ହେଡଲାଇନସ୍:

"2024 ସୁଦ୍ଧା 30% କମିବ କଳିଙ୍ଗ ନଗରର ବାୟୁ ପ୍ରଦୂଷଣ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଳିଙ୍ଗନଗର ଠାରେ ବାୟୁ ପ୍ରଦୂଷଣ ସମ୍ପର୍କିତ କର୍ମଶାଳା 

ବାୟୁପ୍ରଦୂଷଣ  ରୋକା ଯାଇ ପାରିଲେ କଳିଙ୍ଗନଗର ଅଧିବାସୀଙ୍କ ହାରାହାରି 3ବର୍ଷ  ପରମାୟୁ ବୃଦ୍ଧି ପାଇ ପାରନ୍ତା

କଳିଙ୍ଗନଗର (ଶାସକ ପ୍ରଶାସକ )- ବାୟୁ ପ୍ରଦୂଷଣ ଦ୍ୱାରା ସର୍ବାଧିକ ପ୍ରଭାବିତ ଭାରତର ୧୨୨ଟି  ସହର(ନନ-ଆଟେନମେଣ୍ଟ  ସହର) ମଧ୍ୟରୁ ଯାଜପୁର କଳିଙ୍ଗନଗର ଅନ୍ୟତମ। ନିକଟରେ ପ୍ରକାଶିତ ହୋଇଥିବା ଓଡିଶା ଷ୍ଟାର ରେଟିଙ୍ଗରେ, କଳିଙ୍ଗନଗରରୁ ଭାଗନେଇଥିବା ୬ଟି ଶିଳ୍ପାନୁଷ୍ଠାନ ମଧ୍ୟରୁ  ୫ଟିକୁ ଏକ ଷ୍ଟାର(ସର୍ବନିମ୍ନ ପରିବେଶ ପାରଦର୍ଶୀ) ମାନ୍ୟତା ମିଳିଛି। ଚିକାଗୋ ବିଶ୍ୱବିଦ୍ୟାଳୟର ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ଅନୁସାରେ  ବାୟୁପ୍ରଦୂଷଣ  ରୋକା ଯାଇ ପାରିଲେ କଳିଙ୍ଗନଗର ଅଧିବାସୀଙ୍କ ହାରାହାରି ପରମାୟୁରେ  ତିନି ବର୍ଷ ବୃଦ୍ଧି ଘଟନ୍ତା।  ଓଡ଼ିଶାରେ କଳିଙ୍ଗନଗର ସମେତ ସାତୋଟି ସହର ଏହି ସର୍ବାଧିକ ପ୍ରଦୂଷିତ ବା ନନ-ଆଟେନମେଣ୍ଟ ସହର ତାଲିକାରେ ଅନ୍ତର୍ଭୁକ୍ତ।  କଳାକାରଖାନା ଓ  ଯାନବାହାନରୁ ନିର୍ଗତ ଧୂଆଁ, ରାସ୍ତାର ଧୂଳି ଏବଂ ବିଭିନ୍ନ ନିର୍ମାଣ କାର୍ଯ୍ୟ ସମୟରେ ନିର୍ଗତ ହେଉଥିବା ଧୂଳି ଓ ଧୂଆଁ ଏହି ବାୟୁ ପ୍ରଦୂଷଣର ମୁଖ୍ୟ କାରଣ। ବାୟୁ ପ୍ରଦୂଷଣ କଳିଙ୍ଗନଗର ଅଧିବାସୀଙ୍କର ଉଭୟ ଜୀବନ  ଜୀବିକାକୁ ପ୍ରଭାବିତ କରୁଛି। ଜାତୀୟ ନିର୍ମଳ ବାୟୁ କାର୍ଯ୍ୟକ୍ରମ ମାଧ୍ୟମରେ ୨୦୨୪  ସୁଦ୍ଧା କଳିଙ୍ଗ ନଗରରେ ବାୟୁ ପ୍ରଦୂଷଣ ୩୦ ପ୍ରତିଶତ ହ୍ରାସ କରିବା ପାଇଁ ଲକ୍ଷ୍ୟ ରଖା ଯାଇଛି। ଶିଳାନୁଷ୍ଠାନ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଜନସାଧାରଣ ସମସ୍ତେ ମିଳିତ ଭାବେ ଏହି ଲକ୍ଷ୍ୟ ହାସଲ ଦିଗରେ ଆଗେଇ ଆସିବାକୁ ବକ୍ତାମାନେ  ଯାଜପୁର ରୋଡ଼  ଠାରେ ଅନୁଷ୍ଠିତ ହୋଇ ଥିବା '' ଜନସାଧାରଣଙ୍କ ସହଯୋଗ ନନ-ଆଟେନମେଣ୍ଟ  ସହର ଗୁଡିକରେ ବାୟୁ ପ୍ରଦୂଷଣ କମାଇବାରେ ସହାୟକ ହେବକି?'' ଶୀର୍ଷକ ସଚେତନତା କର୍ମଶାଳାରେ ଯୋଗ ଦେଇ ମତବ୍ୟକ୍ତ କରିଛନ୍ତି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଚିକାଗୋ ବିଶ୍ୱବଦ୍ୟାଳୟ ସ୍ଥିତ ଏନର୍ଜି ପଲିସି ଇନଷ୍ଟିଟ୍ୟୁଟ ଏବଂ ଟାଟା ଡେଭେଲପମେଣ୍ଟ  ସେଣ୍ଟରର ମିଳିତ ଅନୁକୁଲ୍ୟରେ ଜାତୀୟ ନିର୍ମଳ ବାୟୁ କାର୍ଯ୍ୟକ୍ରମ(ନ୍ୟାସନାଲ କ୍ଲିନ ଏୟାର ପ୍ରୋଗ୍ରାମ) ଅଧୀନରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା।

