ହେଡଲାଇନସ୍:

୪ ଦଶନ୍ଧିର ରାଜନୈତିକ ସାଧନାର ଫଳ  :ସମୀର ଧରିବେ ବିଜେପି ମଙ୍ଗ, ଧର୍ମେନ୍ଦ୍ରଙ୍କ ପତିଆରା ଜଳଜଳ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ )

ଲଗାତାର ଭାବେ ଚାରି ଦଶନ୍ଧିର ରାଜନୈତିକ ସାଧନାକୁ ମିଳିଛି ସ୍ଵୀକୃତି | ଅମୁକ ହେବେ, ସମୁକ ହେବେ, ଭାଗ ଛିଂଡିଯାଇଛି, ଢମୁକଙ୍କ ସଭାପତି ହେବା ଥୟ , ୟାଙ୍କର ପତିଆରା କମିଯିବ, ସମୁକଙ୍କ ପତିଆରା କମାଇବାକୁ ଅମୁକଙ୍କ ମେଳି.....ଇତ୍ୟାଦି ଇତ୍ୟାଦି ସବୁ ଗପରେ ପୂର୍ଣ୍ଣଛେଦ ପକାଇ ଓଡିଶା ବିଜେପି ସଭାପତି ପଗଡି ପିନ୍ଧିବାକୁ ଯାଉଛନ୍ତି ଦଳର ଲଢୁଆ ଚେହେରା, ବରିଷ୍ଠ ନେତା ତଥା ଅଭିଜ୍ଞତା ସମ୍ପନ୍ନ   ବରିଷ୍ଠ ଉପ ସଭାପତି ସମୀର ମହାନ୍ତି | ଆଉ ବିଜେପିର ଜାତୀୟ ସଙ୍କଟ ମୋଚକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭରସାଯୋଗ୍ୟ ସେନାପତି, "ଟିମ ଅମିତ ଶାହ"ର  ନିର୍ଭରଯୋଗ୍ୟ ଧୂଆଁଧାର ବ୍ୟାଟ୍ସମ୍ୟାନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମାଣିତ କରିଦେଇଛନ୍ତି ଯେ ଓଡିଶା ବିଜେପି ରାଜନୀତିର ସେ ହିଁ ନାଭିକେନ୍ଦ୍ର, ସେ ହିଁ କିଙ୍ଗ ମେକର | ତାଙ୍କ ସମ୍ମତି ବିନା ବା ତାଙ୍କୁ ଚାଲେଞ୍ଜ କରି ବା ବାଇପାସ କରି,    ତାଙ୍କ ବିନା ଇସାରାରେ ପତ୍ର ହଲେଇବାକୁ କେହି ଯଦି ସ୍ବପ୍ନ ଦେଖୁଥାଏ ତାହା କେବଳ ବାଚାଳାମି | ଆମେ ଲେଖିଥିଲୁ, କାରଣ ଆପାତତଃ ସେଇଆ ହିଁ ସ୍ପଷ୍ଟ ଥିଲା | ସବୁ ବରିଷ୍ଠ ନେତାଙ୍କ ମତ ନିଆଯାଇପାରେ, ହେଲେ ଧର୍ମେନ୍ଦ୍ରଙ୍କ ଇସାରା ଯାହା