ହେଡଲାଇନସ୍:

ଜିଲ୍ଲାପାଳ କ୍ଷମତା ଦେଖେଇଲେ ବୀରନରସିଂହପୁର ସରପଞ୍ଚ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ହରଭଙ୍ଗା/ ପ୍ରତାପ ମେହେର: କୋରନା ସମୟରେ କାର୍ଯ୍ୟରେ ଅବହେଳା କରିଥିବାରୁ ଦ୍ୱନ୍ଦ୍ୱରେ ହରଭଙ୍ଗା ବ୍ଲକ  ବୀରନରସିଂହପୁର ପିଇଓ ଶ୍ରୀମତୀ ନମିତା ସାହୁଙ୍କୁ ଗତକାଲି ଭାରମୁକ୍ତ କରିଛନ୍ତି ସରପଞ୍ଚ ଶ୍ରୀଯୁକ୍ତ ସୁବର୍ଣ୍ଣ ମଲ୍ଲିକ  ।

ସ୍ଥାନୀୟ  ସାଧୁଚରଣ ଉଚ୍ଚ ବିଦ୍ୟାଳୟରେ କରୋନା ପାଇଁ ଖୋଲାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ପରିଚାଳନାରେ ସ୍ଥାନୀୟ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଜିଆରଏସ ସହଯୋଗ କରୁନଥିବା ସରପଞ୍ଚ ସୁବର୍ଣ୍ଣ ମଲ୍ଲିକ ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ । ହରଭଙ୍ଗା ବିଡିଓ କିଛି ପଦକ୍ଷେପ ନେବା ପୂର୍ବରୁ ନିଜକୁ ମିଳିଥିବା ଜିଲ୍ଲାପାଳ କ୍ଷମତାର ବ୍ୟବହାରକରି ସରପଞ୍ଚ  ଜିଆରଏସଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ଜଣାପଡିଛି ।

ବୀରନରସିଂହପୁର ଗ୍ରାମପଞ୍ଚାୟତର ଭାରପ୍ରାପ୍ତ ଦାୟିତ୍ୱରେ ଥିବା ବାମଣ୍ଡା ଗ୍ରାମପଞ୍ଚାୟତର ଜିଆରଏସ ଶ୍ରୀନିବାସ ଶତପଥୀ ଗତ ମେ ମାସ ୪ ତାରିଖରୁ ବୀରନରସିଂହପୁର ଟିଏମସିର ପରିଚାଳନାରେ ୧୦ ତାରିଖ ପର୍ଯ୍ୟନ୍ତ ସହାୟତା କରୁଥିଲେ । ହରଭଙ୍ଗା ବିଡିଓଙ୍କ ପତ୍ର ନଂ ୧୩୧୭ ତା ୧୦/୦୫/୨୦୨୦ ଅନୁଯାୟୀ ଜିଆରଏସମାନେ ଟିଏମସି ଗୁଡିକରେ କାମନକରି ଗ୍ରାମପଞ୍ଚାୟତର କାମ କରିବାକୁ ଏ ଚିଠିରେ ଆଦେଶ ଦେଇଥିଲେ । ଗ୍ରାମ ପଞ୍ଚାୟତର ୨୦୨୦-୨୧ ବର୍ଷର କାର୍ଯ୍ୟଖସଡା ପ୍ରସ୍ତୁତି, ମହାତ୍ମାଗାନ୍ଧୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନାର କାମକରିବା ପାଇଁ ଜିଆରଏସମାନଙ୍କୁ ଟିଏମସି ଗୁଡିକରୁ ପ୍ରତ୍ୟାହାର କରାଯାଇଥିବା ଚିଠିରେ ସ୍ପଷ୍ଟଭାବେ ବିଡିଓ ଉଲ୍ଲେଖ କରିଛନ୍ତି ।

ଅପରପକ୍ଷରେ ବୀରନରସିଂହପୁର ସରପଞ୍ଚ ତାଙ୍କ ଚିଠି ନଂ ୧୫୩ ତା ୧୧/୫/୨୦ ଅନୁଯାୟୀ ପିଇଓ ଏବଂ ଜିଆରଏସ ଟିଏମସି କାର୍ଯ୍ୟରେ ଯୋଗ ଦେଉନଥିବାର ଅଭିଯୋଗ ଆଣି ବିଡିଓ ଏବଂ ଜିଲ୍ଲାପାଳଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି । ବିଡିଓ ଏବଂ ସରପଞ୍ଚଙ୍କ ଚିଠି ଦ୍ୱନ୍ଦ୍ୱାତ୍ମକ ସ୍ଥିତି ସୃଷ୍ଟି କରୁଥିବାବେଳେ ହରଭଙ୍ଗାବ୍ଲକର ଜିଆରଏସମାନେ କାହାକଥା ମାନିବେ ଓ କେଉଁ କାମ କରିବେ ସେଥିପାଇଁ ସେମାନେ ମଧ୍ୟ ଦ୍ୱନ୍ଦ୍ୱରେ । ସରପଞ୍ଚଙ୍କ ଅଭିଯୋଗ ଉପରେ ଜିଆରଏସମାନେ ଅସନ୍ତୋଷ ମଧ୍ୟ ଜାହିର କରିଛନ୍ତି । ପ୍ରବାସୀ ଶ୍ରମିକମାନଙ୍କ ପଞ୍ଜିକରଣ, ଟିଏମସିକୁ ଆସିଥିବା ଅନ୍ତୋବାସୀଙ୍କ ଖାଦ୍ୟପେୟର ପରିବେଷଣ ସହିତ ଦୁଇଦୁଇଟି ପଞ୍ଚାୟତର ଜିଆରଏସ କାମ ସଂପାଦନ ଆଦି ପରିଚାଳନା କରୁଥିବା ସତ୍ତ୍ୱେ ମୋ ବିରୁଦ୍ଧରେ ସରପଞ୍ଚ କେମିତି ଅଭିଯୋଗ ଆଣିଲେ ମୁଁ ବୁଝିପାରୁନାହିଁ ବୋଲି ଜିଆରଏସ ଶ୍ରୀ ଶତପଥୀ ନିଜ ପ୍ରତିକ୍ରିୟାରେ କହିଛନ୍ତି । ସେହିପରି ସରପଞ୍ଚଙ୍କ ଦ୍ୱାରା ରିଲିଭ ହୋଇଥିବା ପିଇଓ ଶ୍ରୀମତୀ ସାହୁ ଆଜି ବିଡିଓଙ୍କ ନିକଟରେ ଜଏନିଂ ରିପୋର୍ଟ ଦେଇଥିବା ସୂଚନା ମିଳିଛି ।

ବିଡିଓ ଏବଂ ଜିଲ୍ଲାପାଳ କ୍ଷମତା ପାଇଥିବା ସରପଞ୍ଚଙ୍କ ମଧ୍ୟରେ ସମନ୍ୱୟ ରହୁନଥିବା ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବାର ଅଭିଯୋଗ ଆଣିଛନ୍ତି ଗ୍ରାମପଞ୍ଚାୟତର କର୍ମଚାରୀମାନେ । 

0
0
0
s2sdefault