ହେଡଲାଇନସ୍:

ଉଠା-ଜଳସେଚନ ବିଭାଜନ ପକ୍ଷରୁ  ବିଭାଜନ ସ୍ତରୀୟ "ପାଣି-ପଞ୍ଚାୟତ ପକ୍ଷ" ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାରଙ୍କ ଜଳ-ସମ୍ପଦ ବିଭାଗର ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ଉଠା-ଜଳସେଚନ ବିଭାଜନ ପକ୍ଷରୁ ବିଭାଜନ ସ୍ତରୀୟ "ପାଣି-ପଞ୍ଚାୟତ ପକ୍ଷ" ଉଠା-ଜଳସେଚନ କାର୍ଯ୍ୟାଳୟ ପରିସରରେ ଥିବା ଗୋଷ୍ଠି ସମ୍ମିଳନୀ କକ୍ଷ ଠାରେ ପାଳିତ ହୋଇଯାଇଛି ।

 ଉଠା-ଜଳସେଚନ ବିଭାଜନର ନିର୍ବାହୀଯନ୍ତ୍ରୀ ଅଜିତ କୁମାର ସାହୁଙ୍କ ସଭାପତିତ୍ୱ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ  ପାଣି-ପଂଚାୟତର କାର୍ଯ୍ୟକାରିତା ଓ ଜଳସେଚନ କ୍ଷେତ୍ରରେ ଚାଷୀ ଭାଇ ମାନେ ଜଳର ଅପଚୟ ନ କରି ଉପଲବ୍ଧ ଜଳର ସହଭାଗୀତାରେ ସୁଷମ ବଣ୍ଟନର ସଦୁପଯୋଗ କରି କୃଷି ଉତ୍ପାଦନକୁ ଦ୍ବିଗୁଣିତ କରିବା ସମ୍ପର୍କରେ ବୁଝାଇଥିଲେ ।

  ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ  କେ. ନାରାୟଣ ରାଓ  ମୁଖ୍ୟଅତିଥି ଭାବେ ଯୋଗଦେଇ ଗଜପତି ଜିଲ୍ଲାରେ ପ୍ରଚୁର ଭାବେ ଜଳ ସମ୍ପଦ ଉତ୍ସ ଭରି ରହିଛି , ହେଲେ ସରକାରଙ୍କ ଇଛାଶକ୍ତିର ଅଭାବ ଯୋଗୁଁ ସେସବୁ ସଦ-ବିନିଯୋଗ ନ ହେବା ଫଳରେ ପଡୋଶୀ ଆନ୍ଧ୍ର ସେ ସବୁର  ଫାଇଦା ନେଉଛି । ଯାହାକି ଡମ୍ବାପୁର ଜଳସେଚନ ପ୍ରକଳ୍ପ ଦୀର୍ଘ ବର୍ଷ ଧରି ନିର୍ମାଣ ହୋଇ ପାରୁନି , ମହେନ୍ଦ୍ର-ତନୟା ଓ ବଂଶଧାରା ନଦୀ ରହିଛି ହେଲେ ଜିଲ୍ଲାର କୃଷି ଓ କୃଷକର କୌଣସି ଉନ୍ନତି ସାଧିତ ହୋଇ ପାରୁନି , ଯାହା ଫଳରେ ଏହାର ସୁଯୋଗ ନେଇ ଆନ୍ଧ୍ର ସେ ସବୁ ଜଳ ନେଇ ତାର କୃଷି ଓ କୃଷକର ଉନ୍ନତି କରୁଛି । ଡମ୍ବାପୁର ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ ନିର୍ମାଣ କରାଯିବା ସହ ମହେନ୍ଦ୍ର-ତନୟା ଓ ବଂଶଧାରା ନଦୀ ଜଳର ସୁବିନିଯୋଗ କ୍ଷେତ୍ରରେ ପ୍ରକଳ୍ପ ନିର୍ମାଣ ପାଇଁ ମୁଁ ବିଧାନସଭାରେ ପ୍ରଶ୍ନ ରଖିଛି କହିଥିଲେ । ଅନ୍ୟପକ୍ଷରେ ଚାଷୀ ମାନେ ବ୍ୟବସାୟିକ କୃଷି ଉତ୍ପାଦନ ଉପରେ ଗୁରୁତ୍ୱ ଦେବା ସହ ସହଭାଗୀ ଜଳସେଚନ ପରିଚାଳନା ପ୍ରତି ବିଶେଷ ଯତ୍ନବାନ ହେବାକୁ କହି ଚାଷୀ ଓ ଚାଷର ଉନ୍ନତି କ୍ଷେତ୍ରରେ କୃଷି , ଜଳସେଚନ , ଉଠା-ଜଳସେଚନ ଓ ବିଦ୍ୟୁତ ବିଭାଗୀୟ ଅଧିକାରୀ ମାନଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ରଖିବା ଆବଶ୍ୟକ ବୋଲି କହିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ କୃଷି-ଉଦ୍ୟାନ ବିଭାଗ ଉପ-ନିର୍ଦ୍ଦେଶକ ସୁଦର୍ଶନ ପାତ୍ର ଏବଂ କୃଷି ଅଧିକାରୀ ମାଧବ ରାଓ ପ୍ରମୁଖ ଯୋଗଦେଇ ସେମାନଙ୍କ ବିଭାଗୀୟ କର୍ଯ୍ୟକ୍ରମ , ବିଭିନ୍ନ କୃଷି ଯୋଜନା ଓ ସେଥିରେ ଥିବା ରିହାତି ,  ଆଧୁନିକ ଜ୍ଞାନ-କୌଶଳ ପଦ୍ଧତିରେ ଚାଷ କରିବା , ରୋଗପୋକ ପରିଚାଳନା ସହ  ଅମଳ ପରବର୍ତ୍ତୀ ଯତ୍ନର ସୁବିନିଯୋଗ , କୃଷିଶ୍ରମିକ ଅଭାବରେ  ଯାନ୍ତ୍ରିକ ବ୍ୟବସ୍ଥାରେ ଚାଷ କାର୍ଯ୍ୟର ସୁବିନିଯୋଗ ଓ ସେଥିରେ ଥିବା ସବସିଡି ଏବଂ ଧାନ ସହିତ ଜଳବାୟୁ ଅନୁଯାୟୀ ବିଭିନ୍ନ ଫଳ ଓ ପନିପରିବା ଚାଷ କରବା ପ୍ରଭୃତି  ସମ୍ପର୍କରେ ଉପସ୍ଥିତ ଚାଷୀ ମାନଙ୍କ ବୁଝାଇଥିଲେ ।

