ହେଡଲାଇନସ୍:

ଜୀବନ ଜୀବିକା ହରାଇଛନ୍ତି ନୃସିଂହନାଥ ବ୍ୟବସାୟୀ ; ବ୍ୟବସାୟୀଙ୍କ ସହ ଆଲୋଚନା କଲେ ଉପଜିଲ୍ଲାପାଳ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- କୋରୋନା କଟକଣାକୁ ସରକାର ଧୀରେ ଧୀରେ କୋହଳ କରିବାରେ ଲାଗିଛନ୍ତି । ପ୍ରଥମ ପର୍ଯ୍ୟାୟର ଲକଡାଉନ ଠାରୁ ଆରମ୍ଭ କରି ବର୍ତ୍ତମାନ ସୁଦ୍ଧା ଅନେକ କ୍ଷେତ୍ରରେ କଟକଣା କୋହଳ ହେଇଛି । ଏହିକ୍ରମରେ ବରଗଡ଼ ଜିଲ୍ଲାରେ ମଧ୍ୟ ପୁଣି କିଛି ନୂତନ ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ତରଫରୁ ଗ୍ରହଣ କରାଯାଇଛି । ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୱାନ ଆଜି ପାଇକମାଲ ତହସିଲ କାର୍ଯ୍ୟାଳୟ ରେ ପାଇକମାଲ ବ୍ୟବସାୟୀ ସଂଘର କର୍ମକର୍ତ୍ତା ମାନଙ୍କର ସହିତ ଆଲୋଚନା କରି ନୂତନ ନିଷ୍ପତ୍ତି ବିଷୟରେ ଆଲୋଚନା କରିଥିଲେ । ଆଜି ହେଇଥିବା ନିଷ୍ପତ୍ତି ଅନୁସାରେ ଜିଲ୍ଲା ପ୍ରଶାସନ ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲିବାକୁ ସର୍ତ ମୂଳକ ଅନୁମତି ପ୍ରଦାନ କରିଛନ୍ତି । ଉପଜିଲ୍ଲାପାଳ ଶ୍ରୀ ଦରୱାନ ଦେଇଥିବା ନିର୍ଦେଶ ମୁତାବକ ହୋଟେଲ କିମ୍ବା ରେଷ୍ଟୁରାଣ୍ଟ ମାଲିକ ମାନେ ସମସ୍ତ ସରକାରୀ ନିୟମ କାନୁନ ମାନିବା ସହିତ କେବଳ ପାର୍ଶଲ ଦେଇ ପାରିବେ । କୋଣସି ଲୋକଙ୍କୁ ବସେଇ ଖାଇବାବୁ ଦେଇ ପାରିବେ ନାହିଁ କିମ୍ବା ଦୋକାନ ଭିତରକୁ ପ୍ରବେଶ କରିବାକୁ ଦେବେ ନାହିଁ । ଦୋକାନ ଆଗରେ ପାଣି , ସାବୁନ ଓ ସାନିଟାଇଜର ରଖିବା ବାଧ୍ୟତାମୂଳକ । ଅନ୍ୟ ପଟେ ବଣିକ ସଙ୍ଘର ସଭାପତି ଶ୍ରୀ ଯୁଗଳ କିଶୋର ମେହେର ମଧ୍ୟ ବ୍ୟବସାୟୀ ମାନଙ୍କୁ ସ୍ପଷ୍ଟ ନିର୍ଦେଶ ଦେଇଛନ୍ତି ଯେ ଏହି ଘଡିସନ୍ଧି ମୁହୂର୍ତ୍ତରେ ଯଦି କୋଣସି ବ୍ୟବସାୟୀ ସରକାରୀ ନିର୍ଦେଶକୁ ଅବମାନନା କରନ୍ତି ତେବେ ସେଥିପାଇଁ ସମ୍ପୃକ୍ତ ବ୍ୟବସାୟୀ ମାନେ ସମ୍ପୂର୍ଣ୍ଣ ଭାବରେ ଦାଇ ରହିବେ । 

