ବଲାଙ୍ଗୀର ଏସପିଙ୍କ କାର୍ଯ୍ୟଶୈଳୀକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା.
ପାଟଣାଗଡ/ସଚିନ ସାହୁ : ପାଟଣାଗଡ଼ ପୋଲିସ ରବିବାର ବିଳମ୍ବିତ ରାତିରେ ଲରମ୍ଭା ଥାନା ଅନ୍ତର୍ଗତ ଲୁହାସିଂହା ଗ୍ରାମର ଏକ ଗୋଦାମ ଘରେ ଚଢ଼ାଉ କରି ୧୬ ହଜାର ବୋତଲ କଫ୍ ସିରପ ଜବତ କରିଛି। ଜବତ ହୋଇଥିବା କଫ୍ ସିରପର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏପଟେ ଗୋଦାମ ମାଲିକ ସତ୍ୟନାରାୟଣ ଅଗ୍ରୱାଲ ଘଟଣାସ୍ଥଳରୁ ଫେରାର ଥିବା ଏସ୍ପି ଏମ ସନ୍ଦୀପ ସଂପତ କହିଛନ୍ତି। ସତ୍ୟନାରାୟଣ ଅଗ୍ରୱାଲ ଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ମାମଲା ରହିଥିବାରୁ ତାଙ୍କ ଉପରେ ବହୁତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକ କହିଛନ୍ତି।କିଛିଦିନ ତଳେ ବଲାଙ୍ଗୀରଠାରେ ୧୧ ହଜାର ବୋତଲ କଫ୍ ସିରପ ଜବତ ହୋଇଥିବା ବେଳେ ବର୍ତ୍ତମାନ ପାଟଣାଗଡରେ ୧୬ ବୋତଲ ହଜାର କଫ୍ ସିରପ ଜବତ ହେବା ଘଟଣା ଚର୍ଚ୍ଚାର ପରିସରକୁ ଆସିଛି।
ସୂଚନାନୁଯାୟୀ, କୌଣସି ସୂତ୍ରରୁ ଖବରପାଇ ରାତିରେ ପାଟଣାଗଡ ଏସ୍ଡିପିଓ ସୁରେଶ କୁମାର ନାଏକଙ୍କ ନେତୃତ୍ୱରେ ପାଟଣାଗଡ଼, ଲରମ୍ଭା ପୋଲିସ ଏବଂ ମାଜିଷ୍ଟ୍ରେଟ ଭାବେ ଉପଜିଲ୍ଲାପାଳ ସୋମନାଥ ପଧାନ ଘଟଣାସ୍ଥଳରେ ପହଞ୍ଚି ଏହି ଚଢ଼ାଉ କରିଥିଲେ | ସୂଚନାଯୋଗ୍ୟ ଯେ ଏସପି ଶ୍ରୀ ସଂପତଙ୍କ କାର୍ଯ୍ୟଶୈଳୀ ଅପରାଧୀଙ୍କ ମନରେ ଛନକା ପୁରାଇ ଦେଇଥିବା ବେଳେ ତାହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି |