-
କଣ୍ଟେନମେଣ୍ଟ ଅଂଚଳକୁ ଛାଡି ବାକି ଅଞ୍ଚଳରେ ଗଡ଼ିବ ସବୁ ଗାଡି
-
ରାଜ୍ୟକୁ ଆସୁଥିବା ପ୍ରବାସୀଙ୍କୁ ସରକାରଙ୍କ କଡ଼ା ଚେତାବନୀ
-
ବିନା ସୂଚନାରେ ଆସିଲେ ମିଳିବନି ସରକାରୀ ସୁବିଧା
-
ସଙ୍ଗ ରୋଧ ଅବଧି (୨୧+୭) ଦିନିଆରୁ ହେବ (୭+୭ ) ଦିନିଆ
-
ତେଲେଙ୍ଗାନାରୁ ୧୨ଟି ଟ୍ରେନ୍ ରେ ଆସୁଛନ୍ତି ୨୦ ହଜାର ପ୍ରବାସୀ, ସରକାରଙ୍କୁ ସୂଚନା ନାହିଁ
-
ସୂଚନା ଦେବାରେ ବିଭିନ୍ନ ରାଜ୍ୟରେ ଥିବା ପ୍ରବାସୀ ଓଡ଼ିଆ ସଂଘ କରନ୍ତୁ ସହଯୋଗ
ଭୁବନେଶ୍ୱର : ଏବେ ସବୁ ଖୋଲା ମେଲା | ଲକଡାଉନ ବେଳେ ଯାହା ଯାହା ବନ୍ଦ ଥିଲା ସବୁ ଚାଲିବ | ମାନେ ଧୀରେ ଧୀରେ ସ୍ୱାଭାବିକ ହେବ ଜୀବନ ଯାତ୍ରା କଣ୍ଟନମେଣ୍ଟ ଏରିଆକୁ ଛାଡି | ଦିଚକିଆ ଗଡିବ, ତିନିଚକିଆ ବି ଗଡି଼ବି | ଦି ତିନି ଚକିଆ କଣ, ସବୁ ଚକିଆ ଗଡ଼ିବା | ବସ୍, ଟ୍ରକ ଚଳାଚଳରେ ଆଉ ଆଗଭଳିଆ କଠୋର କଟକଣା ରହିବନି। ଚତୁର୍ଥ ଲକ ଡାଉନ ସାରିବା ଆଗରୁ ଲକଡାଉନ ପୂର୍ବ ଅବସ୍ଥା ଫେରୀ ଆସିବା ଆପାତତଃ ଥୟ | ଫରକ କେବଳ ଏତିକି କାରରେ ଆଉ ଅଟୋରେ ଯାତ୍ରୀଙ୍କୁ ନେଇ ଟିକେ କଟକଣା ରହିବ | ଅଟୋ ଏବଂ କାର୍ ରେ ଡ୍ରାଇଭରଙ୍କୁ ମିଶାଇ ୩ ଜଣରୁ ଅଧିକ ଯାଇପାରିବେ ନାହିଁ । ବସ୍ ରେ ସିଟ୍ ସଂଖ୍ୟା ଯେତିକି, ସେତିକି ଯାତ୍ରୀ ଯିବେ, ଠିଆ ଜର୍ଣ୍ଣିଙ୍ଗ ମନ | ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟ । ପାଖରେ ସାନିଟାଇଜର୍ ରଖିବା ନିରାପଦ | ଏମିତି କିଛି ସୂଚନା ସରକାରଙ୍କ ପକ୍ଷରୁ ଦିଆଯାଇଛି |
ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି ଯେ, ଆନ୍ତଃରାଜ୍ୟ ବସ୍ ଚଳାଚଳ ପାଇଁ ଅନ୍ୟ ରାଜ୍ୟଗୁଡ଼ିକର ସହମତି ମିଳିଛି । ଆସନ୍ତାକାଲିଠାରୁ ବସ୍ ଓ ବିମାନ ଚଳାଚଳ କରିବ । ସିଟି ବସ୍ ଚାଲିବ । ରାଜ୍ୟ ଭିତରେ ଟ୍ରେନ ଚଳାଚଳ ପାଇଁ ମଧ୍ୟ ଅନୁମତି ମଧ୍ୟ ଦିଆଯାଇଛି । ୨୧+୭ ଦିନିଆ କ୍ୱାରେଣ୍ଟାଇନ୍ ବା ସଙ୍ଗ ରୋଧ ନିୟମରେ ପରିବର୍ତ୍ତନ କରାଯାଇଛି । ଏହାକୁ (୭+୭ ) ୧୪ ଦିନିଆ କରାଯାଇଛି । ଗ୍ରାମାଞ୍ଚଳରେ ଏଣିକି ବାହାରୁ ଆସୁଥିବା ପ୍ରବାସୀମାନେ ୭ ଦିନ ଇନଷ୍ଟିୁଚ୍ୟୁସନାଲ୍(ସରକାରୀ) ଏବଂ ୭ ଦିନ ହୋମ୍ କ୍ୱାରେଣ୍ଟାଇନ୍ ରେ ରହିବେ । ଯଦି ସେମିତି କୌଣସି ଲକ୍ଷଣ ଥାଏ, ତେବେ ୭ ଦିନ ବାଦେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ଅନୁସାରେ ସଙ୍ଗରୋଧ କେଦ୍ର ରହଣି ଅବଧିକୁ ଆହୁରି ବଢ଼ାଯିଯାଇ ପାରିବ ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି |
ଏବେ ରାଜ୍ୟକୁ ଶ୍ରମିକ ସ୍ପେଶାଲ ଟ୍ରେନ୍ ଗଡୁଛି। ତେବେ ବିନା ସୂଚନାରେ ରାଜ୍ୟକୁ କିଛି ପ୍ରବାସୀ ଓଡିଆ ଯାତ୍ରା କରୁଥିବା ଖବର ହସ୍ତଗତ ହେଉଛି | ଏହା ଫଳରେ ଅନେକ ସମସ୍ୟା ଉପୁଜୁଛି । ବାହାରୁ ଫେରୁଥିବା ପ୍ରବାସୀ ସେଠି କ୍ୱାରେଣ୍ଟାଇନ୍ ଅବଧି ପୂରଣ କରି ଫେରିଥିଲେ ତାଙ୍କ ପାଇଁ ବ୍ୟବସ୍ଥା ଲାଗୁ ହେବ ନାହିଁ । ରାଜ୍ୟ ସରକାରଙ୍କ ବିନା ଅନୁମତିରେ ଏବଂ ବିନା ସୂଚନାରେ ବାହାର ରାଜ୍ୟରୁ ପ୍ରବାସୀ ଶ୍ରମିକମାନେ ଫେରୁଥିବାରୁ ତାହା ସମସ୍ୟା ସୃଷ୍ଟି କରିଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ଜେନା କହିଛନ୍ତି । ତେଲେଙ୍ଗାନାରୁ ୧୨ଟି ଟ୍ରେନ୍ ରେ ୨୦ ହଜାର ପ୍ରବାସୀ ଆସି ଓଡ଼ିଶା ଆସୁଛନ୍ତି । ମାତ୍ର ସେ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ସୂଚନା ଦିଆଯାଇନାହିଁ । ଏହାଦ୍ୱାରା ପ୍ରବାସୀମାନଙ୍କ ଗନ୍ତବ୍ୟସ୍ଥଳ ଯିବାରେ ସମସ୍ୟା ସୃଷ୍ଟି ହେଉଛି । ଏ ସବୁ କ୍ଷେତ୍ରରେ ଯେଉଁ ରାଜ୍ୟରୁ ସେମାନେ ଯାତ୍ରା ଆରମ୍ଭ କରୁଛନ୍ତି ସେପଟୁ ରାଷ ସରକାରଙ୍କୁ ସୂଚନା ଦେବାକୁ ଅନୁରୋଧ କରାଯାଇଛି | ବିଭିନ୍ନ ରାଜ୍ୟରେ ପ୍ରବାସୀ ଓଡ଼ିଆ ସଂଘ ବି ରହିଛି | ସେମାନେ ବି ଏ କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ସେମାନଙ୍କ ସହଯୋଗର ଆବଶ୍ୟତା ରହିଛି ବୋଲି ଏସଆରସି ଶ୍ରୀ ଜେନା କହିଛନ୍ତି |
ବିନା ସୂଚନାରେ ଆସୁଥିବାରୁ ଏହି ପ୍ରବାସୀ ଶ୍ରମିକଙ୍କୁ ସରକାରଙ୍କ ସୁବିଧାରୁ ବଞ୍ଚିତ ହେବା ସହିତ ମାଗଣା ଟିକଟ ସୁବିଧା ବି ନ ମିଳିପାରେ । ତେଣୁ ରାଜ୍ୟ ସରକାର ବିନା ସୂଚନାରେ ଆସୁଥିବା ପ୍ରବାସୀ ଶ୍ରମିକଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ପ୍ରବାସୀ ଶ୍ରମିକମାନେ ରାଜ୍ୟକୁ ଆସିବାକୁ ଚାହୁଁଛନ୍ତି ସେମାନେ ପୂର୍ବରୁ ସୂଚନା ଦିଅନ୍ତୁ। ସୂଚନା ନ ଦେଇ ଆସୁଥିବା ପ୍ରବାସୀଙ୍କୁ କୌଣସି ସରକାରୀ ସୁବିଧା ମିଳିବ ନାହିଁ ବୋଲି କହିଛନ୍ତି ଏସଆରସି ଶ୍ରୀ ଜେନା |
ଏଥିସହିତ ଯଦି କୌଣସି ଲୋକଙ୍କଠାରେ କିଛି କରୋନା ଲକ୍ଷଣ ଦେଖା ଦିଏ କିମ୍ବା ଅସୁସ୍ଥ ଅନୁଭବ କରନ୍ତି ତେବେ ସିଧାସଳଖ ଡାକ୍ତରଖାନାକୁ ନ ଯାଇ ୧୦୪ରେ ଫୋନ୍ କରିବାକୁ ସରକାର କହିଛନ୍ତି । ରାଜ୍ୟକୁ ଆସୁଥିବା ପ୍ରବାସୀ ଓଡିଆ ଏବେ ଘରେ ସଙ୍ଗରୋଧରେ ରହିପାରିବେ। ଯଦି ଘରେ ରହିବା ନେଇ ସମସ୍ୟା ରହିଛି ତେବେ ସେ ହୋଟେଲ ସଙ୍ଗରୋଧରେ ରହିପାରିବେ । କିନ୍ତୁ ଏହି ହୋଟେଲ ସଙ୍ଗରୋଧର ଖର୍ଚ୍ଚ ତାଙ୍କୁ ବହନ କରିବାକୁ ପଡ଼ିବ । କାରଣ ଏହି ଖର୍ଚ୍ଚ ରାଜ୍ୟ ସରକାର ପ୍ରଦାନ କରିପାରିବେ ନାହିଁ ।