ରେକର୍ଡ ଅଫ୍ ରାଇଟ୍ସ ଅନୁଯାୟୀ ରଥଯାତ୍ରା ହେଉ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଗଜପତି ଲେଖିଲେ ଚିଠି
ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ହେଲେ ମହାପ୍ରଭୁ ସମାଜକୁ କ୍ଷମା ଦେବେନି : ଜଗତଗୁରୁ।
ପୁରୀ(ଅନିମେଶ ପଟ୍ଟନାୟକ) : ରଥଯାତ୍ରା ପ୍ରସଙ୍ଗକୁ ନେଇ ଶୁକ୍ରବାର ଛତିଶା ନିଯୋଗ ବୈଠକ ପରେ ବଦଳୁଛି ପରିସ୍ଥିତି। ଗୋଟାଏ ପରେ ଗୋଟେ ସାନି ଆବେଦନ ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ ପରେ ରଥଯାତ୍ରା ନେଇ ଆଶା ବଢୁଛି। ସେପଟେ ଶ୍ରଦ୍ଧାଳୁ, ସେବାୟତ ଓ ପୁରୀବାସୀଙ୍କ ଭାବନାକୁ ଲକ୍ଷ କରି କଠୋର ହୋଇଛି ଗଜପତିଙ୍କ ସ୍ୱର | ଲେଖିଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଚିଠି | ୧୯୬୪ ମସିହାରେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ଦେଇଥିବା ରାୟର ଅବତାରଣା କରି କହିଛନ୍ତି ଯେ ଜଗନ୍ନାଥ ଅନ୍ୟ ସମସ୍ତ ଠାକୁରଙ୍କ ଠାରୁ ସ୍ୱତନ୍ତ୍ର | ତାଙ୍କ ପୂଜା ବିଧିର ସ୍ୱତନ୍ତ୍ର ଧାରା ରହିଛି | ତେଣୁ ତାକୁ ଆଧାର କରି ରେକର୍ଡ ଅଫ୍ ରାଇଟ୍ସ ଅନୁଯାୟୀ ରଥଯାତ୍ରା କରିବା ବିଧେୟ | ରଥଯାତ୍ରା କରିବା ପାଇଁ ସୁପ୍ରିମକୋର୍ଟରେ ସାନି ଆବେଦନ କରନ୍ତୁ ବୋଲି କହିଛନ୍ତି ଗଜପତି ମହାରାଜ ଦିବ୍ୟ ସିଂହ ଦେବ।
ଗଜପତି ରେକର୍ଡ ଅଫ୍ ରାଇଟ୍ସ ଅନୁଯାୟୀ କେବଳ ମୋଗଲ ଶାସନ ସମୟକୁ ଛାଡିଦେଲେ ଅନ୍ୟ ସବୁ ପରିସ୍ଥିତିରେ ରଥଯାତ୍ରା ପାଳନ କରାଯାଇଛି । ତେଣୁ ଏଥର ମଧ୍ୟ ରଥଯାତ୍ରା ହେବା ଆବଶ୍ୟକ ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଗଜପତି ମହାରାଜ । ଏହି ଚିଠିରେ ଲକ୍ଷ ଲକ୍ଷ ଭକ୍ତଙ୍କ ଆବେଗକୁ ଲକ୍ଷ କରି ବିନା ଭକ୍ତରେ କିପରି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହୋଇ ପାରିବ ସେନେଇ ସୁପ୍ରିମକୋର୍ଟରେ ସାନି ଆବେଦନ କରିବାକୁ ଅନୁରୋଧ କରାଯାଇଛି । ସେପଟେ ଗଜପତିଙ୍କ ସମେତ ଏବେ ଜଗତଗୁରୁ ଶଂକରାଚାର୍ଯ୍ୟ ମଧ୍ୟ ରଥଯାତ୍ରା ସପକ୍ଷରେ ମତ ରଖି ପୁନର୍ବିଚାର ପାଇଁ ସରକାର ବ୍ୟବସ୍ଥା କରନ୍ତୁ ଓ ସରକାର ସାନି ମତ ରଖନ୍ତୁ ବୋଲି କହିଛନ୍ତି। ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ହେଲେ ମହାପ୍ରଭୁ ସମାଜକୁ କ୍ଷମା ଦେବେନି ବୋଲି କହିଛନ୍ତି ଜଗତଗୁରୁ।
ଅନ୍ୟ ପଟେ ଶନିବାର ଠାରୁ ସର୍ବୋଚ୍ଚ ନ୍ୟାୟାଳୟରେ ଗ୍ରୀଷ୍ମ ଅବକାଶ ଛୁଟି ଆରମ୍ଭ ହୋଇଛି । ତେଣୁ ସାନି ଶୁଣାଣି କିପରି ହେବ ସେନେଇ ଚର୍ଚ୍ଚା ହେଉଛି। ଆଇନଜୀବୀମାନଙ୍କ କହିବା ଅନୁଯାୟୀ ସ୍ପେଶାଲ କେସରେ ଖଣ୍ଡପୀଠ ଚାହିଁଲେ ଶୁଣାଣି କରିପାରିବେ। ଯାହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଆଶା ଆଣିଦେଇଛି । ଏବେ ଅପେକ୍ଷା କେବଳ ରାୟକୁ ।