ହେଡଲାଇନସ୍:

୧୮୧୪ କିମି ରେଳ ଲାଇନ ଚୋରି ହୋଇଗଲାକି ??

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଓଡ଼ିଶା ପାଇଁ ରେଳ ବଜେଟ୍‍ ନୈରାଶ୍ୟଜନକ... ଉପେକ୍ଷା: ବିଜେଡି

ମିଥ୍ୟା ତଥ୍ୟ ଦେଇ ରେଳମନ୍ତ୍ରୀଙ୍କ ଟ୍ୱିଟ୍‍ ରାଜ୍ୟବାସୀଙ୍କୁ ଉପହାସ

ନୂଆପଡ଼ା-ବରଗଡ଼-ବିଜେପୁର ରେଳ ଲାଇନ୍‍ ଗଲା କୁଆଡେ଼?

ଭୁବନେଶ୍ୱର,: ସଂସଦରେ ଉପସ୍ଥାପିତ ରେଳ ବଜେଟ୍‍ରେ ଓଡ଼ିଶା ପାଇଁ ବିଶେଷ କିଛି ଖୁସିର ଖବର ନାହିଁ । ଓଡ଼ିଶା ପରିପ୍ରେକ୍ଷୀରୁ ଏହା ସଂପୂର୍ଣ୍ଣ ନୈରାଶ୍ୟଜନକ । ଓଡ଼ିଶାର ଦାବି ପୂରଣ ପାଇଁ କୌଣସି କାର୍ଯ୍ୟକ୍ରମ ନାହିଁ । ବଜେଟ୍‍ଟି ସଂପୂର୍ଣ୍ଣ ରୂପେ ସଂଖ୍ୟାର ଖେଳ । ଓଡ଼ିଶା ପାଇଁ ଏତେ କୋଟି ଟଙ୍କା ସେତେ କୋଟି ଟଙ୍କା ବରାଦ ହୋଇଛି କହି ବିଜେପି ଯେଉଁ ବାହାବା ନେବାକୁ ଚେଷ୍ଟା କରୁଛି, ତାହା ବାସ୍ତବରେ କେବଳ ସଂଖ୍ୟାର କାରସାଦି ବ୍ୟତୀତ ଅନ୍ୟ କିଛି ନୁହେଁ । କିଛିବର୍ଷ ହେଲା ବିଭିନ୍ନ ପ୍ରକଳ୍ପ ନାଁରେ କେବଳ ଅର୍ଥ ବରାଦର ଘୋଷଣା କରାଯାଉଛି । ପ୍ରକୃତ କ୍ଷେତ୍ରରେ କେତେ ଅର୍ଥ ଖର୍ଚ୍ଚ ହେଉଛି, ତାହାର କୌଣସି ସମୀକ୍ଷା ହେଉନାହିଁ । ଷ୍ଟେସନ୍‍ର ଆଧୁନିକୀକରଣ, ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ରେଳ ଷ୍ଟେସନ୍‍ ନିର୍ମାଣ, ବହୁଚର୍ଚ୍ଚିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ୍‍ ସମେତ ଓଡ଼ିଶା ଦୀର୍ଘଦିନ ଧରି ଦାବି କରିଆସୁଥିବା ଏବଂ ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଥିବା କେତୋଟି ରେଳ ଲାଇନ୍‍ ସଂପର୍କରେ ବଜେଟ୍‍ରେ ବିଶେଷ କିଛି ବ୍ୟବସ୍ଥା ନାହିଁ । ଧର୍ମକୁ ଆଖିଠାର ଭଳି ଯାହା ବ୍ୟବସ୍ଥା କରାଯାଇଛି, ସେଇ ସ୍ୱଳ୍ପ ଅର୍ଥରେ ଅନେକ ପ୍ରକଳ୍ପ ବିଶେଷ ଅଗ୍ରଗତି କରିପାରିବ ନାହିଁ । ତା’ଛଡ଼ା ବି ଅନେକ ପ୍ରକଳ୍ପର କାର୍ଯ୍ୟକାରିତା ନେଇ ରେଳ ବିଭାଗର ଆନ୍ତରିକତା ନଥିବା ଗତବର୍ଷମାନଙ୍କରେ ପ୍ରମାଣିତ ହୋଇସାରିଛି । ଓଡ଼ିଶା ପାଇଁ ଏହି ବଜେଟ୍‍ଟି ପୂରାପୂରି ଅନ୍ତଃସାର ଶୂନ୍ୟ ବୋଲି ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ  ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳ ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ କହିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟ ଓ ଦୁର୍ଭାଗ୍ୟଜନକ ଘଟଣା ରେଳମନ୍ତ୍ରୀ ତାଙ୍କ ଟ୍ୱିଟ୍‍ର୍‍ରେ ଦର୍ଶାଇଛନ୍ତି ଯେ ଓଡ଼ିଶାରେ ୪୭୫୦ କିଲୋମିଟର ରେଳ ଲାଇନ୍‍ ନିର୍ମାଣ ଚାଲିଛି । କିନ୍ତୁ ରେଳ ମନ୍ତ୍ରାଳୟର ୱେବ୍‍ସାଇଟ୍‍ ସର୍ଚ୍ଚ କରିବାରୁ ଜଣାପଡିଛି ଯେ ମାତ୍ର ୨୯୩୬ କିଲୋମିଟର ରେଳ ଲାଇନ୍‍ ନିର୍ମାଣାଧୀନ ରହିଛି । ଯେଉଁଥିରେ ଜୟପୁର-ମାଲକାନଗିରି, ଗୁଣପୁର-ଥେରୁବାଲି ରେଳଲାଇନ୍‍, ଯଥାକ୍ରମେ ୧୩୦ କିମି ଓ ୭୯ କିମି ରେଳ ମନ୍ତ୍ରାଳୟ ଦ୍ୱାରା ଅନୁମୋଦନ ହୋଇନାହିଁ । ଏଠାରେ ପ୍ରଶ୍ନ ଉଠୁଛି ମନ୍ତ୍ରୀଙ୍କ ଟ୍ୱିଟର୍‍ ଓ ରେଳବାଇ ବିଭାଗର ତଥ୍ୟକୁ ଯୋଡ଼ିଲେ ୧୮୧୪ କିଲୋମିଟର ରେଳ ଲାଇନ୍‍ ଗଲା କୁଆଡେ଼? ଏହା ଗାଏବ ହେଲା କିପରି? ଏଥିପାଇଁ ରାଜ୍ୟବାସୀ ଥାନାରେ ଏତଲା ଦେବାକୁ ପଡିବାର ଆବଶ୍ୟକତା ଅଛି କି ବୋଲି ଶ୍ରୀ ଦେବ କଟାକ୍ଷ କରି ଉଲ୍ଲେଖ କରିଛନ୍ତି ।

ଶ୍ରୀ ଦେବ କହିଛନ୍ତି ଯେ ଗତବର୍ଷ ଓଡ଼ିଶାକୁ ରେଳ ବଜେଟ୍‍ରେ ଯେଉଁ ଅର୍ଥ ଦିଆଯାଇଥିଲା ସେଥିରୁ ୫୮ ପ୍ରତିଶତ ଅର୍ଥ ଖର୍ଚ୍ଚ ନହୋଇ ରହିଛି । ଚଳିତବର୍ଷ ସେହି ୫୮ ପ୍ରତିଶତ ଅର୍ଥକୁ ମିଶାଇ ଆଜି ରେଳ ବଜେଟ୍‍ରେ ୫୨୫୨ କୋଟି ଟଙ୍କା