ହେଡଲାଇନସ୍:

ଚଉଢ଼ଲ ଆରୋହଣ କରି ବିସର୍ଜିତ ହୁଅନ୍ତି  ଟୁସୁ ଦେବୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କୁଡ଼ୁମୀ ସମ୍ପ୍ରଦାୟର ଗଣପର୍ବ ଟୁସୁ ; ସତ୍ୟ, ଧର୍ମ ଓ ଆତ୍ମବିସର୍ଜନର ପ୍ରତୀକ

ବାରିପଦା(ଦିଲ୍ଲୀପ ମହାନ୍ତି)-  ସୂର୍ଯ୍ୟଙ୍କ ଉତ୍ତରାୟଣ ଆରମ୍ଭ ହୁଏ ପୌଷ ମାସର ଶେଷ ଓ ମାଘ(ମକର) ମାସର ଆଦ୍ୟ ଦିବସରୁ । ଉତ୍ତର ଭାରତର ବିସ୍ତୃତ ଭୂଖଣ୍ଡରେ ପ୍ରତ୍ୟେକ ବର୍ଷ ଜାନୁଆରୀ ୧୪ରେ ମକର ପର୍ବ ପାଳନ କରାଯାଇ ଆସୁଥିବା ବେଳେ ଚଳିତ ବର୍ଷ ଅଧିବର୍ଷ କାରଣରୁ ଜାନୁଆରୀ ୧୫ରେ ପାଳନ କରାଯାଉଛି । ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ମଧ୍ୟପ୍ରଦେଶ ଓ ଆସାମ ଆଦି ରାଜ୍ୟ ଗୁଡ଼ିକରେ ବସବାସ କରୁଥିବା ଆଦିମ ଜନଜାତିଙ୍କ ଏହା  ଏକ ପ୍ରଧାନ ପର୍ବ । ମକର ବା ମାଘ ମାସର  ଆଦ୍ୟ ଦିବସରେ ଏହି ପର୍ବକୁ ପାଳନ କରାଯାଉଥିବାରୁ ମକର ପର୍ବ ନାମରେ ନାମିତ ହୋଇ ଥିବା ସମୟରେ କେଉଁଠି ପୌଷ ମାସର ଶେଷ ଦିବସରେ ପାଳି ହେଉଥିବାରୁ ଏହାକୁ ପୁଷ୍ ପରବ ବୋଲି କହିଥାନ୍ତି । ନଦୀମାତୃକା ଦେଶରେ ସାମାଜିକ ଚଳଣି, ଚାହାଣି, ପୌରାଣିକ କଥାବସ୍ତୁତ,  ଆଖ୍ୟାୟିକା ଓ ବିରାଟ ସାଂସ୍କୃତିକ ଭିତ୍ତିଭୂମି ଗଙ୍ଗାନଦୀ ସହିତ  ଅଙ୍ଗାଅଙ୍ଗି ଭାବେ ଜଡ଼ିତ । ମକର ପର୍ବ କୃଷିଭିତ୍ତିକ ଜନଜୀବନର ବର୍ଷର ଆଦ୍ୟ ଦିବସ । ଯାବତୀୟ ଚାଷାଦି ଶୁଭକର୍ମର ଅୟଆରମ୍ଭ ହୁଏ ଆଖାନ ଦିବସରୁ । ମକର ପର୍ବରୁ ନୂତନ ବର୍ଷ କୃଷି କର୍ମ ଆରମ୍ଭ କରେ କୁଡ଼ୁମୀ ସମ୍ପ୍ରଦାୟ । କୃଷି ଭିତ୍ତକ ସମାଜରେ ଶସ୍ୟ  ଦେବୀ ପ୍ରଧାନ ଆରାଧ୍ୟ ଦେବୀ ହୋଇଥିବାରୁ ଉତ୍ସବରେ ପୂଜିତ ହୁଅନ୍ତି କୁମାରୀ କନ୍ୟାଙ୍କ ଦ୍ୱାରା । ତାଙ୍କରି ପୂଜାର୍ଚ୍ଚନାରେ କୁମାରୀ ଲଳନାଗଣ ତାଙ୍କ ଆରାଧ୍ୟ କୁମାରୀ ଦେବୀ ଟୁସୁକୁ ଟୁସୁ ସଙ୍ଗୀତର ନୈବେଦ୍ୟ ଅର୍ପଣ କରିଥାନ୍ତି । ଟୁସୁ ପୂଜାରେ ଟୁସୁଦେବୀ ସମ୍ପର୍କୀତ ସଙ୍ଗୀତର ନୈବେଦ୍ୟ ପୋଷ ଶେଷ ରଜନୀକୁ ମୁଖୁରିତ କରାଇଥାଏ । ଟୁସୁ ଦେବୀ ବିସର୍ଜିତ ହୁଅନ୍ତି ଚଉଢ଼ଲ ନାମକ ଏକ ସ୍ୱତନ୍ତ୍ର ବିମାନ ଆରୋହଣ କରି । ପ୍ରତିସ୍ରୋତସ୍ୱନୀ ବୁକୁରେ ପୁଷ ମାସରେ ଆହୂତ ଦେବୀ ବାହୁଡ଼ି ଯାଆନ୍ତି ଆଦ୍ୟ ମକରରେ । ସ୍ଥାନ ବିଶେଷରେ ମୃଣ୍ମୟମୂର୍ତ୍ତି , କେଉଁଠି ଟୁସୁ ପୁତ୍ତଳିକା ଓ  ବୃହଦାକାର  ମଗର, ସିଂହ, ହସ୍ତୀ ଓ ପେଚକ ବାହିନୀ । ପୁଣି କେଉଁଠି ଗୋବର ଚୁଳା, ଚୁନା ଲଡ଼ୁ ବା ତୁଷ(ଅଗାଡ଼ି)ର ପ୍ରତୀକ ରୂପେ ଟୁସୁ ଦେବୀ ପୂଜିତ । କମର ପର୍ବରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ପଶ୍ଚିମ ମେଦିନପୁର ଆଦି ଜିଲ୍ଲାଗୁଡ଼ିକରେ ପିଠାପଣା ସହ ମାଂସ  ଏହାର ସ୍ୱତନ୍ତ୍ରତା ବହନ କରେ । ସେହିପରି ମକର ପର୍ବ ଅବସରରେ ଅରୁଆ ଚାଉଳ, କ୍ଷୀର, କନ୍ଦମୂଳ, ଆଖୁ, ଗୁଡ଼, ମହୁ, କେଶର ଆଳୁ,  ଆଦି ସୁମିଷ୍ଟ ଫଳମୂଳରୁ ପ୍ରସ୍ତୁତ ଭୋଗ ସହ ଆରିଷା ଓ ମଣ୍ଡାପିଠା ପ୍ରତ୍ୟେକଙ୍କ ଦେଖିବାକୁ ମିଳିଥାଏ । 

                ମକର ସଂକ୍ରାନ୍ତି ଓ କୁଡ଼ୁମୀ ସମ୍ପ୍ରଦାୟ ପକ୍ଷରୁ ପାଳିତ ହୋଇଆସୁଥିବା ଟୁସୁ ପର୍ବ ମୟୂରଭଞ୍ଜ ଜିଲାରେ ଏକ ଗଣପର୍ବ ଭାବେ ପାଳିତ ହୋଇଆସୁଛି । ପର୍ବଟି ମାଘ ମାସର ପ୍ରଥମ ଦିବସରୁ ଆରମ୍ଭ ହୋଇ ସଂକ୍ରାନ୍ତିରେ ଉଦଯାପିତ ହୋଇଥାଏ । ଏହି ଅବସରରେ ମକର ଚାଉଳ ପୂଜା କରାଯାଇ ପରସ୍ପର ମଧ୍ୟରେ ବଣ୍ଟନ କରାଯାଇ ଥାଏ । ପର୍ବକୁ ୭ ଦିନ ବ୍ୟାପି ଆନନ୍ଦ ଉହ୍ଲାସର ସହିତ ପାଳନ କରାଯାଇ ଆସୁଥିବା ସହିତ ଧାନ ଉତ୍ପାଦନ  ପରେପରେ ଏହି ପର୍ବ ପାଳିତ ହେଉଥିବାରୁ କୃଷିକର୍ମରେ ବ୍ୟସ୍ତତା ଓ କ୍ଳାନ୍ତିରୁ ମୁକ୍ତି ନିମନ୍ତେ ଏହା ଏକ ପ୍ରକୃଷ୍ଟ  ସମୟ ବୋଲି ବିବେଚନା କରାଯାଏ । ବିଶେଷ କରି ସଂକ୍ରାନ୍ତିଠାରୁ କୃଷକ ଓ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ ଶ୍ରେଣୀର ଜନସାଧାରଣ ନିଜକୁ ସମସ୍ତ ଜଞ୍ଜାଳ ଏବଂ ସାହୁକାରଙ୍କଠାରୁ ଦୂରେଇ ରଖିବା ଅନୁଭବକୁ ମନୋରଞ୍ଜନଧର୍ମୀ ନାଚଗୀତ ମାଧ୍ୟମରେ କିଛି ଦିନ ପାଇଁ ଭୂଲି ଯିବାକୁ ଶ୍ରେୟଃ ମଣନ୍ତି । ଜିଲାରେ ମକର ଆସିବା ପୂର୍ବରୁ ଗ୍ରାମାଞ୍ଚଳମାନଙ୍କରେ ଜନସାଧାରଣଙ୍କ ମଧ୍ୟରେ ଆନନ୍ଦର ଲହରୀ ଦେଖାଦିଏ । ସାପ୍ତାହିକ ହାଟ ସହିତ ବିଭିନ୍ନ କୁକୁଡ଼ାପାଡ଼ାମାନଙ୍କରେ କୁକୁଡ଼ା ଲଢେ଼ଇ, ପାରମ୍ପରିକ ଜୁଆଖେଳ, ନୂତନ ବସ୍ତ୍ର ପରିଧାନ ଓ ଆମିଷ ଭୋଜନର ମଜା ଉଠାଇଥାନ୍ତି । ଭାରତବର୍ଷର ବିଭିନ୍ନ ରାଜ୍ୟରେ ଏହି ପର୍ବ ପାଳିତ ହେଉଥିବା ବେଳେ ଆମ ରାଜ୍ୟ  ଓଡ଼ିଶାରେ ମକର ସଂକ୍ରାନ୍ତକୁ ଏକ ଧର୍ମ ଓ କୃଷି ଭିତ୍ତିକ ପର୍ବ ଭାବେ ପାଳନ କରାଯାଇ ଆସୁଥିବା ସମୟରେ ମୟୂରଭଞ୍ଜ ଜିଲାରେ କୁଡ଼ୁମୀ ମହାନ୍ତ ସମ୍ପ୍ରଦାୟ ପକ୍ଷରୁ ମକରକୁ ସତ୍ୟ, ଧର୍ମ ଓ ଆତ୍ମ ବିସର୍ଜନର ଦିବସ ଟୁସୁ ପର୍ବ ଭାବେ ପାଳନ କରାଯାଇଆସୁଛି । ଏହି ଅବସରରେ କୁଡ଼ୁମୀ ସମ୍ପ୍ରଦାୟ ସହିତ ଅନ୍ୟ କେତେକ ସମ୍ପ୍ରଦାୟର ସମସ୍ତ ଜନସାଧାରଣ ନୂତନ ବସ୍ତ୍ର ପରିଧାନ କରିବାର ପରମ୍ପରା ରହିଆସିଛି । ପର୍ବକୁ ଅତି ଆନନ୍ଦ ଉହ୍ଲାସର ସହକାରେ ପାଳନ କରିବା ନିମନ୍ତେ ଅର୍ଥ ଅଭାବରୁ ନିଜର ଚାଷ ଜମି ଆସବାପତ୍ର ଓ ଗହଣାଗାଣ୍ଠିକୁ ସାହୁକାରଙ୍କ ନିକଟରେ ବନ୍ଧକ ଦେବାକୁ ପଛେଇଯାଇ ନ ଥିବାର ନଜିର ରହିଛି । ପର୍ବର ପାଳନକୁ ନେଇ ଏକ ଐତିହାସିକ ପୃଷ୍ଠଭୂମି ମଧ୍ୟ ରହିଆସିଛି ଓ ଏହା ଏକ ହୃଦୟ ବିଦାରକ , ଅତ୍ୟନ୍ତ ଦାରୁଣ ଓ କରୁଣ ଘଟଣାବଳୀ ଉପରେ ଆଧାରିତ । 

              ସମାଜରେ ରହି ଆସିଥିବା ଲୋକକଥା ଅନୁସାରେ ଉତ୍ତରପ୍ରଦେଶର ପଞ୍ଚକୋଟ କାଶୀ ରାଜ୍ୟରେ ବୀରବଲ ସିଂହ ନାମରେ ଏକ କୁର୍ମୀ ରାଜା ରାଜତ୍ୱ କରୁଥିଲେ । ତାଙ୍କର ତୁସ୍ମନୀ ନାମ୍ନୀ ଅନିନ୍ଦ୍ୟ ସୁନ୍ଦରୀ ରାଜକୁମାରୀ ରହିଥିଲେ । ସେହି ସମୟରେ ଭାରତବର୍ଷକୁ ମୁସଲମାନ ସମ୍ପ୍ରଦାୟ ସାଶନ କରୁଥିଲେ ଏବଂ ସେମାନଙ୍କର ଅତ୍ୟାଚାରରେ ହିନ୍ଦୁମାନେ ଭୀତତ୍ରସ୍ତ ଅବସ୍ଥାରେ କାଳାତୀପାତ କରିଆସୁଥିଲେ । କିନ୍ତୁ କୁର୍ମୀରାଜା ବୀରବଲ ଜଣେ ପ୍ରବଳ ପ୍ରତାପୀ ଓ ସାହାସୀ ଯୋଦ୍ଧା  ଭାବରେ ଖ୍ୟାତି ଲାଭ କରିଥିଲେ । ତତ୍କାଳୀନ  ଦିଲ୍ଲୀ ସୁଲତାନଙ୍କ ଲୋଲୁପ  ଦୃଷ୍ଟି ରାଜକୁମାରୀ ତୁସ୍ମନୀ ଉପରେ ପଡ଼ିଥିଲା ଓ ତାଙ୍କୁ ପାଇବା ପାଇଁ ବ୍ୟଗ୍ର ହୋଇ ଉଠିଥିଲେ । ଫଳରେ କଳେବଳେ କୌଶଳରେ ତୁସ୍ମନୀଙ୍କୁ ଅପହରଣ କରାଇ ନେବାକୁ ସୈନ୍ୟସାମନ୍ତମାନଙ୍କୁ ଆଦେଶ ଦେବା ଖବର ପାଇ ରାଜା ବିରବଲ୍  ରାଜକୁମାରୀ ତୁସ୍ମନୀ ସହ ପ୍ରଜାମାନଙ୍କୁ ସାଥୀରେ  ଧରି ନିରାପଦ ସ୍ଥାନକୁ ପଳାୟନ କରୁଥିବା ବେଳେ ଗୋଡ଼ାଇଥିଲେ  ସୁଲତାନଙ୍କ ସୈନ୍ୟସାମନ୍ତ |  ପିଛା କରି ରାସ୍ତାରେ ତୁସ୍ମନୀକୁ ସୈନ୍ୟମାନେ ଅପହଣ କରି ସୁଲତାନଙ୍କ ନିକଟକୁ ନେଇ ଯାଉଥିବା ବେଳେ  ଗଙ୍ଗାନଦୀର ବିସ୍ତୃତ ବାଲୁକା ଶଯ୍ୟା ସୈନ୍ୟମାନଙ୍କର ଘୋଡ଼ା ଦୌଡ଼ିବାରେ ପ୍ରତିବନ୍ଧକ ସୃଷ୍ଟି କରାଇଥିଲା । ଏହାର ସୁଯୋଗ ନେଇ କୌଶଳ କ୍ରମେ ସୈନ୍ୟମାନଙ୍କ ନିକଟରୁ ଖସିଯାଇ ନିଜର ସତୀତ୍ୱ ରକ୍ଷା ଉଦ୍ଦେଶ୍ୟରେ ନଦୀ ଗର୍ଭକୁ ଠିକ୍ ମକର ସଂକ୍ରାନ୍ତି ଦିନ ଆତ୍ମ ବିସର୍ଜନ ଦେଇଥିଲେ ରାଜକୁମାରୀ । 

