ଲୋକ ମହୋତ୍ସବ ଚଇତିର ପ୍ରଥମ ସନ୍ଧ୍ୟା : ରଙ୍ଗାରଙ୍ଗ ଲୋକନୃତ୍ୟରେ ଦୁଲୁକିଲା ଚଇତି ମଣ୍ଡପ
ଭିନ୍ନତା ମଧ୍ୟରେ ଏକତାର ବାର୍ତା ବାହକ ହୋଇପାରିଛି ଲୋକ ମହୋତ୍ସବ ଚଇତି
ରାୟଗଡା (ସରୋଜ କୁମାର ସାହୁ) : ରାୟଗଡର ଲୋକ ମହୋତ୍ସବ ଚଇତି ୨୦୧୯ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ଇଂରାଜୀ ବିଦ୍ୟାଳୟ ପଡିଆରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଶ ମଧ୍ୟରେ ଉଦଘାଟିତ ହୋଇଯାଇଅଛି । ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା । ସମବେତ ଉପସ୍ଥିତ ଜନସାଧାରଣକୁ ଉଦବୋଧନ ଦେଇ ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ନିଜ ବକ୍ତବ୍ୟରେ କହିଥିଲେ ଯେ ଭିନ୍ନତା ମଧ୍ୟରେ ଏକତାର ବାର୍ତା ବାହକ ହୋଇପାରିଛି ଲୋକ ମହୋତ୍ସବ ଚଇତି । ଗୋଟିଏ ମଂଚରେ ଜିଲ୍ଲ, ରାଜ୍ୟ ତଥା ରାଜ୍ୟ ବାହାରର କଳାକାରଙ୍କ ସଙ୍ଗମ ହୋଇଛି । ଜିଲ୍ଲାର ଲୁକ୍କାୟିତ କଳା, ସଂସ୍କୃତି ଓ କଳାକାରଙ୍କୁ ନୂଆ ପରିଚୟ ଦେବା ଦିଗରେ ମଧ୍ୟ ସଫଳ ହୋଇଛି । ଆଦିବାସୀଙ୍କର କଳା,ସଂସ୍କୃତିର ପ୍ରସାର ପାଇଁ ଜିଲ୍ଲା ସଂସ୍କୃତି ପରିଷଦ ଓ ପ୍ରଶାସନର ଉଦ୍ୟମ ଜାରୀ ରଖିଛି ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ପ୍ରମୋଦ କୁମାର ବେହେରା ପ୍ରକାଶ କରିଥିଲେ ।
ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଶକ୍ତି,ଶିଳ୍ପ,ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଗୃହ (ରାଷ୍ଟ୍ରମନ୍ତ୍ରୀ ) ବିଭାଗ ଓଡିଶା ସରକାରଙ୍କ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ଯୋଗ ଦେଇ ୨୦୦୦ ବର୍ଷର ପୁରାତନ ଐତିହ୍ୟ ସମ୍ପନ୍ନ ଆଦିବାସୀ କଳା ସଂସ୍କୃତି ଓ ପରମ୍ପରା ଆଜି ବିଶ୍ୱ ଦରବାରରେ ଆଦ୍ଧୃତ ହୋଇ ପାରିଛି | ଏହା ଭିତରେ ରହିଥିବା ଭାଇଚାରା ଏବଂ ବସୁଧୈବ କୁଟୁମ୍ବକମ୍ ବାର୍ତ୍ତା ଦେଇ ସାରା ବିଶ୍ୱର ଜନମାନସରେ ଏକକ କୈନ୍ଦ୍ରିକ ପରିବାର ବୋଲି ବହନ କରୁଥିବା ସଂସ୍କୃତି ସାରା ବିଶ୍ୱରେ ମାନବ ସମାଜକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବା ସମସ୍ତଙ୍କୁ ଏକ ବିଶ୍ୱ ଚେତନାର ପରିଚୟ ସୃଷ୍ଟି କରିଛି | ଏହି ଲୋକ ମହୋତ୍ସବ ସଫଳ ଭାବର ଆୟୋଜନ କରୁଥିବା ଆୟୋଜକଙ୍କୁ ଭୂୟସି ପ୍ରଶଂସା କରିଥିଲେ | ଏଥି ସହ ଏହି ଲୋକ ମହୋତ୍ସବର ସଫଳ କାମନା କରି ଉପସ୍ଥିତ ଜନସାଧାରଣଙ୍କୁ ଉଦଭୋଦନ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ମନ୍ତ୍ରୀ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ ତଥା ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଜଗନ୍ନାଥ ସାରକା ଯୋଗ ଦେଇ ନିଜର ଭାଷଣ ପ୍ରସଂଗରେ କହିଥିଲେ ଯେ, ଏହି ମଂଚ ଆଦିବାସୀ ମାନଙ୍କର ଲୁକାୟୀତ ପ୍ରତିଭାର ବିକାଶ କରିବା ଦିଗରେ ସହାୟକ ହେବା ସହ ରାଜ୍ୟ ତଥା ରାଜ୍ୟ ବହାରେ ଏକ ପରିଚୟ ସୃଷ୍ଟି କରିପାରିଛି । ଲୋକସଭା ସାଂସଦ କୋରାପୁଟ ସପ୍ତଗିରି ଶଙ୍କର ଉଲ୍ଲାକା, ରାୟଗଡ ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧିର କୁମାର ଦାସ ଓ କେନ୍ଦ୍ରିୟ ପ୍ରଭାରି ବରିଷ୍ଠ ଆଇଏଏସ ସତ୍ୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ରହି ଚଳିତ ବର୍ଷ ପାଳିତ ହେଉଥିବା ଲୋକ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ସୁନ୍ଦର ପରିଚାଳନା କରିବା ସହ ଏଥିରେ ଆୟୋଜକଙ୍କୁ ପ୍ରଶଂସା କରିଥିଲେ । ଏହି ଅବସରରେ ରାୟଗଡ ଆରକ୍ଷୀ ଅଧିକ୍ଷକ ସର୍ବଣା ବିବେକ ଏମ, ରାୟଗଡ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ନିର୍ଦେଶକ ଅମୃତ ଋତୁରାଜ, ଗୁଣୁପୁର ଗ୍ରାମ୍ୟ ଉନ୍ନୟନ ସଂସ୍ଥା ନିର୍ଦ୍ଦେଶକ ଗୋରାଚାନ୍ଦ ଗମାଙ୍ଗ, ପିଆଇଟିଡିଏ ଟୁକୁ ବାରିକ, ରାୟଗଡ ଉପ-ଜିଲ୍ଲାପାଳ ପ୍ରତାପ କୁମାର ପ୍ରଧାନ ପ୍ରମୂଖ ଉପସ୍ଥିତ ରହିଥିବା ବେଳେ ରାୟଗଡ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ପ୍ରମୋଦ କୁମାର ବେହେରାଙ୍କ ପୌରହିତ୍ୟରେ ଚଇତି ୨୦୧୯ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଚଇତି ସନ୍ଧ୍ୟାର ଆରମ୍ଭରେ ଜିଲ୍ଲା ସଂସ୍କୃତି ସଂଯୋଜକ ଦୁଶ୍ମନ୍ତ କୁମାର ମହାନ୍ତି ପ୍ରାରମ୍ଭିକ ଭାଷଣ ଦେଇଥିବା ବେଳେ ଚଇତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଜିଲ୍ଲା ସୁଚନା ଓ ଲୋକ ସଂପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ବସନ୍ତ କୁମାର ପ୍ରଧାନ | ଜିଲ୍ଲା ସଂସ୍କୃତି ସହ-ସଂଯୋଜିକା ରୀତାରାଣୀ ମିଶ୍ର ପରିଚାଳନାରେ ସହଯୋଗ କରିଥିଲେ ।
ଚଇତି ମଣ୍ଡପରେ ଆଦ୍ୟ ସନ୍ଧ୍ୟାରେ ସଂଯୋଜକ ଓଡିଆ ସିନେମା କଳାକାର ପୁପିନ୍ଦର ସିଂ, ବେବୀ ରାଣୀ ନନ୍ଦ ଓ ଦମୟନ୍ତୀ ବହିହାରଙ୍କ ସଂଯୋଜନାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଚଇତି ମଣ୍ଡପ ଦୁଲୁକିଥିଲା । ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ଆଜାଦହିନ୍ଦ ୟୁଥ୍ ଆସୋସିଏସନର କଳାକାର ମାନେ । ସୁଦୂର ଅନୁଗୁଳରୁ ଆସିଥିବା ଅନୀତା ରାଜଗୁରୁ ଏବଂ ଗ୍ରୁଫ ସୁନ୍ଦର ଓଡିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ । ନେପାଳର ଲୋକନୃତ୍ୟ, ଶ୍ରୀଲଙ୍କାର ଲୋକନୃତ୍ୟ, କୋଲକତାର ବଙ୍ଗାଳୀ ନୃତ୍ୟ, ଖୋର୍ଦ୍ଧାର ପାଇକ ଆଖଡା, ସୌରା ନୃତ୍ୟ, ଆଦିବାସୀ ନୃତ୍ୟ, ନିଲାମା ନୃତ୍ୟ, ବାଜା ଶାଲ୍ ପ୍ରମୁଖ ଉଦଘାଟନୀ ଉତ୍ସବରେ ପ୍ରମୂଖ ଆକର୍ଷଣ ଥିଲା ।