ହେଡଲାଇନସ୍:

ଅନ୍ୟଠି ଗଡ଼ିଲା, ହେଲେ ଏଠି ଗଡ଼ିଲାନି : ନା ଆସିଲା ନା ଗଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଆଜିଠୁଁ ରାଜ୍ୟରେ ଆରମ୍ଭ ହେଲା ଘରୋଇ ବସ୍ ପରିବହନ

  • ଜୁନ୍ ପହିଲାରୁ ଫେରିପାରେ ସ୍ବାଭାବିକ ଅବସ୍ଥା

  • ସମସ୍ତ ଯାତ୍ରୀବାହୀ ବସକୁ ବିଶୋଧନ କରାଯିବ

ବାରିପଦା(ଦିଲ୍ଲୀପ ମହାନ୍ତି ) : ଆଜିଠାରୁ ସମଗ୍ର ରାଜ୍ୟରେ ଘରୋଇ ବସ୍ ପରିବହନ ବ୍ୟବସ୍ଥା ଆରମ୍ଭ ହୋଇଛି। ମାତ୍ର ମୟୂରଭଞ୍ଜ ଜିଲ୍ଲାରେ ଗଡ଼ିନି ଗୋଟିଏ ବି ବସ୍। ଜିଲ୍ଲାକୁ କୌଣସି ଘରୋଇ ବସ୍ ଆସିନଥିବାବେଳେ କୌଣସି ବସ୍ ମଧ୍ୟ ଜିଲ୍ଲା ବାହାରକୁ ଯାଇନଥିବା ମୟୂରଭଞ୍ଜ ବସ୍ ମାଲିକ ସଂଘ ସାଧାରଣ ସମ୍ପାଦକ ସୁନୀଲ କୁମାର ଦାଶ ସୂଚନା ଦେଇଛନ୍ତି। ଜୁନ୍ ପହିଲାରୁ ଜିଲ୍ଲାରେ ଘରୋଇ ବସ୍ ଚଳାଚଳ ସ୍ବାଭାବିକ ଅବସ୍ଥାକୁ ଫେରିବା ନେଇ ଶ୍ରୀ ଦାଶ ଆଶାବ୍ୟକ୍ତ କରିଛନ୍ତି। ଆଜି ଜିଲ୍ଲା ବସ୍ ମାଲିକ ସଂଘର ବୈଠକ ବସିଥିଲା। ସମସ୍ତ ବସ୍କୁ ମାଲିକମାନେ ନିଜସ୍ବ ଉଦ୍ୟମରେ ବିଶୋଧନ କରିବାକୁ ଆଜିର ବୈଠକରେ ନିଷ୍ପତି ହୋଇଥିଲା। ବୈଠକ ପରେ ଯାତ୍ରୀ ପ୍ରତୀକ୍ଷାଳୟ, ବସଷ୍ଟାଣ୍ଡ  ବୁକିଂ କାଉଣ୍ଟର୍ ଆଦି ବିଶୋଧନ କରାଯାଇଥିଲା। ପ୍ରାୟ ଅଢ଼େଇ ମାସର ନୀରବତା ପରେ ପୁଣିଥରେ ବାରିପଦା  ବସଷ୍ଟାଣ୍ଡ ଚଳଚଞ୍ଚଳ ହେବାନେଇ ଆଶା କରାଯାଉଥିଲା। ମାତ୍ର ଦୀର୍ଘ ଦିନ ଧରି ବସ୍ ବନ୍ଦ ରହିବା ଫଳରେ କର୍ମଚାରୀ ସଙ୍କଟ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି।

ସେହିପରି କରୋନା କାରଣରୁ ବସ୍ରେ ଯାତ୍ରୀଙ୍କ ସଂଖ୍ୟାକୁ ନେଇ ମଧ୍ୟ ସଂଶୟ ରହିଛି। ବସ୍ ମାଲିକମାନେ କ୍ଷତି ସହିବାର ଯଥେଷ୍ଟ ଆଶଙ୍କା ଥିଲେ ମଧ୍ୟ ସାମୂହିକ ସ୍ବାର୍ଥ ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ଜିଲ୍ଲାରେ ବସ୍ ଚଳାଚଳକୁ ସ୍ବାଭାବିକ କରିବାକୁ ନିଷ୍ପତି ନିଆଯାଇଥିବା ମୟୂରଭଞ୍ଜ ବସ୍ ମାଲିକ ସଂଘ ପକ୍ଷରୁ ପ୍ରକାଶ। ଏହି ଅବସରରେ ବସ୍ ପରିବହନ ସେବା କ୍ଷେତ୍ରରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ରାଜ୍ୟ ସରକାର ସ୍ବାସ୍ଥ୍ୟ ବୀମାଭୁକ୍ତ କରିବାକୁ ସଂଘର ସାଧାରଣ ସଂପାଦକ ଶ୍ରୀ ଦାଶ ଅନୁରୋଧ କରିଛନ୍ତି। କରୋନାକୁ ଦୃଷ୍ଟିରେ ରଖି ବସ୍ ସେବା ଆରମ୍ଭ ହେବା ପରେ ଏହିମାନେ ହିଁ ସବୁଠୁ ଅଧିକ ସମ୍ବେଦନଶୀଳ ଅବସ୍ଥାରେ ରହିବେ। ରାଜ୍ୟ ସରକାର ଘରୋଇ ବସ୍ ଚଲାଇବାକୁ ଅନୁମତି ଦେବା ପରେ ଆଜିଠାରୁ ରାଜ୍ୟରେ ଘରୋଇ ବସ୍ ଚଳାଚଳ ନେଇ ସଂଘ ନିଷ୍ପତି ନେଇଥିଲା। ମାତ୍ର ବର୍ତ୍ତମାନ ସମୟରେ ବସ୍ ଚଳାଚଳକୁ ସ୍ବାଭାବିକ କରିବାକୁ ହେଲେ ବିଭିନ୍ନ ସମସ୍ୟା ରହିଛି। ତେଣୁ ସବୁ ସମସ୍ୟାକୁ ନଜରରେ ରଖିଲେ ଏହି ସେବା ଆରମ୍ଭ କରିବାକୁ ଆଉ କିଛିଦିନ ଲାଗିବ ବୋଲି ଶ୍ରୀ ଦାଶ ପ୍ରକାଶ କରିଛନ୍ତି।

