ହେଡଲାଇନସ୍:

 ଉଦଳା ନିର୍ବାଚନ ମଣ୍ଡଳୀ :ଦୁଇ ପୂର୍ବତନଙ୍କ ମଧ୍ୟରେ ସମ୍ମାନର ଲଢେ଼ଇ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 କଂଗ୍ରେସ-ଜେଏମଏମ ମେଣ୍ଟ ବି ଯାଇନି ପଛାଇ 

ସାଧାରଣ ବର୍ଗ ନିର୍ଣ୍ଣାୟକ ଭୂମିକା ଲିଭାଇବେ

ବାରିପଦା(ଦିଲ୍ଲୀପ ମହାନ୍ତି )- ଅବିଭକ୍ତ ମୟୂରଭଞ୍ଜ ଜିଲ୍ଲାର ୩୧ନଂ-ଉଦଳା(ସଂ) ବିଧାନସଭା ନିର୍ବାଚନ ମଣ୍ଡଳୀରେ ୪ର୍ଥ ପର୍ଯ୍ୟାୟରେ ନିର୍ବାଚନ ପାଇଁ ଏପ୍ରିଲ ୨୯ ରେ ମତଦାନ ହେବ ।ଏଥି ନିମନ୍ତେ ନିର୍ବାଚନୀ ରଣାଙ୍ଗନରେ ଅବତ୍ତିର୍ଣ୍ଣ ହୋଇଛନ୍ତି ଦୁଇ ପୂର୍ବତନ ବିଧାୟକ । ଶାସକ ଦଳ ବିଜେଡ଼ିରୁ ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ  ରହିଥିବା ବେଳେ ବିଜେପିରୁ ପୂର୍ବତନ ବିଧାୟକ ଭାସ୍କର ମଢେ଼ଇ ରହିଛନ୍ତି  । ଅତୀତରେ ଏହି ଦୁଇ ପୂର୍ବତନ ବିଧାୟକଙ୍କ କାର୍ଯ୍ୟ ଦକ୍ଷତା, ଲୋକପ୍ରିୟତାକୁ ଅତି ନିକଟରୁ ପରଖି ସାରିଛନ୍ତି ଉଦଳା ନିର୍ବାଚନ ମଣ୍ଡଳୀର ଭୋଟର ଓ ଜନସାଧାରଣ । ଏହି ଦୁଇ ମୁଖ୍ୟ ପ୍ରତିଦ୍ୱନ୍ଦିଙ୍କ ସହ ନିର୍ବାଚନୀ ମଇଦାନକୁ କଂଗ୍ରେସ-ଜେଏମଏମ ମେଣ୍ଟରୁ କଂଗ୍ରେସର ବେଣୁଧର ମହାପାତ୍ର , ସ୍ୱାଧୀନ ପ୍ରାର୍ଥୀ ଭାବେ  ମାୟା ଟୁଡୁ ଓ ତୁଳସୀ ମାର୍ଣ୍ଡି ଉହ୍ଲାଇଛନ୍ତି । ତେବେ ସାମ୍ପ୍ରତିକ ପରିସ୍ଥିତି ମଧ୍ୟରେ ଭୋଟରମାନେ କାହାକୁ ସେମାନଙ୍କର ଭବିଷ୍ୟତର ପ୍ରତିନିିଧି ଭାବେ ନିର୍ବାଚିତ କରାଇବେ ତାହାକୁ ନେଇ ଦ୍ୱନ୍ଦରେ ପଡ଼ିଯାଇଛନ୍ତି । 

