ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ କଲେ ଭିଏଚପି ନେତା: ଭୀମ ଭୋଇଙ୍କ ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିଥିବା ବ୍ୟକ୍ତିକୁ ଗିରଫ ଦାବୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ : - ସନ୍ଥକବି ଭୀମ ଭୋଇଙ୍କ ସମ୍ୱନ୍ଧରେ ବିଦେଶୀ ପତ୍ରିକାରେ ଅତ୍ୟନ୍ତ ଆପତ୍ତିଜନକ ଲେଖା ଲେଖିଥିବା ଲେଖକ କେଦାର ମିଶ୍ରଙ୍କୁ ଅତିଶୀଘ୍ର ଗିରଫ କରିବା ପାଇଁ ଦାବୀ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ପଶ୍ଚିମ ଓଡିଶା ଧର୍ମପ୍ରସାର ସମ୍ପାଦକ ଶାନ୍ତନୁ କୁସୁମ | ଆଜି ଏହି ମର୍ମରେ ଭିଏଚପି ନେତା ଶ୍ରୀ କୁସୁମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ୱିଟ କରି ସନ୍ଥକବି ଭୀମ ଭୋଇଙ୍କ ମର୍ଯ୍ୟାଦାକୁ ଲେଖା ମାଧ୍ୟମରେ କ୍ଷୁର୍ଣ୍ଣ କରିବାକୁ କେମିତି ଷଡଯନ୍ତ୍ର କରାଯାଇଛି ସେସମ୍ୱନ୍ଧରେ ବିସ୍ତୃତ ଭାବରେ ବଖାଣିବା ସଙ୍ଗେ ସଙ୍ଗେ ଭୀମ ଭୋଇଙ୍କ ଲେଖା ଓ ଜୀବନ ଦର୍ଶନରେ କେତେ ବୃହତ ମାନବତତ୍ତ୍ୱ ଭରି ରହିଛି ସେ ସମ୍ୱନ୍ଧରେ ବର୍ଣନା କରିଛନ୍ତି | ମୁଖ୍ୟମନ୍ତ୍ରୀଙ୍କୁ କରିଥିବା ଟ୍ୱିଟରେ ଭିଏଚପି ନେତା ଶ୍ରୀ କୁସୁମ ଦର୍ଶାଇଛନ୍ତି ଯେ ସନ୍ଥକବି ଭୀମ ଭୋଇ ହେଉଛନ୍ତି ସମଗ୍ର ଓଡିଆ ଜାତି ପାଇଁ ଗର୍ବ ଓ ଗୌରବ । ଗରିବ ଘରେ ଜନ୍ମିତ ଭୀମ ଭୋଇ ଜନ୍ମରୁ ଅନ୍ଧ ହୋଇଥିଲେ ସୁଦ୍ଧା ସାଧନା ବଳରେ ଦିବ୍ୟଜ୍ଞାନ ପ୍ରାପ୍ତକରି ସେ ମହିମା ଧର୍ମର ପ୍ରଚାରପ୍ରସାର କରିଥିଲେ | ଯାହା ଆଜିର ଦିନରେ ଓଡିଶା ସମେତ ଅନେକ ରାଜ୍ୟରେ ଧାର୍ମିକ ମାନ୍ୟତା ପାଇସାରିଛି । ତାଛଡା ମହିମା ଧର୍ମର ଅନୁଗାମୀ ମାନଙ୍କ ପାଇଁ ଭୀମ ଭୋଇ ହେଉଛନ୍ତି ଭଗବାନ ସଦୃଶ। ହେଲେ ଓଡିଶାର ଜଣେ ଲେଖକ କେଦାର ମିଶ୍ର ଓ ତାଙ୍କର ସାଥୀ ଲେଖକ ବେଟେନିଆ ବାଉମେର ତାଙ୍କର ଲିଖିତ ପୁସ୍ତକ ‘ଭୀମ ଭୋଇ ଆଣ୍ଡ ହିଜ୍ ଫିମେଲ୍ କନସର୍ଟସ’ ରେ ଭୀମ ଭୋଇଙ୍କର ଅନେକ ମହିଳାଙ୍କ ସହିତ ଖରାପ ସମ୍ପର୍କ ଥିଲା ବୋଲି ଉଲ୍ଲେଖ କରିବା ତଥା ଭୀମ ଭୋଇ ତାଙ୍କ ଯୁବ ସମୟରେ ଜଣେ ଝୀଅ ହତ୍ୟାକାରୀ ଥିଲେ ବୋଲି ଯେଭଳି ଚିତ୍ରଣ କରିଛନ୍ତି ତାହା ଅତ୍ୟନ୍ତ ଅଶୋଭନୀୟ | ତାଙ୍କ ଚରିତ୍ର ଉପରେ ଅତ୍ୟନ୍ତ ଅରୁଚିକର, ମିଥ୍ୟା ଲେଖା ଲେଖି ମହିମା ଧର୍ମକୁ ନୀଚ ଦେଖାଇବା ପାଇଁ ଶ୍ରୀ ମିଶ୍ର ଘୃଣିତ ପ୍ରୟାସ କରିଛନ୍ତି । ଯାହା ମହିମା ଧର୍ମର କୋଟି କୋଟି ଶ୍ରଦ୍ଧାଳୁଙ୍କ ସମେତ ସମଗ୍ର ଓଡିଆ ଜାତି ଓ ସମଗ୍ର ସନ୍ଥ ସମାଜ ପାଇଁ ଅପମାନ ଅଟେ । ଜଣେ ଅନ୍ଧ ସନ୍ନ୍ୟାସଙ୍କ ପ୍ରତି ଏପରି ଅରୁଚିକର ଲେଖା ଆଦୈା ଗ୍ରହଣୀୟ ନୁହେଁ । ସନ୍ଥକବିଙ୍କ ରଚିତ "ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ" ପଂକ୍ତିଟି ବିଶ୍ୱବନ୍ଦିତ ହେବା ସହିତ ଜାତିସଂଘରେ ସ୍ଥାନିତ ହୋଇଛି। ତେଣୁ ସନ୍ଥ କବି ଭୀମ ଭୋଇଙ୍କ ବିଷୟରେ ଉଦେଶ୍ୟମୂଳକ ଭାବରେ ଆପତ୍ତିଜନକ ଲେଖା ଲେଖି କୋଟି କୋଟି ଅନୁଗାମୀଙ୍କ ଭାବାବେଗକୁ ଆଘାତ ଦେଇଥିବା ତଥା ସନ୍ଥ ସମାଜକୁ ବଦନାମ କରିବାକୁ ପ୍ରୟାସ କରିଥିବା ଲେଖକ କେଦାର ମିଶ୍ରଙ୍କୁ ଅତିଶୀଘ୍ର ଗିରଫ କରାଯାଉ ବୋଲି ଭିଏଚପି ନେତା ଶ୍ରୀ କୁସୁମ ଦାବୀ କରିଛନ୍ତି | ତାସହିତ ଏଭଳି ଭାରତୀୟ ସଂସ୍କୃତି ବିରୋଧୀ ଲେଖକଙ୍କ ପଛରେ କେଉଁ ରାଷ୍ଟ୍ରବିରୋଧୀ ଶକ୍ତିର ପ୍ରୋତ୍ସାହନ ରହିଛି ତାହାର ମଧ୍ୟ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ଶ୍ରୀ କୁସୁମ ଦାବୀ କରିଛନ୍ତି |

0
0
0
s2sdefault