ହେଡଲାଇନସ୍:

ଦୁଃଖର ଦରିଆ ଭିତରେ ବି ଦୁନିଆଁ  ଚିନ୍ତା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କବିତାରେ ଦୃଷ୍ଟିବାଧିତା ଗାୟତ୍ରୀଙ୍କ କରୋନା ସଚେତନତା 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ:    ଚୀନ ଦେଶେ ଏ ଭାଇରସ୍ ଲଭିଲା ଜନମ ।

                                   ରାକ୍ଷସ ସଦୃଶ ଅଟେ କରୋନା ଭାଇରସ୍ ଜାଣ, 

                                   ଲକ୍ଷ ଲକ୍ଷ ଲୋକଙ୍କର ନେଲାଣି ଜୀବନ । 

                                   ଆସ ସର୍ବେ ମିଳିମିଶି କରିବା ସଂଘର୍ଷ, 

                                   କରୋନା ଭାଇରସ୍ କୁ ଆମେ କରିବା ବିନାଶ । 

                                   କରୋନା ନ ହେଉ ଆମ ମୃତ୍ୟୁର କାରଣ, 

                                   ଏଥିପ୍ରତି ଆମେ ସର୍ବେ ହେବା ସଚେତନ। 

 ଏଭଳି ମର୍ମସ୍ପର୍ଶୀ କବିତା ଝରି ଆସୁଛି ଜଣେ ଦୃଷ୍ଟିବାଧିତା ଯୁବତୀଙ୍କ କଣ୍ଠରୁ।  ବ୍ରେଲି ଅକ୍ଷରରେ ଚଳାଇଛନ୍ତି କରୋନା ସଚେତନତାର ଅଭିଯାନ।  ଜନ୍ମରୁ ଦୁନିଆଁ ଦେଖିନଥିବା ଗାୟତ୍ରୀଙ୍କ ଜୀବନ ଓ ତାଙ୍କ ପରିବାର ପାଇଁ   ଦାରିଦ୍ର୍ୟ ଓ ରୋଗବ୍ୟାଧି   ସଂଘର୍ଷ କରୁଥିଲେ ବି ସମାଜ ଚିନ୍ତା ତାଙ୍କୁ ବିଚଳିତ କରି ଆସିଛି।  

ସମ୍ବଲପୁର ଜିଲ୍ଲାର ଶିଳ୍ପ ବହୁଳ ରେଙ୍ଗାଲି ବ୍ଲକ ର ଢର୍ରୋପାଣି ଗାଁ ର ନାରାୟଣ ସାହୁ  ଜଣେ ଛୋଟ ମଧ୍ୟବିତ ଚାଷୀ ଥିଲେ । ସ୍ବଳ୍ପ କିଛି ଜମିରେ ପରିବାର ପୋଷିବା ସମ୍ଭବ ନ ଥିବାରୁ ସ୍ତ୍ରୀ ସହିତ ଦୁଇ ଝିଅ ଏବଂ ଏକ ମାତ୍ର ପୁତ୍ର ମୁହଁରେ ଦାନା ଦେବା ସମ୍ଭବ ନ ହେବାରୁ ସେ ବିଡି ବ୍ଯବସାୟ କୁ ଆଦିରି ନେଇଥିଲେ।  ଏଥିରୁ ଆଦାୟ ସ୍ବଳ୍ପ ଟଙ୍କା ରେ ବି ପରିବାର ପୋଷଣ କଷ୍ଟ ହେଉଥିଲେ ସୁଦ୍ଧା ସୁଖରେ ସଂସାର ଚଳାଇ ନେଉଥିଲେ।  ହେଲେ ଗତ ୨୦୧୧ ମସିହାରେ ସେ ଜଣ୍ଡିସ୍ ରୋଗରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଯିବା ପରେ ସମଗ୍ର ପରିବାରର ବୋଝ ସ୍ତ୍ରୀ ସୀତାଞ୍ଜଳିଙ୍କ ଉପରେ ପଡିଥିଲା । ତେବେ ଇତିମଧ୍ୟରେ ବଡଝିଅ ଅନିତାଙ୍କର ବିବାହ ହୋଇସାରିଥିବା ବେଳେ ଗାୟତ୍ରୀ ହେଉଛନ୍ତି ଦ୍ବିତୀୟ କନ୍ୟା।  ତାଙ୍କ ପଛକୁ ଭାଇ ହେମାନନ୍ଦ ଯୁକ୍ତଦୁଇ ପରେ ପାଠପଢ଼ାରେ ଡୋରି ବାନ୍ଧି ବାପାଙ୍କ ବିଡି ଶିଳ୍ପ କୁ ଆଦରି ନେଇ ତିନି ପ୍ରାଣୀ ଙ୍କ କୁଟୁମ୍ବ ଚଳାଇଛନ୍ତି।  ଗାୟତ୍ରୀ ପ୍ରତିକୂଳ ପରିସ୍ଥିତି ରେ ବି ଭୁବନେଶ୍ବର ରମାଦେବୀ ମହାବିଦ୍ୟାଳୟରେ ସ୍ନାତକ ପରେ ଏସ୍ଆଇଆର୍ଡିରେ ସ୍ବତନ୍ତ୍ର ସିଟି ପଢା ସାରିଛନ୍ତି।  

