ହେଡଲାଇନସ୍:

ଆନ୍ଧ୍ର ସହ ସୀମା ବିବାଦ : ଓଡ଼ିଶାର ଗୋଟିଏ ମାମଲା ଖାରଜ, ଆଉ ଗୋଟିକରେ ସ୍ଥିତାବସ୍ଥା ବଜାୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆନ୍ଧ୍ର ସହ ସୀମା ବିବାଦ : ଓଡ଼ିଶାର ଗୋଟିଏ ମାମଲା ଖାରଜ, ଆଉ ଗୋଟିକରେ ସ୍ଥିତାବସ୍ଥା ବଜାୟ

ଭୁବନେଶ୍ୱର(ମାନସୀ ମିଶ୍ର ): ଓଡ଼ିଶାର ୧୦ଟି ଜିଲ୍ଲାର ୯୬ଟି ଗାଁକୁ ନେଇ ୪ ପଡେ଼ାଶୀ ରାଜ୍ୟ ସହିତ ସୀମା ବିବାଦ ରହିଛି । ଆନ୍ଧ୍ର ସହ ଓଡ଼ିଶାର ସୀମା ବିବାଦ ଘେନି ଓଡ଼ିଶା ସରକାର ରୁଜୁ କରିଥିବା ୨ଟି ମାମଲାରୁ ଗୋଟିଏ ଓଡ଼ିଶା ସରକାର ହାରିଥିବା ବେଳେ ଅନ୍ୟ ଏକ ମାମଲାରେ ସ୍ଥିତାବସ୍ଥା ବଜାୟ ରଖିବାକୁ କୋର୍ଟ ମଧ୍ୟବର୍ତ୍ତୀକାଳିନ ଆଦେଶ ଦେଇଛନ୍ତି । 

ସରଳକରଙ୍କ କହିବା ଅନୁଯାୟୀ, ଆନ୍ଧ୍ରର ବୋରମୁଥା ଓ ଏହାର ୧୨ଟି ପଡ଼ାଗ୍ରାମକୁ ନେଇ ରହିଥିବା ସୀମା ବିବାଦର ସମାଧାନ ଲାଗି ଓଡ଼ିଶା ୧୯୬୮ ମସିହାରେ ଯେଉଁ ମାମଲା ରୁଜୁ କରିଥିଲା ତାହା ଖାରଜ ହୋଇଯାଇଛି । ତେବେ ୨୧ଟି କୋଟିଆ ଗ୍ରାମପୁଞ୍ଜ ସମ୍ପର୍କରେ ସୁପ୍ରିମ କୋର୍ଟ  ୧୯୬୮ ମସିହାରେ ଅନ୍ୟ ଏକ ମାମଲାରେ ଦେଇଥିବା ମଧ୍ୟବର୍ତ୍ତୀ ଆଦେଶ ଅନୁଯାୟୀ ଦୁଇପକ୍ଷଙ୍କୁ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ  ଅଛି । ଏହି ମାମଲା ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ୨୦୦୬ରେ ସମାପ୍ତ ହୋଇଥିବା ବେଳେ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ସମାଧାନ ନ ହେବା ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବାକୁ ଆଦେଶ ହୋଇଛି । ଏହା ସତ୍ତ୍ୱେ  ଆନ୍ଧ୍ରର ସରକାରୀ କଳ ଓଡ଼ିଶାର କେତେକ ଅଞ୍ଚଳକୁ ଅନୁପ୍ରବେଶ କରି ଅବୈଧ ରାସ୍ତା ନିର୍ମାଣ କରୁଥିବା ପ୍ରସଙ୍ଗରେ ରାଜ୍ୟ ସରକାର ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଏଥିରେ କୋଟିଆ ଗ୍ରାମପୁଞ୍ଜ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ସଡ଼କ ନିର୍ମାଣ, ବିଦ୍ୟୁତିକରଣ , ପାନୀୟ ଜଳ ଯୋଗାଣ, ନୂତନ ଥାନା ପ୍ରତିଷ୍ଠା , କ୍ୟାମ୍ପ ମାଧ୍ୟମରେ ଆଧାର କାର୍ଡ ବଣ୍ଟନ, କୋଟିଆ ଗ୍ରାମପୁଞ୍ଜରେ ବିଏସ୍ଏନ୍ଏଲ୍ ଟାୱାର ସ୍ଥାପନ, କୋଟିଆରେ ବ୍ଲକ୍ ଓ ଜିଲ୍ଲା ସଦର ମହକୁମାକୁ ସରକାରୀ ବସ୍ ଚଳାଚଳ ଆଦି ପ୍ରସଙ୍ଗରେ ଆଲୋଚିତ ହୋଇଛି । 

