ହେଡଲାଇନସ୍:

ଜଙ୍ଗଲ ଜଗିବା ପରିବର୍ତ୍ତେ ସହର ଜଗିବାରେ ଅଧିକ ସମୟ ଦେଉଛନ୍ତି ବନ କର୍ମଚାରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

24-04-18-elphant.jpg - 139.42 kB 

ଦନ୍ତା ଆକ୍ରମଣରେ ଯୁବକ ମୃତ, ମୃତକ ପରିବାରକୁ କ୍ଷତି ପୁରଣ ମିଳିବାର ପ୍ରତିଶ୍ରୁତି

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ବନଖଣ୍ଡ ଅଧୀନରେ ଥିବା ମଞ୍ଚାବନ୍ଧା ଜଙ୍ଗଲରେ ଦନ୍ତା ହାତୀ ଆକ୍ରମଣରେ ଜୀବନ ହାରିଲେ ନୟାପୁରସ୍ତମପୁର ଗ୍ରାମ ଖଡ଼ିଆ ସମ୍ପ୍ରଦାୟର ଯୁବକ ବିଶୁ ଦେହୁରୀ । ମଞ୍ଚାବନ୍ଧା ଜଙ୍ଗଲକୁ ଚାରକୁଳି ସଂଗ୍ରହ କରିବା ସାଙ୍ଗକୁ ଜାଳେଣି କାଠ ଆଣିବାକୁ ମଙ୍ଗଳବାର ସକାଳ ସମୟରେ ଯାଇଥିବା ବେଳେ ହଠାତ୍ ଏକ ଦନ୍ତାହାତୀର ସାମ୍ନାସାମ୍ନି ହେବା ଫଳରେ ଏହି ଘଟଣା ଘଟିଥିଲା । ଦନ୍ତାହାତୀ ଯୁବକକୁ ଶୁଣ୍ଢରେ ଟେକି ପ୍ରାୟ ୨୦ ଫୁଟରୁ ଅଧିକ ଦୂରକୁ ଫିଙ୍ଗିବା ପରେ ପାଦରେ ଦଳି ଯୁବକ ବିଶୁ ଦେହୁରୀକୁ ମାରିଥିଲା । ନୟାପୁରସ୍ତମପୁର ଗ୍ରାମବାସୀମାନେ ଏବିଷୟରେ ଜାଣିବା ପରେ ଜଙ୍ଗଲ ଭିତରକୁ ଯାଇ ଶିବୁର କ୍ଷତାକ୍ତ ଶବକୁ ଦେଖିବା ପରେ ବନବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବନକର୍ମଚାରୀମାନେ ପହଁଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ । ମାତ୍ର, ଶିବୁକୁ ହାତୀ ଦଳି ଦେବା ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା । ପିଠାବଟା ରେଞ୍ଜର ସୁଧୀର ଚନ୍ଦ୍ର ନାଥ ମୃତକର ପରିବାରକୁ ସରକାରଙ୍କ ନିୟମ ଅନୁସାରେ ସହାୟତା ରାଶି ମିଳିବାର ପ୍ରତିଶ୍ରୁତି ପ୍ରଦାନ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । 

ପ୍ରକାଶ ଥାଉକି ବେତନଟୀ ରେଞ୍ଜ କୃଷ୍ଣଚନ୍ଦ୍ରପୁର ସେକସନକୁ ଶିମିଳିପାଳ ଜଙ୍ଗଲ ମଧ୍ୟରୁ ହାତୀ ପଲ ଆସିଥିବାର ଖବର ବନ ବିଭାଗ ପାଇ ଥିଲେ । ପଲରେ ୮ଟି ହାତୀ ରହିଥିବାର ବନ ବିଭାଗ ଜାଣିବା ପରେ ସେମାନଙ୍କୁ ଘଉଡ଼ାଇବା  ନିମନ୍ତେ ଉଦ୍ୟମ କରାଯିବା ସାଙ୍ଗକୁ ସେମାନଙ୍କ ଗତିବିଧି ଉପରେ ତୀକ୍ଷଣ ନଜର ମଧ୍ୟ ରଖାଯାଇଥିବା ବେଳେ ଉକ୍ତ ହାତୀ ପଲରେ ୮ ବଦଳରେ ୯ଟି ହାତୀ ରହିଥିଲା ଏବଂ ସେଥିରୁ ଏକ ଦନ୍ତା ଗୋଠଛଡ଼ା ହୋଇ କେସିପୁର ସେକସନରୁ ମଞ୍ଚାବନ୍ଧା ଜଙ୍ଗଲକୁ ଚାଲି ଆସିଥିଲା । ବନ ବିଭାଗ ନିକଟରେ ଏ ବିଷୟରେ କୌଣସି ସୂଚନା ପହଁଞ୍ଚିପାରି ନ ଥିବାରୁ ଏହି ଅଘଟଣ ଘଟିଥିଲା ।

 ଜନସାଧାରଣ ବନ ବିଭାଗର ଅପାରଗତାକୁ ଦାୟୀ କରିଛନ୍ତି । ବିଭାଗୀୟ କର୍ମଚାରୀମାନେ ଜଙ୍ଗଲ ଜଗିବା ପରିବର୍ତ୍ତେ ସହର ଜଗିବାରେ ଅଧିକ ସମୟ ଦେଉଥିବାରୁ ସେମାନଙ୍କ ନିକଟରେ ଜଙ୍ଗଲ ଖବର ରଖିବାକୁ ସମୟ ନିଅଣ୍ଟ ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟଯେ, ଗତ ଶନିବାର ରାସଗୋବିନ୍ଦପୁର ରେଞ୍ଜ ସାମାଇଡ଼ିହି ଗ୍ରାମର କେତେକ ପୁରୁଷ ଓ ମହିଳା ଜଙ୍ଗଲକୁ ଚାରକୋଳି ସଂଗ୍ରହ କରିବାକୁ ଯାଇଥିବା ବେଳେ ହଠାତ୍ ସମ୍ମୁଖକୁ ହାତୀ ଆସି ଯିବାରୁ ହାତୀ ଆକ୍ରମଣରେ ଦୁଇ ମହିଳା ଓ ଜଣେ ପୁରୁଷ ଗୁରୁତ୍ତର ଭାବେ ଆହତ ହୋଇଥିଲେ । ଉକ୍ତ ଜଙ୍ଗଲରେ ହାତୀପଲ ରହିଥିବାର ବିନ ବିଭାଗ ନିକଟରେ ମଧ୍ୟ କୌଣସି ଖବର ନ ଥିବାର ଅଭିଯୋଗ ହୋଇଥିଲା ।

 

 

 

0
0
0
s2sdefault