ଏଭଳି ସ୍ଥିତିରେ ଦାରିଦ୍ର୍ଯ ତଥା ମାନସିକ ଦୁଶ୍ଚିନ୍ତାରେ ମାଁ ସୀତାଞ୍ଜଳି ୨୦୧୫ରେ ହାର୍ଟ ଅପରେସନ୍ ହୋଇସାରିଥିବା ବେଳେ ଏହାର ବର୍ଷକ ପରେ ଗାୟତ୍ରୀ ବି ହୃଦରୋଗର ଶିକାର ହୋଇ ଓପନ୍ ହାର୍ଟ ସର୍ଜରି କରାଇସାରିଛନ୍ତି । ସାରା ଜୀବନ ଦୁଃଖକଷ୍ଟରେ ବିତୁଥିଲେ ବି ଗାୟତ୍ରୀ ପିଲାଟି ଦିନରୁ କବିତା ପ୍ରତି ଆହେତୁକ ରୁଚି ରଖି ଆସିଛନ୍ତି।  ପଞ୍ଚମ ଶ୍ରେଣୀରୁ କବିତା ଲେଖିବା ଆରମ୍ଭ କରିଥିଲେ।  ଆଉ ବର୍ତ୍ତମାନ ସେ କରୋନା ପାଇଁ କବିତା ମାଧ୍ୟମରେ ସଚେତନତା ଭାର ଉଠାଇଛନ୍ତି।  ସମାଜିକ ଦୂରତା ବିଶ୍ୱର ରକ୍ଷା ନାମରେ ଏକ ବୃହତ କବିତାକୁ ସେ ବ୍ରେଲି ଅକ୍ଷରରେ ଲେଖିବା ସହିତ ପାଖକୁ ଆସୁଥିବା ସମସ୍ତଙ୍କୁ ପଢାଇ ସଚେତନ କରୁଛନ୍ତି।  ତାଙ୍କର କବିତା ଆବୃତ୍ତି ଶୈଳୀ ବି ସମସ୍ତଙ୍କୁ ଆକର୍ଷିତ କରୁଛି। ଦୁର୍ଦ୍ଦିନରେ ଗତି କରୁଥିବା ଏହି ପରିବାର ପ୍ରତି ସରକାରୀ ସହାୟତା ଜରୁରୀ ହୋଇପଡିଛି । ଅନ୍ୟ ପକ୍ଷରେ ଏଠାକାର ଲପଙ୍ଗା ଅଞ୍ଚଳରେ ବହୁରାଷ୍ଟ୍ରୀୟ ଆଦିତ୍ୟ  ଆଲୁମିନିୟମ ପ୍ରକଳ୍ପ  ଯୋଗୁଁ  ଦୃଷ୍ଟିବାଧିତା ଗାୟତ୍ରୀଙ୍କ ଗ୍ରାମ ସିଧା ସଲଖ ପ୍ରଭାବିତ ହେଉଥିଲେ ମଧ୍ୟ ଅଧିକ ପାଠ ପଢିବା ପାଇଁ ଚାହୁଁଥିବା  ଗାୟତ୍ରୀଙ୍କ ପାଇଁ କମ୍ପାନୀର ସିଏସଆର ପାଣ୍ଠି ଆଜି ପର୍ଯ୍ୟନ୍ତ କୌଣସି ସାହାଯ୍ୟ ପାଇନଥିବାରୁ ଗାୟତ୍ରୀର ପରିବାର କ୍ଷୋଭ ପ୍ରକାଶ କରିଛନ୍ତି ।

0
0
0
s2sdefault