ହେଡଲାଇନସ୍:

ମୟୂରଭଞ୍ଜ ଜିଲାପ୍ରଶାସନର  ଅଣଦେଖା: ଜବରଦଖଲକାରୀଙ୍କ ଭୂସ୍ବର୍ଗ ପାଲଟିଛି ମେଳା ସ୍ଥଳ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଦାମୋଦର ଯାତ୍ରା ନିମନ୍ତେ ପୌରପରିଷଦର ପ୍ରସ୍ତୁତି ଶେଷ

ବାରିପଦା(ଦିଲ୍ଲୀପ ମହାନ୍ତି )- ଆଦିବାସୀ(ସାନ୍ତାଳ) ସମ୍ପ୍ରଦାୟର ସାମୁହିକ ଅସ୍ଥି ବିସର୍ଜନ ଦାମୋଦର ଯାତ୍ରା ନାମରେ ଖ୍ୟାତି ଲାଭ କରିଛି । ପବିତ୍ର ମକର ସଂକ୍ରାନ୍ତିର ପରେ ପରେ ଏହି ଦାମୋଦର ଯାତ୍ରା ଅନୁଷ୍ଟିତ ହୋଇଆସୁଛି । ଚଳିତ ବର୍ଷ  ଜାନୁୟାରୀ ୧୬ରୁ ୧୮ ପର୍ଯ୍ୟନ୍ତ ୩ ଦିନ ଧରି  ବାରିପଦା ସହରର ଉପକଣ୍ଠ ବଳଙ୍ଗ,ଜରାଳୀ ଓ ସରାଳି ନଦୀର ସଙ୍ଗମ ସ୍ଥଳି ବାରୁଣୀ ନିକଟରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଅଛି ଏହି ଦାମୋଦର ଯାତ୍ରା । ମୟୂରଭଞ୍ଜ ଗଡ଼ଜାତ ରାଜ୍ୟର ମହାରାଜାମାନଙ୍କ ଶାସନ ସମୟରୁ ଜାନୁୟାରୀ ୧୬ ରେ ମୟୂରଭଞ ଜିଲ୍ଲାର ବିଭିନ୍ନ ବ୍ଲକ, ପଡେ଼ାଶୀ କେନ୍ଦୁଝର, ବାଲେଶ୍ୱର ଜିଲ୍ଲା ସହିତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାର ଆଦି ରାଜ୍ୟ ଗୁଡ଼ିକରୁ ଲକ୍ଷାଧିକ ଆଦିବାସୀ(ସାନ୍ତାଳ)ମାନେ ସେମାନଙ୍କର ପରିବାରରେ ମୃତ ଆତ୍ମୀୟ ସ୍ୱଜନମାନଙ୍କର ଅସ୍ଥିକୁ ବିସର୍ଜନ କରିବା ନିମନ୍ତେ ଏହି ତିନି ନଦୀର ସଂଗମ ସ୍ଥଳକୁ ଆସିଥାନ୍ତି । ଦୂର ଦୂରାନ୍ତରୁ ଆସି ପାରି ନଥିବା ବ୍ୟକ୍ତିମାନେ ପରବର୍ତ୍ତି ଦିନ ଅର୍ଥାତ୍ ୧୭ ଓ ୧୮ରେ ପହଁଞ୍ଚି ଅସ୍ଥି ବିସର୍ଜନ ମଧ୍ୟ କରିଥାନ୍ତି । ବାରିପଦା ପୌରପରିଷିଦରେ ଅନୁଷ୍ଠିତ  ଏହି ଅସ୍ଥି ବିସର୍ଜନ ପର୍ବକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ  କରାଇବା ଉଦ୍ଦେଶ୍ୟରେ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ପର୍ବ ଶେଷ ହୋଇଛି । ବାରିପଦା ପୌରପରିଷଦର ନିର୍ବାହୀ ଅଧିକାରୀ ସରୋଜ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅସ୍ତି ବିସର୍ଜନ ସ୍ଥଳିକୁ ଅସ୍ଥାୟୀ ରାସ୍ତା ନିର୍ମାଣ, ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ଫାଣ୍ଡି, ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥା,  ଦମକଳ କେନ୍ଦ୍ର , ବିଜୁଳି ଯୋଗାଣ  ସହିତ ବାରିପଦା ଆଇଟିଡ଼ିଏ ପକ୍ଷରୁ ନଦୀ ଉପରେ ଜନସାଧାରଣଙ୍କ ଯାତାୟତ ନିମନ୍ତେ ମଧ୍ୟ ଅସ୍ଥାୟୀ ପୋଲର ବ୍ୟବସ୍ଥା କରାଯାଇଛି । 

