ହେଡଲାଇନସ୍:

କୃଷି ମନ୍ତ୍ରୀଙ୍କ ତାଗିଦ : ଅଧିକାରୀ ଓ କର୍ମଚାରୀମାନଙ୍କୁ ସଦର ମହକୁମା ଛାଡ଼ିବା ମନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଖରିଫ ଚାଷ ପରିପ୍ରେକ୍ଷୀରେ କୃଷିବିଭାଗର ବରିଷ୍ଠ  ଅଧିକାରୀମାନଙ୍କ ସହ କୃଷି ମନ୍ତ୍ରୀଙ୍କ ବୈଠକ

  • ବିହନ ଓ ସାର ଯୋଗାଣ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଇଛି 

  • ଖିଲାପକାରୀ ଅଧିକାରୀ ଓ କର୍ମଚାରୀଙ୍କ ବିରୁଦ୍ଧରେ ନିଆଯିବ କଡ଼ା କାର୍ଯାନୁଷ୍ଠାନ । 

  • ଜୁନ ୧ ରୁ ୧୦ ମଧ୍ୟରେ ସମସ୍ତ ନୋଡାଲ ଅଧିକାରୀ ନିଜ ଦାୟିତ୍ୱରେ ଥିବା ଜିଲ୍ଲା ପରିଦର୍ଶନ କରିବେ

  • ତୃଣମୂଳ ସ୍ତରରେ ଚାଷ କାର୍ଯ୍ୟରେ ଉପୁଜୁଥିବା ସମସ୍ୟାର କରିବେ ସମାଧାନ  

ଭୁବନେଶ୍ୱର (ଶାସକ ପ୍ରଶାସକ)  ଚଳିତ ଖରିଫରେ ଚାଷୀମାନଙ୍କୁ ଉନ୍ନତ ବିହନ, ସାର ଏବଂ କୃଷି ସାମଗ୍ରୀ ଯୋଗାଇବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ଚାଷୀମାନେ ଯେପରି ସୁବିଧାରେ ବିହନ ଓ ସାର ଆବଶ୍ୟକ ଅନୁସାରେ ପାଇପାରିବେ ସେଥିନିମନ୍ତେ ତଦାରଖ କାର୍ଯ୍ୟକୁ ବ୍ୟାପକ କରିବା ପାଇଁ ଜିଲ୍ଲା ଦାୟୀତ୍ୱରେ ଥିବା ନୋଡାଲ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କୃଷି ଓ କୃଷକ ଶସକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ ସାହୁ କହିଛନ୍ତି । ଏଥିସହିତ କୋଭିଡ଼-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଖରିଫ ଚାଷର ଗୁରୁତ୍ୱକୁ ଦୃଷ୍ଟିରେ ରଖି କୃଷି ଅଧିକାରୀ ଓ କର୍ମଚାରୀମାନଙ୍କୁ ସଦର ମହକୁମା ଛାଡି ନଯିବାପାଇଁ ନିର୍ଦ୍ଦେଶ ଦିଆଯାଇଛି ଏବଂ ଖିଲାପକାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଡ଼ଃ ସାହୁ କହିଛନ୍ତି । 

ଆଜି ପୂର୍ବାହ୍ନରେ କୃଷି ଭବନଠାରେ ଆୟୋଜିତ ବିଭାଗର ବରିଷ୍ଠ  ଅଧିକାରୀ ଏବଂ ଜିଲ୍ଲା ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀମାନଙ୍କ ବୈଠକରେ ଅଧ୍ୟକ୍ଷତାକରି ମନ୍ତ୍ରୀ ଡ଼ଃ ସାହୁ ବିହନ ଓ ସାର ଯୋଗାଣ ସଂପର୍କରେ ସମୀକ୍ଷା କରିଥିଲେ ।ସାମ୍ପ୍ରତିକ ପରିସ୍ଥିତିରେ ରାଜ୍ୟରେ ଖରିଫ ଚାଷକୁ ପ୍ରାଥମିକତା ପ୍ରଦାନ କରି କୃଷିକାର୍ଯ୍ୟକୁ ଆଗେଇ ନେବାପାଇଁ କୃଷି ଅଧିକାରୀମାନଙ୍କୁ ଅଧିକ ତତ୍ପରତା  ପ୍ରକାଶ କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ଡ଼ଃ ସାହୁ କହିଥିଲେ । ଜୁନ ୧ ତାରିଖରୁ ୧୦ ତାରିଖ ମଧ୍ୟରେ ସମସ୍ତ ନୋଡାଲ ଅଧିକାରୀ ସେମାନଙ୍କ ଦାୟିତ୍ୱରେ ଥିବା ଜିଲ୍ଲା ପରିଦର୍ଶନ କରି ତୃଣମୂଳ ସ୍ତରରେ ଚାଷ କାର୍ଯ୍ୟରେ ଉପୁଜୁଥିବା ସମସ୍ୟାର ସମାଧାନ କରିବା ପାଇଁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ବିହନ, ସାର ଓ ଅନ୍ୟାନ୍ୟ କୃଷି ସାମଗ୍ରୀର ଯୋଗାଣକୁ ନିଶ୍ଚିତ କରିବା ପାଇଁ ନୋଡାଲ ଅଧିକାରୀମାନଙ୍କୁ ନିର୍ଦ୍ଦେଶ  ଦିଆଯାଇଛି । 

ବୈଠକରେ ସୋସିଆଲ୍ ମିଡିଆର ବହୁଳ ଉପଯୋଗ କରି ଚାଷୀମାନଙ୍କୁ ସିଧାସଳଖ ସୂଚନା ପ୍ରଦାନ ଓ ପରାମର୍ଶ ଦେବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ପ୍ରତି ପଂଚାୟତରେ ହ୍ୱାଟ୍ସ୍ଆପ୍ ଗ୍ରୁପ ଗଠନ କରି ଏଥିରେ ଅଧିକରୁ ଅଧିକ ଚାଷୀମାନଙ୍କୁ ସାମିଲ କରିବା ପାଇଁ ମନ୍ତ୍ରୀ ଡ଼ଃ ସାହୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ କୋଭିଡ଼୍-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ଷେତ୍ରରେ ସାମାଜିକ ଦୁରତ୍ୱ, ମାସ୍କ ପରିଧାନ ଏବଂ ସାନିଟାଇଜେସନ୍ କୁ କଡାକଡ଼ି ଭାବରେ ଅନୁପାଳନ କରିବାକୁ ମନ୍ତ୍ରୀ ଡ଼ଃ ସାହୁ କହିଥିଲେ । 

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ , କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ଼ଃ ଏମ୍. ମୁଥୁ କୁମାରଙ୍କ ସମେତ ବିଭାଗର ବରିଷ୍ଠ  ପଦାଧିକାରୀମାନେ ଉପସ୍ଥିତ ଥିଲେ । 

0
0
0
s2sdefault