୧ରୁ ଭୁବନେଶ୍ୱରରେ ଆରମ୍ଭ ହେବ "ଭାଷା ସାହିତ୍ୟର ମହାକୁମ୍ଭ"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ସୋଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ହେଉଛି "ସୋଆ ସାହିତ୍ୟ ଉତ୍ସବ"

୨ ଦିନ ଭିତରେ ଅନୁଷ୍ଠିତ ହେବ ୨୬ ଅଧିବେଶନ, ଭାଷା ସାହିତ୍ୟ ଉପରେ ହେବ ମାନସ ମନ୍ଥନ 

ଭୁବନେଶ୍ୱର, (ଶାସକ ପ୍ରଶାସକ) : ଭୁବନେଶ୍ୱରରେ ଅନୁଷ୍ଠିତ ହେବ ସାହିତ୍ୟର ମହାକୁମ୍ଭ | ରାଜ୍ୟ ତଥା ଦେଶର ପ୍ରଥିତଯଶା ସାରସ୍ୱତ ସାଧକଙ୍କୁ ହେବେ ଅପୂର୍ବ ସଙ୍ଗମ | ବହିବ ଭାଷା ସାହିତ୍ୟର ଫଲଗୁ ଧାରା | ଆଉ ଦେଶର ବିଶିଷ୍ଟ ସାହିତ୍ୟିକ ଓ କବି ମାନଙ୍କୁ ଏକତ୍ରିତ ହେବାର ମହାର୍ଘ୍ୟ ଅବସର ସୃଷ୍ଟି କରିବାକୁ ଯାଉଛି ସୋଆ ସାହିତ୍ୟ ଉତ୍ସବ (ସୋଆ ଲିଟେରାରୀ ଫେଷ୍ଟିଭାଲ୍)ରେ । ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଥମଥର ପାଇଁ ଆୟୋଜିତ ହେବାକୁ ଥିବା ଏହି ସାହିତ୍ୟ ଉତ୍ସବରେ ମାନସ ମନ୍ଥନ ହେବ  ସାମ୍ପ୍ରତିକ ପରିସ୍ଥିତିରେ ଭାରତୀୟ ଭାଷା ଓ ସାହିତ୍ୟ ସ୍ଥିତି, ଗତି ଆଉ ପ୍ରଗତି ସମ୍ପର୍କରେ  । 

ଦେଶର ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଶିକ୍ଷା ଓ ଅନୁସନ୍ଧାନ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ସାହିତ୍ୟର ମହାପର୍ବରେ ବିଖ୍ୟାତ ଲେଖକ, ଗାଳ୍ପିକ, କବି, ଔପନ୍ୟାସିକ,ସମାଲୋଚକ, ଐତିହାସିକ ଅନୁବାଦକ ଓ ଭାଷ୍ୟକାର ମାନେ ଏକତ୍ରିତ ହୋଇ ମତ ବିନିମୟ କରିବେ । ଏହି ପରିପ୍ରେକ୍ଷୀରେ ସୋଆ କୂଳପତି ପ୍ରଫେସର ଆର. କେ. ଚୌହାନ କହିଛନ୍ତି ଯେ ଯଦିଓ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସାମାଜିକ ଉନ୍ନତି କ୍ଷେତ୍ରରେ ପ୍ରକୃଷ୍ଟ ମାଧ୍ୟମ ଏହା କଳା ସଂସ୍କୃତି ଓ ସାହିତ୍ୟର ସୁରଭି ମଧ୍ୟରେ ହେବା ଆବଶ୍ୟକ । 

