ହେଡଲାଇନସ୍:

ଗଜପତି ଜିଲ୍ଲାରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଜନ-ଶୁଣାଣୀ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପରିସରରେ ଜାତୀୟ ଶିଶୁ ସୁରକ୍ଷା ଆୟୋଗଙ୍କ ଜିଲ୍ଲାସ୍ତରୀୟ ଜନ-ଶୁଣାଣୀ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଶିଶୁ ସୁରକ୍ଷା ଆୟୋଗର ସଭ୍ୟ  ଆର୍. କେ.ଆନନ୍ଦଙ୍କ ଅଧ୍ୟକ୍ଷତାରେ ଏହି ଜନ-ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

    ଏହି ଜନ-ଶୁଣାଣୀ ଶିବିର କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେ , ଶିଶୁ ମାନଙ୍କ ପ୍ରତି ହେଉଥିବା ବିଭିନ୍ନ ଅତ୍ୟାଚାର ଓ ଶିଶୁ ଅଧିକାରର ଉଲଂଘନ ସମ୍ପର୍କିତ ଅଭିଯୋଗ ଉପରେ ଜନ-ଶୁଣାଣୀ କରିବା । ଏହି ଜନ-ଶୁଣାଣୀ ଯେଭଳି ପ୍ରତ୍ୟେକ ଜନ ସାଧାରଣଙ୍କ ଠାରେ ପହଞ୍ଚିବା ସହ ମାନ୍ୟବର ଆୟୋଗକଙ୍କ ନିକଟକୁ ଯେଭଳି ଅଧିକରୁ ଅଧିକ ଏ ସମ୍ପର୍କିତ ଅଭିଯୋଗ ଆସି ପାରିବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବରୁ ବିହିତ ପଦକ୍ଷେପ ନିଆ ଯାଇଥିଲା ।

    ଏହି ଜନ-ଶୁଣାଣୀ ଶିବିର କାର୍ଯ୍ୟକ୍ରମରେ ଶିଶୁ ଶ୍ରମିକ ଓ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମେତ , ଦିବ୍ୟାଙ୍ଗ ଭତ୍ତା , ପୋଷ୍ୟତା , ଆଶ୍ରୟ , ଶିଶୁ ଯୌନ ନିର୍ଯ୍ୟାତନା ,  ଶିକ୍ଷା , ପ୍ରୟୋଜନ , ବିଦ୍ୟାଳୟ ଓ ଅଙ୍ଗନବାଡ଼ି ନିର୍ମାଣ , ପାନୀୟ ଜଳ ବ୍ୟବସ୍ଥା , ଗ୍ରାମ୍ୟ ରାସ୍ତା ନିର୍ମାଣ ପ୍ରଭୃତି ସମ୍ବନ୍ଧୀୟ ଅଭିଯୋଗ ଗୁଡିକ ଆସିଥିଲା ।

   ଏହି ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ମୋଟ ୯୨୦ ଟି ଅଭିଯୋଗ ଆସିଥିବା ବେଳେ ସେଥିମଧ୍ୟରୁ ୭୭୮ ଟି ଅଭିଯୋଗର ତ୍ୱରିତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।     ଶିବିରକୁ ଅଭିଯୋଗ ନେଇ ଆସିଥିବା ଶିଶୁଙ୍କ ପିତାମାତା ଓ ଅଭିଭାବକ ମାନେ ଯେଭଳି ନିଜ ଅଭିଯୋଗ ଆବେଦନକୁ ଆୟୋଗଙ୍କ ସଭ୍ୟ ମାନଙ୍କ ପାଖରେ ଠିକ ଭାବେ ପହଞ୍ଚି ପାରିବ , ସେଥିପାଇଁ ୪ ଟି ଦଳ ଗଠନ କରାଯାଇଥିଲା । ଆବେଦନକାରୀ ମାନେ ବିନା କୌଣସି ଅସୁବିଧାରେ ଆବେଦନ ସବୁ ପ୍ରଦାନ କରିବା ସହ ମାନ୍ୟବର ସଭ୍ୟଙ୍କ ସମ୍ମୁଖରେ ନିର୍ଭୟରେ ନିଜ କଥା କହିବା ଏବଂ ଏଥିପାଇଁ ସହଯୋଗ ନିମନ୍ତେ ସରକାରୀ ଓ ବେସରକାରୀ ସଂସ୍ଥା ମଧ୍ୟରୁ ମୋଟ ୬୦ ଜଣ ସ୍ବେଛାସେବୀଙ୍କୁ ନିୟୋଜିତ କରା ଯାଇଥିଲା ।

