ସରକାର ମୋତେ ରୋଜଗାର ଦିଅ : ଭଞ୍ଜସେନା ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(Dillip Mohanty)- ବାରିପଦା(ଦିଲ୍ଲୀପ ମହାନ୍ତି):  ଭଞ୍ଜସେନା ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସରକାର ମୋତେ ରୋଜଗାର ଦିଅ ଦାବିରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସେନାର ଜିଲ୍ଲା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ଶତାଧିକ କର୍ମକର୍ତ୍ତା, ସଦସ୍ୟ ଓ ସମର୍ଥକମାନେ ଏକ ଶୋଭା ଯାତ୍ରାରେ ସରକାର ମୋତେ ରୋଜଗାର ଦିଅ ନାରା ଦେଇ ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉପସ୍ଥିତ ହୋଇଥିଲେ । ଏହାପରେ ଆୟୋଜିତ କାର୍ଯ୍ୟକ୍ରମରେ ସେନାର ଜିଲ୍ଲା ସଭାପତି ଶ୍ରୀମାଇତି ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ସହ ଜିଲ୍ଲାରେ ଥିବା ସମସ୍ତ ପର୍ଯ୍ୟଟନ ସ୍ଥଳୀର ବିକାଶ, ବନ୍ୟ ଜାତ ଦ୍ରବ୍ୟର ଉଚିତ ବ୍ୟବସାୟୀକରଣ କରାଇ ବେକାରୀ ମୁକ୍ତ ମୟୂରଭଞ୍ଜ ଗଠନ ଦାବି ଉପସ୍ଥାପନ କରାଇଥିଲେ । ଏଥି ସହିତ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମୟୂରଭଞ୍ଜ ଜିଲ୍ଲାପ୍ରତି ରହିଥିବା ବୈମାତୃକ ମନୋଭାବକୁ ତୀବ୍ର ସମାଲୋଚନା କରିଥିଲେ । ୨୦୧୯ରେ  ମୁଖ୍ୟମନ୍ତ୍ରୀ ନବୀନ ତାଙ୍କର ପଞ୍ଚମ ପାଳି ଆରମ୍ଭ କରିଛନ୍ତି । ମାତ୍ର ତାଙ୍କର ଶାସନରେ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା କରାଇବା ଦୂରର କଥା ଅତୀତରେ କଂଗ୍ରେସ ସରକାରଙ୍କ ସମୟରେ ପ୍ରତିଷ୍ଠା କରାଯାଇଥିବା କାରଖାନାକୁ ନିଜର ପରିଚାଳନାଗତ ଅପାରଗତା କାରଣରୁ ତାଲା ଝୁଲାଇ ଦେଲେ । ଆଜି ଜିଲ୍ଲାରେ ବେକାରୀ ସମସ୍ୟା ଉକ୍ରଟ ରୂପ ଧାରଣ କରିଛି । ଜିଲ୍ଲାରେ କାଗଜ କଳ ପ୍ରତିଷ୍ଠା  ନିମନ୍ତେ ଆବଶ୍ୟକ ପରିମାଣର କଞ୍ଚାମାଲ ଗଚ୍ଛିତ ରହିଥିବାରୁ ସେନା ବିଭିନ୍ନ ସମୟରେ ଏଥି ନିମନ୍ତେ ଦାବି ଉପସ୍ଥାପନ କରିଆସୁଥିଲେ ମଧ୍ୟ ସରକାର ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ । ସେହିପରି ମୟୂରଭଞ୍ଜ ଜିଲ୍ଲା ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ହୋଇଥିବା ବେଳେ ସରକାର ପର୍ଯ୍ୟଟନ ଶିଳ୍ପର ବିକାଶ କରାଇ ପାରିଲେ ଜିଲ୍ଲାବାସୀଙ୍କ ଆର୍ଥିକ ମାରୁଦଣ୍ଡ ସୁଦୃଢ଼ ହୋଇପାରିବ । କିନ୍ତୁ ରାଜ୍ୟ ସରକାର ମୟୂରଭଞ୍ଜ ଜିଲ୍ଲା ପ୍ରତି ବୈମାତୃକ ମନୋଭାବ ପୋଷଣ ଫଳରେ ଜିଲ୍ଲାରେ ହଜାର ହଜାର ଶିକ୍ଷିତ ଯୁବକ ଯୁବତୀ ବେରୋଜଗାର ହୋଇ ଘୁରିବୁଲୁଛନ୍ତି । ସେହିପରି କେନ୍ଦ୍ର ସରକାର ନବ ଓଡ଼ିଶା ନିର୍ମାଣର ବିକାଶର ସୂର୍ଯେ୍ୟାଦର ମୟୂରଭଞ୍ଜ ଜିଲ୍ଲାରୁ ଆରମ୍ଭ ହେବାର ପ୍ରତିଶ୍ରୁତି  ସହ ଡ଼ବଲ ଇଞ୍ଜିନ ନାରା ଦେଇ ୨୦୧୯ ନିର୍ବାଚନରେ ଅବତ୍ତୀର୍ଣ୍ଣ ହୋଇଥିଲେ । ମୟୂରଭଞ୍ଜବାସୀ ବିଜେପିକୁ ଡ଼ବଲ ସ୍ଥାନରେ ଟ୍ରିପିଲ ଇଞ୍ଜନ ଦେଇଛନ୍ତି । ୫୬ ଜିଲ୍ଲାପରିଷଦ ଅସନ ମଧ୍ୟରୁ ବିଜେପି ୪୮ ଆସନରେ ଜିତି ଥିବା ବେଳେ ଜିଲ୍ଲାର ୯ ବିଧାନସଭା ଆସନରୁ ୬ ଓ ମୟୂରଭଞ୍ଜ ଲୋକସଭା ଆସନକୁ ମଧ୍ୟ ଦଖଲ କରିଛି । ମାତ୍ର ଜିଲ୍ଲାରେ ବିକାଶର ଛାପ ଦେଖିବାକୁ ମିଳୁ ନାହିଁ କିମ୍ବା ନିର୍ବାଚିତ ବିଧାୟକ, ସାଂସଦମାନେ ଜିଲ୍ଲାର ସାମଗ୍ରିକ ବିକାଶ ନିମନ୍ତେ ଉଭୟ ବିଧାନସଭା ଓ ଲୋକସଭାରେ ଦାବି ଉପସ୍ଥାପନ କରାଇବା କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି । 

