ବାରିପଦା(ଦିଲ୍ଲୀପ ମହାନ୍ତି )- କରୋନା ମହାମାରୀକୁ ନେଇ ଲକ୍ ଡ଼ାଉନର ଛାଟ ମଠ ମନ୍ଦିରମାନଙ୍କରେ ଠାକୁରଙ୍କ ସେବା କାର୍ଯ୍ୟରେ ନିୟୋଜିତ ତଥା ସମର୍ପିତ ପୂଜକମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ପୂଜକାମାନଙ୍କୁ ସରକାର କୌଣସି ପ୍ରକାରର ଆର୍ଥିକ ସହାୟତା ଯୋଗାଇ ଦେଇନଥିବାରୁ ସେମାନେ ପରିବାର ଭରଣ ପୋଷଣର ଭାର ସମ୍ଭାଳିବା ପରିସ୍ଥିତିରେ ନାହାନ୍ତି । ଠିକ୍ ଏହି ଭଳି ଘଡ଼ିସନ୍ଧି ସମୟରେ ହିନ୍ଦୁ ରୀତି ନୀତି ତଥା ପରମ୍ପରାର ରକ୍ଷା ନିମନ୍ତେ ପୂଜକମାନଙ୍କୁ ସାହାଯ୍ୟ ସହଯୋଗ ପ୍ରଦାନର ଆବଶ୍ୟକତାକୁ ଅନୁଭବ କରି ସୋ ଆଇ ଏମ୍ ଫାଉଣ୍ଡେସନ ଅଣ୍ଟା ଭିଡ଼ି ଆଗେଇ ଆସିଛି ଏବଂ ଉକ୍ତ ଫାଉଣ୍ଡେସନକୁ ପୃଷ୍ଠପୋଷକତା ଯୋଗାଇ ଦେଇଛି ମୟୂରଭଞ୍ଜ ରାଜପରିବାର । ଏହି ମର୍ମରେ ସମଗ୍ର ଓଡ଼ିଶାରେ ୧୦ ହଜାରରୁ ଅଧିକ ମଠ ମନ୍ଦିରର ପୂଜକମାନଙ୍କୁ ୧୫ ଦିନର ରାସନ ସାମଗ୍ରୀ ଯୋଗାଇ ଦେବା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାସ୍ଥିତ ଷ୍ଟାଡ଼ିୟମ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବାରିପଦା ପୌରପରିଷଦର ବିଭିନ୍ନ ମଠ ମନ୍ଦିରଗୁଡ଼ିକରେ ଠାକୁରଙ୍କ ସେବାକାର୍ଯ୍ୟ କରୁଥିବା ୧୦୮ ଜଣ ପୂଜକମାନଙ୍କୁ ମୟୂରଭଞ୍ଜ ରାଜ ପରିବାର ପକ୍ଷରୁ ରାସନ ସାମଗ୍ରୀ ପ୍ରଦାନ କରାଯାଇଥିଲା ଏବଂ ପୂଜକମାନେ ମଧ୍ୟ ମହାରାଜା, ମହାରାଣୀ ଓ ରାଜକୁମାରୀଙ୍କୁ ଶୁଭଆର୍ଶୀବାଦ ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମହାରାଣୀ ରଶ୍ମୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ, ରାଜକୁମାରୀ ଅକ୍ଷିତା ମଞ୍ଜରୀ ଭଞ୍ଜଦେଓ ପ୍ରମୁଖଙ୍କ ସମେତ ଭିଡ଼ିଓ କନଫରେନ୍ସ ଜରିଆରେ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ, ପୁରୀ ସାଂସଦ ପିନାକୀ ମିଶ୍ର , ସୋ ଆଇ ଏମ୍ ଫାଉଣ୍ଡେସନର ପ୍ରତିଷ୍ଠାତା ପିନାକୀ ମହାନ୍ତି ଓ ସହ ପ୍ରତିଷ୍ଠାତା ଡ଼କ୍ଟର ଚିଦାତ୍ମିକା ଖଟୁଆ ପ୍ରମୁଖ ସାମିଲ ହୋଇଥିଲେ । ପରବର୍ତ୍ତୀ ସମୟରେ ପର୍ଯ୍ୟାୟ କ୍ରମେ ଏହି କାର୍ଯ୍ୟକ୍ରମ ଓଡ଼ିଶାର ଅନ୍ୟ ସମସ୍ତ ଜିଲ୍ଲାଗୁଡ଼ିକରେ ଆରମ୍ଭ ହେବ ବୋଲି ସୋ ଆଇ ଏମ୍ ଫାଉଣ୍ଡେସନର ସଦସ୍ୟ ବିଭୂଦତ୍ତ ଦାସ ସୂଚନା ଦେଇଛନ୍ତି
ରାଜ୍ୟ
ମଠ ମନ୍ଦିରର ପୂଜକମାନଙ୍କୁ ସୋ ଏମ୍ ଆଇ ଫାଉଣ୍ଡେସନ ପକ୍ଷରୁ ରାସନ ସହାୟତା ପ୍ରଦାନ
- Hits: 271