        ୧୯୯୯ରେ ଓଡ଼ିଶାରେ ବିଜେଡ଼ି ଏକ ଆଞ୍ଚଳିକ ଦଳ ଭାବେ ଜନ୍ମ ନେବା ପରେ  ୨୦୦୦ରେ ବିଜେପି ସହିତ ମେଣ୍ଟ କରି ପ୍ରଥମ ନିର୍ବାଚନକୁ ଉହ୍ଲାଇଥିଲା ଏବଂ ୨୦୦୯ ନିର୍ବାଚନ ସମୟରେ ଆସନ ବୁଝାମଣାରେ ସହମତି ହୋଇ ନପାରିବାରୁ ମେଣ୍ଟ ଭାଙ୍ଗିଯାଇଥିଲା । ଏହା ମଧ୍ୟରେ ଅନୁଷ୍ଠିତ ୨୦୦୦ ଓ ୨୦୦୪ ନିର୍ବାଚନରେ ଉଦଳା ନିର୍ବାଚନ ମଣ୍ଡଳୀରୁ ମେଣ୍ଟରୁ ବିଜେପି ଦଳରୁ ଭାସ୍କର ମଢେ଼ଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୦୯ ନିର୍ବାଚନରେ ବିଜେପି ପୂର୍ବତନ ବିଧାୟକ ଶ୍ରୀ ମଢେ଼ଇଙ୍କ ଉପରୁ ଆସ୍ଥା ହରାଇଥିବା କାରଣରୁ ବିଜୟ କୁମାର ସେନାପତିଙ୍କୁ ଟିକଟ ଦେଇଥିଲା । ନିର୍ବାଚନରେ ବିଜେପି ୧୨.୬୫ ପ୍ରତିଶତରୁ ଅଧିକ ହାରରେ ମୋଟ ୧୪,୪୭୨ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିବା ବେଳେ ବିଜେଡ଼ି ପ୍ରାର୍ଥୀ ଶ୍ରୀନାଥ ସୋରେନ ୩୫.୪୯ ପ୍ରତିଶତ ହାରରେ ୪୦,୫୯୭ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିଲେ । ସେହିପରି କଂଗ୍ରେସ ପ୍ରାର୍ଥୀ ଅନଙ୍ଗ ଚରଣ ସେନାପତି ୨୫.୭୧ ପ୍ରତିଶତ ହାରରେ ୨୯,୪୦୪ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ଓ ଜେଏମଏମ ପ୍ରାର୍ଥୀ ଦୁଲାଲ ସୋରେନ ୧୧.୧୪ ପ୍ରତିଶତ ହାରରେ ୧୨,୭୩୭ ଖଣ୍ଡ ଭୋଟ ପାଇ ଚତୃର୍ଥ ସ୍ଥାନରେ ରହିଥିଲେ । ଏହି ସମୟରେ ପୂର୍ବତନ ବିଧାୟକ ଶ୍ରୀ ମଢେ଼ଇ କଂଗ୍ରେସ ପ୍ରାର୍ଥୀ ଅନଙ୍ଗ ଚରଣ ସେନାପତିଙ୍କ ସପକ୍ଷରେ କାର୍ଯ୍ୟ କରୁଥିବା ବିଷୟକୁ ନେଇ ଅଭିଯୋଗ ହୋଇଥିଲା । ଏହାପରେ ୨୦୧୪ ନିର୍ବାଚନରେ ବିଜେପି ଶ୍ରୀ ମଢେ଼ଇଙ୍କୁ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରାଇଥିଲା । ନିର୍ବାଚନରେ ଶ୍ରୀ ମଢେ଼ଇ ୩୦.୨୪ ପ୍ରତିଶତରୁ କମ୍ ହାରରେ ୪୧,୦୯୯ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ବିଜେଡ଼ି ପ୍ରାର୍ଥୀ ତଥା ବିଜେପିର ପୂର୍ବତନ ମନ୍ତ୍ରୀ ଗୋଲକ ବିହାରୀ ନାଏକ ୩୬.୫୧ ହାରରେ ୪୯,୬୨୮ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିଲେ । ସେହିପରି କଂଗ୍ରେସ ୧୭.୧୭ ପ୍ରତିଶତ ହାରରେ ୨୩,୩୪୫ ଖଣ୍ଡ ଭୋଟ ପାଇ ତୃତୀୟ ଓ ଜେଏମ୍ଏମ୍ ୧୧.୩୪ ପ୍ରତିଶତ ହାରରେ ୧୫,୪୧୭ ଖଣ୍ଡ ଭୋଟ ପାଇ ଚତୁର୍ଥ ସ୍ଥାନରେ ରହିଥିଲା ।  ୨୦୧୪ରୁ ୨୦୧୯ ନିର୍ବାଚନ ମଧ୍ୟରେ ଉଦଳା ନିର୍ବାଚନ ମଣ୍ଡଳୀ ବହୁ ଉତ୍ଥାନପତନ ମଧ୍ୟ ଦେଇ ଆଗେଇ ଚାଲିଛି । ନିର୍ବାଚନ ମଣ୍ଡଳୀରେ ପାନୀୟ ଜଳ ଯୋଗାଣ ଓ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା କାରଣରୁ ବିରୋଧୀ ଏହାକୁ ମୁଖ୍ୟ ପ୍ରସଙ୍ଗ ଭାବେ ଗ୍ରହଣ କରିଛି । ସେହିପରି ଦୁର୍ନୀତି, ଭ୍ରଷ୍ଟାଚାର ଓ ସରକାରୀ ଶାସନ ବ୍ୟବସ୍ଥାରେ ପିସି କାରବାରକୁ ମଧ୍ୟ ଗୁରୁତ୍ୱ ଦେଇଛି ବିଜେପି । ଏଥି ସହିତ ବିଜେପିର ନିର୍ବାଚନୀ ଇସ୍ତାହାରକୁ ନେଇ ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ଶ୍ରୀମଢେ଼ଇ ପ୍ରଚାର କାର୍ଯ୍ୟକୁ ଜୋରଦାର କରାଇ ଭୋଟରମାନଙ୍କୁ ନିଜ ସପକ୍ଷରେ ନେବା ନିମନ୍ତେ ଉଦ୍ୟମ ଚଳାଇଛି । 