କାର୍ଯ୍ୟକ୍ରମ ଆରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କଳିଙ୍ଗନଗର କାର୍ଯ୍ୟାଳୟର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରା କହିଥିଲେ ଯେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ବୋର୍ଡ, ଶିଳ୍ପାନୁଷ୍ଠାନ, ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ।   ନନ-ଆଟେନମେଣ୍ଟ ସହର ଗୁଡିକ କିପରି ଚିହ୍ନିତ କରାଯାଏ ଓ ଏହି ସହର ଗୁଡିକରେ ବାୟୁ ପ୍ରଦୂଷଣ ରୋକିବା ପାଇଁ କି କି ପଦକ୍ଷେପ ନିଆ ଯାଉଛି ଏହି ସମ୍ପର୍କରେ ସେ ବିଶେଷ ଆଲୋକପାତ କରିଥିଲେ। ବାୟୁ ପ୍ରଦୂଷଣର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ସମ୍ପର୍କରେ ନିଜ ମତ ରଖି ଅନ୍ୟତମ ବକ୍ତା ଡାକ୍ତର ସୁଧାଂଶୁ ଶେଖର ବଳ କହିଥିଲେ ଯେ ବାୟୁ ପ୍ରଦୂଷଣ ଅନେକ ସ୍ୱାସ୍ଥ୍ୟ ସମସ୍ୟାର କାରଣ ଏବଂ ଏହା ମଣିଷର ହାରାହାରି ପରମାୟୁ କମେଇ ଦେଉଛି। ଶିଶୁ, ବୃଦ୍ଧ ଓ ଗର୍ଭବତୀମାନଙ୍କ କ୍ଷେତ୍ରରେ ଏହି କୁପ୍ରଭାବ ଅଧିକ ପରିଲକ୍ଷିତ ହୋଇଥାଏ  ।

ବାୟୁ ପ୍ରଦୂଷଣ ରୋକିବା ପାଇଁ ଜଣେ ସାଧାରଣ ବ୍ୟକ୍ତି କଣ କରିପାରିବ ସେ ସମ୍ପର୍କରେ ନିଜ ମତ ରଖି ରଘୁନାଥ ଜୀଉ ଡିଗ୍ରୀ ମହାବିଦ୍ୟାଳୟର ପରିବେଶ ବିଜ୍ଞାନ ବିଭାଗୀୟ ମୁଖ୍ୟ ଡଃ ସୁଧାମୟୀ ବେହୁରା କହିଥିଲେ ଯେ ସମ୍ମିଳିତ ଓ ନିରନ୍ତର ପ୍ରଚେଷ୍ଟା ହିଁ ବାୟୁ ପ୍ରଦୂଷଣ ଜନିତ ସ୍ୱାସ୍ଥ୍ୟ ଓ ଅର୍ଥନୈତିକ ସମସ୍ୟାର କୁପ୍ରଭାବକୁ କମାଇବାରେ ସହାୟକ ହେବ । ଜନସଧାରଣ ଏ ବିଷୟରେ ଯେତେ ସଚେତନ ହେବେ ବାୟୁ ପ୍ରଦୂଷଣ ହ୍ରାସ କରିବା ପାଇଁ ଶିଳ୍ପାନୁଷ୍ଠାନ ଓ ନିୟନ୍ତ୍ରକ ସଂସ୍ଥା ସେହି ମାତ୍ରାରେ ଅଧିକ ସକ୍ରିୟ ହେବେ ବୋଲି ସେ ମତ ଦେଇଥିଲେ ।

