ପଜିଟିଭ ସଂଖ୍ୟା ୧୭କୁ ବୃଦ୍ଧି : ଜିଲ୍ଲାରେ ସକ୍ରିୟ ସଂଖ୍ୟା ୬ ଓ ସୁସ୍ଥ ହୋଇଥିବା ସଂଖ୍ୟା ୧୧
ବାରିପଦା(ଦିଲ୍ଲୀପ ମହାନ୍ତି )- ଗତକାଲି ମୟୂରଭଞ୍ଜ ଜିଲ୍ଲାରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗୋପବନ୍ଧୁନଗର ବ୍ଲକ ଅଞ୍ଚଳ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଜଣେ ୨୭ ବର୍ଷ ଯୁବକଙ୍କ ରିପୋର୍ଟ ପଜିଟିଭ ଆସିଛି । ଏହାକୁ ମିଶାଇ ଜିଲ୍ଲାରେ ପଜିଟିଭ ସଂଖ୍ୟା ୧୭ରେ ପହଁଞ୍ଚିଛି । କରୋନା ପଜିଟିଭ ଆକ୍ରାନ୍ତ ତାମିଲନାଡ଼ୁ ରାଜ୍ୟରୁ ଫେରି ସିଧାସଳଖ ସଙ୍ଗରୋଧ ଗୃହରେ ରହିଥିଲେ ବୋଲି ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି । ସେହିପରି ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୧ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ସଂଖ୍ୟା ୬ ରହିଥିବାର ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ଗ୍ରୀନ ଜୋନରେ ରହିଥିବା ସମୟରେ ଚଳିତ ମାସ ୭ରେ ଜିଲ୍ଲାର କପ୍ତିପଦା ବ୍ଲକରୁ ପ୍ରଥମ ପଜିଟିଭ ଚିହ୍ନଟ ହେବା ପରେ ଅରେଞ୍ଜ ଜୋନକୁ ଖସି ଆସିଥିଲା । ବର୍ତ୍ତମାନ ଜିଲ୍ଲାରେ ମୋଟ ୧୭ କରୋନା ସଂକ୍ରମିତମାନଙ୍କ ମଧ୍ୟରୁ ୧୧ ଜଣ ସୁରଟ ଫେରନ୍ତା ରହିଥିବା ବଳେ ୪ ଜଣ ଆନ୍ଧ୍ରପ୍ରଦେଶ , ଜଣେ ଲେଖାଏଁ ପଶ୍ଚିମବଙ୍ଗ ଓ ତାମିଲନାଡ଼ୁ ଫେରନ୍ତା ରହିଛନ୍ତି । ଏହି ସମସ୍ତ କୋଭିଡ଼-୧୯ ଭୂତାଣୁ ସଂକ୍ରମିତମାନଙ୍କ ମଧ୍ୟରୁ କଟକ ଅଶ୍ୱନୀ(କୋଭିଡ଼) ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିବା କପ୍ତିପଦା ବ୍ଲକର ସୁରଟ ଫେରନ୍ତା ୧୦ ଓ ବାରିପଦା ପୌରପରିଷଦରେ ପଶ୍ଚିମବଙ୍ଗ ଫେରନ୍ତା ଜଣକୁ ମିଶାଇ ମୋଟ ୧୧ ଜଣ ସୁସ୍ଥ ହୋଇ ଫେରି ଆସିଥିବା ବେଳେ ବାରିପଦା ବାଙ୍କିଶୋଳସ୍ଥିତ କୋଭିଡ଼ ହସପିଟାଲରେ ଆନ୍ଧ୍ରପ୍ରଦେଶ ଫେରନ୍ତା ୪ , ସୁରଟ ଫେରନ୍ତା ଜଣେ ଓ ଆଜିର ତାମିଲନାଡ଼ୁ ଫେରନ୍ତାକୁ ମିଶାଇ ମୋଟ ୬ ଜଣ ପଜିଟିଭ ସଂକ୍ରମିତମାନଙ୍କ ଚିକିତ୍ସା ଜାରି ରହିଛି ।