              ସେହିପରି ଶାସକ ଦଳ ବିଜେଡ଼ିର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପୂର୍ବତନ ବିଧାୟକ  ଶ୍ରୀସୋରେନଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ଟିକଟ ଦେଇଛନ୍ତି । ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ନିର୍ବାଚନ ମଣ୍ଡଳୀରେ ବିଧାୟକ ଥିଲେ ଶ୍ରୀସୋରେନ । ଜନସାଧାରଣଙ୍କ ସୁବିଧାଅସୁବିଧାରେ ନିଜକୁ ସାମିଲ କରାଇବା ପରିବର୍ତ୍ତେ ସେମାନଙ୍କୁ ସାକ୍ଷାତ ଦେବାକୁ ଆଗ୍ରହ ପ୍ରକାଶ କଲେ ନାହିଁ । ମହାଦେବଙ୍କୁ ଦର୍ଶନ କରିବା ପୂର୍ବରୁ ବାହନ ବୃଷଭଙ୍କୁ ସନ୍ତୁଷ୍ଟ କରାଇବା ନ୍ୟାୟରେ ସବୁ କିଛି ଚାଲୁଥିବାର ଅଭିଯୋଗ ହେଉଥିଲା । ଫଳରେ ନିର୍ବାଚନ ମଣ୍ଡଳୀରେ ଜନଅସନ୍ତୋଷ ଉଗ୍ରରୂପ ଧାରଣ କରିବା ସହ ଗୋଷ୍ଠୀ ବିବାଦ ଚରମ ସୋପାନରେ ପହଁଞ୍ଚିଯାଇଥିଲା । ମୁକୁ ଓରଫ ମନୋଜ ମହାନ୍ତି ଓ ବିଧାୟକ ଶ୍ରୀନାଥ ସୋରେନ ଗୋଷ୍ଠୀ ମଧ୍ୟରେ ବଳ କଷାକଷି ଓ ଟଣାଓଟରା ଆରମ୍ଭ ହୋଇଯାଇଥିଲା । ପରିଣାମ ସ୍ୱରୂପ ୨୦୧୩ ଉଦଳା ଏନଏସି ନିର୍ବାଚନରେ ବିଧାୟକ ଶ୍ରୀସୋରେନ ବିଜେଡ଼ି ପ୍ରାର୍ଥୀ ଚୟନ କରି ଟିକଟ ବାଣ୍ଟିଥିବା ବେଳେ ବିଜେଡ଼ି ବିରୋଧରେ ସମାନ୍ତର ଭାବେ ଶ୍ରୀମହାନ୍ତି ସ୍ୱାଧୀନ ପ୍ରାର୍ଥୀ ଛିଡ଼ା କରାଇଥିଲେ । ବିଜେଡ଼ି ପ୍ରାର୍ଥୀଙ୍କ ସପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ଖୁଦ ପ୍ରଚାରରେ ଆସିଥିଲେ ମଧ୍ୟ ବିଜେଡ଼ି ଖାତା  ଖୋଲିବା ଦୂରର ବିଷୟ ପ୍ରତିଦ୍ୱନ୍ଦିତା ପରିସର ମଧ୍ୟକୁ ଆସିପାରିଲା ନାହିଁ । ବିଜେଡ଼ିରେ ଏହି ଗୋଷ୍ଠୀ  ବିବାଦରୁ ଫାଇଦା ଉଠାଇଥିଲା ବିଜେପି | ଉଦଳା ଏନଏସିକୁ ନିଜ ଦଖଲକୁ ନେଇବାରେ ସଫଳ ହୋଇଥିଲା । ଫଳରେ ୨୦୧୪ ନିର୍ବାଚନରେ ଉଦଳା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଶ୍ରୀନାଥ  ସୋରେନଙ୍କୁ ବାଦ ଦିଆଯାଇ ବିଜେପିର ପୂର୍ବତନ ମନ୍ତ୍ରୀ ଗୋଲକ ନାଏକଙ୍କୁ ଟିକଟ ଦେଇଥିଲେ ହାଇକମାଣ୍ଡ ନବୀନ । ଏହାପରେ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ଶ୍ରୀନାଥ ସୋରେନ ବିଜେପି ଦିଗକୁ ଢ଼ଳି ବିଜେପି ସପକ୍ଷରେ ପ୍ରଚାର କରିଥିବାର ଅଭିଯୋଗ ହୋଇଥିଲା । ଏହି ସମୟରେ ବିଜେଡ଼ି ହାଇକମାଣ୍ଡ ପୂର୍ବତନ ବିଧାୟକଙ୍କୁ ପୁଣିଥରେ ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀ କରାଇଥିବାର ପ୍ରତିବାଦରେ ବିଜେଡ଼ିରୁ ବ୍ଲକର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷମାନଙ୍କ ସହ ପଞ୍ଚାୟି ସମିତିର କେତେକ ସଦସ୍ୟ ଓ ସରପଞ୍ଚଙ୍କୁ ମିଶାଇ ଶତାଧିକ କର୍ମୀ ଦଳତ୍ୟାଗ କରି ବିଜେପି ଶିବିରରେ ସାମିଲ ହୋଇଛନ୍ତି । ଏହାର ପ୍ରଭାବ ମଧ୍ୟ ଚଳିତ ନିର୍ବାଚନକୁ କେତେକାଂଶରେ ପ୍ରଭାବିତ କରାଇବାର ସମ୍ଭାବନା ଦେଖାଦେଇଛି । ତେବେ ମୁଖ୍ୟମନ୍ତ୍ରୀ ନବୀନଙ୍କ ପକେଟ ଭୋଟ ବିଜେଡ଼ିର ଏକମାତ୍ର ସାହାଭରସା ବୋଲି କୁହାଯାଉଛି । 

