ଚାଲିଛି ଯୁଦ୍ଧକାଳୀନ ପ୍ରସ୍ତୁତି, ବଡଦାଣ୍ଡରୁ ହଟିଲା ଉଠାଦୋକାନ
ପୁରୀ(ଅନିମେଶ ପଟ୍ଟନାୟକ) : ଭକ୍ତଙ୍କ ଚାପ ଆଉ କାଳିଆ ଠାକୁରଙ୍କ ଲୀଳା ଯୋଗୁ ରଥ ଯାତ୍ରା ବିଧି ପାଳନ ହେବା ପାଇଁ ସୁଫଳ ଆସିବା ଜଳଜଳ ଦେଖାଯାଉଥିବା ବେଳେ ଚାଲିଛି ଯୁଦ୍ଧକାଳୀନ ପ୍ରସ୍ତୁତି। ଏହାସହ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ମଧ୍ୟରେ ଚାଲିଛି ରୁଦ୍ଧଦ୍ୱାର ବୈଠକ | ସେପଟେ ଚଳଚଞ୍ଚଳ ହୋଇଛି ବଡଦାଣ୍ଡ। ରାସ୍ତାରୁ ହଟୁଛି ଉଠାଦୋକାନ। ଆଉ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପହଂଚୁଛନ୍ତି ମୁଖ୍ୟଶାସନ ସଚିବ ଆଉ ଡିଜି |
ସମୟ ୨:୩୦ରେ ଆସିବ ସୁପ୍ରିମକୋର୍ଟ ରାୟ । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସ୍.ଏ ବୋବଡେଙ୍କ ନେତୃତ୍ୱାଧିନ ଖଣ୍ଡପୀଠ ଏହାର ଶୁଣାଣି କରିବେ। ମୁଖ୍ୟ ବିଚାରପତି ନାଗପୁରସ୍ଥିତ ଘରୁ ଭିଡିଓ କନଫରେନସିଂରେ ଜରିଆରେ ରଥ ଯାତ୍ରା ସମ୍ପର୍କୀତ ମାମଲାର ଶୁଣାଣି କରିବେ। ପୂର୍ବରୁ ସୁପ୍ରିମକୋର୍ଟରେ ରଥ ଯାତ୍ରା ସପକ୍ଷରେ ଯୁକ୍ତି ନ ବାଢ଼ି ବିଭିନ୍ନ ମହଲରୁ ନିନ୍ଦିତ ହୋଇଥିବା ରାଜ୍ୟ ସରକାର ଏଥର କିନ୍ତୁ କେବଳ ପୁରୀରେ ବିନା ଭକ୍ତରେ ରଥଯାତ୍ରା କରିବାକୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। କେନ୍ଦ୍ର ସରକାର ମଧ୍ୟ ଏହାକୁ ସମର୍ଥନ ଜଣାଇଛନ୍ତି।
ସେପଟେ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ପ୍ରଶାସନଙ୍କ ସମେତ କିଛି ପରିଚାଳନା କମିଟି ସଦସ୍ୟଙ୍କୁ ନେଇ ଏକ ଜରୁରୀ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲୁଛି। ରବିବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀ ରାତି ଅଧିଆ ରଥ ଖଳା ପରିଦର୍ଶନ କରିଥିବା ବେଳେ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଛି ରୁଦ୍ଧଦ୍ୱାର ବୈଠକ ।
ଅନ୍ୟ ପଟେ, ବଡଦାଣ୍ଡରୁ ହଟୁଛି ଉଠାଦୋକାନ। ଏ ନେଇ ମ୍ଯୁନିସିପାଲିଟି ପକ୍ଷରୁ ନୋଟିସ କରାଯାଇ ତତକ୍ଷଣାତ୍ କାର୍ଯ୍ୟକାରୀ କରାଯାଇଛି। ବଡଦାଣ୍ଡକୁ ପ୍ରବେଶର ସମସ୍ତ ଛକମାନଙ୍କରେ ବାରିକେଡ କାମ ଚାଲୁରହିଛି । ସେପଟେ ରଥଯାତ୍ରା ନେଇ ଗୃହ ମନ୍ତ୍ରୀ ଅମିତ ଶାହା ମହାରାଜ ଦିବ୍ୟ ସିଂହ ଦେବଙ୍କ ସହିତ କଥା ହୋଇଥିବା ଜଣାପଡିଛି।