ୍କ ଦ୍ୱାରା ୧୯୭୮ ମଇ ୧୩ ତାରିଖରୁ ଜୁଲାଇ ୨୩ ତାରିଖ ମଧ୍ୟରେ ରତ୍ନଭଣ୍ଡାରର ଭିତର ଓ ବାହାର ପାଖରେ ରଖାଯାଇଥିବା ସମସ୍ତ ସାମଗ୍ରୀର ଏକ ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ କରାଯାଇଥିଲା । ସେ ସମୟରେ ରତ୍ନ ଭଣ୍ଡାରରେ ମୂଲ୍ୟବାନ ପଥର ସହିତ ୧୨,୮୩୧ ଭରି ଏକ ଅଣା ଓଜନର ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ଥିଲା । ସେହିପରି ମୂଲ୍ୟବାନ ପଥର ସହିତ ୨୨,୧୫୩ ଭରି ରୁପା ବାସନ, ପୂଜା ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ଥିବା ସେତେବେଳେ ଆକଳନ କରାଯାଇଥିଲା । 

ଏହାଛଡ଼ା ୧୪ଟି ସୁନା ଓ ରୁପା ଜିନିଷ ସେତେବେଳେ ବିଭିନ୍ନ କାରଣରୁ ଓଜନ କରାଯାଇପାରିନଥିଲା । ତେଣୁ ଏହି ୧୪ଟି ସୁନା ଓ ରୁପା ଜିନିଷର ଓଜନ ଏହି ହିସାବରେ ଅନ୍ତର୍ଭୁକ୍ତ ନୁହେଁ । ମନ୍ତ୍ରୀ ପୁଣି କହିଛନ୍ତି ଯେ ଏହି ତାଲିକା ପ୍ରସ୍ତୁତ କରାଯିବା ବେଳେ ମୂଲ୍ୟାୟନ କରାଯାଇଥିବାର ରେକର୍ଡ ଉପଲବ୍ଧ ନାହିଁ, ଏବେ ଏହାର ପରିମାଣ କେତେ ହେବ ତାହା ଆକଳନ କରାଗଲେ ଜଣାପଡ଼ିବ । 

ତେବେ ୧୯୭୮ରୁ ୨୦୧୮ ମଧ୍ୟରେ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରରେ ଆଉ କେତେ ପରିମାଣର ସୁନା, ରୁପା ଓ ଅନ୍ୟାନ୍ୟ ରତ୍ନ ଅଳଙ୍କାର ଜମା ହୋଇଛି ସେ ସଂକ୍ରାନ୍ତରେ ସରକାରଙ୍କ ଉତ୍ତରରେ କିଛି ନିର୍ଦ୍ଧିଷ୍ଟ ସୂଚନା ନ ଥିବାରୁ ଭକ୍ତମାନଙ୍କ ଦାନ ଓ ପ୍ରଣାମୀ ଦୃଷ୍ଟିରୁ ଏହାର ପରିମାଣ ଢେର୍ ଅଧିକ ହୋଇପାରେ ବୋଲି ବେସରକାରୀ ଭାବେ କୁହାଯାଉଛି । 

0
0
0
s2sdefault