ହେଡଲାଇନସ୍:

୪ ପଞ୍ଚାୟତର ଜିଆରଏସଙ୍କୁ ଅଦଳବଦଳ କଲେ ବିଡିଓ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର/(ନିରୋଜ ମିଶ୍ର):  ମହାମାରୀ କରୋନା ବିପତ୍ତି ସମୟରେ ବଦଳି। ପୁଇଁନ୍ତଲା ବ୍ଲକର ୪ ପଞ୍ଚାୟତର ଜିଆରଏସଙ୍କୁ ଅଦଳବଦଳ କରିଛନ୍ତି ବିଡିଓ ରବିନାରାୟଣ ଆଚାର୍ଯ୍ୟ। ତେବେ ମନରେଗା କାମକୁ ସୁବ୍ୟସ୍ଥିତ ଓ ସୁଚାରୁରୂପେ ତୁଲାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ରଣ୍ଡା ଗ୍ରାମ ପଞ୍ଚାୟତର ଜିଆରଏସ ଯୋଗେଶ୍ୱର ପଣ୍ଡାଙ୍କୁ ହଟାଇ ଦଶପୁର ପଞ୍ଚାୟତର ଜିଆରଏସ୍ ଭାବେ ଅବସ୍ଥାପିତ କରାଯାଇଛି। ପ୍ରଶାସନିକ ଗ୍ରାଉଣ୍ଡ ଦେଖାଇ ତାଙ୍କୁ ଏହି ବଦଳି କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି। ସେହିପରି ବନ୍ଧପଡ଼ାର ଜିଆରଏସ ବାସୁଦେବ ନାଥଙ୍କୁ ରଣ୍ଡାରେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ତୁରନ୍ତ ସମ୍ପୂର୍ଣ ଦାୟିତ୍ଵ ହସ୍ତାନ୍ତର କରିବାକୁ ଯୋଗେଶ୍ୱର ନନ୍ଦଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଡିଓ। ଏହା ବ୍ୟତୀତ ବିଲାଇସର୍ଡା ଜିଆରଏସଙ୍କୁ ମଧ୍ୟ ହଟାଇ ଦିଆଯାଇଛି। କିଛି ମାସ ଧରି ଏଠାରେ କାର୍ଯ୍ୟ କରୁଥିବା ଜିଆରଏସ ଶ୍ରୀନିବାସ ପଟେଲଙ୍କୁ ହଟାଇ କେବଳ ଦୂର୍ଗାପାଲି ପଞ୍ଚାୟତର ଦାୟିତ୍ଵ ଦିଆଯାଇଛି। ପରବର୍ତ୍ତୀ ଆଦେଶ  ଯାଏ ସେ ଏଠାରେ କାର୍ଯ୍ୟ କରିବେ। ପ୍ରଶାସନିକ ଗ୍ରାଉଣ୍ଡ ଦେଖାଇ ତାଙ୍କୁ ମଧ୍ୟ ଏହି ଠାରୁ ହଟାଇ ଦିଆଯାଇଛି। ତେବେ ତାଙ୍କ ଜାଗାରେ ପୁଇଁନ୍ତଲା ପଞ୍ଚାୟତରେ ଅବସ୍ଥାପିତ ଥିବା ଜିଆରଏସ ଦେବାଶିଷ କୁମାର ବାବୁଙ୍କୁ ବିଲାଇସର୍ଡାର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ତେଣୁ ସମ୍ପୂର୍ଣ ଦାୟିତ୍ଵ ଦେବାଶିଷ ବାବୁଙ୍କୁ ହସ୍ତାନ୍ତର କରିବା ପାଇଁ ଶ୍ରୀନିବାସ ପଟେଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ବଦଳି ଆଦେଶର ଅନୁମୋଦନ ପାଇଁ ଜିଲ୍ଲାପାଳ ଓ ପିଡି ଡିଆରଡିଏଙ୍କ ନିକଟକୁ ଚିଠିର ନକଲ ପଠାଯାଇଛି।

ତେବେ ଏହି ବଦଳି ପଛର ରହସ୍ୟ କଣ? ବ୍ଲକରେ ମନରେଗା କାର୍ଯ୍ୟକୁ ସୁଚାରୁରୂପେ ତୁଲାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଉଥିବା ବେଳେ ବଦଳି ପଛରେ ଅନ୍ୟ କିଛି କାରଣ ରହିଛି କି? ଏଠି ପ୍ରଶ୍ନ ଉଠୁଛି, ଯଦି ଏତେ ଦିନ ଯାଏ ବ୍ଲକରେ ମନରେଗା କାର୍ଯ୍ୟ ଠିକ୍ ଠାକ୍ ଚାଲି ନଥିଲା ତାହେଲେ ଆଗରୁ ବଦଳି ନକରି ବିଡ଼ିଓ ଚୁପ୍ ରହିଥିଲେ କାହିଁକି? କରୋନା ଭଳି ବିପତ୍ତି ସମୟରେ ସଂପୃକ୍ତ ଜିଆରଏସଙ୍କୁ ବଦଳି କରିବା କେତେ ଯୁକ୍ତିଯୁକ୍ତ! ଏବେ ବଦଳି ପରେ ବ୍ଲକରେ ମନରେଗା କାର୍ଯ୍ୟ ଠିକ୍ ଠାକ୍ ଚାଲିବ ତ! ଏଭଳି ଅନେକ ଅସମାହିତ ପ୍ରଶ୍ନ ଜନସାଧାରଣଙ୍କ ମନରେ ଉଙ୍କି ମାରୁଛି। ଦେଖାଯାଉ ଜିଆରଏସ ବଦଳି ପରେ ଆଗାମୀ ଦିନରେ ମନରେଗା କାର୍ଯ୍ୟ କେମିତି ଚାଲୁଛି।

ସେପଟେ ଜିଆରଏସ ବଦଳି ନେଇ ପ୍ରତିକ୍ରିୟା ରଖିଛନ୍ତି ପୁଇଁନ୍ତଲା ବିଡିଓ ରବିନାରାୟଣ ଆଚାର୍ଯ୍ୟ। ଶ୍ରୀନିବାସ ପଟେଲଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିବାରୁ ସେ ମନରେଗା କାର୍ଯ୍ୟ ଠିକ୍ ଭାବେ ତୁଲାଇ ପାରୁନଥିଲେ। ତେଣୁ ତାଙ୍କୁ ବିଲାଇସର୍ଡ଼ାର ଅତିରିକ୍ତ ଦାୟିତ୍ବରୁ ହଟାଇ ଦିଆଯାଇଥିବା ସେ କହିଛନ୍ତି। ତେବେ ଅନ୍ୟମାନଙ୍କୁ ପ୍ରଶାସନିକ ଗ୍ରାଉଣ୍ଡ ଆଧାରରେ ଅଦଳ ବଦଳ କରାଯାଉଥିବା କହିଛନ୍ତି ବିଡିଓ।

0
0
0
s2sdefault