ହେଡଲାଇନସ୍:

ଏକଜିଟ ପୋଲ ଯାହା କହୁଛି କହୁ, ହେଲେ ଲୋକଙ୍କ ମୁଡ଼ କହୁଛି..

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ରାଇରଙ୍ଗପୁର(ସଂ) ନିର୍ବାଚନ ମଣ୍ଡଳୀ : ହାରଜିତକୁ ନେଇ ବିଜେପି ଓ ବିଜେଡ଼ିରେ ଅଙ୍କକଷା

ବାରିପଦା(ଅରବିନ୍ଦ ଦାସ,ବାରିପଦା)- ରାଜନୀତି ଦୃଷ୍ଟି କୋଣରୁ ମୟୂରଭଞ୍ଜ ଜିଲ୍ଲାର ୨୮ନଂ-ରାଇରଙ୍ଗପୁର(ଏସଟି) ଆସନ ଅନେକ ଗୁରୁତ୍ୱ ବହନ କରିଥାଏ । ଗତ ଏପି୍ରଲ ୨୯ରେ ଚତୁର୍ଥ ପର୍ଯ୍ୟାୟରେ ଅନୁଷ୍ଠିତ ନିର୍ବାଚନରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ୭୬.୧୮ପ୍ରତିଶତମତ ଦାନ ହୋଇଥିବାର ଜଣାପଡ଼ିଛି । ବର୍ତ୍ତମାନ ନିର୍ବାଚନ ମଣ୍ଡଳୀରେ ହାରଜିତତ୍କୁ ନେଇ ଉଭୟ ବିଜେପି ଓ ବିଜେଡ଼ି ଦଳରେ ଚାଲିଛି ଅଙ୍କକଷା । କେଉଁ ବୁଥରୁ କାହାକୁ କେତେ ଭୋଟ ମିଳିଛି, ସେହି ବିଷୟକୁ ନେଇ ଦଳ ମଧ୍ୟରେ ଚାଲିଛି ଆକଳନ । ଉକ୍ତ ଆକଳନ ଓ ଅଙ୍କକଷା ଅନୁସାରେ ବିଜେଡ଼ି ଓ ବିଜେପି ଉଭୟ ନିର୍ବାଚନ ମଣ୍ଡଳୀରେ ବିଜୟୀ ହେବେ ବୋଲି ଆଶାବାଦୀ ରହିଥିବା ବେଳେ ଜେଏମଏମ ମଧ୍ୟ ନିର୍ବାଚନ ମଣ୍ଡଳୀରେ ଭଲ ପ୍ରଦର୍ଶନ କରିଥିବାର ଦାବି କରିଛି ।        ୨୮ନଂ ରାଇରଙ୍ଗପୁର ବିଧାନସଭା କ୍ଷେତ୍ର ବିଜେଡ଼ି, ବିଜେପି ଓ ଜେଏମଏମ ନିମନ୍ତେ ସମ୍ମାନର ପ୍ରଶ୍ନ ପାଲଟିଛି ।  ବିଜେପି ଓ ଜେଏମଏମ ଦୁର୍ଗକୁ ଜୟ କରିବା ଓ ବିଜେଡ଼ି ନିଜର ଗଡ଼ରକ୍ଷା କରିବା ନିମନ୍ତେ ସ୍ୱତନ୍ତ୍ର ରଣକୌଶଳ  ଓ ରଣନୀତି ପ୍ରସ୍ତୁତି ମାଧ୍ୟମରେ ନିର୍ବାଚନ ଲଢ଼ିଥିଲେ । ନିର୍ବାଚନରେ ଓ ନିର୍ବାଚନ ପରେ ଭୋଟରଙ୍କ ମନ ପରଖିବା ବିଜେପି, ବିଜେଡ଼ି ଓ ଜେଏମଏମ ନିମନ୍ତେ ଏତେ ସହଜ ହୋଇପାରିନଥିବା ବେଳେ ଭୋଟର କେଉଁ ଦଳ ଓ ପ୍ରାର୍ଥୀ ଆଡ଼କୁ ଢ଼ଳଛନ୍ତିି ତାହା ମଧ୍ୟ ଏକ ସସପେନ୍ସ ଭାବେ ଇଭିଏମ ଏବଂ ଭିଭିପେଟ ଇଲେକ୍ଟେ୍ରାନିକ୍ସ ଭୋଟିଂ ମେସିନ ମଧ୍ୟରେ ସିଲ ଅବସ୍ଥାରେ ମେଇ ୨୩ ଅପେକ୍ଷାରେ ରହିଛି । ତେବେ ନିର୍ବାଚନ ମଣ୍ଡଳୀରେ ବିଜେପିର ପାଲା ବିଜେଡ଼ିଠାରୁ ଅଧିକ ଭାରି ବୋଲି ବିଜେପି ପକ୍ଷରୁ ଦାବି କରାଯାଉଥିବା ବେଳେ ବିଜେଡ଼ି ମଧ୍ୟ ସମାନ ଦାବି କରିଛି ।  

             ୨୦୧୪ ନିର୍ବାଚନରେ ରାଇରଙ୍ଗପୁର ଆସନକୁ ବିଜେଡ଼ି ଦଖଲ କରିଥିବା ବେଳେ ୨୦୦୦ ଓ ୨୦୦୪ ବିଜେଡ଼ି-ବିଜେପି ମେଣ୍ଟ ସରକାରରେ ବିଜେପି ଦଖଲରେ ରହିଥିଲା । ସେହିପରି ୨୦୦୯କୁ ମିଶାଇ  ଏଠାରୁ କଂଗ୍ରେସ ୬ଥର, ଜନତା ପାର୍ଟି ୨, ସ୍ୱାଧୀନ, ଜେଏମଏମ, ଉକ୍ରଳ କଂଗ୍ରେସ,  ଓ ଜନତାଦଳ ପ୍ରତ୍ୟେକେ ଥରେ ଲେଖାଏଁ ବିଜୟୀ ହୋଇଥିଲେ । ୨୦୧୪ ବିଧାନସଭା ନିର୍ବାଚନରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜ ଦଳର ନେତାଙ୍କ ଉପରେ ଆସ୍ଥା ହରାଇ କଂଗ୍ରେସ ଦଳରୁ ଆମଦାନୀ କରାଇ ସାଇବା ସୁଶୀଲ ହାଁସଦାଃଙ୍କୁ ପ୍ରାର୍ଥୀ କରାଇବା ପରେ ଚତୃମୁଖୀ ପ୍ରତିଦ୍ୱନ୍ଦିତାରେ ଶ୍ରୀହାଁସଦାଃ ୩୨.୭୨ ପ୍ରତିଶତ ହାରରେ ୫୧,୦୬୨ ଖଣ୍ଡ ଭୋଟ ପାଇବା ସହ ୧୫,୫୫୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ପରାସ୍ତ କରିଥିଲେ । ଶ୍ରୀମତୀ ମୁର୍ମୁ ୨୨.୭୬ ପ୍ରତିଶତ ହାରରେ ୩୫,୫୦୬ ଖଣ୍ଡ ଭୋଟ ପାଇ ଦ୍ୱିତୀୟ, ଜେଏମଏମ ୧୮.୪୮ ପ୍ରତିଶତ ହାରରେ ୨୮,୮୩୮ ଖଣ୍ଡ ଭୋଟ ପାଇ ତୃତୀୟ ଓ କଂଗ୍ରେସ ୧୨.୨୨ ପ୍ରତିଶତ ହାରରେ ୧୯,୦୭୫ ଖଣ୍ଡ ଭୋଟ ପାଇ ୪ର୍ଥ ସ୍ଥାନରେ ରହିଥିଲେ । ଏହାପରେ ବିଧାୟକ ଶ୍ରୀହାଁସଦାଃ ନିର୍ବାଚନ ମଣ୍ଡଳୀରେ ନିଜର ଲୋକପ୍ରୟତା ହରାଇଥିବା କାରଣରୁ ୨୦୧୯ରେ ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ନିର୍ବାଚନ ମଣ୍ଡଳୀରେ ବହୁ ଯୋଗ୍ୟ ଆଶାୟୀମାନଙ୍କୁ ଅଣଦେଖା କରି ପୁଣି ଥରେ କଂଗ୍ରେସ ଦଳରୁ ଆସି ବିଜେଡ଼ିରେ ସାମିଲ ହୋଇଥିବା ବାସନ୍ତୀ ମାର୍ଣ୍ଡିଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଟିକଟ ଦେଇଥିଲେ । 