   ଏହି ଜନ-ଶୁଣାଣୀ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଅବସରରେ ଜିଲ୍ଲା ପ୍ରସାଶନ ପକ୍ଷରୁ ମୋଟ ୧୮ ଗୋଟି ଜନ-ସଚେତନତା ମୂଳକ ପ୍ରଦର୍ଶନୀ ଷ୍ଟଲ ଖୋଲା ଯାଇଥିଲା । ମୁଖ୍ୟତଃ ଶିଶୁ ମାନଙ୍କ ନିମନ୍ତେ ଶିବିରକୁ ବିଭିନ୍ନ ଅଭିଯୋଗ ନେଇ ଆସିଥିବା ଶିଶୁ-ମାନଙ୍କ ବାପା-ମାଆ , ଅଭିଭାବକ ଓ ଜନ-ସାଧାରଣଙ୍କୁ ଶିଶୁ ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ଥିବା ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଅବଗତ କରାଇବା , ଏହି ଖୋଲା ଯାଇଥିବା ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି କୁହାଯାଇଥିଲା । ଖୋଲା ଯାଇଥିବା ସମସ୍ତ ପ୍ରଦର୍ଶନୀ ଷ୍ଟଲ ଗୁଡିକୁ ଅତିଥି ମାନେ ପରିଦର୍ଶନ କରିଥିଲେ  ।

   ଉପସ୍ଥିତ ଆବେଦନକାରୀ ମାନଙ୍କ ଅଭିଯୋଗ ଗୁଡିକ ଶୁଣିବା ନିମନ୍ତେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି ଜନ-ଶୁଣାଣୀ ଶିବିର କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଓଡିଶା ଶିଶୁ ଅଧିକାର ଆୟୋଗର ଅଧ୍ୟକ୍ଷା  ଶ୍ରୀମତୀ ସନ୍ଧ୍ୟାବତୀ ପ୍ରଧାନ, ସଭ୍ୟ ହରିହର ନାୟକ ଏବଂ ଡ଼ଃ. ଗୀତାଞ୍ଜଳି ବସ୍ତିଆ ପ୍ରମୁଖ ଉପସ୍ଥିତ ରହି ସମସ୍ତ ଅଭିଯୋଗର ଶୁଣାଣୀ କରିବା ସହ ଏଦିଗରେ ଅଧିକ ଯତ୍ନବାନ ହେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । 

    ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଏହି ଜନ-ଶୁଣାଣୀ ଶିବିର କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ଶାହା , ଆରକ୍ଷୀ ଅଧିକ୍ଷକ ସାରା ଶର୍ମା , ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ,  ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଦୀପା ଦାସ  ଓ ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।  ଏହି ଜନ-ଶୁଣାଣି ଶିବିର କାର୍ଯ୍ୟକ୍ରମକୁ ସହାୟତା ଓ ସହଯୋଗ ନିମନ୍ତେ ପୋଲିସ , ଅଗ୍ନିଶମ ଓ ସ୍ବାସ୍ଥ୍ୟ ବିଭାଗ ସମେତ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଓ ଜିଲ୍ଲା ଚାଇଲ୍ଡ ଲାଇନର କର୍ମକର୍ତ୍ତା ଓ ଏନସିସି କେଡ଼େଟ ମାନଙ୍କୁ ନିୟୋଜିତ କରାଯାଇଥିଲା ।

   ଏହି ଜନ-ଶୁଣାଣୀ ଶିବିରର  ସମସ୍ତ କାର୍ଯ୍ୟକ୍ରମ ଯେଭଳି ସୁଚାରୁ ରୂପେ ପରିଚାଳନା ଓ ଅନୁଷ୍ଠିତ ହୋଇ ପାରିବ ସେଥିପାଇଁ  ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଏବଂ ୟୁନିଟର କର୍ମକର୍ତ୍ତା ମାନଙ୍କୁ ସମସ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା ।  ଅନ୍ୟପକ୍ଷରେ ଏହି ଜନ-ଶୁଣାଣୀ ଶିବିର କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କାର୍ଯ୍ୟଳୟ ପକ୍ଷରୁ ୧୦ ଜଣଙ୍କୁ ପୃଷ୍ଠ-ପୋଷକତା ରାଶି , ଜାତୀୟ ସ୍ତରରେ ଅନୁଷ୍ଠିତ ହୋଇଥିବା "ହୋସଲା" କାର୍ଯ୍ୟକ୍ରମରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ପର୍ଶୁରାମ ରଇତଙ୍କୁ ମାନ୍ୟବର ଆୟୋଗଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା ।

  ଏତଦ୍ ବ୍ୟତୀତ କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ୪୬ ଜଣଙ୍କୁ ପେନସନ , ୧୬ ଜଣଙ୍କୁ ବସ୍ କନ୍ସସେନ କାର୍ଡ , ୧୧ ଜଣଙ୍କୁ ହ୍ବିଲ ଚେୟାର , ଜଣକୁ ଟ୍ରାଏ-ସାଇକଲ , ୮ଜଣ ଶ୍ରବଣ-ବାଧିତଙ୍କୁ ସହାୟତା ଏବଂ ୧୦ ଜଣଙ୍କୁ "ବାଣୀଶ୍ରୀ" ବୃତ୍ତି (ସ୍କଲରସିପ) ଯୋଗାଇ ଦିଆ ଯାଇଥିଲା ।

0
0
0
s2sdefault