ହେଡଲାଇନସ୍:

 ନବୀନ ସରକାରଙ୍କ ମିଶନ୍ ଶକ୍ତିରେ ଓଡ଼ିଶାର ୬୯ ଲକ୍ଷରୁ ଅଧିକ ମହିଳା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

20-04-18-MISION-SHAKTI.jpg - 57.36 kB

ଭୁବନେଶ୍ୱର : ମିଶନ୍ ଶକ୍ତି କାର୍ଯ୍ୟକ୍ରମରେ ଓଡ଼ିଶାରେ ୧୭ ବର୍ଷରେ ୬୯ ଲକ୍ଷରୁ ଅଧିକ ମହିଳା ସାମିଲ ହୋଇଛନ୍ତି । ଏହି ମହିଳାମାନେ ଅନ୍ତର୍ଭୁକ୍ତ ଥିବା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ମହାସଂଘ ମାଧ୍ୟମରେ ସେମାନଙ୍କ ସଶକ୍ତିକରଣ ପାଇଁ ସରକାର ବ୍ୟାପକ ସହାୟତା ଯୋଗାଉଛନ୍ତି । ବିଧାୟକ ଦିଲିପ ରାୟଙ୍କ ଏକ ତାରକା ଚିହ୍ନିତ ପ୍ରଶ୍ନର ଉତ୍ତରରେ ମହିଳା ଓ ଶିଶୁ ବିକାଶ ତଥା ମିଶନ୍ ଶକ୍ତି ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏହା କହିଛନ୍ତି । 

୨୦୦୧ ମସିହା ମାର୍ଚ୍ଚ ୮ ତାରିଖରୁ ଓଡ଼ିଶାରେ ମିଶନ୍ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏଥିରେ ଏଯାବତ୍ ୬,୧୭,୬୧୮ ସଂଖ୍ୟକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ୩୬୭ଟି ମହିଳା ମହାସଂଘ ଗଠନ କରାଯାଇଛି । ଏଥିରେ ଏଯାବତ୍ ୬୯,୧୮,୦୮୯ ସଂଖ୍ୟ ମହିଳା ସାମିଲ ହୋଇଛନ୍ତି । ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୪.୫୫ ଲକ୍ଷ, ଗଞ୍ଜାମରେ ୪.୨୭ ଲକ୍ଷ, ବାଲେଶ୍ୱରରେ ୩.୯୫ ଲକ୍ଷ, କଟକରେ ୩.୮୨ ଲକ୍ଷ, ଯାଜପୁରରେ ୩.୨୦ ଲକ୍ଷ, କୋରାପୁଟରେ ୩.୪୮ ଲକ୍ଷ, ପୁରୀରେ ୩.୩୫ ଲକ୍ଷ ଓ ସୁନ୍ଦରଗଡ଼ରେ ୩.୨୫ ଲକ୍ଷ ମହିଳା ଏଥିରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ନବରଙ୍ଗପୁର, ଖୋର୍ଦ୍ଧା, କେନ୍ଦୁଝର, କେନ୍ଦ୍ରାପଡ଼ା, କଳାହାଣ୍ଡି, ଜଗତସିଂହପୁର, ଢେଙ୍କାନାଳ, ବଲାଙ୍ଗୀର, ଭଦ୍ରକ, ବରଗଡ଼ ଓ ଅନୁଗୁଳ ଜିଲ୍ଲାରେ ୨ ଲକ୍ଷରୁ ଅଧିକ କରି ମହିଳା ଏହି ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକରେ ସାମିଲ ହୋଇଥିବା ବେଳେ ସମ୍ବଲପୁର, ରାୟଗଡ଼ା, ନୂଆପଡ଼ା, ନୟାଗଡ଼, ମାଲକାନଗିରି, କନ୍ଧମାଳ, ଗଜପତି ଆଦି ଜିଲ୍ଲାରେ ୧ ଲକ୍ଷରୁ ଅଧିକ କରି ମହିଳା ଏଥିରେ ମିଶିଛନ୍ତି । ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, ସୁବର୍ଣ୍ଣପୁର ଆଦି ଜିଲ୍ଲାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀରେ ସାମିଲ ସଦସ୍ୟାଙ୍କ ସଂଖ୍ୟା ୧ ଲକ୍ଷରୁ କମ୍ କରି ରହିଛି । 

ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ମହିଳା ସ୍ୱୟଂସହାୟିକା ଗୋଷ୍ଠୀକୁ ମାଇକ୍ରୋ କ୍ରେଡିଟ୍ ଯୋଜନା ମାଧ୍ୟମରେ ସିଡ୍ ମନି ସହାୟତା, ଶ୍ରମ ଲାଘବ ଯୋଜନାରେ ଆର୍ଥିକ  ପ୍ରୋତ୍ସାହନ ଛଡ଼ା ବ୍ଲକ୍ ସ୍ତରୀୟ ମହାସଂଘକୁ ୨୫ ଲକ୍ଷ ଟଙ୍କାର ଆବର୍ତ୍ତନ ପାଣ୍ଠି ଯୋଗାଇଛନ୍ତି । ମାଇକ୍ରୋ କ୍ରେଡିଟ୍ରେ ୨୦୦୬-୦୭ ପର୍ଯ୍ୟନ୍ତ ପ୍ରାୟ ୧୩ କୋଟି ଟଙ୍କା ସହାୟତା ଦିଆଯାଇଥିବା ବେଳେ ସିଡ୍ ମନି ଆକାରରେ ୧୦୭ କୋଟି ଓ ଶ୍ରମ ଲାଘବ ଯୋଜନାରେ ୧୨୬ କୋଟି ଟଙ୍କା ଏହି ଗୋଷ୍ଠୀ  ମାନଙ୍କୁ ଯୋଗାଯାଇଛି । ଏହାଛଡ଼ା ୧,୨୮,୦୩୬ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ୨୦୧୬-୧୭ ବର୍ଷରେ ୧୦ ହଜାର ଟଙ୍କା ହାରରେ ୧୨୮ କୋଟି ଟଙ୍କାରୁ ଅଧିକ ଅର୍ଥ  ସହାୟତା ଯୋଗାଯାଇଛି । ୨୦୧୩-୧୪ରୁ ୨୦୧୭-୧୮ ବର୍ଷ ମଧ୍ୟରେ ୩ହଜାର କୋଟି ଟଙ୍କାରୁ ଅଧିକ ଋଣ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକୁ ଯୋଗାଇ ଦିଆଯାଇଥିବା ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟରୁ ଜଣାଯାଇଛି । 

 

 

 

 

0
0
0
s2sdefault