   କାଶୀନଗର ବ୍ଲକ ଅଧ୍ୟକ୍ଷ ଚିତ୍ରୀ ସୀମାଦ୍ରୀ ମଞ୍ଚାସୀନ ଥିଲେ ।  ବହୁ ସଂଖ୍ୟାରେ ଚାଷୀ ମାନେ ଉପସ୍ଥିତ ରହି କୃଷି କ୍ଷେତ୍ରରେ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧା ଓ ସମସ୍ୟା ସମ୍ପର୍କରେ ମୁଖ୍ୟଅତିଥି ଓ ବିଭାଗୀୟ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ । ପୂର୍ବରୁ ଉଠା-ଜଳସେଚନ ବିଭାଜନ ପକ୍ଷରୁ ବିଦ୍ୟାଳୟ ସ୍ତରୀୟ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । 

ଏଥିରେ ଯାଜପୁରର ୟୁ.ଜି.ହାଇସ୍କୁଲର ଛାତ୍ର ରାକେଶ ପଲେଇ ପ୍ରଥମ , ପାରଳାଖେମୁଣ୍ଡିର ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ଛାତ୍ର ରଘୁନାଥ ପ୍ରସାଦ ପଣ୍ଡା ଦ୍ବିତୀୟ ଓ ପାରଳାଖେମୁଣ୍ଡିର ଏମ୍.ଏମ୍. ହାଇସ୍କୁଲର ଛାତ୍ର ରୁଦ୍ର ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗିଙ୍କୁ ମୁଖ୍ୟ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ।  ସମସ୍ତ କାର୍ଯ୍ୟକ୍ରମକୁ ବିଭାଗୀୟ ସହକାରୀ ଯନ୍ତ୍ରୀ ବିକ୍ରମାଦିତ୍ୟ ପାଣିଗ୍ରାହୀ ପରିଚାଳନା କରିଥିଲେ ।

0
0
0
s2sdefault