-
ଭରସା ତୁଟି ଯାଉଛି ପୋଲିସ ଉପରୁ, କାହାପାଇଁ "ମୋ ସରକାର" ଆଉ ୫- ଟି
-
ତଦନ୍ତ ପରିସରକୁ ଆସିଲେଣି କି ଭାଉଜ ଓ ତାଙ୍କ ପରିବାର
-
ଆତ୍ମହତ୍ୟା ପାଇଁ ପଥ ଉନ୍ମୁକ୍ତ କରିଥିବା ପୋଲିସ ଅଧିକାରୀଙ୍କ ଦାୟିତ୍ବହୀନତାର ଦଣ୍ଡ କଣ ବଦଳି -ନିଲମ୍ବନ !!!
ବାରିପଦା(ଦିଲ୍ଲୀପ ମହାନ୍ତି )- ଭାଉଜ ଡକାଇ ପଠାଇଲେ | ଭାଉଜଙ୍କ କଥାରେ କିଛି ଅବିଶ୍ୱାସ କରିବାର ଥିଲା କି ! ତେଣୁ ରୁକ୍ମିଣୀ କେନ୍ଦୁଝର ଗଲେ ଭାଉଜଙ୍କ ଘରକୁ | ପହଂଚିବା ପରଦିନ ରାତିରେ ଭାଉଜଙ୍କ ଭାଇ ନିଶାସକ୍ତ ଅବସ୍ଥାରେ ଆସି ତାଙ୍କୁ ଦୁଷ୍କର୍ମ କରିଲା | ଯୋଜନାବଦ୍ଧ ସେ ଦୁଷ୍କର୍ମ ବେଳର ଫୋଟୋ ଉଠାଇଲା | ରୁକ୍ମିଣୀ ଭାଉଜଙ୍କୁ ଏ ବିଷୟରେ କହିଲେ , ହେଲେ ଭାଉଜ ତାଙ୍କୁ ଚୁପ ରହିବାକୁ ପ୍ରବର୍ତ୍ତାଇଲେ | ଏପରିକି ତାଙ୍କ ଫୋଟୋ ଉଠିଥିବା ବିଷୟ ଜାଣି ବି ଭାଉଜଙ୍କ ପରିବାର ଲୋକ କାହାକୁ ନକହିବାକୁ ଧମକାଇଲେ | ତା ପରଦିନ ସେଠାରୁ ଆସି ପ୍ରବଳ ମାନସିକ ଅଶାନ୍ତି ଭିତରେ ରହିଥିବା ରୁକ୍ମିଣୀଙ୍କୁ ଫୋନ ଯୋଗେ ବି ଫୋଟୋ ଭାଇରଲ କରିଦେବା ବା ଜୀବନରେ ମାରିଦେବା ଧମକ ଭି ଆସିଲା | ମାନସିକ ଦୁଶ୍ଚିନ୍ତାରେ ରହିବା ସହ ତାଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରି ଦୁଇଦିନ ପରେ ପୋଲିସରେ ଏତଲା ଦାଏର ହେଲା | ପୋଲିସ ବି ଏତଲା ପଞ୍ଜିକାରଣ କଲା | ଏତଲା ହେବାର ମାସେ ପରେ ବିତିଗଲେ ମଧ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ "ମୋ ସରକାର" ଓ "୫-ଟି" ଭଳି ମହତ୍ୱାକାଂକ୍ଷୀ ଯୋଜନାକୁ ପରିସ୍ରା ବି କଲେଣି ସମ୍ପୃକ୍ତ ଥାନାଧିକାରୀ | ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କଣ, ତଦନ୍ତ ଭି ଠିକଣା ଢଙ୍ଗରେ ବି କଲେ ନାହିଁ | ଅଧ୍ୟାପିକା ରୁକ୍ମିଣୀ ମାନସିକ ଦୁଶ୍ଚିନ୍ତା ରେ ରହିଲେ ଆଉ ଦୁଷ୍କର୍ମକାରୀଙ୍କ ମନୋବଳ ବଢ଼ିଲା | ରୁକ୍ମିଣୀଙ୍କ ଜୀବନ ଓ ଆତ୍ମମର୍ୟାଦା ପ୍ରତି ବିପଦ ଘନେଇଲା | ନିଇତି ମରି ମରି ବଂଚୁଥିଲେ ଉଚ୍ଚଶିକ୍ଷିତ ଅଧ୍ୟାପିକା ଜଣକ ପୋଲିସର ଅସହଯୋଗ ପାଇଁ | ଶେଷରେ ମରି ମରି ବଂଚିବା ଅପେକ୍ଷା ଏକାଥରକେ ମରିଯିବା ଭଲ ବୋଲି ଉଚିତ ମନେକରି ନେଇଗଲେ ଭୁଲ ନିଷ୍ପତ୍ତି | ଆଉ ଜୀବନତାକୁ ଶେଷ କରିଦେଲେ (!)