ସପକ୍ଷରେ ଯିବ ସେ ହିଁ ହେବ ସଭାପତି | କାରଣ ଧର୍ମେନ୍ଦ୍ର ହିଁ ଓଡିଶା ବିଜେପିର ବର୍ତ୍ତମାନ ଓ ଭବିତବ୍ୟ | ପାଦତଳେ ମାଟି ନଥିବା ବା ଚୋରାବାଲି  ଉପରେ ଠିଆ ହୋଇଥୁବା ବିଜେପି ଗତ କିଛି ବର୍ଷ ମଧ୍ୟରେ ନିଜସ୍ଥିତିକୁ ଯେପରି ମଜଭୁତ କରିପାରିଛି, ତାହା ଧର୍ମେନ୍ଦ୍ରଙ୍କ ଲଗାତାର ପ୍ରଚେଷ୍ଟାର ପରିଣତି | ହେଲେ  କିଛି ଲୋକଙ୍କ ସେଇଟା ବୁଝିବାରେ ଭ୍ରମ ଥିଲା | ହେଲେ ସେ ଭ୍ରମ ଦୂର ହେଲା |  ଆଉ ଯାହା ଧର୍ମେଦ୍ର ଚାହିଁଲେ ବା ଓଡ଼ିଶାରେ ନିଜ ମିଶନକୁ ଆଗେଇ ନେବା ପାଇଁ ଯାହାକୁ ବାଛିଲେ, ସେଇଆ ହିଁ ହେଲା | ବହୁ ଗପ ଆସିଲା, ବହୁ ନା ପଶିଲା | ହେଲେ କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ପୁର୍ଣ ଆସ୍ଥା ପ୍ରକଟ କରିଛନ୍ତି ଦଳର ଲଢୁଆ ନେତା ତଥା ଏବିଭିପିରୁ ରାଜନୈତିକ  କ୍ୟାରିୟର ଆରମ୍ଭ  କରି ଦିର୍ଘବର୍ଷର ଅଭିଜ୍ଞତା ହାସଲ କରିଥିବା ତଥା ସାଙ୍ଗଠନିକ ଦକ୍ଷତା ରଖିଥିବା ସମୀର ମହାନ୍ତିଙ୍କ ଉପରେ | ସଭାପତି ପଦରେ ସମୀର ମହାନ୍ତିଙ୍କ ଚୟନକରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ରାଜତ୍ୱ ବିଜେପି ରାଜନୀତିରେ  ନୂଆ ନୂଆ ଗେରୁଆ ପିନ୍ଧି ତାଙ୍କୁ ଚାଲେଞ୍ଜ ଦେବାପାଇଁ ମେଳି ବାନ୍ଧୁଥିବା ସେମାନଙ୍କ ରାଜନୈତିକ ସ୍ତର ଦେଖାଇଦେଇଛନ୍ତି  | ସେମାନଙ୍କ ଉଚ୍ଚାଭିଳାଷରେ ମୋହଭଙ୍ଗ ହୋଇଛି | ସମୀରଙ୍କୁ ସଭାପତି କରାଇବା ନିଷ୍ପତ୍ତି ନେଇ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଅଖଣ୍ଡ ପ୍ରଭାବ ପୁଣିଥରେ ପ୍ରମାଣିତ ହୋଇଛି । 

