ହେଡଲାଇନସ୍:

ଜଗନ୍ନାଥଙ୍କ ଅର୍ଥ ଆତ୍ମସାତ୍ ଘଟଣାରୁ ଦୃଷ୍ଟି ହଟାଇବାକୁ ବିଧାନସଭାକୁ ବନ୍ଦ :ବିଜେପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

     ଦୋଷିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ  ନହେବା ପର୍ଯ୍ୟନ୍ତ ବିଜେପି ଚୁପ  ବସିବ ନାହିଁ : ପ୍ରଦୀପ୍ତ ନାଏକ

      ଭୟରେ ରଚାଯାଇଛି କୋରୋନା ନାଟକ  : ମୋହନ ମାଝୀ

      କୋରୋନା ଚିନ୍ତା ଲୋକଙ୍କୁ  ନୁହେଁ ବରଂ ବିଜେଡିକୁ ଘାରିଛି : ବିଷ୍ଣୁ ସେଠୀ

ଭୁବନେଶ୍ୱର(ଶାସକ ପ୍ରଶାସକ)  ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ୫୯୨ କୋଟି ଟଙ୍କାକୁ ବୁଡାଇ ଦେବାର ଚକ୍ରାନ୍ତ ରଚିଥିବା ବିଜୁ ଜନତା ଦଳର ସରକାର ବିଧାନସଭାରେ ଜବାବ ଦେଇପାରିଲେ ନାହିଁ । ଗୃହରେ ବିରୋଧୀ ସରକାରଙ୍କୁ ୟେସ ବ୍ୟାଙ୍କ କେଳେଙ୍କାରି ବିଷୟରେ ଯେପରି ଭାବେ ଘେରିଲେ ସରକାର ଅଣନିଶ୍ୱାସୀ ହୋଇପଡିଛନ୍ତି । ସରକାରର ମୁହଁ କଳା ପଡିଯାଇଛି । ଶ୍ରୀଜଗନ୍ନାଥଙ୍କ ପଇସା ସରକାରି ବ୍ୟାଙ୍କରୁ ଆଣି ସରକାରଙ୍କର ଅନୁମୋଦନ ତାଲିକାରେ ନଥିବା ଏକ ଘରୋଇ ବ୍ୟାଙ୍କରେ କାହିଁକି ରଖାଗଲା ବୋଲି ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ପ୍ରଶ୍ନ କରିଛନ୍ତି । 

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ  ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାଏକ କହିଛନ୍ତି ଯେ, ମାର୍ଚ୍ଚ ୧୯ରେ ସରକାର ଏହି ଅର୍ଥ ୟେସ ବ୍ୟାଙ୍କରୁ ଉଠାଇ ଆଣିବେ ବୋଲି ଦମ୍ଭୋକ୍ତି ଦେଇଥିଲେ । ଯଦି ସରକାର ସେହି ତାରିଖରେ ଇସା ଫେରାଇ ଆଣିପାରିବେ ନାହିଁ ତାହେଲେ ବିଧାନସଭାରେ ହରଡ ଘଣାରେ ପଡିଥାନ୍ତେ । ତେଣୁ ତାହା ପୂର୍ବରୁ ଜାଣିଶୁଣି ବାହାନାବାଜି କରି ବିଧାନସଭାକୁ ବନ୍ଦ କରିଦେଲେ । ହେଲେ ଯେତେ ଘଂଟ ଘୋଡାଇଲେ ବି ସତ ବାହାରିବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପଇସାକୁ ଲୁଟ କରିବାରେ ଯେଉଁମାନେ ଦୋଷି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ  ନହେବା ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଚୁ ବସିବ ନାହିଁ । 

ଜଦି ରାଜ୍ୟ ସରକାର ଭାବୁଥାନ୍ତି  ସେମାନେ ଚଂଚକତା କରି ୟେସ ବ୍ୟାଙ୍କ କେଳେଙ୍କାରିରୁ ଖସି ଯିବେ ତାହା କେବେବି ସଫଳ ହେବ ନାହିଁ । ଭାରତୀୟ ଜନତା ପାର୍ଟି ସେହି ମହାଦୁର୍ନିତିର ମହାନାୟକ ମାନଙ୍କୁ ଗୋଡେଇ ଧରିବ ବୋଲି ଶ୍ରୀ ନାଏକ ଚେତାବନୀ ଦେଇଛନ୍ତି । ରାଜ୍ୟରେ ଏବେ ସୁଦ୍ଧା କରୋନା ଭାଇରାସରେ କେହି ଆକ୍ରାନ୍ତ ହୋଇନାହାନ୍ତି । ଯେତେ ଗୁଡିଏ ପରୀକ୍ଷା ହୋଇଛି ସବୁ ନେଗେଟିଭ ବାହାରିଛି । କିନ୍ତୁ ବିଧାନସଭାକୁ କରୋନା ପାଇଁ ବାତିଲ କରାଯିବା ନେଇ ଶାସକ ଦଳର ପ୍ରସ୍ତାବ ଓ ଏହା ଉପରେ ବାଚସ୍ପତିଙ୍କ ମୋହର ସରକାରଙ୍କର ଦେବାଳିଆ ମାନସିକତା ଓ ପଳାୟନ ପନ୍ଥି ମନୋଭାବକୁ ପ୍ରମାଣିତ କରୁଛି । ବିଧାନସଭା ସହିତ କରୋନା ଭାଇରସର ସର୍ମ୍ପକ କଣ ବୁଝାପଡୁନି । ବିଧାନସଭା ଚାଲିଲେ କରୋନା ଭାଇରସ କିପରି ବ୍ୟାପିବ ? ସରକାରଙ୍କର ଏପ୍ରକାର ଚିନ୍ତାଧାରା ବଡ ଅଜବ । କେବଳ ମହାପ୍ରଭୁଙ୍କ ଅର୍ଥକୁ ହରିଲୁଟ ଏବେ ଧରାପଡିଯିବା ପରେ ସେଥିରୁ ବର୍ତିବା ପାଇଁ ଏହା ଏକ ନାଟକ ବୋଲି ମୁଖ୍ୟସଚେତକ ଶ୍ରୀ ମୋହନ ମାଝୀ କହିଛନ୍ତି । 