ସେହିପରି ଆନ୍ତଃରାଜ୍ୟ ବସ୍ ପରିବହନ ସେବା ଆରମ୍ଭ ହେବାକୁ ମଧ୍ୟ ଆହୁରି କିଛି ଦିନ ସମୟ ନେବ ବୋଲି ଶ୍ରୀ ଦାଶ କହିଛନ୍ତି। କରୋନାକୁ ନେଇ ରାଜ୍ୟ ସରକାରଙ୍କ ସମସ୍ତ ନିୟମକୁ ବସ୍ ମାଲିକ ସଂଘ ପାଳନ କରିବ ବୋଲି ଜଣାପଡ଼ିଛି। କେବଳ ସିଟିଂ କାପାସିଟି ଅନୁସାରେ ହିଁ ଯାତ୍ରୀ ପରିବହନ କରାଯିବ। ସମସ୍ତ ଯାତ୍ରୀଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯିବ। ସୂଚନାଯୋଗ୍ୟଯେ ଲକ୍ଡାଉନ ଫଳରେ ମୟୂରଭଞ୍ଜର ପ୍ରାୟ ୪୫୦ରୁ ଊର୍ଧ୍ବ ବସ୍ ବନ୍ଦ ହୋଇ ରହିଥିଲା। ବାରିପଦା, ଉଦଳା, କରଞ୍ଜିଆ, ଯଶୀପୁର ଓ ରାଇରଙ୍ଗପୁର ଆଦି ସ୍ଥାନକୁ ମିଶାଇ ଜିଲ୍ଲାରେ ପ୍ରାୟ ୪୫୦ ବସ୍ ରହିଛି। ରାଜ୍ୟର ବିଭିନ୍ନ ସ୍ଥାନ ସହିତ କୋଲକତା, ଟାଟା ଓ ରାଞ୍ଚି ଭଳି ଅନ୍ତଃରାଜ୍ୟ ପରିବହନରେ ମଧ୍ୟନିୟୋଜିତ ଅଛନ୍ତି ଏହି ବସ୍। ମୟୂରଭଞ୍ଜ ବସ୍ ମାଲିକ ସଂଘ ଅଧିନରେ ପ୍ରାୟ ୧୨୨ଜଣ ମାଲିକ ରହିଥିବା ବେଳେ ଜିଲ୍ଲାରେ ପ୍ରାୟ ୨୦୦ରୁ ଊର୍ଧ୍ବ ଘରୋଇ ବସ୍ ମାଲିକ ରହିଛନ୍ତି। ଆଉ ଏହି କ୍ଷେତ୍ରରେ ଜିଲ୍ଲାରୁ ପ୍ରାୟ ୨ହଜାର ପ୍ରତ୍ୟେକ୍ଷ ଏବଂ ୫ହଜାର ପରୋକ୍ଷ କର୍ମଚାରୀ ନିୟୋଜିତ ହୋଇଛନ୍ତି। ମାତ୍ର ବସ୍ ସେବା ବନ୍ଦ ହେବା କାରଣରୁ ସମସ୍ତେ ଦୁର୍ଦ୍ଦଶାରେ କାଳ କାଟୁଛନ୍ତି। ରାଜ୍ୟ ସରକାର ଏପ୍ରିଲ, ମେ ଏବଂ ଜୁନ୍, ଏହି ତିନି ମାସର ପରିବହନ ଟିକସ ଛାଡ଼ କରିବାର ପ୍ରତିଶ୍ରୁତି  ଦେଇଛନ୍ତି। ସେହିପରି ମାର୍ଚ୍ଚ ମାସର ଅଧା ଚାଲିଥିବା ଟିକସକୁ ଜୁଲାଇ ମାସରେ ଛାଡ଼ କରାଯିବାନେଇ ପରିବହନ ମନ୍ତ୍ରୀ ପ୍ରତିଶ୍ରୁତି ଦେଲାପରେ ବସ୍ ପରିବହନକୁ ସ୍ବାଭାବିକ କରିବାକୁ ବସ୍ ମାଲିକ ସଂଘ ନିଷ୍ପତି ନେଇଛି। ଏନେଇ ଗତକାଲି ଚଣ୍ଡିଖୋଲରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଏକ ବୈଠକ  ଅନୁଷ୍ଠିତ ହୋଇଥିଲା।

0
0
0
s2sdefault