             ତେଣୁ ମୟୂରଭଞ୍ଜ ଜିଲ୍ଲାର ହକ ଓ ସ୍ୱାଭିମାନ ନିମନ୍ତେ ସଦାସର୍ବଦା ସଂଗ୍ରାମ ଚଳାଇ ଆସୁଥିବା ଭଞ୍ଜସେନା ଆଜି ଆନେ୍ଦାଳନକୁ ଉହ୍ଲାଇ ଆସିବାକୁ ବାଧ୍ୟ ହୋଇଛି । ଯଦି କେନ୍ଦ୍ର ଓ ରାଜ୍ୟ ସରକାର ଚଳିତ ବଜେଟ ଅଧିବେଶନରେ ମୟୂରଭଞ୍ଜ ଜିଲ୍ଲାର ସାମଗ୍ରିକ ବିକାଶ ସହ ବେକାରୀ ସମସ୍ୟା ଦୂର କରାଇବା ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜର ବ୍ୟବସ୍ଥା ନ କଲେ ଆଗାମୀ ଦିନରେ ସେନା ତାର ଆନ୍ଦୋଳନକୁ ଅଧିକ ତୀବ୍ର କରାଇ ରାଜ୍ୟ ସରକାରଙ୍କ ଶାସନକଳ ଓ କେନ୍ଦ୍ର ସରକାରଙ୍କ ୫୬ ଇଞ୍ଜ ଛାତିକୁ ଦୋହଲାଇ ଦେବ । ମୟୂରଭଞ୍ଜ ଜିଲ୍ଲାରେ ଉଭୟ ସରକାରଙ୍କୁ ବିରୋଧ କରାଯିବା ସାଙ୍ଗକୁ ଜିଲ୍ଲା ମଧ୍ୟରେ ପ୍ରବେଶ କରାଇ ଦେବେ ନାହିଁ ବୋଲି ବକ୍ତାମାନେ ମତ ବକ୍ତ କରିଥିଲେ । ଆଜିର ଏହି ବିକ୍ଷୋଭ ଓ ଗଣଧାରଣା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ପରିବେଶବିତ ସଂଯୁକ୍ତା ବସା ଓ ଭାନୁମିତ୍ର ଆଚାର୍ଯ୍ୟ ପ୍ରମୁଖଙ୍କ ସହ ସେନାର ଯୁବଛାତ୍ର ସଂଯୋଜକ ରାକେଶ ବେହେରା, ଉପଖଣ୍ଡ ସଭାପତି ସାମନ୍ତ ଶେଖର ପାଲ, ନିମାଇଁ ତ୍ରିପାଠୀ, ପ୍ରଶାନ୍ତ ମହାକୁଡ଼, ସମ୍ପାଦକ ରାକେଶ ମହାନ୍ତି, ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି, ସହର ସଭାପତି ସୌମ୍ୟରଞ୍ଜନ ମିଶ୍ର, ଏସକେ ରାଜା ଖାନ୍, ଅମରେଶ ସିଂ, ଆଲୋକ ବେହେରା, ମୁକ୍ତିଦତ୍ତ ପରିଡ଼ା, ଅଭିଶେକ ବେହେରା, ଛାତ୍ର ନେତା ମନୋଜ ସାହୁ, ଆକାଶ କାମିଳା, ସୌମ୍ୟ ରଞ୍ଜନ ସାହୁ, ପଙ୍କଜ କରଣ, ମନୋଜ ପାତ୍ର, ସଞ୍ଜୟ ମହାନ୍ତ, ଦେବାଶିଷ ନାୟକ, ଏମଡ଼ି ଇସ୍ରାୟଲ, ରଞ୍ଜନ ସିଂ, ଆଶିଷ ମଙ୍ଗରାଜ ପ୍ରମୁଖ ଶତାଧିକ କର୍ମକର୍ତ୍ତା, ସଦସ୍ୟ ଓ ସମର୍ଥକ ଯୋଗ ଦେଇଥିଲେ । 

 

 

 

 

 

 

 

 

 

0
0
0
s2sdefault