-
ଜଣିକିଆ ଖଣ୍ଡପୀଠ ସଂଶୋଧନ ପିଟିସନକୁ କଲେ ଗ୍ରହଣ
-
ସିଜେଆଇ ନାଗପୁରସ୍ଥିତ ତାଙ୍କ ବାସଭବନରୁ ଭିଡିଓ କନଫରେନ୍ସିଂରେ କରିବେ ଶୁଣାଣି
-
ଆଇନର ଫନ୍ଦି ତା ବାଟରେ , କାଳିଆ ଠାକୁରଙ୍କ ବିଧି ତାଙ୍କ ବାଟରେ
ପୁରୀ(ଅନିମେଶ ପଟ୍ଟନାୟକ): ଆଇନର ଫନ୍ଦି ତା ବାଟରେ | କାଳିଆ ଠାକୁରଙ୍କ ବିଧି ଆଉ ଲୀଳା ତା ବାଟରେ | ରଥକୁ ଆଜି ଆସିଲା ଆଜ୍ଞାମାଳ | ସେପଟେ ସୁପ୍ରିମକୋର୍ଟରେ ନିଷ୍ପତ୍ତି ଆସିବା ଦିଶିଲାଣି ଜଳଜଳ | ରଥ ଦକ୍ଷିଣ ମୋଡ ନେବା ସାଙ୍ଗକୁ ବିନା ଭକ୍ତରେ ରଥଯାତ୍ରା ବିଧି ସମ୍ପନ୍ନ ହେବ ଏକ ପ୍ରକାର ସମ୍ଭାବନା ସୃଷ୍ଟି ହୋଇଛି |
ସୂଚନାଯୋଗ୍ୟ ଯେ ରାଜ୍ୟ ଓ କେନ୍ଦ୍ର ସରକାର ବିନା ଭକ୍ତରେ ରଥଯାତ୍ରା ପାଇଁ ସକାରାତ୍ମକ ମତ ପୋଷଣ କରିଥିବା ବେଳେ ଜଣିକିଆ ଖଣ୍ଡପୀଠ ସଂଶୋଧନ ପିଟିସନକୁ ବିଚାରପାଇଁ ଗ୍ରହଣ କରିଛନ୍ତି | ସୋମବାର ରଥଯାତ୍ରା ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ନିଜର ଯୁକ୍ତି ଉପସ୍ଥାପନ କରିଥିଲେ । ପୁନର୍ବିଚାର ମାମଲାକୁ ଗ୍ରହଣ କରିବା ସହିତ ଏହାର ଶୁଣାଣି ପାଇଁ ୩ ଜଣିଆ ଖଣ୍ଡପୀଠ ନିକଟକୁ ସ୍ଥାନାନ୍ତର କରିଛନ୍ତି । ଫଳରେ ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ. ବୋବଡେଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ପ୍ରଧାନ ବିଚାରପତି ନାଗପୁରସ୍ଥିତ ତାଙ୍କ ଘରୁ ଭିଡିଓ କନଫରେନ୍ସିଂ ଜରିଆରେ ଶୁଣାଣି କରିବେ । କୌଣସି ମୁହୂର୍ତ୍ତରେ ଏ ସମ୍ପର୍କରେ ସୁପ୍ରିମକୋର୍ଟ କିଛି ବି ନିଷ୍ପତ୍ତି ଦେଇପାରନ୍ତି |
ରଥ ଗଡିବ କି ନଗଡିବ ତାକୁ ନେଇ ବଲ ସୁପ୍ରିମକୋର୍ଟଙ୍କ କୋଟରେ ଥିବା ବେଳେ ରଥକୁ ଆସିଲା ମହାପ୍ରଭୁଙ୍କ ଆଜ୍ଞା ମାଳ। ଆଉ ପରମ୍ପରା ଅନୁସାରେ କିଛି ସମୟ ପରେ ତିନି ରଥର ଦକ୍ଷିଣ ମୋଡ ହେବ । ରଥ ରଣାଯାଇ ଶ୍ରୀମନ୍ଦିର ସାମ୍ନାରେ ଲଗାଯିବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଆଜ୍ଞା ମାଳ ବିଜେ ସମୟରେ ଜଗନ୍ନାଥ ନାମରେ କମ୍ପିଥିଲା ବଡଦାଣ୍ଡ। ଆଜ୍ଞା ମାଳ ବିଜେର କିଛି ସମୟ ପରେ କେନ୍ଦ୍ର ସରକାର ମଧ୍ୟ ପୁରୀରେ ରଥ ଯାତ୍ରାକୁ ସମର୍ଥନ କରିଥିବା ଜଣାପଡିଛି। ଏବେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ନଜର ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ସୁପ୍ରିମକୋର୍ଟ ଶୁଣାଣିକୁ ।
ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି-ଯଥା ରୀତିରେ ଆଜି ଆଜ୍ଞାମାଳ ଆସିବ । ଆଜ୍ଞାମାଳ ଆସିବାରେ ସୁପ୍ରିମକୋର୍ଟଙ୍କ ରାୟ ସହ କୌଣସି ସମ୍ପର୍କ ନାହିଁ । ଆଉ ଏଥିପାଇଁ ନୀତିନିଘଂଟ ସ୍ଥିର ହୋଇଛି ।ଏପଟେ ଅସହଯୋଗର ଚେତାବନୀ ଦେଇଛି ଦଇତାପତି ନିଯୋଗ । ରଥଯାତ୍ରା ପାଇଁ କୌଣସି ଶାସ୍ତ୍ରୀୟ ପରମ୍ପରା ବିରୋଧ କାର୍ଯ୍ୟରେ ଦଇତାପତି ନିଯୋଗର ସହମତି ରହିବ ନାହିଁ ବୋଲି ସୂଚନା ଦିଆଯାଇଛି ।
ଚଳିତ ବର୍ଷ ଜୁନ ୨୩ ବା ଆସନ୍ତା କାଲି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ କି ନାହିଁ ହୋଇପାରେ ନିଷ୍ପତ୍ତି ଆଉ କିଛି ସମୟ ପରେ । ମନେ ପକାଇ ଦିଆଯାଇପାରେ ଚଳିତ ବର୍ଷ ୧୨ ଦିନ ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ଚୂଡ଼ାନ୍ତ ସମୟ ସୀମା ପୂର୍ବରୁ ଯାହାକି ଜୁନ୍ ୨୨ ତାରିଖ ସୁଦ୍ଧା ରଥ ନିର୍ମାଣ ଶେଷ କରିଥିଲେ ବିଶ୍ଵକର୍ମା ମହାରଣା ସେବକ ମାନେ। ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ ଉପରେ ଖାଲି ବାକି ଅଛି ଶ୍ରୀଗୁଣ୍ଡିଚା ଦିନ ତିନି ଠାକୁର ରଥରେ ବିଜେ ହୋଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ।
ସୂଚନାଯୋଗ୍ୟ ଯେ ରାଜ୍ୟ ଓ କେନ୍ଦ୍ର ସରକାର ବିନା ଭକ୍ତରେ ରଥଯାତ୍ରା ପାଇଁ ସକାରାତ୍ମକ ମତ ପୋଷଣ କରିଥିବା ବେଳେ ଜଷ୍ଟିସ ଅରୁଣ ମିଶ୍ରଙ୍କୁ ନେଇ ଜଣିକିଆ ଖଣ୍ଡପୀଠ ସଂଶୋଧନ ପିଟିସନକୁ ବିଚାରପାଇଁ ଗ୍ରହଣ କରିଛନ୍ତି | କୌଣସି ମୁହୂର୍ତ୍ତରେ ଏ ସମ୍ପର୍କରେ ସୁପ୍ରିମକୋର୍ଟ କିଛି ବି ନିଷ୍ପତ୍ତି ଦେଇପାରନ୍ତି | ଆଉ ଗଜପତିଙ୍କ ପତ୍ର ପ୍ରାପ୍ତିପରେ ରାଜ୍ୟ ସରକାର କଟକଣା ଭିତରେ ରଥଯାତ୍ରା ବିଧି ପାଳନ ପାଇଁ ମାନସିକ ସ୍ତରରେ ପ୍ରସୂତି ଚଳାଇଛନ୍ତି | ଆଉ ଗତକାଲି ପ୍ରସ୍ତୁତିର ଚୂଡାନ୍ତ ସ୍ଥିତି ଅନୁଧ୍ୟାନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ | ଆଉ ସେପଟେ ଆଇନ ବିଭାଗ ପକ୍ଷରୁ ଗତକାଲି ଜାରି ହୋଇଛି ସକାରାତ୍ମକ ପ୍ରେସ ବିଜ୍ଞପ୍ତି | ଅଦାଲତ ଅନୁମତି ଦେଲେ ରାଜ୍ୟ ସରକାର କୋଭିଡ୍ ଆଇନ ପାଳନ ସହ ବିନା ଭକ୍ତରେ ପୁରୀରେ ରଥଯାତ୍ରା କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ତଥା ପୁରୀ ଗଜପତି ଶ୍ରୀ ଦିବ୍ୟସିଂହ ଦେବ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ଚିଠି ଉପରେ ସଠିକ୍ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ ସରକାର |