ହାଇକୋର୍ଟରେ ଶୁଣାଣୀ ଶେଷ, ରାୟ ସଂରକ୍ଷିତ
ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ ଉପକୃତ ହେବେ ହଜାର ହଜାର ଜମାକାରୀ
ଗଚ୍ଛିତ ଅଛି ୮୨କୋଟିରୁ ଊର୍ଧ୍ବ, ୭୦ହଜାର ଜମାକାରୀ ପାଇବେ ୭୨କୋଟି
ମ୍ୟାନେଜମେଣ୍ଟ୍ ଇନ୍ ଚାର୍ଜ(ଏମ୍ଆଇସି) ତଥା ଏଡିଏମଙ୍କୁ ଦାୟିତ୍ବ
ବାରିପଦା(ଦିଲ୍ଲୀପ ମହାନ୍ତି): ଦୀର୍ଘ ବର୍ଷର ଦାବି ତଥା ମୟୂରଭଞ୍ଜ ଜିଲ୍ଲାର ଏକ ପ୍ରମୁଖ ସମସ୍ୟା ଭାବେ ପରିଗଣିତ ହେଉଥିବା ବାରିପଦା ଅର୍ବାନ୍ ବ୍ୟାଙ୍କ ଜମାକାରୀଙ୍କ ଜମାରାଶି ଫେରସ୍ତ ଘଟଣାର ଆପାତତଃ ସମାଧାନ ହେବାକୁ ଯାଉଛି। ଏନେଇ ୨୦୧୭ ମସିହାରେ ଓଡ଼ିଶା ଉଚ୍ଚନ୍ୟାୟାଳରେ ବାରିପଦା ଅର୍ବାନ୍ ବ୍ୟାଙ୍କ୍ ପରିଚାଳନା କମିଟି ପକ୍ଷରୁ ଦାୟର କରାଯାଇଥିବା ଏକ ମାମଲାର ଶୁଣାଣି ଶେଷ ହୋଇଛି। ବିଚାରପତି ପ୍ରମୋଦ କୁମାର ପଟ୍ଟନାୟକ ଏହି ମାମଲାର ଶୁଣାଣୀ କରି ରାୟ ସଂରକ୍ଷିତ ରଖିଛନ୍ତି। ତେବେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ହାଇକୋର୍ଟ ଏହି ମାମଲାର ଶୁଣାଣୀ କରି ଜମାକାରୀଙ୍କୁ ସେମାନଙ୍କର ଜମାରାଶି ଫେରାଇବା ନିମନ୍ତେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ କ୍ଷମତା ପ୍ରଦାନ କରିଛନ୍ତି। ବ୍ୟାଙ୍କର ମ୍ୟାନେଜମେଣ୍ଟ୍ ଇନ୍ ଚାର୍ଜ(ଏମ୍ଆଇସି) ତଥା ମୟୂରଭଞ୍ଜ ଏଡିଏମଙ୍କୁ ଏହି ଜମାରାଶି ଫେରସ୍ତ ଦାୟିତ୍ବ ଦିଆଯାଇଥିବା ଜଣାପଡ଼ିଛି। ଜିଲ୍ଲାର ଏକ ପ୍ରମୁଖ ସମସ୍ୟା ଭାବେ ଦୀର୍ଘ ବର୍ଷ ହେବ ଗଡ଼ିଚାଲିଥିବା ଜମାକାରୀ ଏହି ସମସ୍ୟାର ସମାଧାନ କରିବାରେ ରାଜ୍ୟ ସରକାର ମଧ୍ୟ ବିଶେଷ ସହାୟତା କରିଥିବା ପ୍ରକାଶ। ହାଇକୋର୍ଟଙ୍କ ଏହି ରାୟ ଫଳରେ ମୟୂରଭଞ୍ଜର ପ୍ରାୟ ୭୦ହଜାରରୁ ଉର୍ଧ୍ବ ଜମାକାରୀ ସେମାନଙ୍କର କଷ୍ଟଲବ୍ଧ ଟଙ୍କା ଫେରିପାଇବାର ଆଶା ଉଜ୍ଜ୍ବଳ ହୋଇଛି। ବର୍ତ୍ତମାନ ସମୟରେ ବ୍ୟାଙ୍କ ନିକଟରେ ପ୍ରାୟ ୮୨କୋଟିରୁ ଊର୍ଧ୍ବ ଟଙ୍କା ଗଛିତ ଅଛି। ଏହି ଅର୍ଥ ରାଜ୍ୟ ସମବାୟ ବ୍ୟାଙ୍କରେ ଗଛିତ ଥିବା ଜଣାପଡ଼ିଛି। ସେହିପରି ଜମାକାରୀମାନେ ୭୨କୋଟି ରୁ ଊର୍ଧ୍ବ ଟଙ୍କା ଫେରିପାଇବେ। ତେଣୁ ବ୍ୟାଙ୍କ କର୍ତ୍ତୃପକ୍ଷ ଟଙ୍କା ଫେରାଇବାର କ୍ଷମତା ପାଇଲେ ସମସ୍ତ ଜମାକାରୀ ଟଙ୍କା ଫେରିପାଇପାରିବେ ବୋଲି ଜଣାପଡ଼ିଛି। ଏହା ସମ୍ପୂର୍ଣ୍ଣ ଜିଲ୍ଲା ତଥା ହଜାର ହଜାର ଜମାକାରୀଙ୍କ ପାଇଁ ଏକ ବିଶେଷ ଖୁସି ଖବର ଭାବେ ପରିଗଣିତ। ବାରିପଦା ଅର୍ବାନ୍ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପକ୍ଷରୁ ୨୦୧୭ରେ ଦାୟର କରାଯାଇଥିବା ଏହି ମାମଲାରେ ରାଜ୍ୟ ସମବାୟ ବିଭାଗ, ବାରିପଦା ଉପନିବନ୍ଧକ ସମବାୟ ସମିତି, ଆର୍ବିଆଇ, ଆପିଲେଟ ଅଥରିଟି ଅଫ୍ ଫାଇନାନ୍ସ ଡିପାର୍ଟମେଣ୍ଟ୍ ପ୍ରମୁଖ ପକ୍ଷଭୁକ୍ତ ରହିଥିଲେ। ଆଜିର ଶୁଣାଣୀ ବେଳେ ସମସ୍ତ ପକ୍ଷର ଓକିଲ ଉପସ୍ଥିତ ଥିଲେ। ଏପରିକି ଆଜିର ଶୁଣାଣୀ ବେଳେ ଜିଲ୍ଲାର ଚାରିଟି ସବ୍ଡିଭିଜନ୍ର ଜମାକାରୀ ସଂଘର ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟଯେ ବାରିପଦା ଅର୍ବାନ୍ ବ୍ୟାଙ୍କ ଜମାକାରୀ ସେମାନଙ୍କର ଜମାରାଶି ଫେରସ୍ତ ପାଇବା ନେଇ ଜିଲ୍ଲାରେ ଅନେକ ଆନ୍ଦୋଳନ ମୁଣ୍ଡଟେକିଛି। ଜିଲ୍ଲାରେ ଏହି ସମସ୍ୟା ଏକ ପ୍ରମୁଖ ରାଜନୈତିକ ପ୍ରସଙ୍ଗଭାବେ ସ୍ଥାନ ନେଇଥିଲା। ତେବେ ୨୦୧୯ ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ୩୦ ଜାନୁୟାରୀରେ ବାରିପଦାର ଛଉ ପଡ଼ିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଭା କରିଥିଲେ। ଏହି ସଭାରେ ବାରିପଦା ଅର୍ବାନ୍ ବ୍ୟାଙ୍କ ପୁନରୁଦ୍ଧାର ଏବଂ ଜମାକାରୀଙ୍କ ଟଙ୍କା ଫେରସ୍ତ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ତେବେ ନିର୍ବାଚନ ପୂର୍ବରୁ ଏବଂ ପରେ ଏହି ସମସ୍ୟାକୁ ନେଇ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନେକ ସମାଲୋଚନା କରାଯାଇଥିଲା। ଏପରିକି ଅନେକ ବିରୋଧୀ ଦଳ ଏହାକୁ ଏକ ନିର୍ବାଚନୀ ପ୍ରସଙ୍ଗ ମଧ୍ୟ କରିଥିଲେ। ତେବେ ହାଇକୋର୍ଟଙ୍କ ରାୟ ପରେ ଜମାକାରୀମାନେ ସେମାନଙ୍କର କଷ୍ଟୋପାର୍ଜିତ ଅର୍ଥ ଫେରିପାଇଲେ ଏହା ଏକ ଅତ୍ୟନ୍ତ ସ୍ବାଗତଯୋଗ୍ୟ ପଦକ୍ଷେପ ହେବ ବୋଲି ଜମାକାରୀଙ୍କ ପକ୍ଷରୁ ପ୍ରକାଶ। ଏହା ହେଲେ ମୟୂରଭଞ୍ଜରେ ଦୀର୍ଘ ବର୍ଷ ହେବ ଲାଗିରହିଥିବା ଏକ ପ୍ରମୁଖ ସମସ୍ୟାର ଅବସାନ ଘଟିବ କହିଲେ ଅତ୍ୟୁକ୍ତି ହେବ ନାହିଁବୋଲି ଜମାକାରୀଙ୍କ ପକ୍ଷରୁ ପ୍ରକାଶ। ହାଇକୋର୍ଟରେ ଏହି ମାମଲାର ଶୁଣାଣୀରେ ରାଜ୍ୟ ସରକାର ହସ୍ତକ୍ଷେପ କରିବା ସହିତ ଜମାକାରୀଙ୍କୁ ସେମାନଙ୍କର ଟଙ୍କା ଫେରିପାଇବାରେ ସହାୟତା କରିଥିବା ମାମଲ ଦାୟରକାରୀଙ୍କ ପକ୍ଷରୁ ପ୍ରକାଶ।