ହେଡଲାଇନସ୍:

ପିଲାଙ୍କ ପଇସା ବି ଖାଇଯିବେ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଏଫଏମ କଲେଜ ଖେଳ ପଡିଆ ନିର୍ମାଣରେ ଦୁର୍ନୀତି ଅଭିଯୋଗ

ପଙ୍କମାଟି ପକାଇ ୬୮ଲକ୍ଷ ଚଳୁ ଉଦ୍ୟମ

18-03-18-FM-College-Field-1.png - 700.19 kB

ବାଲେଶ୍ୱର,ଉଜ୍ଜ୍ୱଳ କର : ଜିଲ୍ଲାର ସର୍ବପୁରାତନ କଲେଜ ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳ ପଡ଼ିଆ ପୁନରୁଦ୍ଧାରରେ ନିମ୍ନମାନର କାର୍ଯ୍ୟକୁ ନେଇ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇଛି । ପୂର୍ତ୍ତ ବିଭାଗ ଅଧିକାରୀ ଏବଂ ଠିକାଦାରଙ୍କ ଅସାଧୁ ସମ୍ପର୍କର ପ୍ରତିଫଳନ ଭାବେ ଏହି ପ୍ରକଳ୍ପରୁ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍ କରାଯାଉଥିବା ପୁରାତନ ଛାତ୍ରସଂସଦ ପକ୍ଷରୁ ଅଭିଯୋଗ ହୋଇଛି । ଯେନତେନ ପ୍ରକାରେଣ କାମଚଳା କାର୍ଯ୍ୟ କରି ଲକ୍ଷାଧିକ ଟଙ୍କା ହଡପ ପାଇଁ ଉଦ୍ୟମ ଜାରି ରହିଛି ବୋଲି ପୁରାତନ ଛାତ୍ରସଂସଦର ସଦସ୍ୟମାନେ ଆରୋପ କରିଛନ୍ତି । ତେବେ ୨୦୧୭ ଛାତ୍ରସଂସଦ ନିର୍ବାଚନ ପୂର୍ବରୁ ରାଜ୍ୟ ଉଚ୍ଚଶିକ୍ଷାମନ୍ତ୍ରୀ ତଥା କଲେଜର ପୁରାତନ ଛାତ୍ର ଅନନ୍ତ ଦାସ ଖେଳପଡିଆକୁ ଏକ ମିନି ଷ୍ଟାଡିଅମ୍ରେ ପରିଣତ କରିବା ପାଇଁ ଘୋଷଣା କରିଥିଲେ । ସେହିକ୍ରମରେ ଚଳିତ ବର୍ଷ ଫେବୃଆରୀ ମାସ ୨୧ ତାରିଖରେ ଶିକ୍ଷାମନ୍ତ୍ରୀଙ୍କ ସହିତ ସଦର ବିଧାୟକ ଜୀବନ ପ୍ରଦୀପ ଦାଶ ଖେଳପଡିଆର ପୁନରୁଦ୍ଧାର ପାଇଁ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଏଥିପାଇଁ ସର୍ବମୋଟ ୬୮ଲକ୍ଷ ଟଙ୍କା ଅନୁଦାନ ରାଜ୍ୟସରକାରଙ୍କ ପକ୍ଷରୁ ମଞ୍ଜୁର ହୋଇଥିଲା ।  ପୂର୍ତ୍ତ ବିଭାଗ ଦ୍ୱାରା ଏହି କାର୍ଯ୍ୟ ସମ୍ପାଦନ ହେଉଅଛି । ପଡିଆରେ ଭଲ ମାଟି ପକାଇ ସମତୁଲ ସହ ଏହାକୁ ଖେଳ ଉପଯୋଗୀ କରିବା ନିମନ୍ତେ କାର୍ଯ୍ୟାଦେଶରେ ସ୍ପଷ୍ଟ ନିର୍ଦ୍ଦେଶ  ରହିଛି । ମାତ୍ର କାର୍ଯ୍ୟାଦେଶ ପାଇଥିବା ଠିକାଦାର ଜଣକ ଭଲମାଟି ପ୍ରତିବଦଳରେ ଅତ୍ୟନ୍ତ ନିମ୍ନମାନର ପଙ୍କମାଟି ପକାଇ ଚାଲିଛନ୍ତି ବୋଲି ପୁରାତନ ଛାତ୍ର ପରିଷଦ ଆରୋପ ଉଠାଇଛି । ତେବେ ଏନେଇ ସମ୍ବାଦ ବିଭିନ୍ନ ମହଲରେ ଅଭିଯୋଗ ହେବା ପରେ ଠିକଦାର ଜଣକ ପଙ୍କୁଆ ମାଟି ଉପରେ କିଛି ଭଲମାଟି ପକାଇ ନିଜର ଦୋଷ ଲୁଚାଇବାକୁ ଉଦ୍ୟମ କରିଥିବା କୁହାଯାଉଛି । ଠିକାଦାର ପକାଉଥିବା ମାଟିରେ ଲୁଣା ଅଂଶ ରହିଥିବା ବେଳେ ଏବଂ ପଙ୍କୁଆ ହୋଇଥିବାରୁ ତାହା ଖେଳ ପଡିଆ ପାଇଁ ଆଦୌ ଉପଯୁକ୍ତ ନୁହେଁ ବୋଲି କହିଛନ୍ତି ପୁରାତନ ଛାତ୍ରମାନେ । ପୂର୍ତ୍ତ ବିଭାଗ ଯନ୍ତ୍ରୀ ମାଟିର ମାନ ପ୍ରତି ଗୁରୁତ୍ୱ ନଦେବା ଯୋଗୁଁ  ଏହି କାର୍ଯ୍ୟର ସୁଫଳ ମିଳିବ ନାହିଁ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି । ପଙ୍କୁଆମାଟିକୁ ସମ୍ପୂର୍ଣ୍ଣ ଭାବେ ଉଠାଇ ନିଆଯାଇ ଭଲ ମାଟି ପକାଇବାକୁ ଦାବି କରାଯାଇଛି । ଏନେଇ ଉଚିତ ପଦକ୍ଷେପ ନିଆ ନଗଲେ ଆଗାମୀ ଦିନରେ କାର୍ଯ୍ୟ ବନ୍ଦ କରାଯିବ ବୋଲି ପୁରାତନ ଛାତ୍ର ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି । ତେବେ ଏନେଇ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରାଯାଇଥିଲେ ବି ସେ କିଛି କହିବାକୁ ଅନିଚ୍ଛା ପ୍ରକାଶ କରିଥିଲେ

0
0
0
s2sdefault