| ହାଇଦ୍ରାବାଦ ଡାକ୍ତର ପ୍ରିୟଙ୍କାଙ୍କ ମାମଲାରେ ଅପରାଧୀ ମାନେ ଦୁଷ୍କର୍ମ ପରେ ତାଙ୍କୁ ଜାଳି ମାରିଦେଲେ | ହେଲେ ରୁକ୍ମିଣୀଙ୍କ କ୍ଷେତ୍ରରେ ଦୁଷ୍କର୍ମ ପରେ ଅପରାଧୀ ଓ ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କୁ ଜଳି ଜଳି ମାରିବାକୁ ଛାଡି ଦେଲା | ଆଉ ସେ ନିଆଁରେ ଜଳିଗଲେ ରୁକ୍ମିଣୀ |

ତେବେ ଏଠି ଦୁଷ୍କର୍ମକାରୀମାନେ ରୁକ୍ମିଣୀଙ୍କ ଆତ୍ମହତ୍ୟା ପାଇଁ ଯେତିକି ଦାୟୀ ନୁହନ୍ତି ତାଠୁ ଅଧିକ ଦାୟୀ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ଅଫିସରଙ୍କ ସମବେଦନା ହୀନତା ଓ ଦାୟିତ୍ୱହୀନତା ଅବା ଦାୟିତ୍ୱ ପ୍ରତି ଚଂଚକତା | ଏହି ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସୌମ୍ୟରଂଜନ ଓ ମାମଲା ପ୍ରତ୍ୟାହାର ନିମନ୍ତେ ଧମକ , ଚାପ ପକାଉଥିବା ଦୁଇ ଭାଇ ଦେବବ୍ରତ ମଣ୍ଡଳ, ସୁଜିତ ମଣ୍ଡଳକୁ ଗିରଫ କଲା ।ଏଥିସହିତ ରୁକ୍ମିଣୀ ପକ୍ଷରୁ ରୁଜୁ କରାଯାଇଥିବା ଏତଲାରେ କର୍ତ୍ତବ୍ୟରେ ଅବହେଳା କାରଣରୁ କେଶରେ ଥିବା ଆଇଓ ପ୍ରଶାନ୍ତ ସ୍ୱାଇଁଙ୍କୁ କାର୍ଯ୍ୟରୁ ନିଲମ୍ବିତ ଓ ଝାରପୋଖରିଆ ଥାନା ଅଧିକାରୀ ଶରତ ମହାଳିକଙ୍କୁ ବଦଳି କଲେ ମୟୂରଭଞ୍ଜ ଆରାକ୍ଷୀ ଅଧିକ୍ଷକ ସ୍ମିଥ ପି ପରମାର । ରୁକ୍ମିଣୀଙ୍କ ସମଗ୍ର ଘଟଣା ବଳି ଓ ସେ କରିଥିବା ଏତଲାକୁ ବିଚାର କଲେ ତାଙ୍କ ଦୁର୍ଦଶା ଆରମ୍ଭ ହୋଇଛି ତାଙ୍କ ଭାଉଜଙ୍କ ଫୋନରୁ | ସେ ଫୋନ କରି ତାଙ୍କ ଘରକୁ ଡାକିବା, ପରଦିନ ରୁକ୍ମିଣୀଙ୍କ ପ୍ରତି ତାଙ୍କ ଭାଇ ଦୁଷ୍କର୍ମ କରିବା ଆଉ ଭାଉଜ ଙ୍କୁ ଏବଂ ତାଙ୍କ ପରିବାର ବର୍ଗଙ୍କୁ ଏ ବିଷୟରେ ଜଣାଇବା ପରେ ଭାଉଜ ଓ ତାଙ୍କ ପରିବାର ଲୋକ ଚୁପ ରହିବା ପାଇଁ ଚେତାବନୀ ଦେବା, ଏତଲା ପରେ ପୋଲିସର ସନ୍ଦେହଜନକ ନୀରବତା କୋଉଠି ନ କେଉଁଠି ରୁକ୍ମିଣୀଙ୍କୁ ମାରିବା ପାଇଁ ବାଧ୍ୟ କରିଛି | ତେଣୁ କେବଳ ସୌମ୍ୟ ଓ ଅନ୍ୟ ଦୁଇ ଅଭିଯୁକ୍ତ ନୁହନ୍ତି, ଭାଉଜ ଓ ତାଙ୍କ ପରିବାରବର୍ଗ ଏ ମୃତ୍ୟୁ ପାଇଁ ଦାୟୀ | ଆଉ ତଦନ୍ତ କରି ପୋଲିସ ମଧ୍ୟ ଅଧକ ପରିମାଣରେ ଦାୟୀ | ପୋଲିସ ଭାଉଜ ଓ ତାଙ୍କ ପରିବାରବର୍ଗଙ୍କୁ ତଦନ୍ତ ପରିସରଭୁକ୍ତ କରିଛି କି ! ରୁକ୍ମିଣୀଙ୍କୁ ସୁରକ୍ଷା ନଦେଇ ଅଭିଯୁକ୍ତଙ୍କ ଧମକ ଚମକ ଭିତରେ ଜଳି ଜଳି ମାରିବାକୁ ଛାଡି ଦେଇଥିବା ପୋଲିସ ଅଫିସରଙ୍କ ପାଇଁ ଦଣ୍ଡ କଣ ବଦଳି ଆଉ ନିଲମ୍ବନ !!!! କାରଣ ନା ବଦଳି ଗୋଟାଏ ଦଣ୍ଡ ନା ନିଲମ୍ବନ ମଧ୍ୟ ! ଜିଲ୍ଲାରେ ଜଣେ ଦକ୍ଷ ତଥା ସଚୋଟ ଏସପି ଶ୍ରୀ ପରମାରଙ୍କ ଉପସ୍ଥିତି ନିଶ୍ଚିତ ଭାବେ ରୁକ୍ମିଣୀଙ୍କ ପରିବାରକୁ ଉଚିତ ନ୍ୟାୟ ଦେବ ଓ ଘଟଣାର ପ୍ରତ୍ୟେକ କଡ଼ିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ବିଧାନ କରିବ ନିଶ୍ଚିତ | ରାଜ୍ୟ ସରକାର ମଧ୍ୟ ତାଙ୍କ "ମୋ ସରକାର" ଓ "୫-ଟି"ର ମାନ ରଖିବେ ବୋଲି ବିଶ୍ୱାସ |

ଆମେ ଏଠି ମନେ ପକାଇ ଦେବାକୁ ଚାହୁଁ ଯେ ରାଇରଙ୍ଗପୁର ମହାବିଦ୍ୟାଳୟର ଛାତ୍ରୀନିବାସରୁ ଅଧ୍ୟାପିକା ରୁକ୍ମିଣୀ ମଣ୍ଡଳ ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଥିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା | ସୂଚନା ଅନୁଯାୟୀ ନଭେମ୍ବର ୩୦ ରାତି ପ୍ରାୟ ସାଢେ଼ ଆଠଟା ସମୟରେ ରାଇରଙ୍ଗପୁର ମହାବିଦ୍ୟାଳୟ ପରିସରରେ ଥିବା ଛାତ୍ରୀ ନିବାସର ରୁମ ନଂ ୮ ରେ ରୁକ୍ମଣୀ ମଣ୍ଡଳ ଭିତର ପଟୁ କବାଟ ବନ୍ଦ କରିଦେଇ ଥିବାବେଳେ ରାତ୍ରୀ ଭୋଜନ ପାଇଁ ଛାତ୍ରୀ ନିବାସର ମେଟ୍ରୋନ ତାଙ୍କୁ ଖାଇବା ପାଇଁ ଡାକିଥିଲେ। କବାଟ ନ ଖୋଲିବାରୁ ଏବଂ ଭିତର ପଟୁ କୌଣସି ଶବ୍ଦ ନ ଆସିବାରୁ ମେଟ୍ରୋନ ଓ କିଛି ଛାତ୍ରୀମାନେ ମିଶି କବାଟଟିକୁ ଧକ୍କା ଦେଇ ଖୋଲିଥିଲେ। ସେତେବେଳକୁ ଅଧ୍ୟାପିକା ରୁକ୍ମଣୀ ମଣ୍ଡଳ ବେକରେ ପ୍ଲାଷ୍ଟିକ ରସି ସାହାଯ୍ୟରେ ଝୁଲୁଥିବା ଦେଖି ତୁରନ୍ତ କଲେଜ କର୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। କଲେଜ କର୍ତୃପକ୍ଷ ଏନେଇ ରାଇରଙ୍ଗପୁର ଟାଉନ ପୋଲିସକୁ ଖବର ଦେବାରୁ ଘଟଣାସ୍ଥଳରେ ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ଓ ଏସଡିପିଓ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ । ଏଥି ସହିତ ସାଇଣ୍ଟିଫିକ ଟିମ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ପ୍ରକାଶ ଥାଉକି ଅଧ୍ୟାପିକାଙ୍କ ଲିଖିତ ଅଭିଯୋଗ ମୁତାବକ ଗତ ଅକ୍ଟୋବର ୩୦ ତାରିଖରେ ତାଙ୍କ କକା ପୁଅ ଭାଇଙ୍କ ସ୍ତ୍ରୀ(ଭାଉଜ ) ଫୋନ ଯୋଗେ କେନ୍ଦୁଝରକୁ ଦୁର୍ଗାଅପୂଜା ବୁଲିବାକୁ ଡାକିଥିଲେ ,ଭାଉଜଙ୍କ କଥାକୁ କାଟିନପାରି ବସରେ କେନ୍ଦୁଝର ଯାଇ ଭାଉଜଙ୍କ ଘରେ ରହିଥିଲେ ଏବଂ ରାତିରେ ଏକା ଶୋଇଥିବା ଅବସ୍ଥାରେ ଭାଉଜଙ୍କ ଭାଇ ସୌମ୍ୟରଂଜନ ସାହୁ ଅଧ୍ୟାପିକାଙ୍କୁ ଦୁଷ୍କର୍ମ କରିଥିଲେ ଏବଂ ରୁକ୍ମିଣୀଙ୍କ ଅଜାଣତରେ ତାର ରେକର୍ଡ ମଧ୍ୟ କରି ନେଇଥିଲେ । ଏହି ଘଟଣା ବାହାରେ ପ୍ରକାଶ ନକରିବାକୁ ବାକୁ ମଧ୍ୟ ଧମକ ଦେଇଥିଲେ । ଅଧ୍ୟାପିକା ଏହି ଘଟଣାକୁ ନେଇ ଝାରପୋଖରିଆ ଥାନାରେ ଲିଖିତ ଅଭିଯୋଗ ପରେ ଥାନାରେ କେଶ ନଂ ୧୨୫/୧୯ରେ ମାମଲା ରୁଜୁକରି ଅଧ୍ୟାପିକାଙ୍କୁ ଡାକ୍ତରୀମଇନା ପାଇଁ PRM ମେଡିକଲ କଲେଜକୁ ପଠାଯିବା ସହିତ ମାଜିଷ୍ଟ୍ରେଟଙ୍କ ଠାରେ ବୟାନ ରେକର୍ଡ କରାଯାଇଥିଲା । ଥାନାରୁ ମାମଲା ଉଠାଇନେବା ନିମନ୍ତେ ସୌମ୍ୟ ଓ ରୁକ୍ମିଣୀଙ୍କ କାକା ପୁଅ ଭାଇମାନେ ତାଙ୍କୁ ଧମକ ଚମକ ଦେଇ ଆସୁଥିଲେ । ଏଥିସହିତ ଦୁଷ୍କର୍ମ ଭିଡିଓ ଭାଇରାଲ କରିଦେବାର ଧମକ ଦେଇଆସୁଥିଲେ । ଏହି ସମୟରେ ଗତ ନଭେମ୍ବର ୩୦ ସୌମ୍ୟରଂଜନ ଓ ରୁକ୍ମିଣୀଙ୍କ ଭିତରେ ପ୍ରବଳ ମୋବାଇଲରେ ପାଟିତୁଣ୍ଡ ହେବା ପରେ ମୋବାଇଲ ସୁଇଜ ଅଫ କରିଦେଇଥିଲେ ସୌମ୍ୟରଂଜନ । ସୌମ୍ୟରଞ୍ଜନଙ୍କ ବ୍ଲକମେଲିଙ୍ଗ ଓ କକା ପୁଅ ଭାଇମାନଙ୍କ ଧମକଚମକରେ ନିଜର ମାନସିକ ଭାରସ୍ୟମ ହରାଇ ରୁକ୍ମିଣୀ ଏହି ନିଷ୍ପତ୍ତି ନେଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ପୁଣି ଶବ ନିକଟରୁ ଏକ ସୁଇସାଇଡ଼ ନୋଟ ମିଳିଛି ଓ ସେଥିରେ ରୂକ୍ମିଣୀ ପୁଲିସକୁ ଦାୟୀ କରିଥିବା ବିଷୟକୁ ନେଇ ଜନସାଧାରଣରେ ହେଉଥିବା ଚର୍ଚ୍ଚାରୁ ଜଣାପଡିଛି ।