ଝାରସୁଗୁଡା(ସୁବାଷ ସାହାରେ) ଅଖିଲ ଭାରତୀୟ ଗୋଣ୍ଡୱାନା ସମାଜଦ୍ବାରା ରାଣୀ ଦୁର୍ଗାବତୀଙ୍କ ୪୫୭ ତମ ବଳିଦାନ ଦିବସ କରୋନା ମହାମାରୀକୁ ଆଖି ଆଗରେ ରଖି ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଝାରସୁଗୁଡ଼ା ଗୋଣ୍ଡୱାନା ଭବନରେ ପାଳନ କରାଯାଇଛି। ରାଜ୍ୟ ଗୋଣ୍ଡୱାନା ସଂଘର ସଭାପତି ଶ୍ରୀ ମହେନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଓଡ଼ିଶାର ୨୦ଟି ଗୋଣ୍ଡବହୁଳ ଜିଲ୍ଲା ଯଥା ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଢେଙ୍କାନାଳର, କଟକ, ଖୋର୍ଦ୍ଧା, ନୟାଗଡ଼, ଅନୁଗୁଳ, ସୋନପୁର, ବରଗଡ଼,ବଲାଙ୍ଗୀର ନୂଆପଡ଼ା, କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, ନବରଙ୍ଗପୁର ଓ ମାଲକାନଗିରି ଆଦି ଜିଲ୍ଲାର ଛାତ୍ର ସଂଗଠନ, ପଦାଧିକାରୀ ଓ ମହିଳା ପ୍ରତିନିଧି ଯୋଗଦେଇଥିଲେ। ସକାଳ ୧୦ଟାରୁ ଆରମ୍ଭ ହୋଇ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିଥିବା ଏହି ସଭାରେ ଚାରୋଟି ପ୍ରସ୍ତାବ ଗୃହୀତ ହୋଇଥିଲା।
ପ୍ରଥମତଃ, ଆଦିବାସୀ ମାନଙ୍କ ସାମଗ୍ରିକ ଉନ୍ନତି ନିମନ୍ତେ ମହିଳା ମାନଙ୍କ ଦ୍ଵାରା ପ୍ରସ୍ତୁତ ହେଉଥିବା ସାମଗ୍ରୀ ହସ୍ତ ନିର୍ମିତ ବସ୍ତୁଗୁଡ଼ିକର ତଥା ନବଜାତ ଦ୍ରବ୍ୟ ଗୁଡିକର କ୍ରୟ ଓ ବିକ୍ରୟକୁ ପ୍ରୋତ୍ସାହନ। ଦ୍ୱିତୀୟତଃ, ଗୋଣ୍ଡ ସମାଜରେ ବିଚାରକ ସମ୍ପର୍କ ଆଜିଠାରୁ ସମସ୍ତ ଓଡ଼ିଶାରେ ଲାଗୁ ହେଵାର ନିଷ୍ପତ୍ତି ନିଆଯାଇଛି।ଏହି ସମ୍ପର୍କରେ ଏକକ ସାମାଜିକ କଟକଣାମୁକ୍ତ ବିବାହ ପରିଚୟ ପତ୍ର ପ୍ରଚଳନ ହେବ। ତୃତୀୟରେ, ବିଶ୍ଵବ୍ୟାପୀ ମହାମାରୀ କରୋନା ବିଷୟରେ ସମସ୍ତଙ୍କୁ ଅବଗତ କରାଇବା ତଥା ସମାଜର ପାଣ୍ଠିରୁ ମୂଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ଏକ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି।ଚତୁର୍ଥରେ,କରୋନାର ପ୍ରକୋପକୁ ଲକ୍ଷ୍ୟ ରଖି ପ୍ରସ୍ତାବିତ ଜାତୀୟ ଗୋଣ୍ଡୱାନା ମହାସଭାକୁ ଆସନ୍ତା ୨୫ ଡିସେମ୍ବରରେ କେନ୍ଦୁଝର ଜିଲ୍ଲାରେ ଆୟୋଜିତ ହେବ।
ଏହି ବଳିଦାନ ଉତ୍ସବରେ ପୂର୍ବତନ ବିଧାୟକ ଶ୍ରୀ ରବିନାରାୟଣ ନାଏକ, ମହାସଚିବ ପ୍ୟାରୀମୋହନ ନାୟକ, ମୀନକେତନ ମାଝୀ, ଚୁଡ଼ମଣି ଧୁରୁଆ, ରାଷ୍ଟ୍ରୀୟ ସଭ୍ୟ ଗଣେଶ ମାଝୀ, ଝାରସୁଗୁଡ଼ା ଜିଲ୍ଲା ସଭାପତି ଡମ୍ବରୁଧର ନାୟକ, ସଂପାଦକ ଶ୍ୟାମଲାଲ ନାୟକ, ସମ୍ବଲପୁର ଜିଲ୍ଲା ସଭାପତି ସନ୍ତୋଷ ଭୋଇ, କେନ୍ଦୁଝର ଜିଲ୍ଲା ସଭାପତି ଜନାର୍ଦ୍ଦନ ନାୟକ, ସଂପାଦକ ହରେକୃଷ୍ଣ ନାୟକ,ରାଜ୍ୟ ମହିଳା ସଭାନେତ୍ରୀ ସୁକାନ୍ତିବାଳା ନାୟକ, ଉପସଭାପତି ଦମୟନ୍ତୀ ମହାପାତ୍ର, ଝାରସୁଗୁଡ଼ା ଜିଲ୍ଲା ସଭାନେତ୍ରୀ ଅଳକା କାଲୋ, ରାଜ୍ୟ ଛାତ୍ର ସଭାପତି ଡାକ୍ତର ସୁରେଶ ଝାଙ୍କର ପ୍ରମୁଖ ଉପସ୍ଥିତ ଥିଲେ।