ଭୁବନେଶ୍ୱର,(ଶାସକ ପ୍ରଶାସକ) : ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟ ହାତକୁ ନେଇ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି କରାଯିବ । ଏ ନେଇ ଆଜି ପଂଚାୟତିରାଜ, ପାନୀୟ ଜଳ, ଆଇନ, ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି । ସମୀକ୍ଷା ବିବରଣୀରୁ ପ୍ରକାଶ ଯେ ଚଳିତ ବର୍ଷ ଏମ.ଜି.ଏନ୍.ଆର୍.ଜି.ଏସରେ ମାହାଙ୍ଗା ବ୍ଲକରେ ୪ କୋଟି ଏବଂ ନିଶ୍ଚିନ୍ତକୋଇଲି ବ୍ସକରେ ୧୦ କୋଟି ଟଙ୍କା ବ୍ୟୟ କରାଯିବ । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ନିର୍ଦ୍ଧିଷ୍ଟ ଯୋଜନା ମୁତାବକ କାର୍ଯ୍ୟକାରୀ କରାଯିବ ଯହାଫଳରେ ସାଧାରଣ ଲୋକମାନେ ଯେଭଳି ଭାବେ ଉପକୃତ ହୋଇପାରିବେ ତାହା ଉପରେ ମନ୍ତ୍ରୀ ଶ୍ରୀ ଜେନା ଗୁରୁତ୍ୱ ଆରୋପ କରିଛନ୍ତି । ସେହିପରି ଜଳଛାୟା ନିର୍ମାଣ ଉପରେ ମଧ୍ୟ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଛି । ମାହାଙ୍ଗା ବ୍ଲକରେ ୫୨ ଗୋଟି ଏବଂ ନିଶ୍ଚିନ୍ତକୋଇଲି ବ୍ଲକରେ ୯୬ ଗୋଟି ଅଙ୍ଗନବାଡି ଗୃହ ନିର୍ମାଣ କାର୍ଯ୍ୟ ଚାଲିଛି ।
ସେଗୁଡିକର ନିର୍ମାଣକାର୍ଯ୍ୟ ତ୍ୱରାନ୍ୱିତ କରି ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକସେବା ଭବନଠାରେ ଅନୁଷ୍ଠିତ ଉକ୍ତ ବୈଠକରେ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକ୍ ଅଧ୍ୟକ୍ଷ/ଅଧ୍ୟକ୍ଷ ପ୍ରତିନିଧି , କଟକ ଜିଲ୍ଲା ଗ୍ରାମ୍ୟଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଅବଦୁଲ ଅକ୍ତାର , କଟକ ଓ ଭୁବନେଶ୍ୱର ଡି.ଏଫ୍.ଓ , ଦୁଇ ବ୍ଲକର ବି.ଡି.ଓ ଏବଂ ରେଞ୍ଜ ଅଫିସରଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।