ହେଡଲାଇନସ୍:

ଗୁଣିଗାରେଡି ସନ୍ଦେହରେ ଗୁଳିମାଡ (SEE VIDEO)

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା /ଦିଲ୍ଲୀପ ମହାନ୍ତି:- ଏବେ ବି ଅନ୍ଧବିଶ୍ୱାସ ବଳବତ୍ତର ସେଇ ଗୁଣିଗାରେଡ଼ିକୁ ନେଇ | ଆଉ ସେଇ ଗୁଣି ଗାରେଡ଼ିକୁ ସନ୍ଦେହ କରି ରାତି ଅଧରେ ଚାଳ ଛପର ଘର ଫାଙ୍କରେ ଜଣେ ମହିଳାଙ୍କୁ ହୋଇଛି ଗୁଳି। ଏପରି ଘଟଣା ଶନିବାର ରାତିରେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରେ ଘଟିଛି। ଥାନାରେ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତକୁ ଧରି ଘଟଣାର ତଦନ୍ତ ଆରମ୍ଭ କରିଛି।

ବର୍ଷେ ତଳେ ବିଶୋଇ ଥାନା "ତଲଖବଦି" ଗାଁର ଗୋବିନ୍ଦ ହେମ୍ୱ୍ରମଙ୍କ ଭାଇ ରୁପାୟଙ୍କ ପୁଅ ଠାକୁର(୧୭)ର ମୃତ୍ୟୁ ହୋଇଥିଲା। ଗୋବିନ୍ଦ ଓ ତାଙ୍କ ପତ୍ନୀ ମାଇନ ଗୁଣିଗାରେଡି କରିଥିବାରୁ ଠାକୁରର ମୃତ୍ୟୁ ହୋଇଥିବା ସବୁବେଳେ ସନ୍ଦେହ କରୁଥିଲେ ରୁପାୟ। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟ ପାଟିତୁଣ୍ଡ ହେଉଥିଲା। ପ୍ରତିଶୋଧ ନେବାକୁ ଯୋଜନା କରିଥିଲେ ରୁପାୟ ମାଝୀ । ଶନିବାର  ରାତିରେ ଗୋବିନ୍ଦ ଓ ତାଙ୍କ ପତ୍ନୀ ମାଇନ ଖାଇପିଇ ଘରେ ଶୋଇଥିଲେ। ଏହି ସମୟରେ ରୁପାୟ ମାଝି ଚାଳ ଛପର ଫାଙ୍କରେ ଏକ ପିସ୍ତଲରେ ଫାୟାରିଂ କରିଥିଲେ। ଫଳରେ ଗୁଳି ମାଇନ୍‌ଙ୍କ ମୁଣ୍ଡରେ ବାଜିଥିଲା। ଏହା ପରେ ପୂରା ପରିବାର ଉଠି ପଡ଼ିଥିଲେ। ହୋ-ହଲ୍ଲା ଶବ୍ଦ ଶୁଣି ସାହି ପଡ଼ିଶା ଉଠିପଡ଼ି ରୁପାୟକୁ କାବୁ କରି ସ୍ଥାନୀୟ ଥାନାକୁ ଖବର ଦେଇଥିଲେ। ବିଶୋଇ ପୁଲିସ ଏହି ମାମଲାରେ ରୁପାୟକୁ ଅଟକ ରଖି ପଚରାଉଚରା କରୁଛି।

ଆଜି ସକାଳେ ମାଇନଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ବିଶୋଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାରିପଦା ମେଡିକାଲ୍‌କୁ ସୋମବାର ସ୍ଥାନାନ୍ତରିତ କରାଯାଇଛି ଏବଂ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହି ଥିବାର ଜଣାପଡିଛି। ଉକ୍ତ ଘଟଣାକୁ ବିଭିନ୍ନ ସ୍ତରରେ ଦବାଇ ଦେବାକୁ ଉଦ୍ୟମ ହେଉଥିବା ବେଳେ ଗତକାଲି ପଦାକୁ ଆସିଯାଇଛି । ତେବେ ଏହି ଡାହାଣୀ ସନ୍ଦେହରେ ବନ୍ଧୁକରୁ ଗୁଳିମାଡ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ବନ୍ଧୁକ କେଉଁଠୁ ଆସିଲା ତାହା ଏକ ପ୍ରଶ୍ନବାଚୀ । ପୁଣି କୁସଂସ୍କାରକୁ ନେଇ ଜନସାଧାରଣଙ୍କୁ ସଚେତନ କରାଇବା ନିମନ୍ତେ ସରକାରୀସ୍ତରରେ ସମସ୍ଥ ବ୍ୟବସ୍ଥା କେବଳ କାଗଜ କଲମରେ ସୀମିତ ରହିଯାଇଛି ବୋଲି ଚର୍ଚ୍ଚା ହେଉଛି ।

0
0
0
s2sdefault