କେନ୍ଦ୍ରାପଡ଼ା:୨୪/୦୬(ପ୍ରଫୁଲ୍ଲ କୁମାର ମଲ୍ଲ) ବହୁ ଚର୍ଚ୍ଚିତ ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲି ଓଝା ଆଜି ନିଜ ସମର୍ଥକମାନଙ୍କ ସହ କେନ୍ଦ୍ରାପଡ଼ା ଏସ୍ପି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ନ୍ୟାୟ ଦାବି କରିଛନ୍ତି। ଏହା ପୂର୍ବରୁ ସେ ଏକ ରାଲିରେ ଆସି ନିଜ ସମର୍ଥକଙ୍କ ସହ ଏସ୍ପି ଅଫିସ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଚାମେଲି ଓଝାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସହ ଘଟିଥିବା ଘଟଣାରେ ମହାକାଳପଡ଼ା ବ୍ଲକର ବିଡିଓ ଏବଂ ସ୍ଥାନୀୟ ଥାନାର ଆଇଆଇସିଙ୍କ ବିରୋଧରେ ଯଥୋଚିତ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ସେମାନଙ୍କ ବିରୋଧରେ ତଦନ୍ତ ସହ କଠୋର ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।ଏହା ସହ ଘଟଣା ସମ୍ପର୍କିତ ଏତଲାରେ ନାମ ଥିବା ଆଉ ୫ ଜଣ ବ୍ୟକ୍ତିଙ୍କୁ ପୋଲିସ୍ ଏପର୍ଯ୍ୟନ୍ତ ଗିରଫ କରିନଥିବା ନେଇ ମଧ୍ୟ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅଭିଯୁକ୍ତମାନଙ୍କ ଗିରଫଦାରୀ ଓ ନିରପେକ୍ଷ ତଦନ୍ତ ଦାବିରେ ସେ ଏହି ଧାରଣା କାର୍ଯ୍ୟକ୍ରମ କରିଥିବା କହିଛନ୍ତି।
ଧାରଣା ସ୍ଥଳରେ ବହୁ ସଂଖ୍ୟାରେ ମହିଳା ଓ ସମର୍ଥକମାନେ ଉପସ୍ଥିତ ଥିଲେ। ସେମାନେ ବ୍ୟାନର ଓ ପ୍ଲାକାର୍ଡ ଧରି ନ୍ୟାୟ ଦାବିରେ ସ୍ଲୋଗାନ ଦେଇଥିଲେ। ଏହି ଘଟଣାକୁ ନେଇ ଜିଲ୍ଲାରେ ପୁଣିଥରେ ରାଜନୈତିକ ଓ ସାମାଜିକ ଚର୍ଚ୍ଚା ଜୋର ଧରିଛି।
ପୋଲିସ୍ ପକ୍ଷରୁ ଏହି ଦାବି ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ପ୍ରତିକ୍ରିୟା ମିଳିନାହିଁ। ତେବେ ଘଟଣାର ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।
ରାଜ୍ୟ
ଏସ୍ପି ଅଫିସ୍ ଆଗରେ ସରପଞ୍ଚ ଚାମେଲି ଓଝାଙ୍କ ଧାରଣା, ନ୍ୟାୟ ଦାବିରେ ବିକ୍ଷୋଭ ।
- Hits: 15