କୋଟିଆ ଓ ବୋରମୁଥା ବ୍ୟତୀତ ଗଞ୍ଜାମ ଜିଲ୍ଲାର ୨୧ଟି, ଗଜପତି ଜିଲ୍ଲାର ୧୬ ଓ ରାୟଗଡ଼ା ଜିଲ୍ଲାର ୫ଟି ଗାଁକୁ ନେଇ ଆନ୍ଧ୍ର ସହ ସୀମା ବିବାଦ ପ୍ରସଙ୍ଗ ଅଛି । ପଶ୍ଚିମବଙ୍ଗ ସହିତ ବାଲେଶ୍ୱର ଜିଲ୍ଲାର ୬ଟି ଓ ମୟୂରଭଞ୍ଜ ଜିଲ୍ଲାର ୮ଟି ଅଞ୍ଚଳରେ ବି ସୀମା ବିବାଦ ଅଛି । ଏହାଛଡ଼ା ଝାଡ଼ଖଣ୍ଡ ସହିତ ମୟୂରଭଞ୍ଜ ଜିଲ୍ଲାର ୨ଟି, କେନ୍ଦୁଝରର ୫ଟି ଓ ସୁନ୍ଦରଗଡ଼ ଜିଲ୍ଲାର ୬ଟି ସ୍ଥାନରେ ସୀମା ବିବାଦ ଲାଗି ରହିଛି । ଛତିଶଗଡ଼ ସହିତ ନବରଙ୍ଗପୁର ଜିଲ୍ଲାର ୪ଟି ଓ ଝାରସୁଗୁଡ଼ା ଜିଲ୍ଲାର ଗୋଟିଏ ସ୍ଥାନରେ ସୀମା ବିବାଦ ଥିବା ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡ଼ିଛି । ଏହାଛଡ଼ା ୭ଟି ନଦୀନାଳ ଓ ଓ ୮ଟି ଜଙ୍ଗଲ ସୀମାକୁ ନେଇ ମଧ୍ୟ ପଡେ଼ାଶୀ ରାଜ୍ୟମାନଙ୍କ ସହିତ ଓଡ଼ିଶାର ସୀମା ବିବାଦ ଲାଗି ରହିଛି । 

ସୀମା ବିବାଦ ପ୍ରସଙ୍ଗରେ ବିଧାୟକ ଦିଲିପ ରାୟଙ୍କ ଏକ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତରରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି । ରାଜସ୍ୱ ମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ବୃହତ୍ତର ସ୍ୱାର୍ଥ ଏବଂ ବିଶେଷ କରି ସୀମାନ୍ତବର୍ତ୍ତୀ ଅଞ୍ଚଳର ଲୋକଙ୍କ ସୁରକ୍ଷା ତଥା ବିକାଶ ପାଇଁ ଆନ୍ତଃରାଜ୍ୟ ସୀମା ବିବାଦ ଭଳି ସମ୍ବେଦନଶୀଳ ସମସ୍ୟାର ତ୍ୱରିତ ସମାଧାନ କିପରି ଅଗ୍ରାଧିକାର ଭିତ୍ତିରେ ହୋଇପାରିବ ସେ ଦିଗରେ ସରକାର ଦୃଷ୍ଟି ଦେବାକୁ ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଦାବି କରିଛନ୍ତି ।

0
0
0
s2sdefault