ରଥଯାତ୍ରା: ଆସିଲା ସୁପ୍ରିମକୋର୍ଟର ଗାଇଡଲାଇନ
ସମୀକ୍ଷା ପରେ ଚୁଡାନ୍ତ ହେଲା ମହାପ୍ରଭୁଙ୍କ ନୀତି କାନ୍ତି
ପୁରୀ (ଅନିମେଶ ପଟ୍ଟନାୟକ): ସବୁ କଳ୍ପନାର ଅନ୍ତ ଘଟାଇ ରଥଯାତ୍ରା ହେବା ଖବର ସମଗ୍ର ଓଡିଆଙ୍କୁ ଖୁସି ଆଣିଦେଇଛି । ସତ୍ୟର ଜୟ ହୋଇଛି । ପରମ୍ପରା ବଜାୟ ରଖି ରଥଯାତ୍ରା କରିବାକୁ ଅନୁମତି ମିଳିବା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଡିଜିପି ଅଭୟ ସ୍ୱତନ୍ତ୍ର ଭାବେ ପୁରୀ ଆସି ସ୍ଥିତିର ସମୀକ୍ଷା କରିଛନ୍ତି। ସେପଟେ ରଥଯାତ୍ରା ନେଇ ଆସିଲା ସୁପ୍ରିମକୋର୍ଟ ଗାଇଡଲାଇନ ।
ସୁପ୍ରିମକୋର୍ଟ ଗାଇଡଲାଇନ
– ଗୋଟିଏ ରଥକୁ ସର୍ବାଧିକ ୫ଶହ ଜଣ ଟାଣି ପାରିବେ
– ଗୋଟିଏ ରଥରୁ ଆଉ ଗୋଟିଏ ରଥ ଟଣା ହେବା ଭିତରେ ସର୍ବନିମ୍ନ ଏକଘଣ୍ଟାର ବ୍ୟବଧାନ ରହିବ
– ରଥଯାତ୍ରା କାଳରେ ସମଗ୍ର ପୁରୀ ଜିଲ୍ଲାକୁ ସଂପୂର୍ଣ୍ଣ ସିଲ୍ କରାଯିବ
– ସହର ମଧ୍ୟକୁ ଆସିଥିବା ସମସ୍ତ ପ୍ରବେଶ ପଥକୁ ସିଲ କରାଯିବ
– ଆଜି ରାତି ୮ଟାରୁ ପୁରୀ ସହରରେ କର୍ଫ୍ୟୁ ଜାରି କରାଯିବ
– ପୁରୀ ସହରକୁ ବସ୍ ଓ ରେଳ ସେବା ସଂପୂର୍ଣ୍ଣ ବନ୍ଦ ରହିବ
– କରୋନା ନିୟନ୍ତ୍ରଣ ପାଇଁ ଓଡ଼ିଶା ସରକାର ଭଲ ଭାବରେ କାର୍ଯ୍ୟ କରିଛନ୍ତି
– ତେଣୁ ଏଭଳି ଆଭିମୁଖ୍ୟ ରଥଯାତ୍ରାରେ ବି ରଖିବାକୁ ନିର୍ଦେଶ
– ଆବଶ୍ୟକ ପଡ଼ିଲେ କେନ୍ଦ୍ର ସରକାରଙ୍କ ସାହାଯ୍ୟ ନେଇପାରିବେ ରାଜ୍ୟ ସରକାର
– ରଥଯାତ୍ରାରେ ସାମିଲ ହେଉଥିବା ସମସ୍ତ ବ୍ୟକ୍ତିଙ୍କ ତଥ୍ୟ ରଖିବେ ରାଜ୍ୟ ସରକାର
– ରଥ ଟଣା ହେବା ବେଳେ କର୍ଫ୍ୟୁ ଜାରି ରହିବ
– କରୋନା ରିପୋର୍ଟ ନେଗେଟିଭ୍ ଆସିଥିବା ସେବାୟତ ହିଁ ରଥଯାତ୍ରା ସେବାରେ ସାମିଲ ହୋଇପାରିବେ
– ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ରଥଯାତ୍ରାର ଉତ୍ତରଦାୟିତ୍ୱ ନେବେ
– ସରକାର ଓ ପ୍ରଶାସନ ବି ନିୟମର ପାଳନ ପାଇଁ ଉତ୍ତରଦାୟୀ ରହିବେ
– ମୁକ୍ତ ଓ ବିନାମୂଲ୍ୟରେ ରଥଯାତ୍ରାର ପ୍ରସାରଣ କରିପାରିବେ ଗଣମାଧ୍ୟମ
ଅନ୍ୟ ପଟେ ଆସନ୍ତାକାଲି ମହାପ୍ରଭୁଙ୍କ ନୀତି ନେଇ ଆଲୋଚନା ହୋଇଛି। କାଲି ଦିନ ୧୨ଟା ସୁଦ୍ଧା ରଥ ଟଣା ନେଇ ସମୟ ସ୍ଥିରିକୃତ ହୋଇଛି । ଆସନ୍ତୁ ଜଣିବା ନୀତି ନିର୍ଘଣ୍ଟ ବିଷୟରେ ।
ରଥଯାତ୍ରା ନୀତି କାନ୍ତି
ସକାଳ ୭ଟାରେ ପହଣ୍ଡି ଆରମ୍ଭ ହେବା ସହ ଦିନ ୧୨ଟାରେ ରଥଟଣା ଆରମ୍ଭ ହେବ ବୋଲି ସମୟ ନିର୍ଘଣ୍ଟରେ ପ୍ରକାଶ ପାଇଛି ।
ପ୍ରାତଃ ୩ଘଟିକା- ମଙ୍ଗଳ ଆରତି
ପ୍ରାତଃ ୩ଟା ୧୫ମିନିଟ - ମଇଲମ ନୀତି ଆରମ୍ଭ ହେବ
୩ଟା ୩୦- ତଡ଼ପ ଲାଗି କରାଯିବ
ଭୋର ୪ଟା- ରୋଷହୋମ
ଭୋର ୪ଟା ୩୦- ଅବକାଶ,
୪ଟା ୪୫ ମିନିଟ- ସୂର୍ଯ୍ୟ ପୂଜା
ସକାଳ ୫ଟା- ଦ୍ୱାରପାଳ ପୂଜା ସହ ବେଶ ଶେଷ ନୀତି ସମାପ୍ତ ହେବ ।
୫.୩୦ରୁ ୬.୪୫ ମଧ୍ୟରେ- ଗୋପାଳ ବଲ୍ଲଭ ଓ ସକାଳ ଧୂପ(ଖେଚୁଡ଼ି ଭୋଗ) ହେବ ।
୬.୪୫ ମିନିଟ- ରଥ ପ୍ରତିଷ୍ଠା କରାଯିବା ସହ ମଙ୍ଗଳାର୍ପଣ କରାଯିବ । ସକାଳ ୭ଟା- ପହଣ୍ଡି ଆରମ୍ଭ ହୋଇ ଦିନ ୧୦ଟାରେ ପହଣ୍ଡି ଶେଷ ହେବ ୧୦ଟାରୁ ୧୦.୩୦ ମଧ୍ୟରେ- ମଦନ ମୋହନ ରଥକୁ ବିଜେ
୧୦.୩୦ରୁ ୧୧ଟା ମଧ୍ୟରେ ଚିତା ଲାଗି କରାଯିବ
୧୧ଟାରୁ ୧୧.୩୦ ମଧ୍ୟରେ ତିନି ଠାକୁରଙ୍କ ବେଶ ଶେଷ ହେବ । ୧୧.୩୦- ଛେରା ପହଁରା ଆରମ୍ଭ ହୋଇ ୧୨.୧୫ ପର୍ଯ୍ୟନ୍ତ ଚାଲିବ । ୧୨.୩୦ ମଧ୍ୟରେ- ଚାରମାଳ ଫିଟା, ଘୋଡା ଓ ସାରଥୀ ଲାଗିବା କାମ ଶେଷ ହେବା ସହ ରଥ ଟଣା ଆରମ୍ଭ ହେବ ।