ହେଡଲାଇନସ୍:

ହସ୍ତଶିଳ୍ପ ପାଇଁ  ଦଶବର୍ଷିଆ ପ୍ଲାନ୍ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯିବ :  ହେମନ୍ତ ଶର୍ମା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଥର ଖୋଦେଇ, କାଠଖୋଦେଇ ଓ ଚାନ୍ଦୁଆ ଶିଳ୍ପ ଉପରେ ରାଜ୍ୟସ୍ତରୀୟ କର୍ମଶାଳା

ଭୁବନେଶ୍ୱର, (ଶାସକ ପ୍ରଶାସକ) : ଆଜି ସ୍ଥାନୀୟ ଭୁବନେଶ୍ୱର ଜିଲ୍ଲା ଶିଳ୍ପ କେନ୍ଦ୍ର ସମ୍ମିଳନୀ କକ୍ଷରେ ହସ୍ତ ଓ କୁଟୀରଶିଳ୍ପ ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ପଥର ଖୋଦେଇ, କାଠ ଖୋଦେଇ ଓ ଚାନ୍ଦୁଆ ଶିଳ୍ପ ଉପରେ ଏକ ଦିନିକିଆରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ମୁଖ୍ୟ ଅତିଥି  ଭାବେ ଯୋଗଦେଇ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା କହିଲେ ଯେ, ରାଜ୍ୟରେ ହସ୍ତଶିଳ୍ପର ଦଶ ବର୍ଷିଆ ପ୍ଲାନ୍ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯିବ । ହସ୍ତଶିଳ୍ପୀମାନଙ୍କୁ ଚିହ୍ନଟ ସହିତ ବ୍ରାଣ୍ଡିଂ ଓ ମାର୍କେଟିଂ, ହସ୍ତଶିଳ୍ପୀମାନଙ୍କ ପାଇଁ ଉଚ୍ଚସ୍ତରୀୟ ମାନ୍ୟତାପ୍ରାପ୍ତ ତାଲିମ କାର୍ଯ୍ୟକ୍ରମ, ବଜାର ଚାହିଦା ଅନୁଯାୟୀ ଡ଼ିଜାଇନ ବିକାଶ, କାରିଗରମାନଙ୍କ ପାଇଁ ହାଉସିଂ କମ୍ ଓ୍ୱାର୍କସପ୍ କମ୍ ସୋ ରୁମ୍ ସ୍କିମ୍ କରାଯିବା ଉପରେ ଶ୍ରୀ ଶର୍ମା ଆଲୋକପାତ କରିଥିଲେ ।

କର୍ମଶାଳା ଉଦ୍ଘାଟନୀ ଉତ୍ସବରେ ହସ୍ତ ଓ କୁଟୀରଶିଳ୍ପ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ବସନ୍ତ କୁମାର ଦାଶ ସ୍ୱାଗତ ଭାଷଣ ପ୍ରଦାନ କରି କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ଅଲୋଚନା କରିଥିଲେ । ଆଜିର ଦିନିକିଆ କର୍ମଶାଳାରେ ୨୧ଟି ଜିଲ୍ଲାରୁ ୧୩୦ଟି ଉର୍ଧ୍ଵ  ହସ୍ତଶିଳ୍ପ କାରିଗରମାନେ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗ ଯଥା : କଞ୍ଚାମାଲର ଉପଲବ୍ଧି, ତାଲିମ ପଦ୍ଧତି, ବିକ୍ରୀବଟା ସହାୟତା, ଆର୍ଥିକ ସହାୟତା, ସାମାଜିକ ନିରାପତ୍ତା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ସବିଶେଷ ଆଲୋଚନା କରିଥିଲେ । ପିପିଲିଠାରେ ଚାନ୍ଦୁଆ ଶିଳ୍ପୀଙ୍କ ପାଇଁ ଗୋଟିଏ କଞ୍ଚାମାଲ ବ୍ୟାଙ୍କ "ଉତ୍କଳିକା' ମାଧ୍ୟମରେ ଚାଲୁଅଛି । ରାଜ୍ୟରେ ଅନ୍ୟ ଜିଲ୍ଲାରେ ଏହି ଭଳି କଞ୍ଚାମାଲ ବ୍ୟାଙ୍କ ପ୍ରତିଷ୍ଠା ନିମନ୍ତେ ଶିଳ୍ପୀମାନେ ମତ ପ୍ରକାଶ କରିଥିଲେ । ଏତଦବ୍ୟତୀତ  ଜିଲ୍ଲା ସଦର ମହକୁମାରେ ନିର୍ମିତ ହେଉଥିବା ମାର୍କେଟ୍ କମ୍ପ୍ଲେକ୍ସ୍ ମଧ୍ୟରୁ କିଛି ଦୋକାନଘର ହସ୍ତଶିଳ୍ପ ପାଇଁ ସଂରକ୍ଷଣ କରାଗଲେ ତାହା ହସ୍ତଶିଳ୍ପ ସାମଗ୍ରୀର ବିକ୍ରୀବଟାରେ ସହାୟକ ହେବ ବୋଲି ସେମାନେ କହିଥିଲେ ।