ଦିଆଯାଇଛି, ଯାହା କେବଳ ଲୋକଙ୍କୁ ଭଣ୍ଡାଇବା ପାଇଁ ଉଦ୍ଧିଷ୍ଟ । ଏହାକୁ ନେଇ ବିଜେପି ପ୍ରବକ୍ତାମାନେ କହୁଛନ୍ତି, ଓଡ଼ିଶାକୁ ଏବର୍ଷ ଅଧିକ ଅର୍ଥ ବରାଦ ହୋଇଛି । ଯଦି ଆମେ ହିସାବକୁ ନେବା ତେବେ ଗତବର୍ଷ ତୁଳନାରେ ମାତ୍ର ୨.୯% ଅଧିକ ଅର୍ଥ ରେଳ ବଜେଟ୍‍ରେ ବରାଦ ହୋଇଛି, ତାହା ପୁଣି ଗତବର୍ଷର ପଡିରହିଥିବା ୫୮ ପ୍ରତିଶତ ଅର୍ଥକୁ ମିଶାଇ । ରାଜ୍ୟ ସରକାର ଶୀତଳାପଲ୍ଲୀରେ ରେଳ ୱାଗନ କାରଖାନା ଖୋଲିବ ବୋଲି ଜମି ଦେଇଥିଲେ, କିନ୍ତୁ ସେଥିନେଇ କୌଣସି ପ୍ରସ୍ତାବ ନାହିଁ, ଯେପରି ମହାରାଷ୍ଟ୍ର କିମ୍ବା ବିହାରରେ ଏପରି କାରଖାନା ଖୋଲାଯିବ ବୋଲି ପ୍ରତିଶ୍ରୁତି ମିଳିଛି । 

ଚଳିତବର୍ଷ ବଜେଟ୍‍ରେ ରେଳ ମନ୍ତ୍ରାଳୟ କୌଣସି ନୂଆ ରେଳ ଲାଇନ୍‍ ପ୍ରକଳ୍ପ ମଞ୍ଜୁର ନକରିବା ଅତ୍ୟନ୍ତ ଦୁଃଖଦାୟକ । ଓଡ଼ିଶାରୁ ରେଳ ବିଭାଗ ୧୫୦୦୦ କୋଟିରୁ ଅଧିକ ରାଜସ୍ୱ ପାଉଥିଲା ବେଳେ କୌଣସି ନୂଆ ପ୍ରକଳ୍ପ ଅନୁମୋଦନ କରାଯାଇନାହିଁ । ଗତ ୨ବର୍ଷ ମଧ୍ୟରେ ଅନୁମୋଦନ ନାଁରେ ରେଳ ବିଭାଗ ବହୁ ପ୍ରକଳ୍ପ ଘୋଷଣା କରିଛି, କେବଳ ଗୋଟିଏ ଲକ୍ଷ୍ୟରେ ଯେ ଏହାକୁ ଭୁଲିଯିବା ଏବଂ ପରବର୍ତ୍ତୀ ବଜେଟ୍‍ରୁ ବାଦ୍‍ ଦେବ । ରାଜ୍ୟ ସରକାର ବାରମ୍ବାର ବ୍ରହ୍ମପୁର-ସମ୍ବଲପୁର, ପୁରୀ-କୋଣାର୍କ, ବରଗଡ଼-ନୂଆପଡ଼ା, ତାଳଚେର-ଗୋପାଳପୁର, ଭଦ୍ରାଚଳମ୍‍-ବିମଳାଗଡ଼, ପାରାଦୀପ-ଧାମରା ସମେତ ଅତି କ୍ଷୁଦ୍ର ଓ ଗୁରୁତ୍ୱପୂର୍ଣ୍ଣ ରେଳ ଲାଇନ୍‍ ଯଥା- ତାଳଚେର-ଏଫ୍‍ସିଆଇ-ଅନୁଗୁଳ, ବଡ଼ବିଲ-ବାଂଶପାଣି, ବରସୁଆଁ-ବାଂଶପାଣି-ବାଦାମପାହାଡ଼ ପ୍ରକଳ୍ପ ପାଇଁ ଦାବି କରିଆସୁଥବଲେ ହେଁ କୌଣସି ଗୋଟିଏ ପ୍ରକଳ୍ପ କଥା ବିଚାରକୁ ନିଆଯାଇନାହିଁ, ଯାହା ରାଜ୍ୟବାସୀଙ୍କ ସ୍ୱାର୍ଥ ବିରୋଧୀ । ବିଜେପୁର ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁରବାସୀଙ୍କୁ ଭରସା ଦେଇ ନୂଆପଡ଼ା-ବରଗଡ଼-ବିଜେପୁର ରେଳ ଲାଇନ୍‍ ପ୍ରକଳ୍ପ ମଞ୍ଜୁର କରିବା ପାଇଁ ଘୋଷଣା କରିଥିଲେ । କିନ୍ତୁ ଚଳିତ ବଜେଟ୍‍ରେ ଏହି ପ୍ରକଳ୍ପ ସଂପର୍କରେ କୌଣସି ସୂଚନା ନପାଇବା ବିଜେପୁରବାସୀଙ୍କ ପ୍ରତି ଧୋକ୍କା ସାବ୍ୟସ୍ତ ହୋଇଛି ।

ଶ୍ରୀ ଦେବ କହିଥିଲେ ଯେ ମଞ୍ଜୁରୀ ଅର୍ଥ ଅଧିକ ବଢ଼ିନଥିବା ବେଳେ ରେଳବାଇ ପକ୍ଷରୁ ମାତ୍ର ୩୦୦୦ ହଜାର କୋଟିରୁ କମ୍‍ ଟଙ୍କା ୨୦୧୭-୧୮ ଆର୍ଥôକ ବର୍ଷରେ ଖର୍ଚ୍ଚ ହୋଇଛି । ମୋଟ ୫୧୦୨ କୋଟି ଟଙ୍କା ୨୦୧୭-୧୮ ବର୍ଷରେ ମଞ୍ଜୁରୀ ହୋଇଛି । ଗତ କିଛିବର୍ଷ ଧରି ରେଳବାଇ ଖର୍ଚ୍ଚ ଆଦୌ ବଢ଼ିନାହିଁ । ଏହା ଯେଉଁଠି ଥିଲା ସେଇଠି ରହିଛି । ପ୍ରତି ପ୍ରକଳ୍ପ ପିଛା ମଞ୍ଜୁରୀ ଅର୍ଥ ଗତବର୍ଷ ତୁଳନାରେ ଚଳିତବର୍ଷ କମିଯାଇଛି । ଖୋର୍ଦ୍ଧା-ବଲାଙ୍ଗୀର ପ୍ରକଳ୍ପ ଏକ କେନ୍ଦ୍ରୀୟ ପ୍ରକଳ୍ପ ହୋଇଥିଲା  ବେଳେ ଏଥିରେ ୩୫୦ କୋଟି ଟଙ୍କା ମିଳିତ ବ୍ୟୟବରାଦ ଓ ୧୦୦କୋଟି ଟଙ୍କା ଆନୁଷ୍ଠାନିକ  ପାଣ୍ଠି ମିଶି ମୋଟ ୬୨୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି, ଯାହା ଗତବର୍ଷର ୭୦୦ କୋଟି ତୁଳନାରେ କମ୍‍ । ତାଳଚେର-ବିମଳାଗଡ଼ ପ୍ରକଳ୍ପ ପାଇଁ ମାତ୍ର ୨୦୦ କୋଟି ଟଙ୍କା ଅର୍ଥ ବ୍ୟବସ୍ଥା କରାଯାଇଛି ଓ ଅତିରିକ୍ତ ବଜେଟ୍‍ ଭିତ୍ତିଭୂମି ପାଇଁ ୧୦୦ କୋଟି ଟଙ୍କା ରଖାଯାଇଛି । ମୋଟ ୩୦୦ କୋଟି ଟଙ୍କା ଏଥିପାଇଁ ଥିଲାବେଳେ ଗତବର୍ଷ ଏଥିଲାଗି ୨୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା । ଅନୁଗୁଳ-ସୁକିନ୍ଦା ଓ ହରିଦାସପୁର-ପାରାଦୀପ ପ୍ରକଳ୍ପ ପାଇଁ ଏସ୍‍ପିଭି ପ୍ରକଳ୍ପରେ ପ୍ରତ୍ୟେକକୁ ୨୦୦ କୋଟି ଟଙ୍କା ଅର୍ଥ ବ୍ୟବସ୍ଥା କରାଯାଇଛି, ଯାହା ମାର୍କେଟ୍‍ ଋଣରୁ ଆସିବ ଓ ରାଜ୍ୟ ସରକାର ୩୦%ରୁ ଅଧିକ ଅର୍ଥ ବହନ କରିବେ । କେନ୍ଦ୍ର ସରକାର ଏଥିରେ ଟଙ୍କାଟିଏ ମଧ୍ୟ ଦେବେ ନାହିଁ । ଜୟପୁର-ନବରଙ୍ଗପୁର ପ୍ରକଳ୍ପ ଲାଗି ୫୦ କୋଟି ଟଙ୍କାର ବଜେଟ୍‍ ବ୍ୟୟବରାଦ ଥିବାବେଳେ ଇଭିଆର୍‍ ଭିତ୍ତିଭୂମିରୁ ୧୦୦ କୋଟି ବ୍ୟବସ୍ଥା ହୋଇଛି, ଯାହା ମୂଳତଃ ରାଜ୍ୟ ସରକାରଙ୍କ ପାଣ୍ଠି । ଗତବର୍ଷ ଏଥିଲାଗି ୨୦୦ କୋଟି ଟଙ୍କା ମଞ୍ଜୁର କରାଯାଇଥିଲେ ହେଁ ଗୋଟିଏ ଟଙ୍କା ଖର୍ଚ୍ଚ ହୋଇନଥିଲା । ଜୟପୁର-ମାଲକାନଗିରି ପ୍ରକଳ୍ପରେ ଗତବର୍ଷ ଭଳି ଏଥର ମଧ୍ୟ ୯୫ କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା କରାଯାଇଛି । ନିଜସ୍ୱ ପାଣ୍ଠି ୫୦ କୋଟି ଟଙ୍କା ରଖାଯାଇଥିବା ବେଳେ ଏହି ପ୍ରକଳ୍ପ ଏ ପର୍ଯ୍ୟନ୍ତ ରେଳ ମନ୍ତ୍ରାଳୟର ଆନୁଷ୍ଠାନିକ ଅନୁମୋଦନ ପାଇନାହିଁ, ଯଦିଓ ୨୦୧୬-୧୭ ରେଳ ବଜେଟ୍‍ରେ ଏହାକୁ ଅନୁମୋଦନ ମିଳିଛି । ଗୁଣୁପୁର-ଥେରୁବାଲି ପ୍ରକଳ୍ପ ଗତବର୍ଷ ବଜେଟ୍‍ରେ ଅନୁମୋଦନ ପାଇଥିଲା ବେଳେ ରେଳବାଇ ମନ୍ତ୍ରାଳୟ ଏକ ବର୍ଷ ପରେ ମଧ୍ୟ ଏ ପର୍ଯ୍ୟନ୍ତ ଆନୁଷ୍ଠାନିକ  ଭାବେ ଏହାକୁ ମଞ୍ଜୁର କରିନାହିଁ । କେବଳ ୧ଲକ୍ଷ ଟଙ୍କା ଟୋକନ୍‍ ମନି ରୂପେ ମଞ୍ଜୁର କରାଯାଇଛି, ଯାହାର ଅର୍ଥ ହେଲା, ଏହି ପ୍ରକଳ୍ପ ଲାଗି ଚଳିତବର୍ଷ କୌଣସି କାର୍ଯ୍ୟ ବା ଖର୍ଚ୍ଚର ଯୋଜନା ନାହିଁ । କଳାହାଣ୍ଡି ଇଲେକ୍ଟ୍ରିକ୍‍ ଲୋକମୋଟିଭ୍‍ ପିଓଏଚ୍‍ ୱାର୍କସପ୍‍ ଲାଗି ରାଜ୍ୟ ପକ୍ଷରୁ ଏବଂ ମୁଖ୍ୟମନ୍ତ୍ରୀ ବାରମ୍ବାର ଦାବି କରିବାରୁ ଏଥିପାଇଁ ମଞ୍ଜୁରୀ ମିଳିଥିଲା । ପୂର୍ବରୁ ଯେଉଁ ୱାଗନ୍‍ ୱାର୍କସପ୍‍ ଖୋଲିବା ଲାଗି ଘୋଷଣା କରାଯାଇଥିଲା, ତାହା ବିଶାଖାପାଟଣାକୁ ସ୍ଥାନାନ୍ତର କରିବା ପରେ ଉକ୍ତ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଏଥିରେ ସେହିପରି ୧ଲକ୍ଷ ଟଙ୍କା ଟୋକନ୍‍ ମନି ରଖାଯାଇଛି, ଯେଉଁଥିରୁ ଜଣାପଡୁଛି ଯେ ଏହି ୱାର୍କସପ୍‍ ଶୀଘ୍ର ହେବାର କୌଣସି ସମ୍ଭାବନା ନାହିଁ । ସ୍ଲିପର ପ୍ଲାଣ୍ଟ କିମ୍ବା ସେହିଧରଣର କାରଖାନା ଓଡ଼ିଶା ଦାବି କରିଆସୁଥିଲେ ହେଁ ଏ ସଂପର୍କରେ କୌଣସିି କଥା ବିଚାରକୁ ନିଆଯାଇନାହିଁ । ରେଳବାଇ ମନ୍ତ୍ରାଳୟ ଏବେ ନୂଆ ଟ୍ରେନ୍‍ ଚଳାଚଳ କରିବା ନେଇ ବଜେଟ୍‍ରେ ଆଗରୁ ଯେପରି ଘୋଷଣା କରୁଥିଲା, ସେପରି କରୁନାହିଁ । ତା’ଦ୍ୱାରା ମୁମ୍ବାଇକୁ ବକ୍ସିଜଗବନ୍ଧୁ ଏକ୍ସପ୍ରେସ୍‍ ଓ ସମ୍ବଲପୁର ଦେଇ ଦୈନିକ ରାଜଧାନୀ ଏକ୍ସପ୍ରେସ୍‍ ଚାଲିବା ଏବଂ ପଶ୍ଚିମ-ଓଡ଼ିଶା ସହ ଦକ୍ଷିଣ ଭାରତକୁ ସଂଯୁକ୍ତ କରିବା ଓ ନୟାଗଡ଼ରୁ ହାୱାଡ଼ାକୁ ଏକ୍ସପ୍ରେସ୍‍ ଟ୍ରେନ୍‍ ଚାଲିବା ଆଦି ନେଇ କୌଣସି ଘୋଷଣା ହୋଇନଥିବା ନୈରାଶ୍ୟଜନକ ଓ ଦୁଃଖଦାୟକ । ଓଡ଼ିଶାରେ ନୂଆ ଷ୍ଟେସନ୍‍ ପାଇଁ କୌଣସି ଅର୍ଥ ବରାଦ କରାଯାଇନାହିଁ । ଓଡ଼ିଶାରେ ମାତ୍ର ୧୨ଟି ଷ୍ଟେସନ୍‍ ଆଧୁନିକୀକରଣ ଲାଗି ରେଳ ମନ୍ତ୍ରାଳୟ ତାଲିକା ପ୍ରକାଶ କରିଛନ୍ତି, କିନ୍ତୁ ଏଥିନେଇ କୌଣସି ପଦକ୍ଷେପ ଏହି ବଜେଟ୍‍ରେ ନିଆଯାଇନାହିଁ । ଆମେ ରେଳ ଭିତ୍ତିକ ଏମ୍‍ଆରଟିଏସ୍‍ ପାଇଁ ଖୋର୍ଦ୍ଧା-ଭୁବନେଶ୍ୱର-କଟକ ଅଞ୍ଚଳ ଲାଗି ଦାବି କରୁଥିଲୁ, ଯାହା ଏହି ସହରଗୁଡିକ ଦୃତଗତିରେ ବଢ଼ୁଥିବାରୁ ପରିବହନ ଦୃଷ୍ଟିକୋଣରୁ ନିତାନ୍ତ ଅପରିହାର୍ଯ୍ୟ । ଚଳିତ ରେଳ ବଜେଟ୍‍ରେ ଓଡ଼ିଶା ପରିପ୍ରେକ୍ଷୀରେ ରେଳ ମନ୍ତ୍ରାଳୟ ପକ୍ଷରୁ ଯାହା ଉଲ୍ଲେଖ କରାଯାଇଛି, ତାହା ନୂଆ ଖୋଳ ଭିତରେ ପୁରୁଣା ମାଲ୍‍ ବୋଲି ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ  ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ ଉପସ୍ଥିତ ଥିଲେ । 

 

0
0
0
s2sdefault