ବର୍ତମାନ ଦେଶରେ ସଂସଦରେ ବଜେଟ ଅଧିବେସନ ସୁରୁଖୁରୁରେ ଚାଲିଥିବାବେଳେ ଦିଲ୍ଲୀ, ତେଲେଙ୍ଗାନା, ଆସାମ, ରାଜସ୍ଥାନ, ପଂଜାବ, କର୍ଣ୍ଣାଟକ, ବିହାର ଆଦି ରାଜ୍ୟରେ ବିଧାନସଭା ଅଧିବେସନ ବି ଚାଲିଛି । କେଉଁଠି ବି କରୋନା ପାଇଁ ବିଧାନସଭାକୁ ଅଧାରୁ ବନ୍ଦ କରିଦିଆଯିବାର ଖବର ନାହିଁ । ହେଲେ ଓଡିଶା, ଯେଉଁଠି ଜଣେ ହେଲେ କରୋନା ରୋଗୀ ନାହାନ୍ତି ସେଠାରେ ସରକାର କଣ ପାଇଁ ବିଧାନସଭାକୁ ବନ୍ଦ କରିବା ପାଇଁ ଚାହିଁଲେ ବୋଲି ଶ୍ରୀ ମାଝୀ ପ୍ରଶ୍ନ କରିଛନ୍ତି । 

ସରକାରଙ୍କ ଏପ୍ରକାର ମନମାନି ଚଳିବ ନାହିଁ । ଏହାକୁ ଆମେ ଦୃଢ ସ୍ୱରରେ ନିନ୍ଦା କରୁଛୁ । ବାଚସ୍ପତି ତାଙ୍କ ନିଷ୍ପତି ବଦଳାନ୍ତୁ ଓ ପୁର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ ଗୃହକୁ ଚଲାନ୍ତୁ  ବୋଲି ଶ୍ରୀ ମାଝୀ କହିଛନ୍ତି । 

ବିଧାନସଭାର ବଜେଟ ଅଧିବେସନର ଆହୁରି ୨୦ କାର୍ଯ୍ୟଦିବସ ବାକି ଅଛି । ଅନେକ ବିଭାଗର ଖର୍ଚ୍ଚ ଦାବି ଉପରେ ବି ଆଲୋଚନା ବି ହୋଇଥାନ୍ତା । କରୋନା ଆଳରେ ଏବେ ବିନା ଖର୍ଚ୍ଚ ଦାବି ଆଲୋଚନାରେ ବ୍ୟୟ ବରାଦକୁ ପାସ କରାଇବେ । ଓଡିଶାର ମୁଖ୍ୟମନ୍ତ୍ରୀ ଏକ ଅସୁସ୍ଥ ପରମ୍ପରା ସୃଷ୍ଟି କରିବା ପାଇଁ ଯାଉଛନ୍ତି ବୋଲି ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି । 

କୋରୋନା ଚିନ୍ତା ଆଜି ସାଧାରଣ ଜନତାଙ୍କୁ ନୁହେଁ ବରଂ ବିଜେଡିକୁ ଘାରିଛି । ରାଜ୍ୟସରକାର ଆମ ମାନଙ୍କ ଦ୍ୱାରା ହିଁ କୋରୋନା ସମ୍ବନ୍ଧରେ ସଚେତନ କରାଇ ପାରିଥାନ୍ତେ କିନ୍ତୁ ତାହା ନକରି ବିଧାନସଭା ବନ୍ଦ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଶାସକ ବିଜେଡି ବାଚସ୍ପତିଙ୍କୁ ହାତବାରେସି କରି ବାରମ୍ବାର ବିଧାନସଭା ଗୃହକୁ ମୁଲତବି କରିଚାଲିଛନ୍ତି । ଓଡିଶାର ସବୁ ବିଭାଗର ଟଙ୍କା ପ୍ରାଇଭେଟ ବ୍ୟାଙ୍କ ରେ ରଖାଯାଇଛି । କେଉଁ ବିଭାଗରେ କେତେ ଅର୍ଥ ରହିଛି ଅର୍ଥମନ୍ତ୍ରୀ ଏକ ଶ୍ୱେତ ପତ୍ରମାଧ୍ୟମରେ ତାହା ପ୍ରକାଶ କରନ୍ତୁ । ଓଏମସିର ୬୫୦ କୋଟି, ଇଡକୋ ର ୨୦୦୦ କୋଟି ଟଙ୍କା ବିଭିନ୍ନ ଘରୋଇ ବ୍ୟାଙ୍କରେ ରାଜ୍ୟ ସରକାର ରଖିଛନ୍ତି । ସେହିପରି ଜଗନ୍ନାଥଙ୍କ ଅର୍ଥକୁ ଆତ୍ମସାତ କରିବା ପାଇଁ ବିଜେଡି ପ୍ରୟାସ ଚଲାଇଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ ବୋଲି ଉପନେତା ଶ୍ରୀ ବିଷ୍ଣୁ ସେଠୀ ପ୍ରଶ୍ନ କରିଛନ୍ତି । 

ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ପ୍ରକାଶ ସୋରେନ, ନବ ଚରଣ ମାଝୀଙ୍କ ସମେତ ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault