ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା ମକ୍-ଡ୍ରିଲ ସାମୁହିକ ଅଭ୍ୟାସ କାର୍ଯ୍ୟକ୍ରମ , ଓଡିଶା ରାଜ୍ୟ ବିପର୍ଯ୍ୟୟ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି ।
ଆୟୋଜିତ ବୈଠକ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଜ୍ଞାନରଞ୍ଜନ ଭଞ୍ଜଦେଓ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସତ୍ୟ ସଂପନ୍ନା ରାଉତ ସଂଯୋଜନା ଓ ପରିଚାଳନା କରିଥିଲେ ।
ବୈଠକରେ ମୁଖ୍ୟତଃ ଚଳିତ-୨୦୨୦ର ମକ୍-ଡ୍ରିଲ କାର୍ଯ୍ୟକ୍ରମ , ଗତ ବର୍ଷ ଗୁଡିକର ମକ୍-ଡ୍ରିଲ ମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭାବେ ଭିନ୍ନ ଏବଂ ଏହାକୁ ଭିନ୍ନ ଭାବେ ସତର୍କତାର ସହ ପାଳନ କରିବାର ସମୟ ଆସି ପହଞ୍ଚିଛି । ବର୍ତ୍ତମାନ ଗତ କିଛି ମାସ ହେଲାଣି ସାରା ବିଶ୍ୱବ୍ୟାପି ଦେଖା ଦେଇଥିବା ମହାମାରୀ କୋଭିଡ-୧୯ରେ ଶିକାର ହୋଇଛି ଆମ ଦେଶ , ରାଜ୍ୟ ଓ ଜିଲ୍ଲା । ଏମିତିକି କରୋନା ଆକ୍ରାନ୍ତକାରୀଙ୍କ ସଂଖ୍ୟା ବଢ଼ିବଢି ଚାଲିଛି ।
ସେହି ଦୃଷ୍ଟିରୁ ଚଳିତ ୨୦୨୦ର ଏହି ମକ୍-ଡ୍ରିଲ ପରିଚାଳନା ପ୍ରସ୍ତୁତି କାର୍ଯ୍ୟକ୍ରମ କୋଭିଡ-୧୯ର ସମସ୍ତ ଗାଇଡ଼ ଲାଇନକୁ ଅନୁସରଣ କରି ପାଳନ କରାଯିବା ତଥା ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା ।
ବନ୍ୟା , ବାତ୍ୟା , ଭୂମିକମ୍ପ , ଅଗ୍ନିକାଣ୍ଡ , ସଡକ ଦୁର୍ଘଟଣା , ଘର ଭାଙ୍ଗି ଭୁଶୁଡି ପଡିବା , ଘର ଭାଙ୍ଗିଯିବା ପ୍ରଭୃତି ବିପର୍ଯ୍ୟୟ ବେଳେ କିଭଳି ସମସ୍ତଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ଜୀବନ ବଞ୍ଚାଇ ଧନ ସମ୍ପତ୍ତିର କ୍ଷୟକ୍ଷତି କୁ ହ୍ରାସ କରିହେବ ସେ ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଥିଲା ।
ଆଗକୁ ବର୍ଷା ହେବାର ସମୟ । ତେଣୁ ବିଭିନ୍ନ ବିପର୍ଯ୍ୟୟ ଘଟିବାର ସମ୍ଭାବନା ରହିଛି । ତାକୁ ଦୃଷ୍ଟିରେ ରଖି ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଆବଶ୍ୟକ ସାମଗ୍ରୀ ଓ ସରଞ୍ଜାମ ସହ ପୂର୍ବ ପ୍ରସ୍ତୁତି ହୋଇ ରହିବାକୁ ଉପସ୍ଥିତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଅନ୍ୟପକ୍ଷରେ ସମ୍ପୃକ୍ତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ନିଜ ନିଜ ମଧ୍ୟରେ ସମନ୍ୱୟ ରକ୍ଷା କରି ଆତ୍ମବିଶ୍ବାସର ସହ ପରୋପକାରୀ ଓ ସେବା ମନୋଭାବ ନେଇ କାର୍ଯ୍ୟ ସମ୍ପାଦନା କଲେ ବିପର୍ଯ୍ୟୟ ପରିଚାଳନା ନିଶ୍ଚିତ ଭାବେ ସଫଳ ହୋଇପାରିବ ବୋଲି କହିଥିଲେ । ଏହି ଅବସରରେ ଫାୟାର ଷ୍ଟେସନ ଅଫିସର ଗଣପତି ଶବରଙ୍କ ନେତୃତ୍ୱରେ ଫାୟାର ହାବିଲଦାର ରାଜେନ୍ଦ୍ର କୁମାର ସ୍ୱାଇଁ ଓ ତାଙ୍କ ଦଳ ବିଭିନ୍ନ ବିପର୍ଯ୍ୟୟ ସମୟରେ ଜୀବନ ସୁରକ୍ଷା ଓ ଉଦ୍ଧାର କାର୍ଯ୍ୟକ୍ରମ କିଭଳି କରାଯିବ , ସେ ସବୁ ଉପରେ ମକ୍-ଡ୍ରିଲ ପ୍ରଦର୍ଶନ କରିଥିଲେ ।
ଏହି ମକ୍-ଡ୍ରିଲ ପ୍ରଦର୍ଶନ କାର୍ଯ୍ୟକ୍ରମ ସମୟରେ କର୍ମଚାରୀ ମାନେ ସେନିଟାଇଜର ବ୍ୟବହାର କରି ନିଜ ନିଜ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି ମାସ୍କ ପିନ୍ଧିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ କୁମାର ଚୌଧୁରୀ , ଜିଲ୍ଲା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ - ସରୋଜ କୁମାର ବେହେରା , ଜିଲ୍ଲା ଶିକ୍ଷାଧିକାରୀ- ପ୍ରଦୀପ କୁମାର ନାଗ ,ଡିଡବ୍ଲୁଓ ସନ୍ତୋଷ କୁମାର ରଥ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିଚନ୍ଦ୍ର ନାୟକ , ପୌରସଂସ୍ଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ , ଏଡିଏମଓ - ଡା ମୁବାରକ ଅଲ୍ଲୀ , ସ୍ବାସ୍ ଅନୁଷ୍ଠାନର ଡି . ଜଗନ୍ନାଥ ରାଜୁ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଅଂଶ ଗ୍ରହଣ କରିଥିଲେ।