ପଥର ଖୋଦେଇ ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ସାହୁ, ପଦ୍ମଶ୍ରୀ ପ୍ରଭାକର ମହାରାଣା ଓ ବହୁ ଜାତୀୟ ପୁରସ୍କାର ଓ ରାଜ୍ୟସ୍ତରୀୟ ପୁରସ୍କାର ପ୍ରାପ୍ତ କାରିଗରମାନେ କର୍ମଶାଳାରେ ସେମାନଙ୍କର ସୁଚିନ୍ତିତ ମତାମତ ପ୍ରକାଶ କରିଥିଲେ । ସରକାରଙ୍କ ଦ୍ୱାରା ଅଧିକୃତ କଞ୍ଚାମାଲର ସୁବ୍ୟବସ୍ଥା କରାଗଲେ ପଥର ଖୋଦେଇ ହସ୍ତଶିଳ୍ପର ବିକାଶ ଠିକ୍ ଭାବରେ ହେବ ବୋଲି ସେମାନେ ମତବ୍ୟକ୍ତ କରିଥିଲେ । ପଥର ଖୋଦେଇ ଶିଳ୍ପୀ ଶ୍ରୀ ଉଦୟ ମହାନ୍ତି କର୍ମଶାଳାରେ ସେମାନଙ୍କର ସୁଚିନ୍ତିତ ମତାମତ ପ୍ରକାଶ କରିଥିଲେ ।

ଓଡ଼ିଶାର ୫୦ ଗୋଟି ହସ୍ତଶିଳ୍ପ ମଧ୍ୟରୁ ପିପିଲି ଚାନ୍ଦୁଆ ଏକ ମୁଖ୍ୟ ହସ୍ତଶିଳ୍ପ । ପ୍ରାୟ ୧୧ ହଜାର ହସ୍ତଶିଳ୍ପୀ ପୁରୀ ଜିଲ୍ଲାର ପିପିଲି, ଖୋର୍ଦ୍ଧାର ବନମାଳୀପୁର, ବୌଦ୍ଧ ଜିଲ୍ଲାର ବଟୁପଲ୍ଲୀ, ବଲାଙ୍ଗୀର ଜିଲ୍ଲାର ରାଣୀପୁର ଓ ଝରିଆଲଠାରେ ଚାନ୍ଦୁଆ ଶିଳ୍ପୀ ରହିଛନ୍ତି । ପିପିଲିରେ ଚାଲୁଥିବା ଚାନ୍ଦୁଆ ଶିଳ୍ପ ପାଇଁ କଞ୍ଚାମାଲ ବ୍ୟାଙ୍କର ସମ୍ପ୍ରସାରଣ ସଙ୍ଗେ ସଙ୍ଗେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏହାର ପ୍ରତିଷ୍ଠା କରାଯିବା ପାଇଁ ଚାନ୍ଦୁଆ ଶିଳ୍ପୀମାନେ ମତପୋଷଣ କରିଥିଲେ ।

ସେହିପରି ରାଜ୍ୟର ପ୍ରାୟ ୭ ହଜାର ପଥର ଖୋଦେଇ ଶିଳ୍ପୀ ରହିଛନ୍ତି ବୋଲି ୨୦୦୧ରେ ହୋଇଥିବା ସର୍ଭେରୁ ଜଣାପଡ଼ିଛି । କଟକ ଜିଲ୍ଲାର ଲଳିତଗିରି, ଯାଜପୁରର ସୁଖୁଆପଡ଼ା, ମୟୁରଭଞ୍ଜର ଖୀଚିଙ୍ଗ ଏବଂ ପୁରୀ ଜିଲ୍ଲାର ପୁରୀ ଓ କୋଣାର୍କ, କେଉଁଝର ଜିଲ୍ଲାର ଧାକୋଟା, ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର, ବାଲେଶ୍ୱର ଜିଲ୍ଲାର ବଉଳାଗଡ଼ିଆଠାରେ ବିଶେଷତଃ ପଥର ଶିଳ୍ପୀ ରହିଛନ୍ତି । ରାଜ୍ୟର ପ୍ରାୟ ୫ ହଜାର କାଠଖୋଦେଇ ଶିଳ୍ପୀ ଭୁବନେଶ୍ୱର, ପୁରୀ ସହର, ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା, କଳାହାଣ୍ଡି ଜିଲ୍ଲାର ଖଇରପଦର, ଭଦ୍ରକ ଜିଲ୍ଲାର ବେତାଳି ଗାଁ ଠାରେ ଏହି ଶିଳ୍ପୀମାନେ ଅଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ପଥର ଖୋଦେଇ, କାଠ ଖୋଦେଇ ଓ ଚାନ୍ଦୁଆ ଶିଳ୍ପ ଉପରେ ଏହି କର୍ମଶାଳାର ଆୟୋଜନ କରାଯାଇଛି । ପର୍ଯ୍ୟାୟକ୍ରମେ ଅନ୍ୟାନ୍ୟ ହସ୍ତଶିଳ୍ପ ଉପରେ କର୍ମଶାଳା ଅନୁଷ୍ଠିତ ହେବ । ଆଜିର କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସ୍ପେଶାଲ ସେକ୍ରେଟାରୀ ଶ୍ରୀକାନ୍ତ ପୃଷ୍ଟି, ଯୁଗ୍ମ ସଚିବ ଶ୍ରୀମତୀ ଅଞ୍ଜନା ପଣ୍ଡା, "ଉତ୍କଳିକା'ର ଏମ୍.ଡ଼ି. ଅନୁଜ ଦାସପଟ୍ଟନାୟକ, ସ୍ପେଶାଲ ଅଫିସର ସନାତନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault