ହେଡଲାଇନସ୍:

ପାଣି ଫୋଟକା ପରି ମିଳେଇ ଗଲା ମାତୃତ୍ଵ ସ୍ବପ୍ନ : ଆଇନ ଆଗରେ ଫିକା ପଡିଲା ଯଶୋଦାଙ୍କ ବାତ୍ସଲ୍ୟ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ଓଡଗାଁ,(ଶ୍ରୀକାନ୍ତ ମିଶ୍ର) :  ଯଶୋଦା ଭଳି ପାଳିବାର ସ୍ବପ୍ନ ମିଳେଇ ଯାଉଥିବା ଦେଖି ମା(!)ଟି କଇଁ କଇଁ ହୋଇ କାନ୍ଦୁଥିବା ବେଳେ ଦେଖୁଥିବା ଲୋକର ଆଖି ପତା ଅଜାଣତରେ ଭିଜି ଯାଇଥିଲା |  ସତରେ ଆଇନର ଫନ୍ଦି ସରଳ ନିରୀହ ଲୋକଙ୍କ ପାଇଁ ବୁଝିବା କାଠିକର ପାଠ | ରାସ୍ତାକଡ଼ରେ ପଡିଥିବା ଛୁଆକୁ ମାରନା ମୁହଁରୁ ସିନା ସେ ଉଠାଇ ଆଣି ଡାକ୍ତରଖାନାରେ ହଜାର ହଜାର ତାଙ୍କ ଖର୍ଚ କରି ବଂଚାଇଦେଲା, ହେଲେ ଆଇନର ମାୟା ଜାଲରେ  ଛଂଦି  ମାତୃତ୍ୱର ସ୍ୱପ୍ନକୁ ଯନ୍ତ୍ରଣା ଭିତରେ ଛାଡିଦେଇଗଲା | "ନଥିଲା"  ଯନ୍ତ୍ରଣା ଭିନ୍ନ ଥିଲା, ହେଲେ ହାତ ପାଆନ୍ତାରେ ମାତୃତ୍ୱକୁ ପାଇଁ କିଛିଦିନ ସେମାୟାରେ ଛଂଦି ହୋଇଗଲା ପରେ ହଜେଇ ଦେବାର ଯନ୍ତ୍ରଣା ଯିଏ ଅନୁଭବ କରିଛି ସେ ଜାଣିଛି |

 ଏକ ଅସ୍ୱାଭାବିକ ଘଟଣା କ୍ରମରେ ଆହାଅଣତାରେ ସମସ୍ତଙ୍କ ଆଖି ପତା   ଭିଜି ଯାଇଥିଲା  । ମାତୃତ୍ୱର କରୁଣ ବିଳାପ ଥରାଇ ଦେଇଥିଲା ସମସ୍ତଙ୍କର ହୃଦ ତନ୍ତ୍ରୀକୁ । ସୀମା ଲଙ୍ଘି ଯାଇଥିଲା ଭାବପ୍ରବଣତା । ଓଡ଼ଗାଁ ଆଦର୍ଶ ଥାନା ଅଧିକାରୀ ମମତା ପତିଙ୍କ ସହିତ ଉପସ୍ଥିତ କର୍ମଚାରୀ ସାମ୍ବାଦିକ ଓ ଅନ୍ୟମାନେ କିଛି ସମୟ ପାଇଁ ନୀରବ ନିଶ୍ଚଳ ହୋଇଯାଇଥିଲେ । ଶିଶୁ କନ୍ୟାକୁ ନିଶ୍ଚିତ ଫେରାଇବା ସମୟ ଯେତିକି ନିକଟତର ହେଉଥିଲା, ମାଆର ମାତୃତ୍ୱ ସେତିକି ବିଳପି ଉଠୁଥିଲା । ଏହିଭଳି ଏକ ଦୁଃଖଦ ବିଚ୍ଛେଦ ମୁହୁର୍ତରେ ଆଇନତଃ  ଶିଶୁକନ୍ୟାର ସୁରକ୍ଷା ପାଇଁ ନୟାଗଡ଼ ଶିଶୁମଙ୍ଗଳ ସମିତିର କାର୍ଯ୍ୟକର୍ତ୍ତା  ଶିଶୁକୁ ନେଇଥିଲେ । ନେବା ବେଳେ ୧୮ ଦିନକାଳ ଯତ୍ନର ସହିତ ପାଳିଥିବା ଦମ୍ପତି ନିଜକୁ ନିୟନ୍ତ୍ରଣ  କରିପାରିନଥିଲେ । ଦମ୍ପତି ଓଡ଼ଗାଁ ପାଟଣା ସାହିର ସୁରେଶ ସାହୁ ଓ  ତାଙ୍କ ସ୍ତ୍ରୀ ମିତା ସାହୁ । ବିବାହର ଅନେକ ବର୍ଷ ପରେ ବି ସେମାନେ କୈାଣସି ସନ୍ତାନର ବାପା ମା’ ହେବାରୁ ବଂଚିତ ଥିବା କାରଣରୁ ମନରେ ଥିଲା ଅନେକ ଦୁଃଖ । ଡିସେମ୍ବର ମାସ ୨୧ ତାରିଖ । ଭୁବନେଶ୍ୱର ରସୁଲଗଡ଼ରେ ରହୁଥିବା ସୁରେଶଙ୍କ ଭଉଣୀ ଶ୍ରମିକ ଭାବେ କନଷ୍ଟ୍ରକ୍ସନ୍ କାମ ପାଇଁ ପୋଖରୀପୁଟ ଯାଉଥିବା ବେଳେ ରାସ୍ତା କଡ଼ରୁ ଗୁରୁତର ଅବସ୍ଥାରେ ସଦ୍ୟଜାତ  ଶିଶୁ କନ୍ୟାଟିକୁ ପାଇଥିଲେ ।  ନିଜ ଭାଇ ସୁରେଶଙ୍କୁ ଖବର ଦେଇଥିଲେ । ସୁରେଶ ମୀତା ସେଠାରେ ପହଁଚି ଶିଶୁକନ୍ୟାକୁ ଏକ ଘରୋଇ ହସପିଟାଲକୁ ନେଇ ଚିକିତ୍ସା କରାଇ ୯ ଦିନ ପରେ ଓଡ଼ଗାଁ ଫେରିଥିଲେ । ସେମାନଙ୍କ ଯତ୍ନରେ ଶିଶୁକନ୍ୟାଟି ଧିରେ ଧିରେ ଭଲହେଲା । ଏ ସମ୍ପର୍କରେ ଖବର ପାଇ ଜିଲ୍ଲା ଶିଶୁ ମଙ୍ଗଳ ସମିତି ସଞ୍ଜୟ ସାହୁ ଓ ସୁଜାତା ବେହେରା ଓଡ଼ଗାଁ ପୋଲିସ ସହାୟତାରେ ଆଜି ଶିଶୁକନ୍ୟାକୁ ନିଜ ହେପାଜତକୁ ନେଇଥିଲେ । ଆଉ ଶିଶୁ ମଙ୍ଗଳ ସମିତିର ସଦସ୍ୟମାନେ ଶିଶୁ କନ୍ୟାଟିକୁ ନେଇ ଯାଉଥିବା ବେଳେ ମୀତାଙ୍କ ଆଖିରୁ ଧାର ଧାର ଲୁହ ଗଡିଯାଉଥିଲା | ଆଉ ମୀତାଙ୍କ କାନ୍ଦ ଦେଖି ସେଠାରେ ଉପସ୍ଥିତ ସମସ୍ତ ଲୋକ ବି ଭାବପ୍ରବଣ ହୋଇ ଉଠିଥିଲେ କିଛି ମୁହୂର୍ତ୍ତ ପାଇଁ | 

0
0
0
s2sdefault