ରାଜ୍ୟ ବିଜେପିରେ ସମୀର ମହାନ୍ତି ଜଣେ ଟାଣୁଆ ନେତା ତଥା ଓଜସ୍ୱିନୀ ବକ୍ତା ଭାବେ ପରିଚିତ । ଉପରୁ ଲଦା ବା ଉଡିଆସି ଥିବା ନେତା ନୁହଁ | ଦୀର୍ଘ ୪୦ବର୍ଷ ଧରି ଗେରୁଆ ରାଜନୀତି ଭିତରେ ବୁଡି ରହିଥିବା ତଥା  ତୃଣମୂଳସ୍ତରର ଆସିଥିବା ରାଜନେତା ଭାବେ ପରିଚିତ | ୱାର୍ଡ ରାଜନୀତିରୁ ମଣ୍ଡଳ, ମଣ୍ଡଳରୁ ଜିଲ୍ଲା ଜିଲ୍ଲା ରୁ ରାଜ୍ୟ, ଏମିତି ଦୀର୍ଘ ବର୍ଷର ଅନୁଭୂତି ରହିଛି ସମୀରଙ୍କର | ୧୯୭୭ ମସିହାରେ ଏବିଭିପିରୁ କ୍ୟାରିୟର୍ ଆରମ୍ଭ କରିଥିବା ସମୀର ୧୯୮୦ ମସିହାରେ ଏବିଭିପି ରାଜ୍ୟ ଉପସଭାପତି ହୋଇଥିଲେ | ପରେ ପରେ ୧୯୮୪ ମସିହାରେ ବିଜେପି ଯୁବମୋର୍ଚ୍ଚାର ଉପସଭାପତି ଭାବେ ନିଯୁକ୍ତ ହୋଇ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଥିଲେ | ଯଦିଓ କିଛି ସମୟ ପାଇଁ ସେ ସରକାରୀ ଚାକିରି କରିଥିଲେ, ତଥାପି ବିଜେପି ରାଜନୀତି ଓ କର୍ମଚାରୀ ରାଜନୀତି ସହ ସମୁର୍ଣ୍ଣ ଜଡିତ ଥିଲେ । ୧୯୯୫ ମସିହାରେ ଚାକିରି ଛାଡ଼ି ବିଜେପିର ଭୁବନେଶ୍ୱର ଜିଲ୍ଲା ସାଙ୍ଗଠନିକ ଜିଲ୍ଲା ରାଜନୀତିରେ ପ୍ରତ୍ୟକ୍ଷ ସାମିଲ ହୋଇଥିଲେ | ସେ ତାଙ୍କ ନିର୍ବାଚନ ରାଜନୀତି ୱାର୍ଡରୁ ଆରମ୍ଭ କରିଥିଲେ ଓ  ଭୁବନେଶ୍ୱର ମହାନଗର ନିଗମରେ ସେ କର୍ପୋରେଟର ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ | ବିଜେପି ବିଜେଡି ମେଣ୍ଟ ଭାଙ୍ଗିବା ତଥା ନୂଆ କରି ଏକାମ୍ର ନିର୍ବାଚନ ମଣ୍ଡଳୀ ଗଠିତ ହେବାପରେ ୨୦୦୯ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ଏକାମ୍ର ବିଧାନସଭା ଆସନରୁ ବିଜେପି ଟିକେଟରେ ଲଢ଼ିଥିଲେ । ତାପର ଠାରୁ ନିର୍ବାଚନ ବେଳେ ଏକାମ୍ର ପାଇଁ ବା ଲୋକ ସଭା ନିର୍ବାଚନ ମଣ୍ଡଳୀ ପାଇଁ ତାଙ୍କ ନାଁ ଉଠେ, ଆଉ ଥମିଯାଏ | ହେଲେ ନିରାଶ ନହୋଇ ଧୈର୍ଯ୍ୟର ସହ ଦଳର ନିର୍ବାଚନୀ କାର୍ଯ୍ୟ ତଥା ନିର୍ବଚନୀରଣନୀତି ଓ ପ୍ରଚାର ଭିତରେ ନିୟୋଜିତ କରି ଆସିଥିବା ସମୀର  ଦୀର୍ଘ ବର୍ଷ ଧରି ରାଜ୍ୟ ବିଜେପିର ମୁଖପାତ୍ର ଭାବେ କାର୍ଯ୍ୟ କରିଥିବା ସମୀର ୨୦୧୬ ମସିହାରୁ ରାଜ୍ୟ ଉପସଭାପତି ଭାବେ ଦାୟିତ୍ୱ ତୁଲାଇଛନ୍ତି |  ଚଳିତ ଥର ଉପକୂଳ ହାତରେ ରାଜ୍ୟ ସଭାପତି ପଦ ରହିବ ବୋଲି ଆପାତତଃ ଅଘୋଷିତ ନିଷ୍ପତ୍ତି ହୋଇଥିଲା |  କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁଡ଼ ବୁକରେ ରହି ଆସିଥିବା ଓ ତାଙ୍କର ଦୀର୍ଘ ବର୍ଷର ଅନୁଭୂତି ଓ ନିଷ୍ଠା ଥିବା କାରଣରୁ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ ବହୁ ପୂର୍ବରୁ ହିଁ ସମୀରଙ୍କ ନାମ ସଭାପତି ପଦ ପାଇଁ ଶୁଣାଯାଉଥିଲା | ହେଲେ କିଛି ନେତାଙ୍କ ନାମ ମଝିରେ ପଶି ଆସିଥିଲା ଆଉ ଆଉ କିଛି ଜାଣି ଜାଣି ନିଜ ନାମକୁ ପୁରାଇ ଚର୍ଚା କରାଇ ଆସୁଥିଲେ |  ଯାହାର ପରିଣାମ ସ୍ୱରୂପ ଦଳର ବରିଷ୍ଠ ନେତା ମାନେ ଗତକାଲି ପର୍ଯ୍ୟନ୍ତ ଦ୍ବନ୍ଦ୍ବରେ ପଡିଯାଇଥିଲେ ଯେ କିଏ ସଭାପତି ହେଉଛନ୍ତି | 

 

0
0
0
s2sdefault