ସିନାପାଲି (ନିରାକାର ମେହେର )-ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରୁ ଗରିବ ଅସହାୟ ଲୋକମାନଙ୍କ ପାଇଁ ରାଜକୋଶ ରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଆସୁଛନ୍ତି | ଯେପରି କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାଜ୍ୟ ସରକାରଙ୍କ ବିଜୁ ପକ୍କା ଘର ଯୋଜନା ରହିଛି | ହେଲେ ସରକାରୀ ବାବୁଙ୍କ ଦାୟିତ୍ବହୀନତା ଓ ଉଦାସିନତା ଯୋଗୁ ପ୍ରକୃତ ହିତାଧିକାରୀ ମାନଙ୍କ ପାଖକୁ ପହଂଚି ପାରୁନାହିଁ | ଫଳରେ ଅନେକ ସମୟ ପ୍ରକୁତ ହିତାଧିକାରୀ ଅସହାୟ ଭାବେ ଆର୍ଥିକ ସମସ୍ୟା ଯୋଗୁ ଭଙ୍ଗା ଚାଲ ଛପର ଘରେ ନିଜର ଭାଗ୍ୟ କୁ ଆଦରି ରହିବାକୁ ବାଧ୍ୟ ହେଉଛନ୍ତି |
ଏଭଳି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ଡାବାହାଲି ଗ୍ରାମ ପଂଚାୟତ ର ଗମ୍ଭୀରିଗୁଡା ଗାଁ ରେ | ଏହି ଗାଁ ରେ ବସବାସ କରନ୍ତି ସୋମବାରି ହରିଜନ | ତାଙ୍କ ପାଖରେ ସରକାର ଙ୍କୁ 5 T ଯୋଜନା ଫେଲ ମାରିଛି | ତାଙ୍କୁ ଏ ପର୍ଯ୍ୟନ୍ତ ସରକାରି ଯୋଜନାର ପକ୍କା ଘର ଖଣ୍ଡିଏ ମିଳିପାରିନାହିଁ | ଫଳରେ ସେ ପଲିଥିନ ଢାଙ୍କି ଭଙ୍ଗା ଚାଲଛପର ଘରେ ରହୁଛନ୍ତି | ସେ ପଂଚାୟତରୁ ଆରମ୍ଭ କରି ବ୍ଲକ ଅଫିସ ଓ ବିଭିନ୍ନ ରାଜନେତାଙ୍କୁ ଗୁହାରି କରିଥିଲେ ମଧ୍ୟ ତାଙ୍କୁ କୌଣସି ସୁଫଳ ମିଳିନାହିଁ | ସୋମବାରି ଦୁଃଖ ଭରା କଣ୍ଠ ରେ ପ୍ରକାଶ କରିଛନ୍ତି ଆଗକୁ ପ୍ରବଳ ବର୍ଷା ହେବ | ଯଦି ଘର ଖଣ୍ଡିଏ ନମିଳେ ହେଲେ ତାଙ୍କ ର ସମସ୍ୟା ଆହୁରି ବଢ଼ିଯିବ | ଏବେ ସୋମବାରିଙ୍କ ଜୀବନ ବିପଦ ଅବସ୍ଥା ରେ ରହିଛି | ଯଦି ପ୍ରବଳ ବର୍ଷା ହେଲେ ଘର ଭୁଶୁଡି ଯିବାର ସମ୍ଭାବନା ରହିଛି | ଏ ନେଇ ଆମ ପ୍ରତିନିଧି ଫୋନ ମାଧ୍ୟମରେ ସିନାପାଲି ବିଡ଼ିଓ ସଦାଶିବ ନାୟକକୁ ପଚାରିଥିଲୁ | ବିଡ଼ିଓ ଶ୍ରୀ ନାୟକ କହିଛନ୍ତି ଯେ. ତାଲିକାରେ ତାଙ୍କର ନାମ ଯଦି ଅଛି , ତେବେ ତାଙ୍କୁ ଆମେ ନିଶ୍ଚୟ ଘର ଦେବୁ |ହେଲେ ଏବେ ଦେଖିବାକୁ ବାକି ରହିଲା ସୋମବାରିଙ୍କ ଏହି ସ୍ବପ୍ନ କେବେ ପୂରଣ ହଉଛି ଓ ପ୍ରଶାସନଙ୍କ ଶୁଭ ଦୃଷ୍ଟି କେବେ ପଡୁଛି |