              ତେଣୁ କୁଡ଼ୁମୀ ସମ୍ପ୍ରଦାୟର କୁମାରୀ କନ୍ୟାମାନେ ତୁସ୍ମନୀଙ୍କ ମୂର୍ତ୍ତିକୁ ତ୍ୟାଗ ଓ ଆତ୍ମ ବିସର୍ଜନର ମୂର୍ତ୍ତିମନ୍ତ ଦେବୀ ଭାବେ ବିବେଚନା କରି ପୂଜାର୍ଚ୍ଚନା କରିଥାନ୍ତି ଏବଂ ମକର ସଂକ୍ରାନ୍ତି ଦିନ ତାଙ୍କ ସ୍ମୃତିରେ ନଦୀ ଗର୍ଭରେ ଭକ୍ତି ନୈବେଦ୍ୟର ଅର୍ଘ୍ୟ ଅର୍ପଣକରି ଆସୁଛନ୍ତି । କିନ୍ତୁ ଏହାର ପୂଜା ପଦ୍ଧତି ସମ୍ପୂର୍ଣ୍ଣ ଭାବେ ନିଆରା । ବିଧି ଅନୁସାରେ କେବଳ କୁଡ଼ୁମୀ ମହାନ୍ତ  ସମ୍ପ୍ରଦାୟର କୁମାରୀ କନ୍ୟାମାନେ ଦଳବଦ୍ଧ ଭାବେ ପାଳନ କରିଥାନ୍ତି । ପ୍ରତି ଦଳରେ ୪ରୁ ଅଧିକ କୁମାରୀ କନ୍ୟା ଯୋଗ ଦେଇ ସଂକ୍ରାନ୍ତିର ୭ ଦିନ ପୂର୍ବରୁ ଜଣଙ୍କ ଘରେ ନୂଆ ଖଟୁଲିରେ ଟୁସୁ ଦେବୀଙ୍କ ପ୍ରତିମାକୁ ସ୍ଥାପନ କରିଥାନ୍ତି । ପୁରାଣ ତଥା ଐତିହାସିକ ଗାଥା ଉପରେ ଅଧାରିତ ବିଭିନ୍ନ ସଙ୍ଗୀତକୁ ସମ୍ମିଳିତ ସ୍ୱରରେ ଗାନ କରନ୍ତି । ଠିକ୍ ସଂକ୍ରାନ୍ତିର ପୂର୍ବ ଦିନରେ କୁମାରୀ କନ୍ୟାମାନଙ୍କର ଦଳ ଟୁସୁ ଦେବୀଙ୍କୁ ଘରକୁ ଘର ନେଇ ଅଭ୍ୟର୍ଥନା କରାଇଥାନ୍ତି । ଏହି ସମୟରେ ବିଭିନ୍ନ ଉପଢୌକନ ଅଥବା ଉପହାରମାନ ପ୍ରଦାନ କରାଯାଉ ଥିବାର ଲକ୍ଷ୍ୟ କରାଯାଏ । ସାନ ଭଉଣୀର ଆଦରରେ ବୟସ୍କ ରମଣୀମାନେ କନ୍ୟା ଭାବେ ଶଙ୍ଖୋଳି ନେଉଥିବା ବେଳେ ନବ ବଧୂ ଓ ଯୁବତୀ ମାନେ ପ୍ରିୟ  ସଙ୍ଗିନୀ ଭାବେ ସମ୍ମାନ ଦେଇଥାନ୍ତି । ଏହି ଦିବସର ରାତିରେ ବ୍ରତଧାରୀ କୁମାରୀ କନ୍ୟାମାନେ ମକର ଚାଉଳ ତଥା ପିଠାପଣା ସମର୍ପି ଟୁସୁ ଦେବୀଙ୍କୁ ପୂଜାର୍ଚ୍ଚନା କରନ୍ତି ଏବଂ ସାରା ରାତି ଅନିଦ୍ରା ରହି ପାରମ୍ପରିକ ଗୀତ ଓ ନୃତ୍ୟରେ ନିଜକୁ ହଜାଇ ଦେଇଥାନ୍ତି । ସଂକ୍ରାନ୍ତି ଦିନ ସମ୍ପୂର୍ଣ୍ଣ ଉପବାସ ଧାରଣ ପୂର୍ବକ ଟୁସୁ ପ୍ରତିମାକୁ ନିକଟସ୍ଥ ନଦୀ ଅଥବା ପୁଷ୍କରଣୀରେ ବିସର୍ଜନ କରାଇଥାନ୍ତି । ଉକ୍ତ ବିସର୍ଜନ ପର୍ବ ମଧ୍ୟ ନିଆରା ଢ଼ଙ୍ଗରେ ସମାପନ କରାଯାଇ ଥାଏ । ଆବାଳ-ବୃଦ୍ଧ-ବନୀତା ଏହି ବିସର୍ଜନ ପର୍ବର ଚିତାକର୍ଷକ ଦୃଶ୍ୟକୁ ଭରପୁର ଉପଭୋଗ କରିବା ସଂଗେସଂଗେ ନୃତ୍ୟଗୀତର ତାଳେତାଳେ ଝୁମି ଥାନ୍ତି । ନଦୀରେ ଦେବୀଙ୍କୁ ବିସର୍ଜନ କରାଯାଉଥିବା ବେଳେ ମାତୃସ୍ଥାନୀୟ ମହିଳାମାନେ ଦେବୀଙ୍କୁ ଶେଷ ଶ୍ରଦ୍ଧା ପ୍ରଦର୍ଶନ ପୂର୍ବକ ଅତୀତର ଆତ୍ମ ବିସର୍ଜନର ଗାଥାକୁ ଆବୃତ୍ତି କରି ବାହୁନିବାର ଲକ୍ଷ୍ୟ କରାଯାଇ ଥାଏ । ମାତ୍ର ବ୍ରତଧାରୀ କନ୍ୟାମାନେ ବୀରହାତ୍ମକ ଗୀତ ଗାନ କରି ଟୁସୁଙ୍କୁ ବିସର୍ଜନ କଲା ବେଳର ପରିବେଶ ଯେମିତି ସ୍ତବ୍ଧ ହୋଇଗଲା ଭଳି ଲାଗିଥାଏ । ପର୍ବର ପରିସମାପ୍ତି ପରେ ସମସ୍ତେ ଘରକୁ ଫେରିଥାନ୍ତି ଓ ଘରର ମୁରବୀମାନେ ଦିବସ ପାଳନର ଐତିହ୍ୟ ,  ମୂଲ୍ୟବୋଧ ତାତ୍ୱିକ ଦିଗ ଉପରେ ପରିବାରର ଅନ୍ୟ ସଦସ୍ୟଙ୍କୁ ଅବଗତ କରାଇବାର ପରମ୍ପରା ରହିଆସିଛି  । 

              ପୁଣି, ପବିତ୍ର ମକର ସଂକ୍ରାନ୍ତି ପାଳନ ଉପଲକ୍ଷେ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ବାମନଘାଟି, କପ୍ତିପଦାର ସମୀବୃକ୍ଷ, କରଞ୍ଜିଆ, ରାଇରଙ୍ଗପୁର, ରରୁଆଁ ଆଦି ବିଭିନ୍ନ ସ୍ଥାନରେ ମକର ମେଳା ମହା ଜାକଜମକରେ ପାଳିତ ହେଉଥିବା ବେଳେ ଜିଲ୍ଲାର ହଜାର ହଜାର ମୟୂରଭଞ୍ଜବାସୀ ଏହାକୁ ମନ ଭରି ଉପଭୋଗ କରିଥାନ୍ତି । 

 

 

 

 

 

 

0
0
0
s2sdefault