ଶ୍ରୀମତୀ ମାର୍ଣ୍ଡି କଂଗ୍ରେସରେ ଥିବା ସମୟରେ ରାଇରଙ୍ଗପୁର ବ୍ଲକରେ ୨ଥର ଅଧ୍ୟକ୍ଷ ଓ ଚଳିତ ଥର ପଞ୍ଚାୟତ ସମିତି ସଦସ୍ୟ ରହିଥିଲେ । ଚଳିତ ନିର୍ବାଚନରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ନା ରହିଛି ନବୀନ ସୁନାମୀ ଅଥବା ମୋଦୀ ଲହରୀ  । ଭୋଟରମାନେ ପ୍ରାର୍ଥୀ ଚୟନ, ପ୍ରାର୍ଥୀର ବ୍ୟକ୍ତିତ୍ୱ, ନେତୃତ୍ୱ , ଲୋକପ୍ରିୟତା ଓ ସ୍ୱଚ୍ଛତା ଉପରେ ଅଧିକ ଗୁରୁତ୍ୱାରୋପ କରିବା ସାଙ୍ଗକୁ ନୂଆ ମୁହଁ ଓ ଯୁବ ପ୍ରାର୍ଥୀମାନଙ୍କ ଉପରେ ଗୁରୁତ୍ୱାରୋପ କରୁଥିବାର ଜଣାପଡ଼ିଛି । ଏହି ଭଳି ପରିସ୍ଥିତିରେ ସଠିକ୍ ଓ ଯୋଗ୍ୟ ପ୍ରାର୍ଥୀ ଚୟନ ବିଜୟର ମାପକାଠି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତପୋଷଣ କରିଥିବା ବେଳେ ବିଜେଡ଼ିର ପର୍ଯ୍ୟବେକ୍ଷକଙ୍କ ନାମରେ ଟିକଟ ପାଇଁ ୫୦ ଲକ୍ଷ ଟଙ୍କା ଓ ହୋଟେଲରେ ରାତ୍ରୀ ଯାପନ ଭଳି ସଙ୍ଗୀନ ଅଭିଯୋଗ ଗଣମାଧ୍ୟମ ଓ ସାମିଜିକ ଗଣମାଧ୍ୟମରେ ସ୍ଥାନ ପାଇଥିଲା ।  କେବଳ ଏତିକି ନୁହେଁ ପର୍ଯ୍ୟବେକ୍ଷକ ବିଜେଡ଼ିକୁ ଡ଼ିଭିଜନ କରାଇବା, ଦଳୀୟ ପାଣ୍ଠିକୁ ହଡ଼ପର ପ୍ରୟାସ, ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ନେତା ଓ ସମର୍ଥକମାନଙ୍କୁ ଅଣଦେଖା ପ୍ରଦର୍ଶନ ସହ ଆତ୍ମଘୋଷିତ ନେତା ବୋଲାଉଥିବା ବ୍ୟକ୍ତିଙ୍କୁ ଗୁରୁତ୍ୱ ଦେଉଥିବାର ଅଭିଯୋଗ ଆଣି ନିଜର ପ୍ରାୟ ଶତାଧିକ ସମର୍ଥକମାନଙ୍କ ସହ ଏପ୍ରିଲ ୨୯ ପୂର୍ବରୁ ଏବଂ ମୁଖ୍ୟମନ୍ତ୍ରୀଙ୍କ ରାଇରଙ୍ଗପୁର ଗସ୍ତର ଠିକ୍ ପୂର୍ବ ଦିନ ଦଳ ତ୍ୟାଗ କରିଥିଲେ ଜିଲ୍ଲା ଉପସଭାପତି ଇଶାନ ମିଶ୍ର । ଫଳରେ ନିର୍ବାଚନ ମଣ୍ଡଳୀରେ ବିଜେଡ଼ିକୁ ଜୋର ସେ ଝଟକ୍କା ଧୀରେ ସେ ଲାଗେ ଭଳି କାର୍ଯ୍ୟ କରିଥିଲା । ପୁଣି ଶ୍ରୀମତୀ ମାର୍ଣ୍ଡି କଂଗ୍ରେସରେ ଥିବା ସମୟରେ ଗୋରୁମହିଷାଣି ଖଣି ମାଲିକ ସପକ୍ଷରେ କାର୍ଯ୍ୟ କରୁଥିବା ବିଷୟକୁ ନେଇ ଖଣି ଶ୍ରମିକ ସଙ୍ଗଠନର ଆସ୍ଥାଭାଜନ ହୋଇପାରିନଥିଲେ । ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପ୍ରାର୍ଥୀର ବିଜୟର ସମ୍ଭାବନା ଆସ୍ତେ ଆସ୍ତେ ମଉଳିବାରେ ଲାଗିଥିଲା । ଖୁଦ ମୁଖ୍ୟମନ୍ତ୍ରୀ ନବୀନ ବିଜେଡ଼ି ପ୍ରାର୍ଥୀ ସପକ୍ଷରେ ରାଇରଙ୍ଗପୁରରେ ପ୍ରଚାର କରିବାକୁ ଯାଇଥିବା ବେଳେ ତାଙ୍କର ରୋଡ଼ ସୋକୁ ଜଣ ସମର୍ଥନ  ମିଳିପାରିନଥିବା ବିଷୟକୁ ନେଇ ଜନସାଧାରଣରେ ଚର୍ଚ୍ଚା ଜୋର ଧରିଥିଲା ।  ନିର୍ବାଚନ ମଣ୍ଡଳୀରେ ହୋ ସମ୍ପ୍ରଦାୟର ଭୋଟ ବିଜେପିକୁ ଯିବାର ସମ୍ଭାବନା ଅଧିକ ରହିଥିବା କାରଣରୁ ଭୋଟ ବିଭାଜନ କରାଇବା ପାଇଁ ହୋ ସମ୍ପ୍ରଦାୟରୁ ବିଜେପି ସମର୍ଥନ କରୁଥିବା ରାଜ କିଶୋର ଦାସଙ୍କ ଗୋଷ୍ଠୀରୁ ମିନତୀ ହାଁସଦାଃ ପ୍ରାର୍ଥୀ ଛିଡ଼ା ହୋଇଥିବା ବେଳେ ବିଜେଡ଼ି ପକ୍ଷରୁ ସଖ୍ୟାଲଘୁ ସମ୍ପ୍ରଦାୟକଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦଳକୁ କ୍ଷତି ପହଁଞ୍ଚାଇବା ସହ ବିଜେଡ଼ି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିବାର କୁହାଯାଉଛି । ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ମଙ୍ଗ ସମ୍ଭାଳିବା ପାଇଁ କେହି ନଥିବା ବେଳେ ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପ୍ରାର୍ଥୀ ବିଜୟୀ ହେବାର ଅଧିକ ସମ୍ଭାବନା ରହିଛି ବୋଲି ଦଳ ପକ୍ଷରୁ ଚାଲିଥିବା ଅଙ୍କକଷାର ଫଳାଫଳରୁ ଜଣାପଡ଼ିଛି । 

