ହେଡଲାଇନସ୍:

ସରିଲା ଭାଷା ସାହିତ୍ୟର ମହାକୁମ୍ଭ :  ଭିନ୍ନ ଛାପ ଓ ବାର୍ତ୍ତା ସହ ସୋଆ ସାହିତ୍ୟ ଉତ୍ସବ ଉଦଯାପିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସାଧାରଣ ଲୋକ କବିତାକୁ ବୁଝି ନପାରିଲେ ତାହା ମୂଲ୍ୟହୀନ : ରମାକାନ୍ତ 

"ସୋଆ ସାହିତ୍ୟ ଉତ୍ସବ ଶବ୍ଦ ଏବଂ ବିଚାରଧାରାର ଉତ୍ସବ"

ଭୁବନେଶ୍ୱର,(ଶାସକ ପ୍ରଶାସକ) : କବିତାକୁ ସାଧାରଣ ପାଠକଙ୍କ ମଧ୍ୟରେ ବ୍ୟାପକ କରିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ କରିଛନ୍ତି ବିଶିଷ୍ଟ କବି ଡଃ ରମାକାନ୍ତ ରଥ । ଦୁଇ ଦିନିଆ ପ୍ରଥମ ସୋଆ ସାହିତ୍ୟ ଉତ୍ସବରେ ପ୍ରାୟ ୧୦୦ ଜଣ ଲେଖକ, କବି, ଭାଷାକାର ଓ ସମାଲୋଚକ ଯୋଗ ଦେଇଥିବା ବେଳେ ରବିବାର ଏହାର ଉଦ୍ଯାପନୀ ସନ୍ଧ୍ୟାରେ ଏଭଳି ମତ ରଖିଛନ୍ତି ଡଃ ରଥ । 

ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ସୋଆ ସାହିତ୍ୟ ଉତ୍ସବର ଉଦଯାପନୀ ସନ୍ଧ୍ୟାରେ ଯୋଗ ଦେଇ ଡଃ ରଥ କହିଥିଲେ ଯେ ଯେଉଁ କବିତା ଦୁର୍ବୋଧ୍ୟ ଓ ଯାହା ବୁଝି ହୁଏନି ତାକୁ ଭଲ କବିତା ଭାବେ ପ୍ରଶଂସା ମିଳୁଛି ଏହା ଠିକ୍ ନୁହେଁ ।  ଏହି ପ୍ରଖ୍ୟାତ କବି କହିଥିଲେ ଯେ କବିଟିଏ କବିତା ଲେଖିଲା ବେଳେ ଏହା ଯେପରି ସମସ୍ତେ ବୁଝିପାରିବେ ସେ ବିଷୟରେ ଲକ୍ଷ୍ୟ ରଖିବା ଦରକାର । ନଚେତ କବିତା ଅର୍ଥହୀନ ହୋଇପଡ଼ିବ । 

ଏହି ଉତ୍ସବରେ ଡଃ ରଥଙ୍କ ସହିତ ଓଡ଼ିଆ ସାହିତ୍ୟ ଜଗତର ବିଶିଷ୍ଟ ରଥୀ ତଥା ଜ୍ଞାନପୀଠ ପୁରସ୍କାର ବିଜେତା ଡଃ ସୀତାକାନ୍ତ ମହାପାତ୍ର ଏବଂ ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ତଥା ଔପନ୍ୟାସିକ ଡଃ ବିଭୁତି ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ । ସୋଆ କୁଳପତି ପ୍ରଫେସର ଆର୍. କେ. ଚୌହାନ ଉଦ୍ଯାପନୀ  କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ବିଶିଷ୍ଟ ଗୁଜୁରାଟି କବି ସିତାଂଶୁ ୟଶଶ୍ଚନ୍ଦ୍ର ଶନିବାର ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ରଖିଥିବାବେଳେ ଭାରତୀୟ ଭାଷା ଓ ସାହିତ୍ୟରେ ଟିକିନିକି ପ୍ରଶ୍ନ କରିବା ଏବଂ ଆଲୋଚନାର ପରିସରକୁ ଅଧିକ ଉନ୍ମୁକ୍ତ କରିବାର ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ । 

“ଆମ ଚତୁର୍ଦ୍ଦିଗର ଘଟଣା ପ୍ରବାହକୁ ଲକ୍ଷ୍ୟ କଲେ ଏହି ପରିସର ସଂକୁଚିତ ହୋଇଗଲା ଭଳି ଲାଗୁଛି । ତେବେ ଆମ ସମୟର ସମସ୍ୟା ଓ ଆମ ସାହିତ୍ୟିକମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ ପ୍ରତି ଦୃଷ୍ଟି ଆକର୍ଷିତ ହେବା ଆବଶ୍ୟକ” ବୋଲି ସେ କହିଥିଲେ । ଡଃ ୟଶଶ୍ଚନ୍ଦ୍ର କହିଲେ ଯାହା ଆକର୍ଷିତ କରୁଛି ତାହା ବିଶ୍ୱାସଯୋଗ୍ୟ ବୋଲି ପ୍ରତିପାଦିତ କରାଯାଉଛି ଯଦିଓ ଯାହାକୁ ‘ଚମତ୍କାର’ ଓ ‘ଚିତାକର୍ଷକ’ ବୋଲି କୁହାଯାଉଛି ତାହା ‘ଯୁକ୍ତିଯୁକ୍ତ’ ଓ ‘ଗୁରୁତ୍ୱପୂର୍ଣ୍ଣ’ ନୁହେଁ । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଚଳିତବର୍ଷ ମର୍ଯ୍ୟାଦାସମ୍ପନ୍ନ ସରସ୍ୱତୀ ସମ୍ମାନ ପାଇଁ ମନୋନୀତ ହୋଇଥିବା ବିଶିଷ୍ଟ ସିନ୍ଧି କବି ଡଃ ଭାସଦେବ ମୋହି ଏବଂ ବିଶିଷ୍ଟ ଲେଖକ ଡଃ ଜ୍ଞାନେଶ୍ୱର ମୁଲେ ମଧ୍ୟ ନିଜର ବକ୍ତବ୍ୟ ରଖିଥିଲେ । 

ସୋଆ ସାହିତ୍ୟ ଉତ୍ସବକୁ ‘ଶବ୍ଦ ଏବଂ ବିଚାରଧାରାର ଉତ୍ସବ ଭାବେ ଅବିହିତ କରାଯାଇଥିବା ବେଳେ ଏହି ଉତ୍ସବ ବେଶ ସଫଳ ହୋଇଛି ବୋଲି କହିଛନ୍ତି ବିଶିଷ୍ଟ ହିନ୍ଦୀ କବି ଏବଂ ସାମ୍ବାଦିକ ଶ୍ରୀ କୁଲ୍ଦୀ କୁମାର । ଅନ୍ୟ ଗଣମାଧ୍ୟମ ଏବଂ ସାହିତ୍ୟ ଉତ୍ସବଗୁଡ଼ିକରେ ବିଶିଷ୍ଟ ବ୍ୟକ୍ତିମାନଙ୍କୁ କେନ୍ଦ୍ର କରି ଉତ୍ସବ ପାଳନ କରାଯାଉଥିବା ବେଳେ ସୋଆ ସାହିତ୍ୟ ଉତ୍ସବ ଭାରତୀୟ ଭାଷା ଓ ସାହିତ୍ୟକୁ ନେଇ କେନ୍ଦ୍ରିତ ବୋଲି ସେ କହିଥିଲେ । 

ଏହି ଦୁଇ ଦିନିଆ ସାହିତ୍ୟ ଉତ୍ସବରେ ୨୭ଟି ସାହିତ୍ୟ କର୍ମଶାଳା ଅନୁଷ୍ଠିତ  ହୋଇଥିବା ବେଳେ ପୁରାତନ ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ, ପ୍ରଚାର ଓ ପୁନରୁଦ୍ଧାର କରିବା ଉଦ୍ଦେଶ୍ୟରେ ସୋଆରେ ଆରମ୍ଭ ହୋଇଥିବା ପ୍ରାଚୀନ୍ (ସେଂଟର ଫର ପ୍ରିଜରଭେସନ, ପ୍ରୋପାଗେସନ ଆଣ୍ଡ ରେଷ୍ଟୋରେସନ ଅଫ ଆନସିଏଂଟ୍ ଇଣ୍ଡିଆନ୍ କଲଚର ଆଣ୍ଡ ହେରିଟେଜ୍)  ପକ୍ଷରୁ ଏହି ସାହିତ୍ୟ ଉତ୍ସବର ଆୟୋଜନ କରାଯାଇଥିଲା । 

“ଏହା ଆମ ପାଇଁ ଏକ ନୂଆ ଅନୁଭୂତି ଓ ଏହି ସଫଳତା ଆଗକୁ ଆମକୁ ଅଧିକ ପ୍ରଭାବିତ କରିବ ବୋଲି କହିଛନ୍ତି "ପ୍ରାଚୀନ୍"ର  ମୁଖ୍ୟ ଡଃ ଗାୟତ୍ରୀ ପଣ୍ଡା । 

ଚଳିତ ବର୍ଷ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଦୁଇ ବିଶିଷ୍ଟ ସାହିତି୍ୟକ ଶ୍ରୀ ତରୁଣକାନ୍ତି ମିଶ୍ର ଏବଂ ଶ୍ରୀ କାଳୀ ଚରଣ ହେମ୍ବ୍ରମଙ୍କୁ ଏହି ସାହିତ୍ୟ ଉତ୍ସବରେ ସୋଆ କୁଳପତି ପ୍ରଫେସର ଚୈାହନ୍ ସମ୍ବର୍ଦ୍ଧିତ କରିଥିଲେ ।  ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ମିଶ୍ର ତାଙ୍କ ପୁସ୍ତକ ‘ଭାସ୍ୱତୀ’ ପାଇଁ ଚଳିତବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ନିମନ୍ତେ ମନୋନୀତ ହୋଇଥିବା ବେଳେ ଶ୍ରୀ ହେମ୍ବ୍ରମ୍ ସାନ୍ତାଳୀ ଭାଷାରେ ତାଙ୍କ ପୁସ୍ତକ ‘ଶିଶିରଜାଲି’ ପାଇଁ ମନୋନୀତ ହୋଇଛନ୍ତି ।

ଏହି ଉତ୍ସବରେ ସାହିତ୍ୟ ଜଗତର ବିଶିଷ୍ଟ ବ୍ୟକ୍ତି ବିଶେଷ କବି ଶ୍ରୀ ଜୟନ୍ତ ମହାପାତ୍ର, ଡଃ ବିକ୍ରମ ସମ୍ପତ, ଶ୍ରୀ ଏଚ୍.ଏସ୍ ଶିବପ୍ରକାଶ, ଶ୍ରୀ ଜୟନ୍ତ ପାରମାର, ଡଃ ରିତାନାଥ କେଶରୀ, ଶ୍ରୀ ଅରୁଣ କମଲ୍, ଶ୍ରୀ ବ୍ରଜେନ୍ଦ୍ର ତି୍ରପାଠୀ, ଶ୍ରୀ ଏ.ଜେ ଥୋମାସ୍, ଶ୍ରୀ ଉଦୟନ୍ ବାଜପେୟୀ, ଶ୍ରୀ ଅମନଦୀପ୍ ସାନ୍ଧୁ, ଶ୍ରୀମତି ଯଶୋଧାରା ରାୟଚୌଧୁରୀ, ଶ୍ରୀ ହରପ୍ରସାଦ ଦାସ, ଡଃ ରାଜେନ୍ଦ୍ର ପ୍ରସାଦ ମିଶ୍ର, ଡଃ ରାନୁ ଉନିଆଲ୍, ଶ୍ରୀ ରାଜେନ୍ଦ୍ର କିଶୋର ପଣ୍ଡା, ଡଃ ସୌଭାଗ୍ୟ କୁମାର ମିଶ୍ର, ଶ୍ରୀ ରାଜେଶ ପ୍ରଭାକର ପାଟିଲ, ଶ୍ରୀ କୁଲ୍ଦୀ କୁମାର, ଶ୍ରୀ କୁମାର ଅନୁପମ୍, ଶ୍ରୀ କେ.ଆର୍. ମୀରା, ଶ୍ରୀ ନିର୍ମଳକାନ୍ତି ଭଟ୍ଟାଚାର୍ଯ୍ୟ, ଶ୍ରୀ ଅଶୋକ ମହେଶ୍ୱରୀ, ଡଃ ଲିପିପୁଷ୍ପା ନାୟକ, ପ୍ରଫେସର ଅମିତ୍ ରଞ୍ଜନ ଓ ଶ୍ରୀମତୀ  ପାରମିତା ଶତପଥୀଙ୍କ ସମେତ ଅନେକ ଲେଖକ ଲେଖିକା ଯୋଗ ଦେଇଥିଲେ ।

 

 

0
0
0
s2sdefault