ହେଡଲାଇନସ୍:

ପୁଣି ଆରମ୍ଭ ହେବ ଶ୍ରୀ ଜଗନ୍ନାଥ ଏବଂ ଶ୍ରୀ ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସାମାଜିକ ଦୂରତ୍ୱ ରଖି ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ 

 ଭୁବନେଶ୍ୱର( ଶାସକ ପ୍ରଶାସକ) : ପୁଣି ଆରମ୍ଭ ହେବ କରୋନା ଲକ ଡାଉନ ଯୋଗୁ ଅଟକି ରହିଥିବା ଶ୍ରୀ ଜଗନ୍ନାଥ ଏବଂ ଶ୍ରୀ ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପର କାର୍ଯ୍ୟ | ପୁନଃ ଆରମ୍ଭ କରିବା ପାଇଁ  ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିବା ଅବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି |  ଆସନ୍ତା ୨୯ ତାରିଖରୁ କାର୍ଯ୍ୟ ଆରମ୍ଭ ହେବାକୁ ଥିବାବେଳେ ଏହି ସମୟରେ ସାମାଜିକ ଦୂରତ୍ୱ ନିୟମର ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି।ଏହି ଦୁଇ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନଫରେନ୍ସିଂ ଜରିଆରେ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ସମୀକ୍ଷା କରିବା ବେଳେ  ଅନେକ ଦୃଷ୍ଟିରୁ ଶ୍ରୀ ଜଗନ୍ନାଥ ଏବଂ ଶ୍ରୀ ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ବୋଲି  ମୁଖ୍ୟମନ୍ତ୍ରୀ କହିଥିଲେ |

ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ, ପୁରୀ ଐତିହ୍ୟ ପ୍ରକଳ୍ପଗୁଡ଼ିକ ଅନ୍ତର୍ଗତ  ଆସୁଥିବା ଶ୍ରୀସେତୁ, ଶ୍ରୀଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମହୋଦଧି ମାର୍କେଟ୍ କମ୍ପ୍ଲେକ୍ସ ଏବଂ ମୂଷା ନଦୀର ସମ୍ପ୍ରସାରଣ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇନାହିଁ । ଆଉ ଅଳ୍ପ କିଛି ଜମି ଅଧିଗ୍ରହଣ ହେବାକୁ ବାକି ଅଛି । ଏହା ଖୁବ୍ ଶୀଘ୍ର ଅର୍ଥାତ୍ ୨-୩ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ । ଏହାସହିତ ଜଗନ୍ନାଥ ହେରିଟେଜ୍ କରିଡର, ବଡ଼ଦାଣ୍ଡ ଉନ୍ନତିକରଣ ପ୍ରକଳ୍ପ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ବିଲଡିଂର ପୁନବିର୍କାଶ ପ୍ରକଳ୍ପ, ଜଗନ୍ନାଥ ସଂସ୍କୃତି କେନ୍ଦ୍ର ଆଦି ପ୍ରକଳ୍ପ ପାଇଁ ଡିଜାଇନ୍ ପ୍ରସ୍ତୁତ କରାଯାଉଛି ।

ସେହିପରି ଲିଙ୍ଗରାଜ ମନ୍ଦିର ପ୍ରକଳ୍ପର ବିଭିନ୍ନ କାର୍ଯ୍ୟ ପ୍ରସ୍ତୁତି ଜାରି ରହିଛି  । ପ୍ରକଳ୍ପ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ଖୁବ୍ ଶୀଘ୍ର ଶେଷ ହେବ  ।  ମନ୍ଦିର ଓ ବିନ୍ଦୁସାଗର ମଧ୍ୟବର୍ତ୍ତୀ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ ଆରମ୍ଭ କରାଯିବ । ବିନ୍ଦୁସାଗର ଓ ଅନ୍ୟାନ୍ୟ ତୀର୍ଥ ପୁଷ୍କରିଣୀର ଜଳକୁ ନୂତନ ବୈଷୟିକ ଜ୍ଞାନ ସହାୟତାରେ ସ୍ୱଚ୍ଛ କରିବା ଓ ଏହାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ଇଣ୍ଡିଆନ୍ କେମିକାଲ୍ ଇନଷ୍ଟିଚୁ୍ୟଟ୍ ସହିତ ଖୁବଶୀଘ୍ର ଏକ ବୁଝାମଣାପତ୍ର  ସ୍ୱାକ୍ଷର କରାଯିବ । ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଆର. ବାଲକ୍ରିଷ୍ଣନ୍, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା ପୂର୍ତ୍ତ ସଚିବ ଡ. କ୍ରିଷନ୍ କୁମାର, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ଆଦି ଯୋଗଦେଇଥିଲେ ।

0
0
0
s2sdefault