ଜନସାଧାରଣଙ୍କ ସହଯୋଗ ନନ ଆଟେନମେଣ୍ଟ ସହର ଗୁଡିକରେ ନିର୍ମଳ ବାୟୁର ଚାହିଦା ସୃଷ୍ଟିରେ କିପରି ସହାୟକ ହେବ ସେ ସମ୍ପର୍କରେ ନିଜ ମତ ରଖି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପରିବେଶ ଯନ୍ତ୍ରୀ ଶୁଭଦର୍ଶିନୀ ଦାସ କହିଥିଲେ ଯେ ଜାତୀୟ ନିର୍ମଳ ବାୟୁ ଯୋଜନା ଅଧୀନରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସମନ୍ଵୟରେ ଏହି ସହର ଗୁଡିକରେ ବାୟୁ ପ୍ରଦୂଷଣ ରୋକିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏହା ପାଇଁ ଏୟାର ପଲ୍ୟୁସନ ଏମର୍ଜେନ୍ସି ରେସପନ୍ସ ପ୍ଲାନ ମଧ୍ୟ ପ୍ରସ୍ତୁତ ହୋଇଛି। ଏ ସମସ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନ ଜନସାଧାରଣଙ୍କ ସହଯୋଗ ଓ ବାୟୁ ପ୍ରଦୂଷଣ ସମ୍ପର୍କିତ ସଚେତନତା ଉପରେ ନିର୍ଭର କରେ।

ପ୍ରଦୂଷଣ ଜନିତ ତଥ୍ୟର ସର୍ବଜନୀକରଣ ବାୟୁ ପ୍ରଦୂଷଣ ରୋକିବାରେ ସହାୟକ ହେବ କି ବିଷୟରେ ନିଜ ମତ ରଖି ଚିକାଗୋ ବିଶ୍ୱବଦ୍ୟାଳୟସ୍ଥିତ ଏନର୍ଜି ପଲିସି ଇନଷ୍ଟିଟ୍ୟୁଟର ବରିଷ୍ଠ ଡାଟା ବିଶ୍ଳେଷକ ଜ୍ୟୋତି ରଞ୍ଜନ ନାୟକ କହିଥିଲେ ଯେ ଅତ୍ୟଧିକ ପ୍ରଦୂଷଣ ପ୍ରବଣ ସତର ପ୍ରକାରର ଶିଳ୍ପାନୁଷ୍ଠାନ ଗୁଡିକର ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଓଡିଶା ସରକାର ଷ୍ଟାର ରେଟିଙ୍ଗ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ପ୍ରଦୂଷଣ ଜନିତ ତଥ୍ୟର ସର୍ବଜନୀକରଣ ଜନସାଧାରଣଙ୍କୁ ନିଜ ଅଞ୍ଚଳରେ ଥିବା ଶିଳ୍ପାନୁଷ୍ଠାନ ଗୁଡିକର ପରିବେଶ ପାରଦର୍ଶିତା ସମ୍ପର୍କରେ ସଚେତନ କରାଇବ। ଜନସାଧାରଣ ସଚେତନ ହେଲେ ଏହା ପ୍ରଦୂଷଣକୁ ରୋକିବା ଦିଗରେ ଶିଳ୍ପାନୁଷ୍ଠାନ ଗୁଡିକ ଉପରେ ଚାପ ସୃଷ୍ଟି କରିବାରେ ସହାୟକ ହେବ।

ଏହି କର୍ମଶାଳାରେ ଯାଜପୁର ରୋଡ଼ସ୍ଥିତ ବିଭିନ୍ନ ମହାବିଦ୍ୟାଳୟ ଏବଂ ନ୍ୟାସନାଲ ଇନଷ୍ଟିଟ୍ୟୁଟ ଅଫ ଟେକ୍ନୋଲୋଜିର ଶତାଧିକ ଛାତ୍ର ଛାତ୍ରୀ ଯୋଗଦେଇ ଥିଲେ। କର୍ମଶାଳାର ଶେଷରେ ବକ୍ତାମାନେ ଛାତ୍ର ଛାତ୍ରୀମାନଙ୍କ ବାୟୁ ପ୍ରଦୂଷଣ ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଚିକାଗୋ ବିଶ୍ୱବଦ୍ୟାଳୟ ସ୍ଥିତ ଏନର୍ଜି ପଲିସି ଇନଷ୍ଟିଟ୍ୟୁଟର କମ୍ୟୁନିକେସନ ଏବଂ ଆଉଟରିଚ ସଂଯୋଜକ ପରଂବ୍ରହ୍ମ ତ୍ରିପାଠୀ ସଭାକାର୍ଯ୍ୟ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault