ସେପଟେ ମାନସିକ ପ୍ରସ୍ତୁତିରେ ସରକାର, ରଥ ଖଳାରେ ରଥ ତୟାର
ଅନୁମତି ମିଳିଲେ କଟକଣା ଭିତରେ ହେବ ରଥ ଯାତ୍ରା ବିଧି
ପୁରୀରୁ ଅନିମେଶ ପଟ୍ଟନାୟକ)/ଭୁବନେଶ୍ୱରରୁ ଗିରିଜା ଦାଶ): ଆଜି ବହୁ ପ୍ରତିକ୍ଷିତ ଶୁଣାଣି | ଆଜି ରାୟକୁ ଅପେକ୍ଷା, ହେବକି କାଳିଆ ଠାକୁରଙ୍କ ବିଧି ରକ୍ଷା | ଯଦି ପୂର୍ବ ଆଦେଶ ବଳବତ୍ତର ରହେ ତାହା ଭିନ୍ନ କଥା | ସେପଟେ ମାନସିକ ପ୍ରସ୍ତୁତିରେ ସରକାର, ରଥ ଖଳାରେ ତିନି ରଥ ବି ତୟାର | ଯଦି କଟକଣା ଭିତରେ ରଥଯାତ୍ରା ପାଇଁ ଅଦାଲତ ନିର୍ଦ୍ଦେଶ ଦିଅନ୍ତି ତେବେ ସେ ବିଧି ପାଳନ ପାଇଁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ମାନସିକ ସ୍ତରରେ ପ୍ରସୂତି ଚଳାଇଛନ୍ତି | ପ୍ରଶାସନ ପ୍ରସ୍ତୁତ, ରଥ ପ୍ରସ୍ତୁତ, ସେବାୟତ ବି ପ୍ରସ୍ତୁତ | ଆଉ ଗତକାଲି ପ୍ରସ୍ତୁତିର ଚୂଡାନ୍ତ ସ୍ଥିତି ଅନୁଧ୍ୟାନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ | ଆଉ ସେପଟେ ଆଇନ ବିଭାଗ ପକ୍ଷରୁ ଗତକାଲି ଜାରି ହୋଇଛି ସକାରାତ୍ମକ ପ୍ରେସ ବିଜ୍ଞପ୍ତି | ଅଦାଲତ ଅନୁମତି ଦେଲେ ରାଜ୍ୟ ସରକାର କୋଭିଡ୍ ଆଇନ ପାଳନ ସହ ବିନା ଭକ୍ତରେ ପୁରୀରେ ରଥଯାତ୍ରା କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ତଥା ପୁରୀ ଗଜପତି ଶ୍ରୀ ଦିବ୍ୟସିଂହ ଦେବ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ଚିଠି ଉପରେ ସଠିକ୍ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ଆଇନ ବିଭାଗ ପକ୍ଷରୁ ଜାରି ପ୍ରେସ ରିଳିଜରେ କୁହାଯାଇଥିଲା ଯେ ଜୁନ୍ ୨୩ ତାରିଖରେ ପଡୁଥିବା ରଥଯାତ୍ରା ବନ୍ଦ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ସୁପ୍ରିମ୍ କୋର୍ଟରେ ଏକ ରିଟ୍ ପିଟିସନ୍ (ସିଭିଲ୍) ନଂ. ୫୭୧ ଦାଏର ହୋଇଥିଲା । ତେବେ ପୁରୀରେ କୋଭିଡ୍ ନିୟମ ପାଳନ ସହ ତିନି ରଥକୁ କେବଳ ସେବାୟତ ଏବଂ ପୁଲିସମାନଙ୍କ ଦ୍ୱାରା ଟଣାଯାଇପାରିବ ବୋଲି ତିନୋଟି ଇଣ୍ଟରଭେନିଂ ପିଟିସନ ଦାଏର ହୋଇଥିଲା । ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ପୁରୀ ପାଇଁ ନୁହେ, ରାଜ୍ୟର ବିଭିନ୍ନ ସ୍ଥାନ ଓ ପଞ୍ଚାୟତରେ ଅନୁଷ୍ଠିତ ହେବାକୁ ଥିବା ହଜାର ହଜାର ସଂଖ୍ୟକ ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି କରାଯାଇଥିଲା । ରାଜ୍ୟରେ ଏଯାବତ ୫ ଲକ୍ଷରୁ ଅଧିକ ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିଛନ୍ତି ଏବଂ ଜୁନ୍ ଶେଷ ସୁଦ୍ଧା ଅଧିକାଂଶ ବ୍ୟକ୍ତିଙ୍କର ସଙ୍ଗରୋଧ ଅବଧି ସମାପ୍ତ ହେଉଛି । ମୁଣ୍ଡ ଉପରେ ମୌସୁମୀ , ଏତେ ପ୍ରବାସୀଙ୍କ ସମାଗମ ଆଉ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରାରେ ଭିଡ ସର୍ବୋପରି ଜୁନ୍ ଓ ଜୁଲାଇ ମାସରେ ରାଜ୍ୟରେ କୋଭିଡ ମହାମାରୀ ଶୀର୍ଷକୁ ଯିବାର ଆଶଙ୍କା ଥିଲା ରାଜ୍ୟ ସରକାରଙ୍କ ମୁଖ୍ୟ ଚିନ୍ତାର ବିଷୟ । କୌଣସି ଜାଗାରେ ଅନିୟନ୍ତ୍ରିତ ଭାବେ ଲୋକଙ୍କ ସମାଗମ ହେଲେ ଜୀବନ ପ୍ରତି ଭୟଙ୍କର ବିପଦ ଆଶଙ୍କା ରହିଛି ଓ ନିୟନ୍ତ୍ରିତ ପରିସ୍ଥିତିରେ ଥିବା କୋଭିଡ ନିୟନ୍ତ୍ରଣ ବାହାରକୁ ଚାଲିଯାଇପାରେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି | ହେଲେ ସୁପ୍ରିମ କୋର୍ଟ ଉଭୟ ପକ୍ଷଙ୍କ ଆବେଦନ ଶୁଣାଣି ପରେ ପୁରୀରେ ରଥଯାତ୍ରା ବନ୍ଦ ପାଇଁ ନିର୍ଦ୍ଦେଶ ଦେବା ପରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସଭାପତି ତଥା ଗଜପତି ମହାରାଜାଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଦେଇଛନ୍ତି | ପୁରୀରେ ବିନା ଭକ୍ତରେ ରଥଯାତ୍ରା ପାଇଁ ପଦକ୍ଷେପ ନେବାକୁ ଗଜପତି ତାଙ୍କ ପତ୍ରରେ ଉଲ୍ଲେଖ କରିଥିବା ଯୋଗୁ ସୁପ୍ରିମ କୋର୍ଟରେ ଆହତ ପିଟିସନର ନିଷ୍ପତ୍ତି ପରେ ରାଜ୍ୟ ସରକାର ଆଇନଅନୁମୋଦିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଉକ୍ତ ରିଳିଜରେ କୁହାଯାଇଥିଲା |
ଅପରପକ୍ଷରେ ରଥଖଳାରେ ତିନି ରଥ ପ୍ରସ୍ତୁତ | ଗତକାଲି ରାତି ସୁଦ୍ଧା ସେବାୟତମାନେ ରଥ ଦେଇଛନ୍ତି ଶେଷ ସ୍ପର୍ଶ | ବିଳମ୍ବିତ ରାତିରେ ପୁରୀ ରଥଖଳାକୁ ଅଚାନକ ପରିଦର୍ଶନରେ ଯାଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାର, ଡିଆଇଜି ଆଶିଷ ସିଂ। ଆଜି ଅଦାଲତଙ୍କ ରାୟକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଥିବା ବେଳେ ଅପ୍ରତ୍ୟାଶିତ ଭାବେ ଯଦି କଟକଣାଯୁକ୍ତ ରଥ ପାଇଁ ଅନୁମତି ଦିଅନ୍ତି ତେବେ ସେଥିପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ରହିବାକୁ ଆପାତତଃ ମୁଖ୍ୟ ପ୍ରଶାସକଙ୍କ ଗସ୍ତ ଉଦ୍ଦିଷ୍ଟ ବୋଲି ଆଶା କରାଯାଉଛି |