ପୁରାତନ ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ, ପ୍ରଚାର ଓ ପୁନରୁଦ୍ଧାର କରିବା ଉଦ୍ଦେଶ୍ୟରେ  ସୋଆରେ ଆରମ୍ଭ ହୋଇଥିବା ପ୍ରାଚୀନ୍ (ସେଣ୍ଟର  ଫର ପ୍ରିଜରଭେସନ, ପ୍ରୋପାଗେସନ ଆଣ୍ଡ ରେଷ୍ଟୋରେସନ ଅଫ ଆନସିଏଣ୍ଟ  କଲଚର ଆଣ୍ଡ ହେରିଟେଜ୍) କେନ୍ଦ୍ର ଦ୍ୱାରା ଏହା ଆୟୋଜନ କରାଯାଇଛି । 

ଗବେଷଣା, କର୍ମଶାଳା ଓ ସମ୍ମିଳନୀ ମାଧ୍ୟମରେ ଭାରତୀୟ କଳା ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର କରିବା ସହିତ ପୁରାତନ ସାହିତ୍ୟର ପୁନଃ ପ୍ରକାଶ କରିବା ଓ ଡିଜିଟାଇଜେସନ ମାଧ୍ୟମରେ ଭବିଷ୍ୟତ ପିଢ଼ିପାଇଁ ସଂରକ୍ଷଣ କରିବା ହେଉଛି ପ୍ରାଚୀନର ଉଦ୍ଦେଶ୍ୟ ବୋଲି କହିଛନ୍ତି କେନ୍ଦ୍ରର ମୁଖ୍ୟ  ଡଃ ଗାୟତ୍ରୀବାଳା ପଣ୍ଡା । 

ଏହି ସାହିତ୍ୟ ଉତ୍ସବରେ ସାରା ଦେଶରୁ ୧୦୦ରୁ ଉର୍ଦ୍ଧ ବିଶିଷ୍ଟ ସାହିତ୍ୟିକ ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହଥିବା ବେଳେ ଏମାନଙ୍କ ମଧ୍ୟରୁ ପ୍ରସିଦ୍ଧ ବ୍ୟକ୍ତିମାନେ ହେଉଛନ୍ତି ସରସ୍ୱତୀ ସମ୍ମାନ ପ୍ରାପ୍ତ ଗୁଜୁରାଟି ଭାଷାର କବି ଓ ଲେଖକ ପ୍ରଦ୍ମଶ୍ରୀ ଡଃ ସୀତାଂଶୁ ୟଶଶଚନ୍ଦ୍ର, ଚଳିତ ବର୍ଷ ସରସ୍ୱତୀ ସମ୍ମାନ ପ୍ରାପ୍ତ ସିନ୍ଧି ଭାଷାର କବି ଡଃ ବାସଦେବ ମୋହି, ଇଂରାଜୀ କବି ପଦ୍ମଶ୍ରୀ ଡଃ ଜୟନ୍ତ ମହାପାତ୍ର, ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ପ୍ରସିଦ୍ଧ ଓଡିଆ ଔପନ୍ୟାସିକା ପଦ୍ମଶ୍ରୀ ଡଃ ପ୍ରତିଭା ରାୟ, ଇଂରାଜୀ ଲେଖକ ତଥା  ଐତିହାସିକ ଡଃ ବିକ୍ରମ ସଂପଥ, ସରସ୍ୱତୀ ସମ୍ମାନ ପ୍ରାପ୍ତ ଓଡିଆ କବି ପଦ୍ମଭୂଷଣ ରମାକାନ୍ତ ରଥ, ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ ଓଡିଆ କବି ପଦ୍ମଭୁଷଣ ଡଃ ସୀତାକାନ୍ତ ମହାପାତ୍ର, ପ୍ରଖ୍ୟାତ ଓଡିଆ କବି ଶ୍ରୀ ରାଜେନ୍ଦ୍ର କିଶୋର ପଣ୍ଡା, ଶ୍ରୀ ହରପ୍ରସାଦ ଦାସ, ହିନ୍ଦୀ ଭାଷାର ପ୍ରଖ୍ୟାତ ଔପନ୍ୟାସିକା ଶ୍ରୀମତୀ ଚିତ୍ରା ମୁଦଗଲ୍, ବିଶିଷ୍ଟ ହିନ୍ଦୀ କବି ଶ୍ରୀ ଅରୁଣ କମଲ, ଶ୍ରୀ ଉଦୟନ ବାଜପେୟୀ, ମାଲୟଲମ ଭାଷାର ବିଶିଷ୍ଟ ଔପନ୍ୟାସିକା  ଶ୍ରୀମତୀ କେ. ଆର ମୀରା, ଇଂରାଜୀ ଲେଖକ ଶ୍ରୀ ନିର୍ମଳକାନ୍ତୀ ଭଟ୍ଟାଚାର୍ଜୀ, ଶ୍ରୀ ଅମନଦୀପ୍ ସାନ୍ଧୁ, ମାଲାୟଲମ ଭାଷାର ଅନୁବାଦକ ତଥା ଇଂରାଜୀ କବି ଶ୍ରୀ ଏଜେ ଥୋମାସ୍, ମରାଠୀ ଲେଖକ ଡଃ ଜ୍ଞାନେଶ୍ୱର ମୁଲେ, ହିନ୍ଦୀ କବି ତଥା ସଂପାଦକ ଶ୍ରୀ ବ୍ରଜେନ୍ଦ୍ର ତ୍ରିପାଠୀ, ଡଃ ରାନୁ ଉନିଆଲ୍, ହିନ୍ଦୀ କବି ତଥା ଚିତ୍ରକର ଶ୍ରୀ କୁମାର ଅନୁପମ୍, ସାମ୍ବାଦିକ ତଥା ହିନ୍ଦୀ କବି କୁଲଦିପ କୁମାର, ଶ୍ରୀ ପ୍ରାଂଜଲ ଧର, ବିଶିଷ୍ଟ କନ୍ନଡ ଲେଖକ ଶ୍ରୀ ଏଚ.ଏସ୍ ଶିବ ପ୍ରକାଶ, ଉର୍ଦ୍ଧୁ କବି ତଥା ଚିତ୍ରକର ଶ୍ରୀ ଜୟନ୍ତ ପରମାଲ, ବଙ୍ଗଳା ଭାଷାର କବି ଶ୍ରୀମତ୍ରୀ ଯଶୋଧରା ରାୟ ଚୌଧୁରୀ, ବଂଗଳା ଓ ଇଂରାଜୀ ଭାଷାର ଲେଖିକା ତଥା ଅନୁବାଦିକା ଡଃ ରୀତାନାଥ କେଶରୀ ଓ ହିନ୍ଦୀ ଅନୁବାଦକ ଡଃ ରାଜେନ୍ଦ୍ର ପ୍ରସାଦ ମିଶ୍ର । 

