ହେଡଲାଇନସ୍:

ଆମ ପିଲା ଆମକୁ ଫେରାଅ, ଜିଲ୍ଲାପାଳଙ୍କ ଅଫିସ ପରିସରକୁ ଧସେଇ ଦାବିକଲେ ଶତାଧିୁକ ମହିଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  ପିଆରଏମ ମେଡ଼ିକାଲରେ ପିଲା ବଦଳ ପ୍ରସଙ୍ଗରେ ତାତିଲେ ମହିଳା 

ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଓ ସୁରକ୍ଷାକର୍ମୀମାନଙ୍କ ସହିତ ଧସ୍ତାଧସ୍ତି

ଭାଙ୍ଗିଲେ କାର୍ଯ୍ୟାଳୟର କବାଟ. ୨ଟି ବସରେ ମହିଳାମାନଙ୍କୁ  ଉଠାଇ ନିଆଗଲା 

ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ପିଆରଏମ ମେଡ଼ିକାଲ କଲେଜ ଓ ହସପିଟାଲରେ ଗତ ମେ ୧୨ରେ ପିଲା ବଦଳ ପ୍ରସଙ୍ଗକୁ ନେଇ ଆଜି ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକର ସିନ୍ଦୁରଗୌରା ପଞ୍ଚାୟତ ଅଧୀନ ଜାମବଣି ଗ୍ରାମର ଶତାଧିକ ମହିଳା ସମସ୍ତଙ୍କୁ ଚକମା ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଧସେଇ ପଶି "ଆମର ପୁଅକୁ ଫେରାଇ ଦିଅ । ପିଲାର ଡ଼ିଏନଏ ପରୀକ୍ଷା କରି ନାହଁ । ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ଚଳାଇଛ । ହସପିଟାଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନ କାର୍ଯ୍ୟକୁ ନେଇ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରି ନାହିଁ କାହିଁକି । ପିଲାକୁ ଟୀକାକରଣ ସହିତ ରିପୋର୍ଟ ଦେବା ନାମରେ ମା କୋଳରୁ ଛଡ଼ାଇ ନେଇଥିବା ଜିବୀତ ପିଲାକୁ ଆମକୁ ହସ୍ତାନ୍ତର କର" ଆଦି ବିଭିନ୍ନ ଦାବି କରି ମହିଳାମାନେ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ  ଭିତରକୁ ପ୍ରବେଶ ନିମନ୍ତେ ଉଦ୍ୟମ କରିଥିବା ବେଳେ ଜିଲ୍ଲାପାଳଙ୍କ ସୁରକ୍ଷାକର୍ମୀ ସେମାନଙ୍କୁ ବାଧା ଦେବାରୁ ସେମାନଙ୍କ ସହିତ ଧସ୍ତାଧସ୍ତି ଆରମ୍ଭ ହୋଇଯାଇଥିଲା ।  ଏହି ସମୟରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁଜୟ କୁମାର ପତି ବିକ୍ଷୋଭକାରୀ ମହିଳାମାନଙ୍କୁ ବୁଝାସୁଝା କରାଇବା ନିମନ୍ତେ ଉଦ୍ୟମ ଚଳାଇଥିବା ବେଳେ ତାଙ୍କୁ ମଧ୍ୟ ଉତ୍ୟକ୍ତ ମହିଳାମାନେ  ଠେଲାପେଲା ଆରମ୍ଭ କରିଦେଇଥିଲେ । ଏହି ସମୟରେ ମହିଳାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ଭିତରକୁ ବଳ ପୂର୍ବକ ପ୍ରବେଶ ଉଦ୍ୟମ କରି କବାଟର କାଚକୁ ଭଙ୍ଗାଭଙ୍ଗି ଆରମ୍ଭ କରିଦେଇଥିଲେ । ଖବରପାଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପରମାର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଭିମନୁ୍ୟ ନାୟକ, ବାରିପଦା ସଦର ଏସଡ଼ିପିଓ କେ କେ ହରିପ୍ରସାଦ ପ୍ରମୁଖଙ୍କ ସହିତ  ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର କୁମାର ସେନାପତି ସଦଳବଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଁଞ୍ଚିଥିଲେ । ଏହାପରେ ଏସପି ସ୍ମିଥ ପି ପରମାରଙ୍କ ନିଦେ୍ର୍ଧଶ କ୍ରମେ ଦୁଇଟି ବସରେ ଉତ୍ୟକ୍ତ ମହିଳାମାନଙ୍କୁ ଉଠାଇ ଲକ୍ଷ୍ମୀପୋଷିକୁ ନିଆଯାଇଥିଲା ।

ପ୍ରକାଶ ଥାଉକି, ଗତ ମେ ୧୨ ତାରିଖ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲ ପରିସରରେ ଏକ ପିଲାକୁ ଟୀକା ଦେବାକୁ ଡ଼କାଇ ଜିବୀତ ପିଲାକୁ ନେଇ ମୃତ ପିଲାକୁ ଧରାଇ ଦେଇଥିବା ଘଟଣାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା । ଏହାପରେ ଜିବୀତ ପିଲାର ଡ଼ିଏନଏ ପରୀକ୍ଷା ପରେ ପ୍ରକୃତ ପିତାମାତାଙ୍କୁ ହସ୍ତାନ୍ତର କରାଯିବ ବୋଲି ମେଡ଼ିକାଲ କଲେଜ ସୁପାରିଟେଣ୍ଡେଣ୍ଟ ପ୍ରକାଶ କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକ ସିନ୍ଦୁରଗୌରା ପଞ୍ଚାୟତ ଜାମବଣି ଗ୍ରାମର ଜାମବଣି ଗ୍ରାମର କାର୍ତ୍ତିକ ସିଂଙ୍କ ସ୍ତ୍ରୀ ରଇବାରୀ ସିଂ ଗତ ଏପ୍ରିଲ ୨୫ରେ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ବାରିପଦା ପିଆରଏମ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ଏବଂ ୨୬ରେ   ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ପିଲାଟି ଜନ୍ମ ହେବା ପରେ କାନ୍ଦୁ ନଥିବାରୁ ତାକୁ ଏସଏନସିୟୁରେ ରଖାଯାଇଥିଲା । ମେ ୪ରେ ପିଲାକୁ ଆଣି ତାର ମା ରଇବାରୀକୁ ହସ୍ତାନ୍ତର କରିବା ପରେ ମେ ୫ରେ ହସପିଟାଲରୁ ଡ଼ିସଚାର୍ଯ୍ୟ ହୋଇ ରଇବାରୀ ତାର ପୁଅକୁ ଧରି ଘରକୁ ଫେରିଯାଇଥିଲେ  । ଏହାପରେ ମେ ୧୨ରେ ହସପିଟାଲରେ ଟୀକାକରଣ ଦିବସ ନ ଥିବା ବେଳେ ହସପିଟାଲର ଏସଏନସିୟୁରୁ ଫୋନ ଯୋଗେ ପିଲାକୁ ଧରି ଆସିବା ନିମନ୍ତେ ସୂଚନା ଦିଆଯାଇଥିଲା ଏବଂ  ରଇବାରୀ ଅପରାହ୍ନ ସାଢେ଼ ୪ ପାଖାପାଖି ପୁଅକୁ ଧରି ହସପିଟାଲରେ ପହଁଞ୍ଚିଥିଲେ । କିଛି ସମୟ ଅପେକ୍ଷା କରିବା ପରେ ପୁଅକୁ ଟୀକା ଦେବେ ବୋଲି କହି ଭିତରକୁ ନେବାର କିଛି ସମୟ ବ୍ୟବଧାନ ପରେ ଏକ ମଲା ପିଲାକୁ ଆଣି ଧରାଇ ଦେଇଥିଲେ । ଏହି ଘଟଣାକୁ ନେଇ କାର୍ତ୍ତିକ ସିଂଙ୍କ ପରିବାର ଓ ଆତ୍ମୀୟସ୍ୱଜନମାନଙ୍କ ପକ୍ଷରୁ ହସପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା ଏବଂ ମେଡ଼ିକାଲ ସୁପାରିଟେଣ୍ଡେଣ୍ଟ ବୈକୁଣ୍ଠ ନାଥ ମହାପାତ୍ର ପିଲାର ଡ଼ିଏନଏ ପରୀକ୍ଷା ପରେ ପ୍ରକୃତ ବାପ ମାଙ୍କୁ ହସ୍ତାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଥି ସହିତ ଏସଏନସିୟୁ ଡାଟା ଏଣ୍ଟ୍ରୀ ଅପରେଟରକୁ କାରଣଦର୍ଶାଅ ନୋଟିସ ଜାରି କରିଥିଲେ । ସୂଚନା ଯୋଗ୍ୟ ଯେ, ଗତ ମେ ୪ରେ ମୟୂରଭଞ୍ଜ ଜିଲ୍ଲା ସେହି ଶାମାଖୁଣ୍ଟା ବ୍ଲକ ଅଧୀନ ଦାଡ଼ଦୁଡ଼ ଗ୍ରାମର ରଇବାରୀ ସିଂ ସ୍ୱାମୀ ବ୍ରଜମୋହନ ସିଂ ମଧ୍ୟ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ଏବଂ ମାତ୍ର ଉକ୍ତ ପୁତ୍ର ସନ୍ତାନକୁ ଭୂଲ ବଶତଃ ଏସଏନସିୟୁ ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଉଭୟ ରଇବାରୀ ସିଂ ଜଣେ ବୋଲି ଧରି ନେଇ ରଇବାରୀ ସିଂ ସ୍ୱାମୀ ବ୍ରଜମୋହନଙ୍କ ଜନ୍ମିତ ପୁଅକୁ କାର୍ତ୍ତିକ ସିଂଙ୍କ ସ୍ତ୍ରୀ ରଇବାରୀକୁ ଧରାଇ ଦେଇଥିଲେ । ଏହି ସମୟରେ ପିଲା ନିକଟରେ ରଇବାରୀ ସିଂ ସ୍ୱାମୀ ବ୍ରଜମୋହନ ଏକ ସ୍ଲିପ ଥିବାର ଦେଖି କାର୍ତ୍ତିକ ସିଂ ପ୍ରକାଶ କରିବା ପରେ ମେଡ଼ିକାଲ ରେଜିଷ୍ଟରକୁ ଭଲ ଭାବେ ପରୀକ୍ଷା ନ କରି ରଇବାରୀ ସିଂ ସ୍ୱାମୀ ବ୍ରଜମୋହନ ସିଂକୁ କାଟଛାଟ କରାଇ ପିଲାକୁ କାର୍ତ୍ତିକକୁ ଧରାଇ ଦେଇଥିଲେ । ମେ ୧୧ ତାରିଖରେ ଏସଏନସିୟୁରେ ରହିଥିବା କାର୍ତ୍ତିକ ସିଂଙ୍କ ପୁଅର ମୃତ୍ୟୁ  ହେବା ପରେ ଭୂଲ ଧରାପଡ଼ିଥିଲା ଏବଂ ନିଜର ଭୂଲକୁ  ସଂଶୋଧନ କରାଇବା ନିମନ୍ତେ ଟୀକା ଦେବା ବାହାନାରେ ରଇବାରୀ ସିଂ ସ୍ୱାମୀ କାର୍ତ୍ତିକ ସିଂକୁ ଡ଼କାଇ ପିଲାକୁ ବଦଳ କରିଦେଇଥିବା ବିଷୟ ପୁଲିସ ପକ୍ଷରୁ ରେକର୍ଡ  ପତ୍ର ଯାଞ୍ଚ ସମୟରେ ଜଣାପଡ଼ିଥିଲା । ଏଣୁ ଏହି ଘଟଣାର ଆଜି ପାଶ୍ୱର୍ ପ୍ରତିକ୍ରିୟା ସ୍ୱରୂପ ଶତାଧିକ ମହିଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସାଇ ପ୍ରବେଶ କରିଥିଲେ । 

0
0
0
s2sdefault