ହେଡଲାଇନସ୍:

ଲଢ଼ିବାକୁ ହେବ ଲମ୍ବା ଲଢେଇ : ନବୀନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର:  କରୋନା ଏହା ଏକ ଲମ୍ବା ଯୁଦ୍ଧ। ଆମକୁ ଲଢ଼ିବାକୁ ହେବ | କୋଭିଡ ମୁକାବିଲାରେ ସମାଜର ସକ୍ରିୟ ଅଂଶଗ୍ରହଣ ସହିତ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକୁ ବର୍ତ୍ତମାନ ପରିସ୍ଥିତିରେ ଅଧିକ ସଶକ୍ତ କରାଯିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତବ୍ୟକ୍ତ କରଛନ୍ତି | 

 ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରାଜ୍ୟରେ କୋଭିଡ ନିୟନ୍ତ୍ରଣ ଓ ଅର୍ଥନୈତିକ ପୁନରୁଦ୍ଧାର କାର୍ଯ୍ୟକ୍ରମ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି । ବର୍ତ୍ତମାନ ପ୍ରବାସୀ ଓଡ଼ିଆମାନେ ବହୁ ସଂଖ୍ୟାରେ ଓଡ଼ିଶା ଫେରୁଥିବାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିର୍ମିତ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରଗୁଡ଼ିକର ଉପଯୁକ୍ତ ପରିଚାଳନା ଏବଂ ଲୋକମାନଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ ଅର୍ଥନୀତିକୁ ଚଳଚଞ୍ଚଳ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ। 

ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ,  ଗଞ୍ଜାମ ଭଳି ଅନ୍ୟ ଜିଲ୍ଲାରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରମାନଙ୍କର ଅନ୍ତେବାସୀମାନଙ୍କୁ କୋଭିଡ ରୋଗ ପରିଚାଳନା ସମ୍ପର୍କରେ ତାଲିମ ଦିଆଯିବା ଦରକାର। ଯାହାଫଳରେ କି ସଙ୍ଗରୋଧରୁ ବାହାରିବା ପରେ ସେମାନେ କୋଭିଡ ସ୍ୱେଚ୍ଛାସେବୀ ଭାବରେ ସମାଜକୁ ସେବା ଯୋଗାଇ ଦେଇ ପାରିବେ | ଏଥିପାଇଁ ଏକ ସଂକ୍ଷିପ୍ତ ସାର୍ଟିଫିକେଟ କୋର୍ସ ପ୍ରସ୍ତୁତ କରିବା ପାଇଁ ମୁ୍ଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଆଗାମୀ ଏକ ସପ୍ତାହ ମଧ୍ୟରେ ଗଞ୍ଜାମ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ବଲାଙ୍ଗୀର ଆଦି ଜିଲ୍ଲାମାନଙ୍କରେ କୋଭିଡ କେୟାର ସେଣ୍ଟରରେ ଶଯ୍ୟା ସଂଖ୍ୟା ବୃଦ୍ଧି ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଥିଲା।

ବର୍ତ୍ତମାନ ସମୟରେ ଗର୍ଭବତୀ ମହିଳା, ପ୍ରସୂତୀ, ଶିଶୁ, ଭିନ୍ନକ୍ଷମ ଓ ବୟସ୍କ ଲୋକମାନଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଜୀବନ ଜୀବିକା ଏବଂ ଅର୍ଥନୈତିକ ପୁନରୁଦ୍ଧାର ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମନରେଗା ଏବଂ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରାଯିବା ଦରକାର। ବିଭିନ୍ନ ବିଭାଗମାନେ ସେମାନଙ୍କ ଅଧୀନରେ ଯେପରି ଅଧିକରୁ ଅଧିକ ଲୋକଙ୍କୁ କାମ ଯୋଗାଇ ଦେଇପାରିବେ, ସେଥିପାଇଁ ଯୋଜନା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଗ୍ରାମ୍ୟ ଅର୍ଥନୀତିକୁ ଅଧିକ ସଶକ୍ତ କରିବା ପାଇଁ ଅଧିକ ପାଣ୍ଠି ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀମାନଙ୍କ ପାଇଁ ପିପିଏଫ୍‌ ଏବଂ ଅନ୍ୟ ମେଡିକାଲ ଉପକରଣ ଯୋଗାଣ ସୁନିଶ୍ଚିତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ।