ଫେବୃୟାରୀ ୧ ଓ ୨ ଦୁଇଦିନ ଧରି ଆୟୋଜିତ ହେବାକୁ ଥିବା ଏହି ସାହିତ୍ୟ ଉତ୍ସବରେ୨୬ଟି ଅଧିବେଶନ ହେବାକୁ ଥିବା ବେଳେ ଏହି ସେସନରେ ଓଡିଆ ସିନେ କଳାକାର ଆକାଶ ଦାଶ ନାୟକ, ଅନୁ ଚୌଧୁରୀ, ଚଳଚିତ୍ର ନିର୍ଦ୍ଦେଶକ  ସବ୍ୟସାଚୀ ମହାପାତ୍ର, ପ୍ରଯୋଜକ ଅକ୍ଷୟ ପରିଜା ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । 

୨୦୧୯ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପାଇଁ ମନୋନୀତ ହୋଇଥିବା ଓଡିଆ ଲେଖକ ଶ୍ରୀ ତରୁଣକାନ୍ତି ମିଶ୍ର ଏବଂ ସାନ୍ତାଳୀ ଲେଖକ ଶ୍ରୀ କାଳିଚରଣ ହେମ୍ବ୍ରମ ଙ୍କୁ ଉତ୍ସବର ପ୍ରଥମ ଦିନରେ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି ।

 

0
0
0
s2sdefault