"ଜୁନ ପହିଲାରୁ ବସ ଚଳାଚଳ ସ୍ୱଭାବିକ ହେବ"
ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏବଂ ଘରୋଇ ବସ ମାଲିକ ସଂଘ ସହିତ ସରକାରଙ୍କ ବୁଝାମଣା ପରେ ଗୁରୁବାରଠାରୁ ରାଜ୍ୟରେ ଘରୋଇ ବସ ଚଳାଚଳ ଆରମ୍ଭ ହୋଇଥିବା ବେଳେ ଆଜି ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ଘରୋଇ ବସଷ୍ଟାଣ୍ଡରୁ ପ୍ରଥମ ବସ ଭାବେ ଦାସ ଏଣ୍ଡ ଦାସ ନାମକ ଏକ ଘରୋଇ ଯାତ୍ରୀବାହୀ ବସଟି ରାଜଧାନୀ ଭୂବନେଶ୍ୱର ଅଭିମୁଖେ ପ୍ରାତଃ ସାଢେ଼ ୫ଟା ସମୟରେ ଯାତ୍ରା ଆରମ୍ଭ କରିଛି । ବସର ମାଲିକ ଅମିତାଭ ଦାସଙ୍କ କହିବା ଅନୁସାରେ ବସ ଗଡ଼ିଲା, ମାତ୍ର ହେଲେ ନାହିଁ ଯାତ୍ରୀ । ଆଜି ବସର ଡ୍ରାଇଭର ବସନ୍ତ ରାଉତ, କଣ୍ଡକ୍ଟର ନାରାୟଣ ପ୍ରସାଦ ଦାସ ପ୍ରମୁଖ ୩ ଜଣ ମହିଳା ଯାତ୍ରୀ ଓ ୭ ଜଣ ପୁରୁଷ ଯାତ୍ରୀ ଏହିପରି ମୋଟ ୧୦ ଜଣ ଯାତ୍ରୀମାନଙ୍କୁ ଧରି ଭୂବନେଶ୍ୱର ଯାଇଛି । ବସ ଭଡ଼ାରେ କୌଣସି ବୃଦ୍ଧି ହୋଇ ନାହିଁ । ଯାତ୍ରୀମାନେ ପୂର୍ବ ନିର୍ଦ୍ଧାରିତ ଭଡ଼ା ହିସାବରେ ଟିକଟ କାଟି ଯାଇଛନ୍ତି । ପ୍ରାୟ ୩ ହଜାର ୬ ଶହ ଟଙ୍କା ଭଡ଼ା ବାଦକୁ ମିଳିଛି । ମାତ୍ର ବସ ବାରିପଦାରୁ ଭୂବନେଶ୍ୱରରେ ପହଁଞ୍ଚିବା ନିମନ୍ତେ ୭ ହଜାରରୁ ଅଧିକ ଟଙ୍କା ଡ଼ିଜେଲ ଖର୍ଚ୍ଚ ହୋଇଥାଏ । ପୁଣି ଡ୍ରାଇଭର, କଣ୍ଡକ୍ଟର ଓ ହେଲପର ଆଦିଙ୍କ ଦରମା, ଫୁଡ଼ିଂ ଓ ଟୁଲ ଫି ବ୍ୟତୀତ ଇନ୍ସୁ୍ୟରେନ୍ସ ଆଦି ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ ରହିଛି । ତେଣୁ ଲକ୍ ଡ଼ାଉନ ସମୟରେ ବସ ଚଳାଚଳ କ୍ଷତି ପହଁଞ୍ଚାଇଛି ବୋଲି ଦାସ ଏଣ୍ଡ ଦାସ ବସ ମାଲିକ ଶ୍ରୀଦାସ ପ୍ରକାଶ କରିବା ସଂଗେସଂଗେ ବସଟି ପ୍ରତ୍ୟେକ ଦିନ ନିର୍ଦ୍ଧାରିତ ସମୟରେ ଭୂବନେଶ୍ୱର ଯିବ ବୋଲି କହିଥିଲେ । ସେହିପରି ଘରୋଇ ବସ ମାଲିକ ସଂଘର ସାଧାରଣ ସମ୍ପାଦକ ସୁନୀଲ କୁମାର ଦାଶ ଆସନ୍ତା ଜୁନ ପହିଲାରୁ ମୟୂରଭଞ୍ଜ ଜିଲ୍ଲାରେ ବସ ଚଳାଚଳ ସ୍ୱଭାଭିକ ହେବ ବୋଲି ପ୍ରକାଶ କରିବା ସହ ବର୍ତ୍ତମାନ ପ୍ରାୟତଃ ସମସ୍ତ ବସ ଅଫ ରୋଡ଼ ରହିଛି । ଯେଉଁ କେତୋଟି ବସ ଅଫ ରୋଡ଼ରୁ ଅନ ରୋଡ଼ ହୋଇ ବାହାର ରାଜ୍ୟ ଏବଂ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ମୟୂରଭଞ୍ଜ ଜିଲ୍ଲାକୁ ପ୍ରବାସୀ ଓଡ଼ିଆମାନଙ୍କୁ ଫେରାଇ ଆଣିବା ନିମନ୍ତେ ଯାଇଥିଲା ସେହି ବସଗୁଡ଼ିକ ମଧ୍ୟରୁ ଦାସ ଏଣ୍ଡ ଦାସ ବସ ଆଜି ଭୂବନେଶ୍ୱର ଯାଇଛି । ସରକାର କେବଳ ଟ୍ୟାକ୍ସକୁ ବିଚାରକୁ ନେଇଛନ୍ତି କିନ୍ତୁ ଇନ୍ସୁ୍ୟରେନ୍ସକୁ ବାଦ ଦେଇଛନ୍ତି । ତେଣୁ ସମସ୍ତ କ୍ଷେତ୍ରରେ ବସ ମାଲିକମାନଙ୍କୁ କ୍ଷତି ସହିବାକୁ ପଡ଼ୁଥିବାରୁ ବର୍ତ୍ତମାନ ରୋଡ଼ରେ ବସ ଚଳାଇବାକୁ ଘରୋଇ ବସ ମାଲିକମାନେ ସାହାସ ଜୁଟାଇ ପାରୁ ନାହାନ୍ତି । ତେଣୁ ସେହି ଜୁନ ପହିଲାରୁ ବସ ଚଳାଚଳ ସ୍ୱଭାବିକ ହେବ ବୋଲି ଘରୋଇ ବସ ମାଲିକ ସଂଘର ସାଧାରଣ ସମ୍ପାଦକ ଶ୍ରୀଦାଶ ପ୍ରକାଶ କରିଛନ୍ତି ।