ବୈଠକର ତଥ୍ୟ ଅନୁଯାୟୀ କୃଷି ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଖୁବ୍‌ ଶୀଘ୍ର ୩ଟି ଅଡିର୍ନାନ୍ସ ଆଣିବେ । ବର୍ତ୍ତମାନ ରବି ଧାନ ଅମଳ କର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇ ସାରିଛି। ସାର, ବିହନ ଏବଂ ଅନ୍ୟାନ୍ୟ ଜରୁରୀ କୃଷି ଉପକରଣ ଯୋଗାଣ ଆରମ୍ଭ କରାଯାଇଛି। ଚାଷୀମାନଙ୍କ ପାଇଁ ହେଲପ୍‌ଲାଇନ୍‌ ମଧ୍ୟ କାର୍ଯ୍ୟ କରୁଛି। ମତ୍ସ୍ୟ ଚାଷ, କୁକୁଡା ଚାଷ, ଉଦ୍ୟାନ କୃଷି, ଗୋପାଳନ ଆଦି କାର୍ଯ୍ୟକ୍ରମ ମଧ୍ୟ ସନ୍ତୋଷଜନକ ରହିଛି। ସ୍ୱୟଂ ସହାୟକ ଗୋଷ୍ଠୀମାନେ କୋଭିଡ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି ବୋଲି ମିଶନ ଶକ୍ତି ନିର୍ଦ୍ଦେଶିକା ସୂଚନା ଦେଇଥିଲେ। ମିଶନ ଶକ୍ତିର ମହିଳାମାନେ ୫୦ଲକ୍ଷରୁ ଅଧିକ ମାସ୍କ ପ୍ରସ୍ତୁତ କରିଥିବା ବେଳେ ସେଥିରୁ ୪୬ଲକ୍ଷରୁ ଅଧିକ ମାସ୍କ ବଣ୍ଟନ କରାଯାଇଛି। ସେହିପରି ମାଗଣା ରନ୍ଧା ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଯୋଗଦାନ ଦେଇ ୧.୬ କୋଟି ମିଲ ଯୋଗାଇ ଦେଇଛନ୍ତି। ଏହାସହିତ ସେମାନେ ହସ୍‌ପିଟାଲ୍‌ ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମ ମାଛ ଚାଷ, କୃଷି, ପରବାରଗୁଡ଼ିକୁ ସିଧାସଳଖ ରାସନ ଯୋଗାଣ ଆଦି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ୩୦୦କୋଟି ଟଙ୍କାର ସୁଧମୁକ୍ତ ଋଣ ଦିଆଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା।

ବିଭିନ୍ନ କ୍ଷେତ୍ରରେ ଶ୍ରମଭିତ୍ତିକ କାର୍ଯ୍ୟକ୍ରମକୁ ଜୋରଦାର କରିବା ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ଓ ଜଙ୍ଗଲ ବିଭାଗ ପକ୍ଷରୁ ଏଦିଗରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଆଗାମୀ ଏକ ମାସରେ ଦିନକୁ ଏକ ଲକ୍ଷ ଲୋକଙ୍କୁ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ନିୟୋଜିତ କରାଯିବ ବୋଲି ସୂଚନା ଦିଆଯାଇଥିଲା।

ମିଶନ ଶକ୍ତି ନିର୍ଦ୍ଦେଶିକା ଶ୍ରୀମତୀ ସୁଜାତା କାର୍ତ୍ତିକେୟନ୍ କୋଭିଡ ପରିଚାଳନାରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ମିଶନ ଶକ୍ତିର ମହିଳାମାନେ ୫୦ ଲକ୍ଷରୁ ଅଧିକ ମାସ୍କ ପ୍ରସ୍ତୁତ କରିଥିବା ବେଳେ ସେଥିରୁ ୪୬ ଲକ୍ଷରୁ ଅଧିକ ମାସ୍କ ବଣ୍ଟନ କରାଯାଇଛି । ମାଗଣା ରନ୍ଧା ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମରେ ୧.୬ କୋଟି ମିଲ୍ ଯୋଗାଇ ଦେଇଛନ୍ତି । ଏହା ସହିତ ସେମାନେ ହସ୍ପିଟାଲ୍ ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମ, ମାଛ ଚାଷ, କୃଷି, ପରିବାଗୁଡ଼ିକୁ ସିଧାସଳଖ ରାସନ ଯୋଗାଣ ଆଦି କାର୍ଯ୍ୟକ୍ରମରେ ସାମିଲ କରିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ୩୦୦ କୋଟି ଟଙ୍କାର ସୁଧମୁକ୍ତ ଋଣ ଦିଆଯାଇଛି ବୋଲି ଶ୍ରୀମତୀ କାର୍ତ୍ତିକେୟନ୍ ସୂଚନା ଦେଇଥିଲେ ।

ଲକ୍‌ଡାଉନ୍‌ ସମୟରେ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛିଏବଂ ନିୟମଭଙ୍ଗକାରୀମାନଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ପୁଲିସ ମହାନିର୍ଦ୍ଦେଶକ ସୂଚନା ଦେଇଥିଲେ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ବିଭିନ୍ନ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ, ପ୍ରମୁଖ ଶାସନ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ।

0
0
0
s2sdefault