    ପ୍ରତ୍ୟେକ ବର୍ଷ ଦାମୋଦର ଯାତ୍ରା ନିମନ୍ତେ ଏହି ବାରୁଣି ନିକଟ ନଦୀ ପଠାରେ ଲକ୍ଷାଧିକ ବ୍ୟକ୍ତିମାନଙ୍କର ସମାଗମ ହେଉଥିବା ବେଳେ ମୟୂରଭଞ୍ଜ ଜିଲାପ୍ରଶାସନ ଏଥି ପ୍ରତି ଅଣଦେଖା ପ୍ରଦର୍ଶନ କରି ଆସୁଛି । ଏହି ନଦୀପଠାକୁ ଯାତାୟତ ନିମନ୍ତେ ରହିଥିବା ମୁଖ୍ୟ ରାସ୍ତାକୁ ପିଲିଗ୍ରିମ ରୋଡ଼ ଭାବରେ ନାମିତ ହୋଇଥିବା ବେଳେ ସ୍ଥାୟୀ ରାସ୍ତା ନିର୍ମାଣ ହୋଇ ପାରି ନାହିଁ । ସେହିପରି ପ୍ରତ୍ୟେକ ବର୍ଷ ରାସ୍ତାର ଉଭୟ ପାଶ୍ୱର୍ରେ କେତେକ ବ୍ୟବସାୟୀ ଅସ୍ଥାୟୀ ଦୋକାନ ବଜାର ମେଲାଇ ବସୁଥିବାରୁ ରାସ୍ତା ସଙ୍କୁଚିତ ହୋଇ ଯାତାୟତରେ ଅସୁବିଧା ସୃଷ୍ଟି କରିଥାଏ । ସେହିପରି ନଦୀପଠା ଓ ରାସ୍ତାର ଉଭୟପାଶ୍ୱର୍କୁ ଜବରଦଖଲକାରୀମାନେ ଆସ୍ତେ ଆସ୍ତେ ନିଜ କବ୍ଚାକୁ ନେଇ ଚାଲିଥିବାରୁ ଦାମୋଦର ଯାତ୍ରା ସମୟରେ ଜନସାଧାରଣଙ୍କ ମୁଖ୍ୟ ସମସ୍ୟାର କାରଣ ପାଲଟି ଯାଇଥାଏ । ପୌରପରିଷଦ ପକ୍ଷରୁ ନିର୍ମାଣ କରାଯାଇଥିବା ଅସ୍ଥାୟୀ ପୋଲ ଉପରେ ନଦୀ ପାର ହେବା ଓ ଫେରି ଆସୁଥିବା ଜନସାଧାରଣଙ୍କ ନିକଟରୁ କେତେକ ଲୋକ ୫ରୁ ଦଶ ଟଙ୍କା ପର୍ଯ୍ୟନ୍ତ ବଟି ଆଦାୟ କରୁଥିବାର ଦେଖିବାକୁ ମିଳିଥାଏ । ପୁଣି କିଛି ଚୋରା ନିଶା ବ୍ୟବସାୟୀ ନକଲି ମଦ ବିକ୍ରି କରୁଥିବାର ମଧ୍ୟ ନଜରକୁ ଆସିଥାଏ । ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ସଠିକ୍ ତଦାରଖ ହୋଇ ପାରୁ ନ ଥିବାରୁ ନଦୀ କୂଳ ବାଲି ରେ ଗର୍ତ୍ତ କରି ସେଥିରେ ସଂଗୃହୀତ ପାଣିକୁ ପାନୀୟ ଜଳ ଭାବେ ଜନସାଧାରଣ ବ୍ୟବହାର କରିଥାନ୍ତି । ଦାମୋଦର ଯାତ୍ରରେ ଲକ୍ଷାଧିକ ଜନସମାଗମ ହେଉଥିବା ବେଳେ ଜିଲ୍ଲାପ୍ରଶାସନ ପକ୍ଷରୁ ଏହାକୁ ପ୍ରାଧାନ୍ୟ ଦେଉ ନଥିବା ବିଷୟକୁ ନେଇ ଜନସାଧାରଣରେ ଉଦବେଗ ପ୍ରକାଶ ପାଇଛି । ବାରିପଦା ସହରରେ ବସବାସ କରୁଥିବା ଆଦିବାସୀ(ସାନ୍ତାଳ)ମାନଙ୍କ ପକ୍ଷରୁ ଭଞ ପାର୍ଗାନା ମୋହଲ ନାମକ ଏକ କମିଟି ଗଠନ କରାଯାଇ ଦାମୋଦର ଯାତ୍ରା ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାର କାର୍ଯ୍ୟ ହାତକୁ ନେଇ ଆସିଛି । ରାଜ୍ୟରେ ବିଜଦ ସରକାର ଆଦିବାସୀ ଜନସାଧାରଣଙ୍କ ହିତ ସାଧନ ନିମନ୍ତେ ବିଭିନ୍ନ ଜନକଲ୍ୟାଣକାରୀ ପଦେକ୍ଷେପ ଗ୍ରହଣ କରିଆସୁଥିବା ବେଳେ ଜିଲା ପ୍ରଶାସନ ପକ୍ଷରୁ ସାନ୍ତାଳ ସମ୍ପ୍ରଦାୟର ଦାମୋଦର ଯାତ୍ରା ନିମନ୍ତେ ସ୍ଥାୟୀ ଦାମୋଦର ଘାଟ ନିର୍ମାଣ, ପାନୀୟ ଜଳ ଯୋଗାଣର ବ୍ୟବସ୍ଥା, ସ୍ଥାୟୀ ରାସ୍ତା ନିର୍ମାଣ ଓ ଜବରଦଖଲକାରୀମାନଙ୍କ କବ୍ଚାରେ ରହିଥିବା ସରକାରୀ ଜମିକୁ ନିଜ ଦଖଲକୁ ଆଣିବା ଆଦି ଦିଗ ଉପରେ କର୍ଣ୍ଣପାତ କରୁ ନ ଥିବାରୁ ପ୍ରଶାସନକୁ ବିଭିନ୍ନ ମହଲରୁ ସମାଲୋଚନା କରାଯିବା ଆରମ୍ଭ ହୋଇ ଯାଇଛି । 

 

0
0
0
s2sdefault