              ପଛରେ ପଡ଼ିଯାଇ ନାହିଁ କଂଗ୍ରେସ । ନିର୍ବାଚନ ମଣ୍ଡଳୀରେ ମେଣ୍ଟରୁ ଆସନ ବୁଝାମଣା ଭିତ୍ତିରେ ଉଦଳା ନିର୍ବାଚନ ମଣ୍ଡଳୀକୁ କଂଗ୍ରେସକୁ ଛାଡ଼ି ଦେଇଛି ଜେଏମଏମ । ଫଳରେ କଂଗ୍ରେସରୁ ଦେହୁରୀ ସମ୍ପ୍ରଦାୟର ବେଣୁଧର ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି । ତେଣୁ ଜେଏମଏମ ଓ କଂଗ୍ରେସର ପକେଟ ଭୋଟ ସହ ତାଙ୍କର ନିଜସ୍ୱ ଭୋଟ ବିଜେଡ଼ି ଓ ବିଜେପି ପ୍ରାର୍ଥୀଙ୍କୁ କଡ଼ା ଟକ୍କର ଦେବ ବୋଲି କଂଗ୍ରେସ ପ୍ରାର୍ଥୀ ଶ୍ରୀମହାପାତ୍ର ଆଶାବାଦୀ ରହିଛନ୍ତି । 

              ଉଦଳା ନିର୍ବାଚନ ମଣ୍ଡଳୀରେ ବାଥୁଡ଼ି ସମ୍ପ୍ରଦାୟର ଭୋଟ ସର୍ବାଧିକ ରହିଥିବା ବେଳେ ଭାସ୍କର ମଢେ଼ଇ ବାଥୁଡ଼ି ସମ୍ପ୍ରଦାୟ ଅଟନ୍ତି । ସେହିପରି ସାନ୍ତାଳ ସମ୍ପ୍ରଦାୟର ଭୋଟ ମଧ୍ୟ ପାଖାପାଖି ରହିଛି ଏବଂ ଶ୍ରୀନାଥ ସୋରେନ ସାନ୍ତାଳ ସମ୍ପ୍ରଦାୟର ଅଟନ୍ତି । ତେଣୁ ଉଦଳା ନିର୍ବାଚନ ମଣ୍ଡଳୀରେ ଅବଶିଷ୍ଟ ୩୫ ପ୍ରତିଶତ ମଧ୍ୟରେ ରହିଥିବା ସାଧାରଣ ବର୍ଗର ଭୋଟ ନିର୍ଣ୍ଣାୟକ ଭୂମିକା ଲିଭାଇବ ବୋଲି ଏକ ଆକଳନରୁ ଜଣାପଡ଼ିଛି । 

 

 

 

0
0
0
s2sdefault