କରୋନା ପରୀକ୍ଷଣ କେନ୍ଦ୍ର ଅନୁଧ୍ୟାନ କଲେ ସାଂସଦ ଶ୍ରୀଟୁଡ଼ୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅଧିକ ଟେକ୍ନିସିଆନ ନିଯୁକ୍ତି ଦାବି ଓ ଅଧିକ ନମୁନା ପରୀକ୍ଷା ଉପରେ ଗୁରୁତ୍ୱାରୋପ

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପିଆରଏମ ମେଡ଼ିକାଲ କଲେଜ ଓ ହସପିଟାଲରେ ଆରମ୍ଭ ହୋଇଥିବା କରୋନା ପରୀକ୍ଷଣ କେନ୍ଦ୍ର ଅନୁଧ୍ୟାନ କଲେ ସାଂସଦ ବିଶ୍ୱେଶର ଟୁଡ଼ୁ । ଏହି ଅବସରରେ ମେଡ଼ିକାଲକୁ ଆସିଥିବା ସ୍ୱାବ ପରୀକ୍ଷା ପାଇଁ ଆସିଥିବା ଆର୍ଟି-ପିସିଆର ଓ ଟ୍ରୁନଟ୍ ମେସିନକୁ ବୁଲି ଦେଖିଥିଲେ । ତେବେ  ଓଡ଼ିଶାର ସର୍ବବୃତ୍ତମ ଜିଲ୍ଲା ମୟୂରଭଞ୍ଜର ପ୍ରାୟ ୨୬ ଲକ୍ଷରୁ ଅଧିକ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଏବଂ ଜିଲ୍ଲାକୁ ପ୍ରାୟ ୫୦ ହଜାରରୁ ଅଧିକ ପ୍ରବାସୀ ଓଡ଼ିଆ ଫେରିଆସିବାକୁ ଥିବା ବେଳେ ସେମାନଙ୍କ କୋଭିଡ଼-୧୯ ପରୀକ୍ଷା ନିମନ୍ତେ ନିଯୁକ୍ତି ପାଇଥିବା ସ୍ୱଳ୍ପ ସଂଖ୍ୟକ ଟେକ୍ନିସିଆନକୁ ନେଇ ନିଜର ଅସନ୍ତୋଷ ଜାହିର କରିବା ସଂଗେସଂଗେ ଅଧିକ ଟେକ୍ନିସିଆନ ଏବଂ କର୍ମଚାରୀ ନିଯୁକ୍ତି ଦାବି କରିଛନ୍ତି । ଏଥି ସହିତ ପରୀକ୍ଷଣ କେନ୍ଦ୍ର ଉଦଘାଟନକୁ ୩ ଦିନ ହୋଇସାରିଥିବା ବେଳେ ନମୁନା ସଂଗ୍ରହ ଓ  ପରୀକ୍ଷା ଉତ୍ସାହଜନକ ନୁହେଁ ବୋଲି ପ୍ରକାଶ କରିଛନ୍ତି । ତେବେ ପରୀକ୍ଷଣ କେନ୍ଦ୍ରରେ ରହିଥିବା ଯନ୍ତ୍ର ଜିଲ୍ଲାର ବିଭିନ୍ନ ସଂଗରୋଧ କେନ୍ଦ୍ରଗୁଡ଼ିକରେ ରହୁଥିବା ବ୍ୟକ୍ତିମାନଙ୍କର ନମୁନା ପରୀକ୍ଷା କରିବା କ୍ଷେତ୍ରରେ କେତେ ଦୂର ସଫଳ ହେବ ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏଥି ସହିତ ବିଳମ୍ବ ହେଉ ପଛେ ଉନ୍ନତମାନର ଅତ୍ୟାଧୁନିକ ଅଧିକ ସଂଖ୍ୟକ ସ୍ୱାବ ପରୀକ୍ଷା କରିପାରୁଥିବା ଯନ୍ତ୍ର ଆଣିବାର ଆବଶ୍ୟକତା ରହିଥିଲା ବୋଲି କହିଥିବା ବେଳେ କୋଭିଡ଼-୧୯କୁ ନେଇ ସରକାର ବିଭିନ୍ନ ସମୟରେ ଗାଇଡ଼ ଲାଇନ ପରିବର୍ତ୍ତନ କରୁଛନ୍ତି ନା ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ନିଜ ଇଚ୍ଛା ଅନୁସାରେ ଗାଇଡ଼ ଲାଇନ ଜାରି କରୁଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଜିଲ୍ଲାର ବିଭିନ୍ନ ସଙ୍ଗରୋଧ କେନ୍ଦ୍ର ଦାୟିତ୍ୱରେ ରହିଥିବା ସରକାରୀ ଅଧିକାରୀମାନଙ୍କ ଦ୍ୱନ୍ଦାତ୍ମକ କାର୍ଯ୍ୟ ଜିଲ୍ଲାବାସୀଙ୍କୁ ସମ୍ଭାବ୍ୟ ବିପଦ ଆଡ଼କୁ ଟାଣି ନେଇଯାଉଛି । ନିକଟ ଅତୀତରେ ଜଣେ ସଙ୍ଗରୋଧ କେନ୍ଦ୍ରରୁ ଫେରି ଆସି ହୋମ କ୍ୱାରେଣ୍ଟାଇନରେ ରହିବାର ଦିନକ ପରେ ମୃତୁ୍ୟ ହେବା ସହ ରିପୋର୍ଟକୁ ଅପେକ୍ଷା ନ କରି ଘରକୁ ପଠାଇ ଦେବା ଏବଂ ପଜିଟିଭ ରିପୋର୍ଟ ଆସିବା ପରେ ତାକୁ ଘରୁ ଉଠାଇ ଆଣିବା ଭଳି ଦାୟିତ୍ୱହୀନ କାର୍ଯ୍ୟକୁ ଦୃଢ଼ ଭାବେ ନିନ୍ଦା କରିଛନ୍ତି । ତେବେ ଜିଲ୍ଲା ପ୍ରଶାସନ କରୋନା ମୁକାବିଲା କେତେ ପରିମାଣରେ ସଫଳ ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସାଂସଦ ଶ୍ରୀଟୁଡ଼ୁଙ୍କ ଏହି କରୋନା ପରୀକ୍ଷଣ କେନ୍ଦ୍ର ଅନୁଧ୍ୟାନ ସମୟରେ ତାଙ୍କ ସହିତ ପୂର୍ବତନ ମନ୍ତ୍ରୀ ତଥା ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ଛୋଟଲାଲ ମହାନ୍ତ, ହେମନ୍ତ ସାହା, ହେମନ୍ତ ସୋରେନ ପ୍ରମୁଖ ଉପସ୍ଥିତ ରହିଥିଲେ । 

0
0
0
s2sdefault