        ଏହାପରେ ଉପଜିଲ୍ଲାପାଳ ଶ୍ରୀ ଦରୱାନ ନୃସିଂହନାଥ ମନ୍ଦିର ପରିସରରେ ଦୋକାନ କରିଥିବା ବ୍ୟବସାୟୀ ମାନଙ୍କ ସହିତ ନୃସିଂହନାଥ ଅତିଥି ନିବାସ ସମ୍ମୁଖରେ ଆଲୋଚନା କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ନୃସିଂହନାଥ ମନ୍ଦିର ପରିସର କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗତ ମାର୍ଚ୍ଚ ମାସର 17 ତାରିଖରୁ ବନ୍ଦ କରି ଦିଆଯାଇଥିଲା । ଇତି ମଧ୍ୟରେ ମହାପ୍ରଭୁଙ୍କ ମୁଖ୍ୟ ପର୍ବ ବୈଶାଖ ମେଳା ମଧ୍ୟ କେବଳ ନୀତି ପୂଜାରେ ସରି ଯାଇଛି । ଏହି ପୀଠକୁ ଆସୁଥିବା ଯାତ୍ରୀ ମାନଙ୍କ ଉପରେ ନିର୍ଭର କରି ଏହି ସ୍ଥାନରେ ଦୋକାନ କରିଥିବା ପ୍ରାୟ 130 ଜଣ ଅତି କ୍ଷୁଦ୍ର ବ୍ୟବସାୟୀ ମାନଙ୍କର ଜୀବନ ଜୀବକା ବର୍ତ୍ତମାନ ସଂକଟରେ । କାରଣ ଯେତେଦିନ ପର୍ଯନ୍ତ ସବୁକିଛି ପୂର୍ବ ଭଳି ସାମାନ୍ୟ ନ ହେବ ସେତେଦିନ ପର୍ଯନ୍ତ ଏହି ପିଠକୁ ପୂର୍ବଭଳି ଯାତ୍ରୀ କିମ୍ବା ପର୍ଯଟକ ଆସିବେ ନାହିଁ ଯାହାର ପ୍ରଭାବ ଏହି ବ୍ୟବସାୟୀ ମାନଙ୍କର ଉପରେ ପଡିବ । ସବୁକଥା ଶୁଣିବା ପରେ ଉପଜିଲ୍ଲାପାଳ ନିଜେ ଏହି ବ୍ୟବସାୟୀ ମାନଙ୍କର ସମସ୍ୟାକୁ ହୃଦବୋଧ କରି ପାରିଥିଲେ । ବ୍ୟବସାୟୀ ମାନେ ଉପଜିଲ୍ଲାପାଳ ଙ୍କୁ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ଏକ ଦରଖାସ୍ତ ମଧ୍ୟ ପ୍ରଦାନ କରିଥିଲେ । ଉପଜିଲ୍ଲାପାଳ ଶ୍ରୀ ଦରୱାନ ଜିଲ୍ଲାପାଳଙ୍କ ସହିତ ଏହି ବିଷୟରେ ନିଶ୍ଚିତ ଭାବରେ ଆଲୋଚନା କରିବି ବୋଲି କଥା ଦେଇଛନ୍ତି । ଏହି ଆଲୋଚନା ସମୟରେ ତହସିଲଦାର ଶ୍ରୀ ମନୋଜ କୁମାର ମେହେର , BDO ଶ୍ରୀ ସୁରେନ୍ଦ୍ର ମେହେର , DSP ଶ୍ରୀ ଦିନେଶ ନାଏକ , ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ , ABDO ଶ୍ରୀ ଭୀଷ୍ମଦେଵ ମାଝୀ , ମନ୍ଦିର କାର୍ଯ୍ୟନିର୍ବାହୀ  ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ବରିଷ୍ଠ ସମ୍ବାଦିକ ଶ୍ରୀ ବଡ ସଥପଥି ଓ ସାମ୍ବାଦିକ ସୁରଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

 

0
0
0
s2sdefault