             ସେହିପରି ବିଜେପି ପଛରେ ପଡ଼ିଯାଇ ନାହିଁ । ଝାଡ଼ଖଣ୍ଡ ରାଜ୍ୟର ରାଜ୍ୟପାଳ ତଥା ପୂର୍ବତନ ମନ୍ତ୍ରୀ ଦୌପଦୀ ମୁର୍ମୁଙ୍କ ନିଜସ୍ୱ ନିର୍ବାଚନ ମଣ୍ଡଳୀ ହେଉଛି ରାଇରଙ୍ଗପୁର । ବିଭିନ୍ନ ସମୟରେ ରାଇରଙ୍ଗପୁର ଗସ୍ତରେ ଆସି ସ୍ଥାନୀୟ ଜନସାଧାରଣଙ୍କ ସହିତ ସୌହାର୍ଦ୍ଧପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିଆସୁଥିଲେ । ପୁଣି ବିଜେପିର ଟାଣୁଆ ନେତା ମୟୂରଭଞ୍ଜ ପଶ୍ଚିମ ଜିଲ୍ଲା ସଭାପତି ନବୀନ ରାମ ଦଳୀୟ ସଙ୍ଗଠନକୁ ସଜାଡ଼ି ରଖିଛନ୍ତି । ନିର୍ବାଚନ ମଣ୍ଡଳୀରେ ରହିଥିବା ରାଇରଙ୍ଗପୁର ପୌରପରିଷଦ ସହ ୪ଟି ବ୍ଲକ ମଧ୍ୟରୁ ୨ଟି ବ୍ଲକ ଓ ୮ଟି ଜିଲ୍ଲାପରିଷଦ ଜୋନରୁ ୭ଟି ଜୋନକୁ ବିଜେପି ନିଜ ଦଖଲରେ ରଖିଛି । ତେଣୁ  ନିର୍ବାଚନ ମଣ୍ଡଳୀରେ ବିଜେପିର ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓ ପୂର୍ବତନ ନଗରପାଳ ନବ ଚରଣ ମାଝିଙ୍କ ବିଜୟ ସମ୍ଭାବନା ଅଧିକ ବୋଲି ବିଜେପି ପକ୍ଷରୁ ଦାବି କରାଯାଉଛି  । ଏଥି ସହିତ ବିଜେପି ସପକ୍ଷରେ ଏକ ଅନ୍ତସ୍ରୋତ କାର୍ଯ୍ୟ କରିଥିବାର କୁହାଯାଇଛି । ଭୋଟରମାନେ ଜିଲ୍ଲାରେ ବିଜେଡ଼ି ଶାସନରେ ଚାଲିଥିବା ଅମଲା ରାଜ, ପିସି କାରବାର, ଦୁର୍ନୀତି, ଭ୍ରଷ୍ଟାଚାରରେ ଅଣନିଶ୍ୱାସୀ ହୋଇପଡ଼ି ପରିବର୍ତ୍ତନ ସପକ୍ଷରେ ଏକଜୁଟ ହୋଇଛନ୍ତି । ଏଥି ସହିତ ନିର୍ବାଚନ ମଣ୍ଡଳୀରେ ମହାନ୍ତ ସମ୍ପ୍ରଦାୟର ଭୋଟରେ ବିଭାଜନ ହୋଇ ସିଂହ ଭାଗ ଭୋଟ ବିଜେପି ସପକ୍ଷରେ ଆସିଛି ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି । ତେଣୁ ମେ ୨୩ର ଫଳାଫଳ ବିଜେପି ସପକ୍ଷରେ ରହିବ ବୋଲି ଦଳ ଆଶାବାଦୀ ରହିଥିବା ବେଳେ ଜେଏମଏମ ମଧ୍ୟ ନିର୍ବାଚନ ମଣ୍ଡଳୀକୁ ନିଜ ଦଖଲକୁ ନେବ ବୋଲି ଚଳାଇଥିବା ଅଙ୍କକଷାରୁ ଜଣାପଡ଼ିଛି ।  ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଦଳୀୟ ସଙ୍ଗଠନ ବିଜେଡ଼ି ଓ ବିଜେପି ପରି ଅଧିକ ସୁଦୃଢ଼ ନଥିବା ସମୟରେ ରାଇରଙ୍ଗପୁର ଆସନ ଜେଏମଏମକୁ ଆସନ ବୁଝାମଣାରେ ଛାଡ଼ି ଦେଇଛି । ଏହି ସମୟରେ ଜେଏମଏମ ଦଳରେ ସାରସକଣା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢ଼ି କ୍ରମାଗତ ଭାବେ ୨୦୦୯, ୨୦୧୪ରେ ପରାସ୍ତ ହୋଇଥିବା ପୂର୍ବତନ ପ୍ରାର୍ଥୀ ତଥା ଜେଏମଏମ ଦଳର ରାଜ୍ୟ ଉପସଭାପତି ରାମଚନ୍ଦ୍ର ମୁର୍ମୁ ନିର୍ବାଚନ ମଣ୍ଡଳୀରେ ବିଜୟୀ ହେବେ ବୋଲି ଦଳୀୟ ସମର୍ଥକମାନେ ଦାବି କରିଛନ୍ତି । ନିର୍ବାଚନ ମଣ୍ଡଳୀରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଏକ ସିଂହଭାଗ ଭୋଟ ବିଜେଡ଼ିରୁ ଜେଏମଏମ ସପକ୍ଷରେ ଆସିଥିବାର କୁହାଯାଉଛି । ଏଥି ସହିତ ଦଳୀୟ ସଙ୍ଗଠନ ପୂର୍ବଠାରୁ ଅଧିକ ମଜବୁତ ରହିଥିବା ବେଳେ ଦଳ ଜନସାଧାରଣଙ୍କ ସୁଖଦୁଃରେ ସାମିଲ ହୋଇ ଆସୁଥିବାରୁ ଭୋଟର ବିଜେଡ଼ି ଓ ବିଜେପି ଅପେକ୍ଷା ଜେଏମଏମ ସପକ୍ଷରେ ରହିଥିବାରୁ ବିଧାୟକ ପ୍ରାର୍ଥୀ ଶ୍ରୀମୁର୍ମୁଙ୍କ ବିଜୟ ସମ୍ଭାବନା ଅଧିକ ବୋଲି ଦଳ ଆଶାବାଦୀ ହୋଇପଡ଼ିଛି ।  ତେବେ ମେ ୨୩ ତାରିଖରେ ଇଭିଏମ ମଧ୍ୟରେ ସିଲ ହୋଇ ରହିଥିବା ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ନବ ଚରଣ ମାଝି(ବିଜେପି), ବାସନ୍ତୀ ମାର୍ଣ୍ଡି(ବିଜେଡ଼ି), ରାମଚନ୍ଦ୍ର ମୁର୍ମୁ(ଜେଏମଏମ), କାହ୍ନୁ ଚରଣ ସୋରେନ(ଟିଏମସି), ସୁଶୀଳା ସାୟାଁ(ବିଏସପି), ଜଳନ୍ଧର ସିଂ(ସ୍ୱାଧୀନ), ନବ କିଶୋର ଟୁଡ଼ୁ(ବିଏମପି), ମିନତୀ ହାଁସଦାଃ ଓ ହିନ୍ଦୁରାୟ ଟୁଡ଼ୁ(ସ୍ୱାଧୀନ)ଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବାକୁ ଯାଉଥିବା ବେଳେ ବିଜେପିର ପାଲା ସାମାନ୍ୟ ଭାରି ରହିଥିବାର ଏକ ଆକଳନରୁ ଜଣାପଡ଼ିଛି । 

 

 

0
0
0
s2sdefault